ବିରୋଧୀଙ୍କ ଭୂମିକା ଓ ସ୍ଥିତ

ଅନିଲ କୁମାର ବିଶ୍ୱାଳ

ଶାସକ ସକ ଏବଂ ବିରୋଧୀ ହେଉଛନ୍ତି ଗଣତନ୍ତ୍ର ବ୍ୟବସ୍ଥାରେ ଲୋକମାନଙ୍କର ଦୁଇ ଆଖି ଭଳି। ଯଦିଓ ବିଧାନସଭା ବା ଲୋକ ସଭାରେ ଯେଉଁ ବିରୋଧୀ ରାଜନୈତିକ ଦଳ ଦ୍ୱିତୀୟ ସର୍ବାଧିକ ଆସନ ପାଇଥାଏ ତାକୁ ବିରୋଧୀ ଦଳର ମାନ୍ୟତା ମିଳେ କିନ୍ତୁ ଏହା ଅନ୍ୟ ବିରୋଧୀ ଦଳମାନଙ୍କର ଭୂମିକା ଏବଂ ଉତ୍ତରଦାୟିତ୍ୱକୁ କମ୍‌ କରେନି। ଦେଖିବାକୁ ଗଲେ ସମସ୍ତ ବିରୋଧୀ ଦଳର ଭୂମିକା ସମାନ। ବିରୋଧୀ ଦଳମାନଙ୍କର ମୁଖ୍ୟ ଭୂମିକା ହେଉଛି ସରକାରଙ୍କୁ ପ୍ରଶ୍ନ କରିବା ଏବଂ ସେମାନଙ୍କୁ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ କରାଇବା। ସରକାରଙ୍କର ଦୋଷ ତ୍ରୁଟିକୁ ସୁଧାରିବାରେ ଓ ସାଧାରଣ ଲୋକଙ୍କ ସ୍ବାର୍ଥରକ୍ଷା ଦିଗରେ ବିରୋଧୀ ଦଳମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ଏକ ଆଦର୍ଶ ରାଜନୈତିକ ବ୍ୟବସ୍ଥାରେ ଲୋକମାନଙ୍କ ପାଖରେ ସରକାରୀ ଦଳ ଯେତିକି ଉତ୍ତରଦାୟୀ ବିରୋଧୀ ଦଳଗୁଡ଼ିକ ମଧ୍ୟ ସେତିକି ପରିମାଣର ଉତ୍ତରଦାୟୀ। ସଂସଦ କି ବିଧାନସଭାରେ ହେଉ ବା ବାହାରେ ବିରୋଧୀମାନେ ସବୁବେଳେ ସେମାନଙ୍କର ଉପସ୍ଥିତି ରଖିବା ଦରକାର। ନ ହେଲେ ସରକାର ମନମୋଟିଆ, ଏକଚ୍ଛତ୍ରବାଦୀ ହୋଇଯିବେ। ଗଣତାନ୍ତ୍ରିକ ବ୍ୟବସ୍ଥାର ଅନ୍ୟତମ ଜଣାଶୁଣା ବ୍ୟାଖ୍ୟାକାର ତଥା ନ୍ୟୁଜିଲାଣ୍ଡର ନେତା ଡନ୍‌ ବ୍ରାଶଙ୍କ ଭାଷାରେ, ‘ବିରୋଧୀ ଦଳର ଅର୍ଥ ହେଉଛି ବିକଳ୍ପ ସରକାର’ା
ରାଜତନ୍ତ୍ର ଗଲା ଗଣତନ୍ତ୍ର ଆସିଲା। ଗଣତନ୍ତ୍ର ଆଉ ରାଜତନ୍ତ୍ର ବ୍ୟବସ୍ଥା ଭିତରେ ଫରକ ହେଉଛି, ରାଜତନ୍ତ୍ର ବ୍ୟବସ୍ଥାରେ ବିରୋଧର ପ୍ରଶ୍ନ ନ ଥିଲା। କିନ୍ତୁ ଗଣତନ୍ତ୍ରରେ ଲୋକମାନେ ଶାସକକୁ ବିରୋଧ କରିପାରିବେ, ପ୍ରଶ୍ନ ପଚାରିପାରିବେ। ଲୋକଙ୍କ ସ୍ବରକୁ ଏକ ଚିତ୍ର ମାନ ସ୍ବରୂପ ଦେବା ହେଉଛି ବିରୋଧୀ ରାଜନୈତିକ ବ୍ୟବସ୍ଥାର କାମ। ସରକାରଙ୍କୁ ଗଠନମୂଳକ ସମାଲୋଚନା, ଶାସକ ଦଳର ଅବାଧତା ଉପରେ ପ୍ରତିବନ୍ଧକ ଲଗାଇବା, ଲୋକଙ୍କର ସ୍ବାଧୀନତା ଓ ଅଧିକାରକୁ ସୁନିଶ୍ଚିତ କରିବା, ଜନତାଙ୍କର ମତକୁ ସରକାରଙ୍କ ପାଖରେ ରଖିବା ହେଉଛି ବିରୋଧୀ ଦଳମାନଙ୍କର କାମ। ହେଲେ ତାହା ହେଉଛି କି? ବ୍ୟବସ୍ଥାରେ ବିରୋଧୀ ଦଳମାନଙ୍କର ଯେଉଁ ତତ୍ୱଗତ ଆବଶ୍ୟକତା ରହିଛି ତାହା ସେମାନେ ନିଭାଇ ପାରୁଛନ୍ତି କି ? ବିରୋଧୀମାନେ ଯଦି କେବଳ ନିର୍ବାଚନ ଆସିଲା ବେଳକୁ ସଜବାଜ ହୋଇ ସେହି ସମୟରେ ବିଭିନ୍ନ ରାଜନୈତିକ ବୟାନ କରି ଲୋକଙ୍କ ନଜରକୁ ନିଜ ଆଡକୁ ଟାଣିବା ଲକ୍ଷ୍ୟରେ ରହିବେ, ବାକି ସମୟରେ ନିଜର ଭୂମିକାକୁ ଗୌଣ୍ୟ କରି ରଖିବେ ତା’ହେଲେ ଏହା ଭଲ କି? ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଲାଗୁଛି ସରକାରଙ୍କୁ ଗଠନମୂଳକ ସମାଲୋଚନା ଓ ପ୍ରସ୍ତାବ କମ୍‌ ରହୁଛି। ବିଭିନ୍ନ ଅଯଥା ପ୍ରସଙ୍ଗ, ଯେପରିକି ବ୍ୟକ୍ତିଗତ ରାଜନୈତିକ ବିରୋଧ, ବ୍ୟକ୍ତିଗତ ବିଚାରଗତ ବିରୋଧ (ଯାହାର ଲୋକମାନଙ୍କର ସାମାଜିକ ଜୀବନ ସହିତ କୌଣସି ସର୍ମ୍ପକ ନାହିଁ) ବେଶି ହେଉଛି। ଏହା କେବଳ କେଉଁ ଏକ ରାଜ୍ୟର ଅବସ୍ଥା ନୁହେଁ ବରଂ ସମସ୍ତ ରାଜ୍ୟ ଓ କେନ୍ଦ୍ରୀୟ ରାଜନୀତିରେ ଏପରି ଲକ୍ଷଣ ଦେଖିବାକୁ ମିଳୁଛି। ଓଡ଼ିଶାରେ ତ ସରକାରଙ୍କୁ କେବେ କେଉଁ ବିକାଶମୂଳକ ବିଷୟରେ ବିରୋଧୀମାନେ ଗଠନମୂଳକ ଉପଦେଶ ଦେବା ବିରଳ।
ବିରୋଧୀମାନେ ବିଭିନ୍ନ ସମସ୍ୟା ଉପରେ ଅଧ୍ୟୟନ କରି ନିଜର ମତ ସରକାର ଓ ଲୋକଙ୍କ ପାଖରେ ରଖିବା କଥା, ସରକାରଙ୍କ ନୀତିକୁ ତର୍ଜମା କରିବା କଥା। ଏଠି ତ ସମସ୍ୟାକୁ ବିରୋଧୀ ଦଳମାନେ ଚିହ୍ନି ପାରୁନାହାନ୍ତି, ସରକାରଙ୍କର ନୀତି ଯେତେବେଳେ ଲାଗୁ ହେଉଛି ବିରୋଧୀମାନେ ଜାଣିପାରୁନାହାନ୍ତି। ସେହି ନିୟମ କାର୍ଯ୍ୟକାରୀ ହେଲା ପରେ ଯେତେବେଳେ ଲୋକେ ଅସୁବିଧା ଭୋଗୁଛନ୍ତି ସେତେବେଳେ ଯାଇ ବିରୋଧୀ ଦଳମାନେ ନିଦରୁ ଉଠୁଛନ୍ତି। ବିରୋଧୀ ଦଳମାନଙ୍କ ପାଖରୁ ଯେଉଁ ଚତୁରତା ଆଶା କରାଯାଏ ତାହା ଦେଖିବାକୁ ମିଳୁନାହିଁ। ବେଳେବେଳେ ଅନୁଭବ ହୁଏ ଯେ ଭାରତୀୟ ରାଜନୀତିରେ (ଉଭୟ କେନ୍ଦ୍ର ଓ ରାଜ୍ୟ) ଯଦି ଗଣମାଧ୍ୟମ କି ଅଦାଲତମାନ ନ ଥାନ୍ତା ତା’ହେଲେ ଲୋକମାନେ ସେମାନଙ୍କର କଥା କାହାକୁ କହିଥାନ୍ତେ?
ଏବେ କିଛି ଦିନ ତଳେ ଓଡ଼ିଶାରେ ବିଧାନସଭା ଓ କେନ୍ଦ୍ରରେ ସଂସଦ ଚାଲିଥିଲା। ସଂସଦର ପୂରା ଅଧିବେଶନ ବିନା ଆଲୋଚନାରେ ଧୋଇଗଲା ଗୋଟିଏ ପ୍ରସଙ୍ଗକୁ ନେଇ, ତାହା ହେଉଛି, ‘ପେଗାସସ୍‌’। ଏ କଥା ଆମକୁ ସ୍ବୀକାର କରିବାକୁ ହେବ ଯେ ପେଗାସସ୍‌ ବିଷୟ ଲୋକଙ୍କର ମୌଳିକ ସମସ୍ୟା ନୁହେଁ। ଯଦି ଏହା ଲୋକଙ୍କର ମୌଳିକ ସମସ୍ୟା ହୋଇଥାନ୍ତା ତା’ହେଲେ କାହିଁକି ଯେମିତି ସଂସଦର ଅଧିବେଶନ ସରିଛି ସେମିତି ପେଗାସସ୍‌ ପ୍ରସଙ୍ଗ ବି ଉଭେଇ ଯାଇଥାନ୍ତା? ପେଗାସସ୍‌ରେ ବଡ଼ ବଡ଼ିଆଙ୍କର ଫୋନ୍‌ ଟ୍ୟାପ ହୋଇଛି। ଏହା ହେଉଛି କିଛି ରାଜନେତାଙ୍କର ବ୍ୟକ୍ତିଗତ ମାମଲା ଭଳି। କାରଣ ବିରୋଧୀଙ୍କର ଅଭିଯୋଗ ହେଲା ଯେ ସରକାର ସେହି ପେଗାସସ୍‌ ମାଧ୍ୟମରେ ବିରୋଧୀ ରାଜନୈତିକ ନେତାମାନଙ୍କର ଫୋନ୍‌ ଟ୍ୟାପିଙ୍ଗ କରୁଛନ୍ତି। ହେଲେ ବିରୋଧୀ ଦଳମାନେ ନିଜର ବ୍ୟକ୍ତିଗତ ମାମଲାକୁ ଲୋକଙ୍କର ବିଷୟ ବୋଲି ଦେଖାଇ ସଂସଦକୁ ପୂରା ଅଚଳ କରିଦେଲେ। ସଂସଦରେ ସେହି ଅଧିବେଶନରେ ଆସୁଥିବା ବିଧେୟକ, ସାମ୍ପ୍ରତିକ ସମସ୍ୟା, ସାଧାରଣ ଲୋକଙ୍କର ଦାବି ଉପରେ ଆଲୋଚନା ପ୍ରାଥମିକତାରେ ହେବା କଥା। ଏହା ପରେ ଆଉ ସବୁ ସମସ୍ୟାକୁ ବିରୋଧୀମାନେ ଉଠାଇଲେ କିଛି ଆପତ୍ତି ନାହିଁ। ହେଲେ ତାହା ନ କରି ବିରୋଧୀମାନେ ନିଜର ଫୋନ୍‌ ଟ୍ୟାପିଙ୍ଗକୁ ନେଇ ଗୃହକୁ ଅଚଳ କରିଲେ, ଯାହାଫଳରେ କିଛି ବିଧେୟକ ବିନା ଆଲୋଚନାରେ ପାରିତ ହେଲା। କ୍ଷତି ଜନତାଙ୍କର ଘଟିଲା। ସେଥିପାଇଁ ସେମାନେ ହାଇକୋର୍ଟ, ସୁପ୍ରିମକୋର୍ଟ ଯାଇପାରିଥାନ୍ତେ। ସଂସଦ ଯେ ଲୋକଙ୍କ ପାଇଁ ବସେ ତାହା ସେମାନେ ଭୁଲିଗଲେ। ଏମିତିରେ ଫୋନ୍‌ ଟ୍ୟାପିଙ୍ଗର ଇତିହାସ ଦେଶରେ ପୁରୁଣା।
ଓଡ଼ିଶା ବିଧାନସଭାରେ ବି ସମାନ ଅବସ୍ଥା। ଦୁଇଟି ଯାକ ବିରୋଧୀ ଦଳ ଉଭୟ କଂଗ୍ରେସ ଓ ଭାଜପା ଭିତରେ କଳି କାରଣରୁ ଶାସକ ଦଳ ସବୁବେଳେ ଫାଇଦାରେ। ଗୋଟିଏ ଦଳ ଆଇନଶୃଙ୍ଖଳାରେ ମୁଲତବୀ ଆଲୋଚନା ଆଣିଲା ବେଳକୁ ଅନ୍ୟ ଦଳଟି ନିଯୁକ୍ତିକୁ ନେଇ ଗୃହ ଅଚଳ କରିଦେଉଛି। ପରଦିନ ପୂର୍ବ ଦିନ ହଟ୍ଟଗୋଳ କରୁଥିବା ଦଳ ଚାଷୀଙ୍କ ସମସ୍ୟାକୁ ନେଇ ମୁଲତବୀ ଆଲୋଚନା ଆଣିଲା ବେଳେ ଅନ୍ୟ ଦଳଟି ଯିଏ ପୂର୍ବଦିନ ମୁଲତବୀ ଆଣିଥିଲା ସେମାନେ ଦୁର୍ନୀତି ପ୍ରସଙ୍ଗରେ ହଟ୍ଟଗୋଳ କରି ଗୃହ ବନ୍ଦ କରୁଛନ୍ତି। ଏହାକୁ ରାଜନୈତିକ ଦୃଷ୍ଟିରୁ କ’ଣ କୁହାଯିବ ତାହା ଭିନ୍ନ କଥା କିନ୍ତୁ ବାସ୍ତବରେ କ୍ଷତି ଲୋକମାନଙ୍କର ହେଉଛି। ବିରୋଧୀ ଦଳମାନଙ୍କର ରାଜନୈତିକ ଅହଙ୍କାର ଆଗରେ ଲୋକଙ୍କର ସ୍ବାର୍ଥ ନୂ୍ୟନ ହୋଇଯାଉଛି। ଗୃହ ନ ଚାଲିବା କାରଣରୁ ସରକାରଙ୍କୁ ମଧ୍ୟ ଲାଭ ହେଉଛି। ଏକ ସଂସ୍ଥାର ରିପୋର୍ଟ ଅନୁସାରେ ଉଭୟ ସଂସଦ ଏବଂ ବିଭିନ୍ନ ରାଜ୍ୟର ବିଧାନସଭାରେ ପାସ୍‌ ହେଉଥିବା ବିଧେୟକଗୁଡ଼ିକର ଆଲୋଚନା ସମୟ ହାରାହାରି ଭାବରେ ମାତ୍ର ୫ରୁ ୭ ମିନିଟ୍‌ ତାହା ପୁଣି ଅଧିକାଂଶ ଶାସକ ଦଳର ସଦସ୍ୟମାନଙ୍କର ଆଲୋଚନାରେ। ତା’ହେଲେ ବିରୋଧୀମାନେ ସେମାନଙ୍କର ଭୂମିକା ତୁଲାଇପାରିଲେ କି ନାହିଁ ଏହା ଉପରେ ତର୍ଜମା କରିବାର ଆବଶ୍ୟକତା ରହିନାହିଁ କି?
ଏବେ ଆସିବା ଗୃହ ବାହାରେ ହେଉଥିବା ରାଜନୀତିକୁ। ଯଦିଓ ସରକାରଙ୍କୁ ଘେରିବା ପାଇଁ ମାଳମାଳ ପ୍ରସଙ୍ଗ ରହିଛି ତଥାପି ବିରୋଧୀ ଦଳଗୁଡ଼ିକ ପ୍ରସଙ୍ଗ ନ ପାଇଲା ଭଳି ଅନୁଭବ ହେଉଛି। ଆଗରୁ କୌଣସି ବଡ଼ ପ୍ରସଙ୍ଗରେ ରାଜନୈତିକ ମହଲରୁ ଖବର ଯାଉଥିଲା ଗଣମାଧ୍ୟମକୁ। ଏବେ ଓଲଟା ହେଉଛି। ଗଣମାଧ୍ୟମରେ ଖବର ବାହାରିଲା ପରେ ବିରୋଧୀଙ୍କର ଚେତା ଫିଟୁଛି ବା ସେହି ପ୍ରସଙ୍ଗ ବିଷୟରେ ସେମାନେ ଜାଣିପାରୁଛନ୍ତି। ଓଡ଼ିଶାରେ ଏହାର ମାତ୍ରା ସର୍ବାଧିକ। ଗଣମାଧ୍ୟମରୁ ହିଁ ବିରୋଧୀମାନେ ଲୋକଙ୍କର ସମସ୍ୟା ବା ସରକାରଙ୍କର ଦୋଷ, ଦୁର୍ନୀତି ବିଷୟରେ ଜାଣିପାରୁଛନ୍ତି। ଜାଣିଲା ପରେ କ’ଣ ହେଉଛି। ଟୁଇଟ୍‌ ଆଉ ବାଇଟ୍‌ (ସାମାଜିକ ଗଣମାଧ୍ୟମରେ ଦୁଇ ଧାଡ଼ି, ଟିଭି କ୍ୟାମେରା ଆଗରେ ଦୁଇ ପଦ) ପ୍ରତିକ୍ରିୟାରେ ପୂରା ଦାୟିତ୍ୱ ସରୁଛି। ବେଳେବେଳେ ଲାଗେ ଯଦି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିବାର ବ୍ୟବସ୍ଥା ନ ଥାନ୍ତା ତାହେଲେ ହୁଏତ ବିରୋଧୀ ଦଳମାନେ ହଜିଯାଆନ୍ତେ। ଓଡ଼ିଶାରେ ଅନେକ ବର୍ଷ ହେଲାଣି କେବେ ଦେଖାଯାଇନି ଯେ ବିରୋଧୀମାନେ କୌଣସି ପ୍ରସଙ୍ଗରେ ଲଢ଼େଇକୁ ଶେଷ ନିର୍ଣ୍ଣାୟକ ମୋଡକୁ ନେଇଯିବାର। ଅନେକ ପ୍ରସଙ୍ଗରେ ଯେପରି ବୌଦ୍ଧିକ ପରିଶ୍ରମର ଆବଶ୍ୟକତା ରହିଛି ତାହା ବି ହେଉନାହିଁ। ଏପରି ସ୍ଥିତିରେ ଲୋକମାନେ ଯେଉଁ ଆଶା ବିରୋଧୀ ଦଳମାନଙ୍କଠାରୁ ରଖିବା କଥା ତାହା ମଉଳିଯାଉଛି। ଅଞ୍ଜନା ଗଣବଳାତ୍କାର ବୋଧହୁଏ ଓଡ଼ିଶାରେ ଶେଷ ରାଜନୈତିକ ଆନ୍ଦୋଳନ, ଯାହା ଜନମାନସରେ ପ୍ରଭାବ ପକାଇଥିଲା। ଚିଟ୍‌ଫଣ୍ଡ ଠକେଇ, ଅନେକ ଗଣବଳାତ୍କାର ହୋଇଛି ଯାହା ଲୋକଙ୍କ ସହିତ ସିଧାସଳଖ ସମ୍ପର୍କିତ। ଲୋକଙ୍କ ମନରେ ପ୍ରତିକ୍ରିୟା ବି ସୃଷ୍ଟି ହୋଇଛି ହେଲେ ତାହା ଜନ ଆନ୍ଦୋଳନର ରୂପ ନେଇପାରିନାହିଁ। କାରଣ ଏହାର ନେତୃତ୍ୱ ନେବାକୁ କେହି ନାହାନ୍ତି।
ବିରୋଧୀ ଦଳମାନେ ଦୁଇ ପ୍ରକାର ରୋଗରେ ରୋଗଗ୍ରସ୍ତ। ଗୋଟିଏ ହେଲା ଲୋକଙ୍କ ପାଖରେ ପହଞ୍ଚତ୍ବା, ସେମାନଙ୍କର ସମସ୍ୟା ବୁଝିବା, ତାକୁ ନେଇ ସରକାରଙ୍କୁ ଘେରିବା ଆଦିରେ ସେମାନେ ବିଫଳ। ଆଉ ଗୋଟିଏ ହେଲା ନିଜ ନିଜ ଦଳ ଭିତରେ ଥିବା ନେତୃତ୍ୱମାନଙ୍କର ତାଳମେଳର ଅଭାବ ଓ ଲଢ଼ାଇ। ସମ୍ରାଟଙ୍କୁ ଗୋଲାମ ଦରକାର ଏହି ମାନସିକତାରେ ଭାରାକ୍ରାନ୍ତ। ଏଥିପାଇଁ ବିରୋଧୀ ନେତୃତ୍ୱ ସଶକ୍ତ ହୋଇପାରୁନାହିଁ। କେବଳ ନିର୍ବାଚନ ପାଖେଇ ଆସିଲେ ସଜାଗ ହୋଇଉଠିବା, ନିର୍ବାଚନ ଜିତିବା ପାଇଁ ଲଢ଼ିବା, ଏହା କେବଳ କର୍ତ୍ତବ୍ୟ ନ ହେଉ, ସବୁ ସମୟରେ ଲୋକଙ୍କ ପାଇଁ ଲଢ଼େଇ ହେଉ, ତା’ହେଲେ ଯାଇ ଲୋକଙ୍କର ମଙ୍ଗଳ ହେବ।
ହରିରାଜପୁର, ପୁରୀ
ମୋ:୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ଧନ କ’ଣ ସୁଖ କିଣିପାରେ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ଏ ପ୍ରଶ୍ନର ଜବାବ ଦେବାକୁ ହେଲେ ପ୍ରଥମେ ନିରୂପଣ କରିବାକୁ ହେବ ସୁଖର ସଂଜ୍ଞା। ଅନେକ ଦାର୍ଶନିକ ଏବଂ...

ତାଲିବାନ: ଅନ୍ଧକାରର ପ୍ରତୀକ

ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଅପସାରଣ ପରେ ତାଲିବାନ ଇତିମଧ୍ୟରେ ଦେଶର ୮୫ ପ୍ରତିଶତରୁ ଅଧିକ ଅଞ୍ଚଳ ଅକ୍ତିଆର କରିସାରିଲାଣି। ସ୍ଥିତି ଦେଖି ଅସରଫ୍‌ ଘନି ସରକାର...

ଏଇ ଭାରତରେ

ଆମ୍ବ ବଗିଚା ନୁହେଁ, ବରଂ ଏହାକୁ କୁହାଯାଉଛି ଆମ୍ବ ମ୍ୟୁଜିୟମ। କାରଣ ଏହି ବଗିଚାରେ ଦେଶବିଦେଶର ପ୍ରାୟ ୨୫୦ କିସମର ଆମ୍ବ ଫଳୁଛି। ଯେ କେହି...

ଏଇ ଭାରତରେ

ଜଣେ ଆଦିବାସୀ ମହିଳାଙ୍କ ଚାଷ ପଦ୍ଧତି ଏବେ ବହୁ ଚାଷୀଙ୍କୁ ବାଟ ଦେଖାଉଛି। କର୍ନାଟକର ମହୀଶୂର ଜିଲା ଅନ୍ତର୍ଗତ ଏଚ୍‌ଡି କୋଟେ ବ୍ଲକ୍‌ ନିବାସୀ ପ୍ରେମା...

କ୍ରିପ୍ଟୋ ମୁଦ୍ରାର ଗହନ କଥା

କିଶୋର ଜେନା ଏଥରର ବଜେଟ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ସାଧାରଣ ଜନତାଙ୍କ ପ୍ରତ୍ୟାଶା ପୂରଣ ଦିଗରେ ସେପରି କିଛି ଦୃଷ୍ଟି ଦେଇନାହାନ୍ତି। ଏହା ସାମଗ୍ରିକ ଅଭିମତ।...

ଏଇ ଭାରତରେ

ମୃତ୍ୟୁ ପରେ ଶବଦାହ ସମ୍ମାନର ସହ ହେବା ଉଚିତ। କୌଣସି କାରଣରୁ ଶବ ବାହାରେ ପଡ଼ିରହିଲେ କିମ୍ବା ଏହା ପାଇଁ କେହି ଦାବି ନ କଲେ...

ଏଇ ଭାରତରେ

ମୃତ୍ୟୁ ଧମକକୁ ଖାତିର ନ କରି ସୁମିତା ବାନାର୍ଜୀ କୋଲକାତାର ରବୀନ୍ଦ୍ର ସରୋବର ସୁରକ୍ଷା ଲାଗି ଯେଉଁଭଳି ସଂଗ୍ରାମ କରୁଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟୀ। ପଶ୍ଚିମବଙ୍ଗ...

କର୍ମକ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା

ଘାସିରାମ ପଣ୍ଡା ଅଗଷ୍ଟ ୧୨ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଗୁଞ୍ଜନ ସାକ୍ସେନା’ ଅନେକ ବିତର୍କ ସୃଷ୍ଟି କରିଛି। ୧୯୯୬ରେ ଗୁଞ୍ଜନ ଭାରତୀୟ ବାୟୁ ସେନାରେ...

Advertisement
Archives

Model This Week