ଅବଗଣନା ଆରମ୍ଭ ହେଉ

ସୁକାନ୍ତ କୁମାର ପଟେଲ

କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱର ଚଳଚଞ୍ଚଳତା ବନ୍ଦ ହେଲା କିନ୍ତୁ ଜଳବାୟୁ ସଙ୍କଟ ହ୍ରାସହେଲା ନାହିଁ। ଉତ୍ତପ୍ତ ଜଳବାୟୁ ଦ୍ୱାରା ସମୁଦ୍ର ପତ୍ତନ ବୃଦ୍ଧି ହେବା ସହ ମେରୁ ଅଞ୍ଚଳରେ ବରଫ ଶିଳାଖଣ୍ଡ ମାନ ତରଳିବାକୁ ଆରମ୍ଭ କରିଛି। ଜାତିସଂଘ ଏହି ସମସ୍ୟାକୁ ସମଗ୍ର ବିଶ୍ୱବାସୀଙ୍କ ଅବଗତି ନିମନ୍ତେ ରିପୋର୍ଟ ମାଧ୍ୟମରେ ପ୍ରକାଶିତ କରିଛନ୍ତି। ଏକ ବହୁମୁଖୀ ସଂସ୍ଥା ‘ୟୁନାଇଟେଡ ଇନ୍‌ ସାଇନ୍ସ’ ଅନୁସାରେ ବିଗତ ୫ ବର୍ଷ ମଧ୍ୟରେ ବିଶ୍ୱ ସର୍ବାଧିକ ୫ ବର୍ଷର ଉତ୍ତପ୍ତତା ଅନୁଭବ କରିଛି ଏବଂ ପ୍ରତିକୂଳ ଜଳବାୟୁ ସୂଚନା ପ୍ରଦାନ କରୁଛି ଯେ, ଏ ପ୍ରକାର ଜଳବାୟୁ ପରିବର୍ତ୍ତନ ମଣିଷ ସମାଜ ନିମନ୍ତେ କ୍ଷତିକାରକ। ଜାତିସଂଘର ସାଧାରଣ ସମ୍ପାଦକ ଆଣ୍ଟୋନୀୟ ଗୁଟେରଶଙ୍କ ମତରେ ବର୍ତ୍ତମାନ ବିଶ୍ୱବାସୀ କେବଳ ସବୁଜ ପ୍ରଣାଳୀରେ ବିଭିନ୍ନ କାର୍ଯ୍ୟଧାରା ସଂପାଦନ କରିବା ଦ୍ୱାରା ଆମ ଜୀବନ ଓ ଜୀବିକା ମଧ୍ୟ ସୁରକ୍ଷିତ ରହିବ।
ବିଶ୍ୱ ପାଣିପାଗ ସଂସ୍ଥା ଅନୁସାରେ ବିଶ୍ୱଉତ୍ତପ୍ତୀକରଣ ଯାହା ପୃଥିବୀ ଧ୍ୱଂସର କାରଣ, ତାହାର ହ୍ରାସ ନିମନ୍ତେ ଅଙ୍ଗାରକାମ୍ଳ ନିର୍ଗମନ ପ୍ରଦତ୍ତ ଲକ୍ଷ୍ୟକୁ ବିଶ୍ୱବାସୀ ଏ ପର୍ଯ୍ୟନ୍ତ ହାସଲ କରିବାକୁ ଅକ୍ଷମ। ଜଳବାୟୁ ଉତ୍ତପ୍ତ ହେତୁ ମେରୁ ପ୍ରଦେଶରେ ବରଫ ଶିଳାଖଣ୍ଡ ତରଳିବା ଯୋଗୁ ପର୍ଯ୍ୟାପ୍ତ ଜଳ ଯୋଗାଣ ବ୍ୟାହତ ହେବାର ସମ୍ଭାବନା ଅଧିକ। ଜାତିସଂଘର ବିଜ୍ଞାନ ଉପଦେଷ୍ଟା କମିଟି ଅନୁସାରେ ଏହି ଶତାବ୍ଦୀର ଶେଷରେ ମହାସାଗରର ଜଳସ୍ତର କିଛି ମାତ୍ରାରେ ବୃଦ୍ଧି ପାଇବ। ଆହୁରି ମଧ୍ୟ କୁହାଯାଇଛି ଯେ ୨୦୧୬ରୁ ୨୦୧୯ ମଧ୍ୟରେ ଯେତେ ହିମ ଖଣ୍ଡ ତରଳିଛି ତାହା ବିଗତ ଦଶନ୍ଧିରେ ତରଳି ନ ଥିଲା। ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ପ୍ରାୟ ୧.୨ କୋଟି ଜନତା ଏବଂ ୨୦୫୦ ସୁଦ୍ଧା ୧.୬ କୋଟି ଜନତା ବନ୍ୟା ପ୍ରପୀଡିତ ହେବେ। ଅଧିକନ୍ତୁ ଏବେ ୧.୯ କୋଟି ଜନତା ଜଳ ସଙ୍କଟ ଭୋଗୁଥିବା ବେଳେ ୨୦୫୦ ବେଳକୁ ଏହା ୩.୨ କୋଟିକୁ ବୃଦ୍ଧି ପାଇବ। ହିମ ଖଣ୍ଡ ତରଳିବା ଯୋଗୁ ଜଳ କ୍ଲିଷ୍ଟତା ଅନୁଭୂତ ହେବ। ଊନବିଂଶ ଶତାବ୍ଦୀଠାରୁ ଭୂପୃଷ୍ଠର ଉତ୍ତାପ ୧ ଡିଗ୍ରୀ ବୃଦ୍ଧି ପାଇଛି। ଜାତିସଂଘ ଅନୁସାରେ ବିଗତ ୫ ବର୍ଷ ମଧ୍ୟରେ ପୃଥିବୀର ଉତ୍ତପ୍ତତା ସର୍ବାଧିକ।
୨୦୧୫ର ପ୍ୟାରିସ ଚୁକ୍ତି ଅନୁସାରେ ଏହି ବର୍ଷଠାରୁ ଅଙ୍ଗାରକାମ୍ଳ ନିର୍ଗମନ ନିୟନ୍ତ୍ରଣ ଆରମ୍ଭ ହେବ ଏବଂ ଚୁକ୍ତିଭିତ୍ତିକ ରାଷ୍ଟ୍ରଗୁଡିକ ଶିଳ୍ପାୟନ ପୂର୍ବରୁ ଥିବା ୨ ଡିଗ୍ରୀ ନିମ୍ନ ତାପମାତ୍ରାକୁ ଅନୁସରଣ କରିବାକୁ ବାଧ୍ୟ ହେବେ। କିନ୍ତୁ ବିଶ୍ୱ ଜଳବାୟୁ ସଂସ୍ଥା ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ଉତ୍ତାପ ୧.୫ ସ୍ତର ରଖିବାର ସମ୍ଭାବନା ମାତ୍ର ୨୪ ପ୍ରତିଶତ। ଅନ୍ୟ ଏକ ରିପୋର୍ଟରୁ ଜଣାଯାଏ ଯେ ବିଶ୍ୱରେ ମନୁଷ୍ୟର ଅର୍ଥନୈତିକ କାର୍ଯ୍ୟ ନିମନ୍ତେ ପ୍ରାଣୀ, ପକ୍ଷୀ ଓ ମତ୍ସ୍ୟଙ୍କ ସଂଖ୍ୟା ବିଗତ ୫୦ ବର୍ଷରେ ପ୍ରାୟ ୨/୩ୟାଂଶ ହ୍ରାସ ପାଇଛି। ଏହା ପୁଣି ମାତ୍ରାଧିକ ବ୍ୟବହାର ଯୋଗୁ ହୋଇଛି। କେବଳ ସେତିକି ନୁହେଁ ମନୁଷ୍ୟର କାର୍ଯ୍ୟକଳାପ ଯୋଗୁ ୩/୪ ଭାଗ ଜମିର ଗୁଣବତ୍ତା ହ୍ରାସ ପାଇବା ବେଳେ ୪୦ ପ୍ରତିଶତ ସମୁଦ୍ରର ଜଳ ମଧ୍ୟ ବିଷାକ୍ତ ହୋଇଛି। ଏକ ସଂସ୍ଥା ‘ଲିଭିଙ୍ଗ ପ୍ଲାନେଟ ଇଣ୍ଡେକ୍ସ’ ଦ୍ୱାରା କରାଯାଇଥିବା ୪୦୦୦ରୁ ଅଧିକ ମେରୁଦଣ୍ଡୀ ପ୍ରଜାତିର ଜୀବଙ୍କୁ ନେଇ କରିଥିବା ଏକ ଗବେଷଣାରୁ ପ୍ରକାଶ କରନ୍ତି ଯେ, ଜଙ୍ଗଲ ଧ୍ୱଂସ ସହ କୃଷି କାର୍ଯ୍ୟ ସଂପ୍ରସାରଣ ହେତୁ ପ୍ରାୟ ୧୯୭୦ରୁ ୨୦୧୬ ମଧ୍ୟରେ ପ୍ରାୟ ୬୮ ପ୍ରତିଶତ ଜୀବଜନ୍ତୁ ନିଶ୍ଚିହ୍ନ। ଆହୁରି ମଧ୍ୟ କୁହାଯାଇଛି ଯେ, ପ୍ରାକୃତିକ ପରିବେଶ ଧ୍ୱଂସ ଓ ସଂକୋଚନା ଯୋଗୁ ତଥା ବନ୍ୟ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ମଣିଷ ଭବିଷ୍ୟତରେ କୋଭିଡ-୧୯ ଭଳି ନୂତନ ମାରାତ୍ମକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ବିଶ୍ୱ ବନ୍ୟଜନ୍ତୁ ପାଣ୍ଠିର ସାଧାରଣ ନିର୍ଦ୍ଦେଶକ ମାର୍କୋ ଲାମ୍ବେରେଟିନଙ୍କ ଅନୁସାରେ ପୃଥିବୀର ଜୈବମଣ୍ଡଳ ସନ୍ତୁଳନ ୧୯୭୦ ଠାରୁ ହ୍ରାସ ପାଇବାରେ ଲାଗିଛି। ବିଗତ ୩୦ ବର୍ଷରୁ ଏହା ବର୍ଦ୍ଧିତ ବେଗରେ ହ୍ରାସ ପାଉଛି, ଯାହା ୨୦୧୬ରେ ୬୦ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା ୭୦ ପ୍ରତିଶତକୁ ବୃଦ୍ଧିପାଇଛି। ଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଅର୍ଥନୈତିକ କାର୍ଯ୍ୟ ତ୍ୱରାନ୍ବିତ ଯୋଗୁ ପ୍ରାକୃତିକ ସମ୍ବଳର ମାତ୍ରାଧିକ ବ୍ୟବହାର କରାଯାଇଥିଲା। ୧୯୭୦ ପର୍ଯ୍ୟନ୍ତ ମଣିଷର ପରିବେଶ ନଷ୍ଟର ମାତ୍ରା ପ୍ରକୃତିର ପୁନଃସୃଷ୍ଟି କରିବା ମାତ୍ରାଠାରୁ ଯଥେଷ୍ଟ କମ୍‌ ଥିଲା। କିନ୍ତୁ ଏବେ ଆମେ ପ୍ରକୃତିର ପୁନଃସୃଷ୍ଟି କରିବା ମାତ୍ରାର ଅର୍ଦ୍ଧାଧିକ ଆମେ ଖର୍ଚ୍ଚ କରୁଛୁ। ଶିଳ୍ପାୟନ ଏବଂ ଜଙ୍ଗଲ ଓ ପତିତ ଜମି କୃଷି କ୍ଷେତ୍ରରେ ପରିଣତ ଯୋଗୁ ପ୍ରଦୂଷଣର ମାତ୍ରା ବୃଦ୍ଧି ଘଟିଚାଲିଛି।
ଗତ କିଛିଦିନ ଧରି ଜଳବାୟୁ ପରିବର୍ତ୍ତନ ବିଶ୍ୱ ସଂପ୍ରଦାୟକୁ ବିପଦଗ୍ରସ୍ତ କରି ରଖିଛି। ଏହା ପୂର୍ବରୁ କରୋନା ମହାମାରୀ ଯୋଗୁ ଦୀର୍ଘ ୬ ମାସ ଧରି ଜନତା ଏହାର କବଳରୁ ମୁକ୍ତି ପାଇପାରୁ ନାହାନ୍ତି। ୧୯୭୦ରୁ ୨୦୧୬ ମଧ୍ୟରେ ଲାଟିନ ଆମେରିକୀୟ ଅଞ୍ଚଳରେ ବନ୍ୟଜନ୍ତୁ ସଂଖ୍ୟା ହ୍ରାସ ପ୍ରାୟ ୯୪ ପ୍ରତିଶତ ଏବଂ ଏହାପରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୪୫ ପ୍ରତିଶତ ଘଟିଛି। ଭାରତରେ ଜନସଂଖ୍ୟା ଅଧିକ ଦୃଷ୍ଟିରୁ ବନ୍ୟ ଜନ୍ତୁ ହ୍ରାସ କିଛି କମ୍‌ ନୁହେଁ। ରିପୋର୍ଟ ଅନୁସାରେ ୧୨ ପ୍ରତିଶତ ବଣୁଆ ସ୍ତନ୍ୟପାୟୀ ଓ ୩ ପ୍ରତିଶତ ପକ୍ଷୀ ପ୍ରଜାତି ହ୍ରାସ ହେବାର ରିପୋର୍ଟରୁ ଜଣାପଡେ। କେବଳ ସେତିକି ନୁହେଁ ଆମ ଦେଶରେ ୩ ପ୍ରତିଶତ ଉଭୟଚର ପ୍ରାଣୀଙ୍କର ଅବସ୍ଥା ସଙ୍କଟାପନ୍ନ। ବିଶ୍ୱ ଜୀବ ପାଣ୍ଠିର ରିପୋର୍ଟ ଅନୁସାରେ ମଧୁର ଜଳରେ ସ୍ତନ୍ୟପାୟୀ ଜୀବ, ଚଢେଇ, ସରୀସୃପ, ମାଛ ସହ ଉଭୟଚର ପ୍ରାଣୀଙ୍କର ଅବସ୍ଥା ମଧ୍ୟ ଉଦ୍‌ବେଗଜନକ। ୧୯୭୦ରୁ ଏହି ଜୀବମାନଙ୍କର ସଂଖ୍ୟା ୪ ପ୍ରତିଶତ ହ୍ରାସ ପାଇବାରେ ଲାଗିଛି। ଅର୍ଥାତ ଉପରୋକ୍ତ ଅବକ୍ଷୟ ମନୁଷ୍ୟକୃତ ଏବଂ ଆମର କାର୍ଯ୍ୟକଳାପ ଯୋଗୁ ଜୀବଜଗତ ଉପରେ ଏହାର ବିଧ୍ୱଂସକାରୀ ପ୍ରଭାବ ପରିଲକ୍ଷିତ। ଜନସଂଖ୍ୟା ବୃଦ୍ଧି ଯୋଗୁ ଏହାର ଚାପ ସ୍ବାଭାବିକ ଭାବେ ଜୀବଜଗତ ଓ ପ୍ରାକୃତିକ ପରିବେଶ ଉପରେ ପଡୁଛି। ଜଙ୍ଗଲ ଓ ବନ୍ୟଜନ୍ତୁ ଧ୍ୱଂସ ପାଇବା ସହ ମନୁଷ୍ୟର ଖାଦ୍ୟ, ବସ୍ତ୍ର ଓ ଗୃହର ଆବଶ୍ୟକତା ନିମନ୍ତେ ଜଙ୍ଗଲ କଟାଯିବା ସହ ଏହାକୁ ଚାଷ ଜମିରେ ପରିଣତ କରାଯାଉଛି। ଲୋକମାନେ ଏବେ ଜୀବନ ଓ ଜୀବିକା ନିମନ୍ତେ ସହରାଞ୍ଚଳ ଆଡକୁ ଆକର୍ଷିତ ହେବା ବେଳେ ସହରାଞ୍ଚଳ ବୃଦ୍ଧି ଯୋଗୁଁ ପାହାଡ ଓ ଗଛଲତା ନିଶ୍ଚିହ୍ନ ହେଉଛି। ଅଧିକନ୍ତୁ ଆମେ ମଣିଷମାନେ ୭୫ ପ୍ରତିଶତ ବରଫାବୃତ ଅଞ୍ଚଳକୁ ବଦଳାଇସାରିଛୁ। ଏଣୁ ବନ୍ୟପ୍ରାଣୀଙ୍କର ବସତି ଧ୍ୱଂସ ହେବା ସହ ସେମାନେ ଏବେ ଜନବସତି ମୁହାଁ। ଏଣୁ ଅନେକ ସମୟରେ ବନ୍ୟଜନ୍ତୁ ଯଥା ହାତୀମାନେ ଜନବସତିକୁ ପଶି ଆସି ଜୀବନ କ୍ଷୟକ୍ଷତି ଘଟାଇବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ନିଜର ବିକାଶକୁ ଅଗ୍ରାଧିକାର ପ୍ରଦାନ କରି ମଣିଷ ଜୀବଜନ୍ତୁଙ୍କର ଅଧିକାର ଭୁଲି ଯାଉଛି। ଆଗରୁ ଯେଉଁ ପଦ୍ଧତିରେ ଜଙ୍ଗଲ ଜଳାଯାଇ ମଣିଷ ନିଜର ସ୍ଥାୟୀ ବସବାସ ପାଇଁ ଜାଗା ସ୍ଥିର କରୁଥିଲା ଏବେ ତାହା ଭିନ୍ନ ଢଙ୍ଗରେ ଚାଲିଛି। ଫଳରେ ଜୀବଜନ୍ତୁଙ୍କର ପ୍ରାକୃତିକ ଆବାସ ସ୍ଥଳ ସଙ୍କୁଚିତ ହେବାରେ ଲାଗିଛି। ସେମାନଙ୍କୁ ସୀମିତ ଇଲାକା ଭିତରେ ରହିବାକୁ ପଡିବା ସହ ଖାଦ୍ୟ ଓ ପ୍ରକୃତିଗତ ଆବଶ୍ୟକତା ସୀମିତ ହେବା ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ସେମାନଙ୍କ ବଂଶ ନିଶ୍ଚିହ୍ନ ନିପାତ ହେବାରେ ଲାଗିଛି ଏବଂ କେତେକ ପ୍ରଜାତିର ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଲେଣି। ସମୁଦ୍ରରେ ଥିବା ମତ୍ସ୍ୟଗଡ଼ିକର ସଂଖ୍ୟା ସହ ଅନ୍ୟାନ୍ୟ ସାମୁଦ୍ରିକ ଜୀବମାନଙ୍କର ସଂଖ୍ୟା ମଧ୍ୟ ମାନବ ଜନସଂଖ୍ୟା ବୃଦ୍ଧି ଯୋଗୁ ହ୍ରାସ ପାଇବାରେ ଲାଗିଛି। ବୁଝିବା ଉଚିତ ଯେ ଉପଯୁକ୍ତ ସହାବସ୍ଥାନ ଯୋଗୁ ଆମେ ଦୀର୍ଘଜୀବୀ ହେବା ଏବଂ ଆମ ସମାଜ ସୁରକ୍ଷିତ ହେବା। ବିକାଶ ନାମରେ ଜୀବଜନ୍ତୁ ଲୋପ କରିବା ସହ ସେମାନଙ୍କୁ ଭକ୍ଷଣ କରିବା ଦ୍ୱାରା ସେମାନଙ୍କର ପଶୁଜନିତ ରୋଗ ‘ଜୋନୋଟିକ’ ଅଥବା ରୋଗାଣୁ ପ୍ରଭୃତି ସୃଷ୍ଟି ହେଉଛି, ଯାହା କରୋନା ଭଳି ମାରାତ୍ମକ ରୋଗ ଆମ ପାଇଁ ବିପଦ ସୃଷ୍ଟି କରୁଛି।
ବିଲୁପ୍ତ ହେବା ଜୀବଜନ୍ତୁମାନଙ୍କର ଅନ୍ୟତ୍ର ଚାଲାଣ ବ୍ୟବସାୟକୁ ବନ୍ଦ କରିବା ଜରୁରୀ। ଅନ୍ୟପକ୍ଷରେ କେବଳ ବାଘ ଭାଲୁ, ହାତୀ ଇତ୍ୟାଦି ପ୍ରାଧାନ୍ୟ ଥିବା ପ୍ରାଣୀମାନଙ୍କ ସଂରକ୍ଷଣ ନିମନ୍ତେ ସ୍ବତନ୍ତ୍ର ଯୋଜନା ନ କରି ଛୋଟ ଛୋଟ ଜୀବ ଜନ୍ତୁ ମାନଙ୍କର ସଂରକ୍ଷଣ ମଧ୍ୟ ଜରୁରୀ। ଉଦାହରଣ ସ୍‌ୱରୂପ ଶାଗୁଣା , ବାୟା ଚଢେଇ ଠାରୁ ଆରମ୍ଭ କରି କଇଁଛ ଓ ବେଙ୍ଗ ଭଳି ଅନେକ ଜୀବଜନ୍ତୁ ଙ୍କର ବଂଶ ଲୋପ ପାଇବା ପ୍ରାକୃତିକ ଅସନ୍ତୁଳନର ଚିହ୍ନ ଯାହା ଆଜି ସମସ୍ତଙ୍କ ନିମନ୍ତେ ଉଦ୍‌ବେଗର ବିଷୟ। ସମସ୍ତ କୀଟ ପତଙ୍ଗ ଓ ପ୍ରାଣୀ ଜଗତ ବଞ୍ଚିଲେ ଆମେ ସୁରକ୍ଷିତ ରହିବା। ଏ ବିଶ୍ୱର ସୁରକ୍ଷା ନିମନ୍ତେ ସବୁ ଜୀବ ଜଗତ ବଞ୍ଚି ରହିବା ଜରୁରୀ। ଆମେ ସମସ୍ତେ ପରସ୍ପର ସହ ସମ୍ବନ୍ଧିତ ଏହା ଆମକୁ ଜାଣିବାକୁ ହେବ। କରୋନା ମହାମାରୀରୁ ଆମେ ଏ ପର୍ଯ୍ୟନ୍ତ କିଛି ଶିକ୍ଷା ପାଇଲୁ ନାହିଁ। ସୁତରାଂ ଆସନ୍ତୁ ଆମେ ସମସ୍ତେ ମିଶି ଏହି ଶତାବ୍ଦୀ ଶେଷିସୁଧା ଚେଷ୍ଟା କରି ଜୈବମଣ୍ଡଳ ଓ ବନ୍ୟଜନ୍ତୁର କ୍ଷୟକ୍ଷତିକୁ ଓଲଟା ଦିଗରେ ପରିପୂରଣ କରିବାକୁ ପଦକ୍ଷେପ ଗ୍ରହଣ କରିବା। ଏହାଦ୍ୱାରା ଆମର ଭବିଷ୍ୟତ, ଜୀବନ ଓ ଜୀବିକା ସୁରକ୍ଷିତ କରିପାରିବା। ଏଥିନିମନ୍ତେ ଜଳାଶୟ ଓ ଜଳ ସମ୍ପଦ ତଥା ଜଙ୍ଗଲଗୁଡିକର ପୁନରୁଦ୍ଧାର ଜରୁରୀ। ଅର୍ଥାତ କ୍ଷୟ କ୍ଷତି ର ପରିପୂରଣ ନିଶ୍ଚିତ ଜରୁରୀ। ଏଣୁ ଆସନ୍ତୁ ,ଆପଣ,ଆମେ ସମସ୍ତେ ମିଶି ଅବଗଣନା ଏବେଠାରୁ ଆରମ୍ଭ କରିବା ଏବଂ ବିହିତ ପଦକ୍ଷେପ ଗ୍ରହଣ ପୂର୍ବକ ବସୁନ୍ଧରାର ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ଚେଷ୍ଟା କରିବା।
ପାର୍ବତୀ ଭବନ,ବସୁନ୍ଧରା ଲେନ, ବିଡାନାସୀ, କଟକ, ମୋ- ୭୦୦୮୩୫୦୪୭୭


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri