ରାଜକୋଷକୁ ଚୂନ ଲଗାଇଛନ୍ତି ବାବୁ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜକୋଷର ମୁଖ୍ୟ ଆଧାର ହେଉଛି ଟିକସ। ଏହାର ଅବମୂଲ୍ୟାୟନ ଓ ଚଞ୍ଚକତା ଯୋଗୁ ରାଜ୍ୟକୁ ବହୁ କୋଟି ଟଙ୍କା ରାଜସ୍ବ ହରାଇବାକୁ ପଡ଼ିଛି। ସରକାରୀ ବାବୁ (ଅଧିକାରୀ)ମାନେ ରାଜକୋଷକୁ ଚୂନ ଲଗାଇଛନ୍ତି। ସେମାନଙ୍କ ଦୁର୍ନୀତିଖୋର ମନୋଭାବ ଏବଂ ଅବହେଳା ଯୋଗୁ ଏଭଳି ଘଟିଛି। ବିଶେଷକରି ଓଡ଼ିଶା ଦ୍ରବ୍ୟ ଓ ସେବା ଟିକସ(ଓଜିଏସ୍‌ଟି), ଓଡ଼ିଶା ମୂଲ୍ୟଯୁକ୍ତ ଟିକସ(ଓଭାଟ୍‌) କେନ୍ଦ୍ରୀୟ ବିିକ୍ରିକର(ସିଏସ୍‌ଟି) ଓଡ଼ିଶା ପ୍ରବେଶ କର(ଓଇଟି), ପ୍ରମୋଦ କର(ଇଟି), ବୃତ୍ତିଗତ ଟିକସ(ପିଟି) ଏବଂ ଅବକାରୀ ଟିକସ ଆଦାୟ ଓ ମୂଲ୍ୟାୟନ ଠିକ୍‌ ଢଙ୍ଗରେ ନ ହେବାରୁ ସରକାର ବିପୁଳ ଟଙ୍କାର ରାଜସ୍ବ କ୍ଷତି ସହିଛନ୍ତି। ଏପରି କି ବହୁ କୋଟିର ଟିକସ ଆଦାୟ ନ ହୋଇ ଦୀର୍ଘବର୍ଷ ହେବ ପଡ଼ିରହିଛି। ଓଜିଏସ୍‌ଟି, ଓଭାଟ୍‌, ସିଏସ୍‌ଟି, ଓଇଟି, ଇଟି ଏବଂ ପିଟି ସମ୍ପର୍କିତ ୨୬୧ ମାମଲା ଯାଞ୍ଚ ପରେ ଜଣାଗଲା ଯେ, ଏ ବାବଦରେ ୫୨୮.୫୮ କୋଟି ଟଙ୍କାର ଟିକସ ଆଦାୟରେ ଅନିୟମିତତା କରାଯାଇଛି। ବିଧାନସଭାରେ ଶନିବାର ଉପସ୍ଥାପିତ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ରାଜସ୍ବ ଓ ଆର୍ଥିକ କ୍ଷେତ୍ର-୨୦୧୯ ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟର ପର୍ଦ୍ଦାଫାଶ ହୋଇଛି।
ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଭାଟ୍‌, ପ୍ରବେଶ କର ଓ ଖଣି ରାଜସ୍ବ ଭାବେ ୧୩,୬୮୩.୭୧ କୋଟି ୨୦୧୯ ମାର୍ଚ୍ଚ ୩୧ ଯାଏ ଆଦାୟ ହୋଇ ନ ଥିଲା। ସେଥିରୁ ୫,୭୧୭.୩୪ କୋଟି ଟଙ୍କା ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଆଦାୟ ନ ହୋଇ ପଡ଼ିରହିଛି। ସେଥିମଧ୍ୟରୁ ଭାଟ୍‌ ବାବଦରେ ୨,୯୩୧.୫୬ କୋଟି ଟଙ୍କା ବକେୟା ରହିଥିବାବେଳେ ୧,୨୩୦.୧୩ କୋଟି ଟଙ୍କାର ପ୍ରବେଶ କର, ୧୪୪.୯୫ କୋଟି ଟଙ୍କାର ଯାନବାହନ ଟିକସ ଏବଂ ୧,୪୧୦.୭୨ କୋଟି ଟଙ୍କା ଖଣି ରାଜସ୍ବ ଅନାଦାୟ ଭାବେ ପଡ଼ିରହିଛି। ଟିକସ ଆଦାୟ ରେକର୍ଡପତ୍ରରେ ମଧ୍ୟ ଚଞ୍ଚକତା ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ସିଏଜି ସମୀକ୍ଷା କରିବା ମାସକ ପୂର୍ବରୁ ରେକର୍ଡପତ୍ର ପ୍ରସ୍ତୁତ କରିବାକୁ ଟିକସ ଓ ଅଣଟିକସ ରାଜସ୍ବ କାର୍ଯ୍ୟାଳୟଗୁଡିକୁ କୁହାଯାଇଥାଏ। ତେବେ ସରକାରଙ୍କ ଟିକସ ଆଦାୟ କରୁଥିବା କାର୍ଯ୍ୟାଳୟଗୁଡିକ ୨୦୧୮-୧୯ରେ ୧,୩୬୩.୯୬ କୋଟି ଟଙ୍କା ଜଡିତ ଥିବା ୧,୧୬୦ଟି କର ନିର୍ଦ୍ଧାରଣ ନଥିପତ୍ର, ଅର୍ଥ ଫେରସ୍ତ ରେଜିଷ୍ଟର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ବେଳେ ଦେଖାଇ ପାରିନାହାନ୍ତି।

ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା କୃଷିଋଣରେ ମଧ୍ୟ ବ୍ୟାପକ ହେରଫେର ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି। କୃଷି ଋଣ ଉଠାଇବା ପାଇଁ ଚାଷୀମାନଙ୍କ ନିମନ୍ତେ ରୂପେ କିଷାନ କାର୍ଡ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ତେବେ ତାହାକୁ ସକ୍ରିୟ କରିବା ଲାଗି ଆବଶ୍ୟକ ଭିତ୍ତିଭୂମିି କରାଯାଇ ନ ଥିବାରୁ ରାଜ୍ୟ ରାଜକୋଷ ଉପରେ ଅଯଥା ୧୭.୪୩ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ଥିଲା। କେବଳ ସେତିକି ନୁହେଁ, ଠିକ୍‌ ସମୟରେ ବିପର୍ଯ୍ୟୟ ପ୍ରଭାବିତ ଚାଷୀଙ୍କୁ ସହାୟତା ନ ଯୋଗାଇବା, କୃଷି ସହାୟତା କେନ୍ଦ୍ର ଗଠନରେ ବିଳମ୍ବ, କମ୍ପ୍ୟୁଟରୀକରଣ ଏବଂ ନେଟୱର୍କିଂ ବିଫଳତା ଯୋଗୁ ଚାଷୀଙ୍କୁ କୌଣସି ଫାଇଦା ମିଳି ପାରି ନ ଥିଲା। ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଗୁଡିକୁ କମ୍ପ୍ୟୁଟରୀକରଣ କରା ନ ଯିବା ଏବଂ ଭି-ସାଟ୍‌ରେ ସଂଯୋଗ କରା ନ ଯିବା ଯୋଗୁ କୃଷକମାନେ ଇ-ବ୍ୟାଙ୍କିଙ୍ଗ୍‌ ସେବା ଓ ରୂପେ କିଷାନ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଏଟିଏମ୍‌ରୁ ଟଙ୍କା ଉଠାଇ ପାରି ନ ଥିଲେ।

ଜଙ୍ଗଲ ଓ ପରିବେଶ ବିଭାଗରେ ମଧ୍ୟ ଅନେକ ଅନିୟମିତତାକୁ ସିଏଜି ଠାବ କରିଛନ୍ତି। ବଣାଇ ବନଖଣ୍ଡ ଅଧିକାରୀ ୨୦୧୧ରୁ ୨୦୧୮ ମଧ୍ୟରେ ଜବତ ହୋଇଥିବା କାଠଗଣ୍ଡି ଓ ଖୁଣ୍ଟିଗୁଡିକର ମୂଲ୍ୟାୟନ ନ କରି ପକାଇ ରଖିବାରୁ ସରକାରଙ୍କୁ ୧.୪୯ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଛି।
ଜଳସେଚନ ବିଭାଗର ଅପାରଗତା ଯୋଗୁ ସରକାରଙ୍କୁ ବହୁ କ୍ଷତି ସହିବାକୁ ପଡିଛି। ଚାଷ ଜମିକୁ ଜଳସେଚନ ଯୋଗାଇ ଦେବାକୁ ହାଡୁଆ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ତେବେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ହାଡୁଆ ଜଳସେଚନ ପ୍ରକଳ୍ପ ଆଏକଟ ମାଡିଯିବାରୁ ପ୍ରକଳ୍ପରେ ବ୍ୟୟ ହୋଇଥିବା ୬୪.୬୮ କୋଟି ଟଙ୍କା ପାଣିରେ ପଡିଛି। ଜଳସେଚନ ଯନ୍ତ୍ରୀଙ୍କର ଦୁର୍ନୀତିଖୋର ମନୋଭାବ ଯୋଗୁ ରାଜକୋଷକୁ ବହୁ କ୍ଷତି ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ନଦୀ, ହ୍ରଦ ଓ ଜଳାଶୟଗୁଡିକରୁ ଜଳ ଶୋଷୁଥିବା ଶିଳ୍ପସଂସ୍ଥାଠାରୁ ନିର୍ବାହୀ ଯନ୍ତ୍ରୀ କମ୍‌ ଟିକସ ଆଦାୟ କରିବା ଯୋଗୁ ସରକାରଙ୍କୁ କ୍ଷତି ସହିବାକୁ ପଡିଛି। ଶିଳ୍ପସଂସ୍ଥାଗୁଡିକରୁ ଜଳ କର ବାବଦରେ ୧ ହଜାର ଲିଟରକୁ ୫.୬୦ପଇସା ପରିବର୍ତ୍ତେ ୪.୫୦ ପଇସା ହିସାବରେ ଆଦାୟ କରିବାରୁ ସରକାରଙ୍କୁ ୪.୪୭ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡିଛି। ୨୦୧୮ ଜାନୁୟାରୀରୁ ୨୦୧୯ ଜାନୁୟାରୀ ମଧ୍ୟରେ ସିଏଜି ଅଡିଟ୍‌ ବେଳେ ଜାଣିବାକୁ ପାଇଛନ୍ତି ଯେ, ୪୪୫ ଶିଳ୍ପାନୁଷ୍ଠାନ ମଧ୍ୟରୁ ୧୭ଟି ଲାଇସେନ୍ସ ଫି ନ ଦେଇ ସରକାରୀ ଉତ୍ସରୁ ଜଳ ନେଉଛନ୍ତି। ୨୦୧୭ ଏପ୍ରିିଲରୁ ୨୦୧୮ ଡିସେମ୍ବର ମଧ୍ୟରେ ଶିଳ୍ପସଂସ୍ଥାଗୁଡିକ ୮୩.୯୨ ଲକ୍ଷ ଘନମିଟର ଭୂତଳ ଜଳ ମାଗଣାରେ ନେଇଛନ୍ତି। ଏଥିପାଇଁ ସରକାରଙ୍କ ୬.୭୭ କୋଟି ଟଙ୍କାର ରାଜସ୍ବ ହାନି ହୋଇଛି। ଯାଜପୁର ଜଳସେଚନ ଡିଭିଜନର ୧୪ଟି କାର୍ଯ୍ୟରେ ଲୋକଙ୍କୁ ବ୍ୟବହାର ନ କରି ଯନ୍ତ୍ର ସାହାଯ୍ୟରେ କାର୍ଯ୍ୟ କରିବାରୁ ମାଟି ଖନନ ମୂଲ୍ୟ ବୃଦ୍ଧି କରି ଠିକାଦାରଙ୍କୁ ୬.୯୦ କୋଟି ଟଙ୍କାର ଅଯଥା ଫାଇଦା ଦିଆଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, ଡୋଜର ଦ୍ୱାରା ତ୍ରୁଟିପୂର୍ଣ୍ଣ ଆକଳନ କରି ଠିକାଦାରମାନଙ୍କୁ ୭.୧୦ କୋଟି ଟଙ୍କାର ଅନୁଚିତ ଫାଇଦା ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?