ଶ୍ରମ ଆଇନର କାମଚଳା ସଂସ୍କାର

ଶକ୍ତି ପ୍ରସାଦ ଦାସ

ଅନେକ ଜୀବନହାନି ସହିତ କୋଭିଡ୍‌ ମହାମାରୀର ସଂକ୍ରମଣ ଜାତୀୟ ବିପର୍ଯ୍ୟୟର ରୂପ ନେଇସାରିଛି। ସମାଜ ତା’ର ନିଜସ୍ବ ଶକ୍ତି ଦ୍ୱାରା ବିପର୍ଯ୍ୟୟର ମୁକାବିଲା କରିବାରେ ଅକ୍ଷମ। ତେଣୁ, ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ ଅନ୍ତର୍ଗତ ‘ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ’(ଏନ୍‌ଡିଏମ୍‌ଏ), ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦୈନନ୍ଦିନ ନୂଆ ନୂଆ ନୀତି, ଯୋଜନା ଓ ନିର୍ଦ୍ଦେଶାବଳୀ ଇତ୍ୟାଦି ଆଣି ରାଜ୍ୟମାନଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛି।
ମାର୍ଚ୍ଚ ୨୯ ତାରିଖରେ ଗୃହ ମନ୍ତ୍ରଣାଳୟ ଶ୍ରମିକମାନଙ୍କୁ ଲକ୍‌ଡାଉନ୍‌ ଅବଧିର ଦରମା ଓ ମଜୁରି ପ୍ରଦାନ କରିବାକୁ ଆଇନଗତ ଭାବରେ ବାଧ୍ୟତାମୂଳକ ବୋଲି ଘୋଷଣା କଲେ । କିନ୍ତୁ, ଶିଳ୍ପ ସମୃଦ୍ଧ ପଶ୍ଚିମ ଓ ଦକ୍ଷିଣ ରାଜ୍ୟଗୁଡିକରେ ଶ୍ରମ କଣ୍ଟ୍ରାକ୍ଟର, କଳ-କାରଖାନା ଓ ଛୋଟ ଛୋଟ କମ୍ପାନୀର ମାଲିକମାନେ ଏମାନଙ୍କ ସମସ୍ୟାରୁ ହାତ ଝାଡି ବସିଯାଇଛନ୍ତି। ଏମାନେ ଶ୍ରମିକଙ୍କ ମାର୍ଚ୍ଚ ମାସରେ କରିଥିବା କାମ ବାବଦର ମଜୁରି ମଧ୍ୟ ଦେବାକୁ ଭୁଲିଯାଇଛନ୍ତି। ପ୍ରବାସୀ ଶ୍ରମିକମାନଙ୍କୁ ଗୋଟିଏ ମାସର ମଜୁରି ଦେବାକୁ ଉଚିତ ମଣିଲେ ନାହିଁ ଏମାନେ। ଉଚ୍ଚତମ ନ୍ୟାୟାଳୟ କହିଲେ ଯେ, ଲକ୍‌ଡାଉନ୍‌ ଅବଧି ମଧ୍ୟରେ ଶ୍ରମିକମାନଙ୍କୁ ସମ୍ପୂର୍ଣ୍ଣ ମଜୁରି ଦେବାକୁ ସରକାର ନିଯୁକ୍ତିଦାତାଙ୍କୁ ବାଧ୍ୟ କରିପାରିବେ ନାହିଁ। କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ରାଜ୍ୟ ସରକାରୀ ଶ୍ରମ ବିଭାଗ ବୁଝାମଣାକୁ ସୁଗମ କରିବାକୁ ଆଦେଶ ଦେଲେ।
୧୯୭୯ର ପ୍ରବାସୀ ଶ୍ରମିକ ଅଧିନିୟମ ଯଦି କୌଣସି ପ୍ରକାରେ କାର୍ଯ୍ୟକାରୀ ହୋଇଥା’ନ୍ତା, ତେବେ ସରକାର ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଉତ୍ତମ ସ୍ଥିତିରେ ଥା’ନ୍ତେ। ଆଜି ଏହି ଶ୍ରମ-ସଙ୍କଟ ଉପୁଜି ନ ଥା’ନ୍ତା। ବାସ୍ତବରେ, ପ୍ରଚଳିତ ଶ୍ରମ ଆଇନଗୁଡ଼ିକ ଭାରତୀୟ ଶ୍ରମବଳର କେବଳ ଏକ କ୍ଷୁଦ୍ର ଭାଗ-ଔପଚାରିକ ଶ୍ରମବଳକୁ ସୁରକ୍ଷା ଦେଇଥାଏ। ସଂଖ୍ୟାଗରିଷ୍ଠ ଅନୌପଚାରିକ ଶ୍ରମବଳ ତଥା ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏହି ଶ୍ରମ ଆଇନରୁ ସେଭଳି କିଛି ଲାଭ ପାଇ ନ ଥା’ନ୍ତି। ୪୫୦ ନିୟୁତ ଶ୍ରମିକଙ୍କ ମଧ୍ୟରୁ କେବଳ ୧୧ ନିୟୁତରୁ କମ୍‌ ଲୋକଙ୍କୁ ଆଜି ଏହି ନାମମାତ୍ର ସେବା ପ୍ରଦାନ କରାଯାଉଛି। ଶ୍ରମ ଆଇନଗୁଡିକୁ ମୁଖ୍ୟତଃ ମାର୍ଗଦର୍ଶିକା ଓ ଅନ୍ୟାୟର ପ୍ରତିବନ୍ଧକ ଭାବରେ ବ୍ୟବହାର କରାଯାଉଛି।
ଗୃହ ମନ୍ତ୍ରଣାଳୟର ମାର୍ଚ୍ଚ ୨୯ ତାରିଖର ଆଦେଶନାମାକୁ ଫୁ କରିଥିବା କିଛି ପୁଞ୍ଜିପତି ଜେଲ ଯିବା ପରିବର୍ତ୍ତେ, ବେରୋଜଗାରୀର ଏହି ସୁଯୋଗକୁ ହାତଛଡା ନ କରି ଶ୍ରମ ଆଇନକୁ ରଦ୍ଦ କିମ୍ବା ସ୍ଥଗିତ କରାଇବାକୁ ପ୍ରଚେଷ୍ଟା ଆରମ୍ଭ କରିଦେଲେଣି। କାରଣ, ଶ୍ରମିକମାନଙ୍କୁ ଛଟେଇ କରୁଥିବା କିମ୍ବା ମଜୁରି ଦେଉ ନ ଥିବା କୌଣସି ନିଯୁକ୍ତିଦାତା କିମ୍ବା ଶ୍ରମ କଣ୍ଟ୍ରାକ୍ଟରମାନଙ୍କୁ ଚିହ୍ନଟ ବା ଦଣ୍ଡିତ କରାଯିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଏମାନଙ୍କ ଯୁକ୍ତି ହେଲା, ଶ୍ରମ ଆଇନ ଭାରତୀୟ ଶିଳ୍ପର ଅଗ୍ରଗତିକୁ ଅବରୋଧ କରି ରଖିଛି। ଶ୍ରମିକ ଔପଚାରିକତାକୁ ଏହି ଶ୍ରମ ଆଇନ ପଛରେ ପକାଇ ଦେଇଛି। ତେଣୁ ଭାରତରେ ଶିଳ୍ପାୟନ ଅଗ୍ରଗତି କରିପାରୁ ନାହିଁ। ଆଉ ସାମ୍ପ୍ରତିକ କୋଭିଡ୍‌ ପରିପ୍ରେକ୍ଷୀରେ ଏମାନଙ୍କର ଆର୍ଥିକ ସ୍ଥିତି ସୁଧାରିବାକୁ ହେଲେ, ଏହି ଶ୍ରମ ଆଇନକୁ ଉଠାଇ ଦେବାର ଅଛି। ୨୦୧୬ର ବିମୁଦ୍ରୀକରଣ ଧକ୍କା ଓ ୨୦୧୭ର ଦ୍ୱନ୍ଦ୍ୱପୂର୍ଣ୍ଣ ଜିଏସ୍‌ଟି ଏମାନଙ୍କର ଅର୍ଥନୀତିକୁ ଅବରୁଦ୍ଧ କଲାବେଳେ, ୨୦୧୮ର ଇଲେକ୍ଟୋରାଲ ବଣ୍ଡ୍‌ କିଣିବାକୁ ଭୁଲି ନ ଥିବେ ଏମାନେ । କିନ୍ତୁ, ଏହି ଜାତୀୟ ବିପତ୍ତି ସମୟରେ, ଶ୍ରମିକ ଭୋକ ଉପାସରେ ରାଜରାସ୍ତାରେ ଥିବାବେଳେ, ସେମାନଙ୍କୁ ସୁରକ୍ଷା ଦେବା ତ ଦୂର କଥା, ଯାହା କିଛି ସାମାନ୍ୟ ସୁରକ୍ଷା କବଚ ଟିକିଏ ଥିଲା, ସେତକ ଲୁଟିବାକୁ ଅଣ୍ଟା ଭିଡିଛନ୍ତି।
ବାସ୍ତବରେ, ଶିଳ୍ପ ବିବାଦ ଆଇନର କିଛି ଧାରାକୁ ବାରମ୍ବାର ତାତ୍ତ୍ୱିକ ଆଲୋଚନା କରି ତିନି ତୁଣ୍ଡରେ ଛେଳି କୁକୁର ଭଳି ସମଗ୍ର ଶ୍ରମ ଆଇନକୁ ପରିତ୍ୟାଗ କରିବାକୁ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇଛି। ଶ୍ରମ ଆଇନ ଏହି ସଙ୍କଟ ସୃଷ୍ଟି କରିନାହିଁ, ଶ୍ରମ ଆଇନକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରାଯାଇ ନ ଥିବାରୁ ଏହି ସଙ୍କଟ ଆସିଛି ।
ସିଏମ୍‌ଆଇଇ ଅନୁଯାୟୀ ତାଲାବନ୍ଦ ମଧ୍ୟରେ ୧୨ କୋଟିରୁ ଅଧିକ ଭାରତୀୟ ରୋଜଗାର ହରାଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ‘ବ୍ୟବସାୟରେ ସହଜତା’ ବା ‘ଇଜ୍‌ଅଫ ଡୁଇଂ ବିଜ୍‌ନେସ୍‌’ ସମ୍ପର୍କରେ ଚିନ୍ତା ପ୍ରକଟ କରୁଛନ୍ତି। କେବଳ କଠୋର ଶ୍ରମ ଆଇନ ଭାରତର ‘ଇଜ୍‌ଅଫ ଡୁଇଂ ବିଜ୍‌ନେସ୍‌’କୁ ବିରୋଧ କରୁଛି ଭାବିବା ଭୁଲ୍‌ ହେବ। ଅନ୍ୟାନ୍ୟ ସମସ୍ୟା ଯେପରି କି, ଦୁର୍ବଳ ଚୁକ୍ତିନାମା, କୁଶଳୀ ଶ୍ରମବଳର ଅଭାବ ଓ ଏକ ଅସ୍ଥିର ଟିକସ ବ୍ୟବସ୍ଥା ଇତ୍ୟାଦି ସହିତ ଏବେ ବି ସଂଘର୍ଷ କରୁଛି।
ବର୍ତ୍ତମାନ କୋଭିଡ୍‌-୧୯ ସଙ୍କଟ ଆମୂଳଚୂଳ ପରିବର୍ତ୍ତନର ସମ୍ଭାବନାକୁ ଉନ୍ମୁକ୍ତ ରଖିଛି। ପରିବର୍ତ୍ତନର ପ୍ରଥମ ସୋପାନ ଭାବରେ ଶ୍ରମକ୍ଷେତ୍ରକୁ ବାଛିବା ସହଜ ହୋଇଛି। କିନ୍ତୁ, ସଂସ୍କାର ନାମରେ ଭାରତରେ ଅନେକ ପ୍ରକାର କାର୍ଯ୍ୟ କରାଯାଉଥିବାରୁ ପ୍ରଶ୍ନ ହେଉଛି, ପ୍ରକୃତରେ କାହାକୁ ଶ୍ରମ ଆଇନ ସଂସ୍କାର ଭାବରେ ଶ୍ରେଣୀଭୁକ୍ତ କରାଯାଇପାରିବ?
ଶ୍ରମବଳକୁ ନିୟନ୍ତ୍ରଣ କରୁଥିବା ଆଇନଗୁଡ଼ିକର ତାଲିକା ଖୁବ୍‌ ବଡ଼। ଅତି କମରେ ୪୦ଟି କେନ୍ଦ୍ରୀୟ ଆଇନ ଓ ୧୦୦ରୁ ଅଧିକ ରାଜ୍ୟ ସ୍ତରୀୟ ଅଧିନିୟମ ଓ ନିୟମାବଳୀ ରହିଛି। ତେଣୁ, ବର୍ତ୍ତମାନ ଏହି ପୁରୁଣା କାଳିଆ ଶ୍ରମ ଆଇନକୁ ତର୍କସଂଗତ ଓ ସରଳୀକରଣ କରିବାର ଆବଶ୍ୟକତା ଅଛି।
ଗତ ସପ୍ତାହରେ, ଉତ୍ତରପ୍ରଦେଶ ସରକାର ତିନି ବର୍ଷ ପାଇଁ ପ୍ରାୟ ସମସ୍ତ ଶ୍ରମିକ ସୁରକ୍ଷା ଆଇନକୁ ହଟାଇ ସଂସ୍କାରର ଏକ ନୂତନ ସଂଜ୍ଞା ଉନ୍ମୋଚନ କରିଛନ୍ତି। ବୃତ୍ତିଗତ ନିରାପତ୍ତା ଓ କାର୍ଯ୍ୟସ୍ଥଳ ପରିବେଶ ପାଇଁ ସର୍ବନିମ୍ନ ମାନଦଣ୍ଡ ଉପରେ ମୌଳିକ ନିର୍ଦ୍ଦେଶାବଳୀଗୁଡିକୁ ଅବୈଧ କରିବା ପାଇଁ ଅଧ୍ୟାଦେଶ ଆଣିଛନ୍ତି।
ମଧ୍ୟପ୍ରଦେଶ ସରକାର ଆଗାମୀ ୧୦୦୦ ଦିନ ପାଇଁ ନୂତନ ନିବେଶକଙ୍କୁ କିଛି ଆକର୍ଷକ ଛାଡ ପାଇଁ ଅଧ୍ୟାଦେଶ ଆଣିଛନ୍ତି। ନୂତନ ୟୁନିଟଗୁଡିକରେ ଶ୍ରମିକମାନଙ୍କର ନିଯୁକ୍ତି ଓ ଛଟେଇକୁ ସହଜ କରାଯାଇଛି। ଟ୍ରେଡ ୟୁନିୟନଗୁଡିକୁ ଏ ପ୍ରସଙ୍ଗରେ ମୁଣ୍ଡ ଖେଳାଇବାକୁ ଅନୁମତି ଦିଆଯିବ ନାହିଁ । ଗୃହ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଅଧିନିୟମ, ବଣ୍ଡେଡ୍‌ ଲେବର ସିଷ୍ଟମ୍‌ (ରଦ୍ଦ) ଅଧିନିୟମ ଓ ମଜୁରି ପ୍ରଦାନ ଅଧିନିୟମ (ଯାହା ଶ୍ରମିକମାନଙ୍କୁ ଠିକ ସମୟରେ ମଜୁରି ପାଇବାକୁ ଅଧିକାର ପ୍ରଦାନ କରେ) ବ୍ୟତୀତ ଅନ୍ୟ ସମସ୍ତ ନିୟମ ଆସନ୍ତା ତିନିବର୍ଷ ପାଇଁ ଲୋପ କରାଯାଇଛି। ୧୯୪୮ ଅନ୍ତର୍ଗତ ବିଭିନ୍ନ କଲ୍ୟାଣକାରୀ ବ୍ୟବସ୍ଥାରୁ ଉଦ୍ୟୋଗଗୁଡିକୁ ମୁକ୍ତ ରଖାଯାଇଛି।
ଏହି ରାଜ୍ୟମାନଙ୍କୁ ଅନୁକରଣ କରି ଗୁଜରାଟ ସରକାର ୧୨୦୦ ଦିନ ପାଇଁ ଶ୍ରମ ଆଇନକୁ ସ୍ଥଗିତ ରଖିବାକୁ ସ୍ଥିର କରିଛନ୍ତି । ଆସାମ ସରକାର ଶ୍ରମିକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ନିଯୁକ୍ତି ଦେବାର ବ୍ୟବସ୍ଥା ଘୋଷଣା କରିଛନ୍ତି। ବର୍ତ୍ତମାନର ଦୈନିକ ଆଠ ଘଣ୍ଟାର କାର୍ଯ୍ୟ ସମୟକୁ ବାର ଘଣ୍ଟାର ଶିଫ୍ଟରେ ପରିବର୍ତ୍ତନ କରାଯିବାର ଅନୁମତି ଦେବାପାଇଁ ପ୍ରସ୍ତାବ ରଖିଛନ୍ତି। ପଞ୍ଜାବ, ରାଜସ୍ଥାନ ଓ ଓଡିଶା ସରକାର ମଧ୍ୟ ସେମାନଙ୍କର ଶ୍ରମ ଆଇନ ନିୟମରେ ସାମାନ୍ୟ ପରିବର୍ତ୍ତନ କରିବା କଥା ବିଚାର କରୁଛନ୍ତି।
ଉପରୋକ୍ତ ଘଟଣାବଳୀରୁ ଲାଗୁଛି କି ଏକ ଶକ୍ତିଶାଳୀ ସରକାର ସଙ୍କଟକୁ ଏକ ସୁଯୋଗ ରୂପେ ବ୍ୟବହାର କରି ଆଗକୁ ବଢିବାପାଇଁ ପ୍ରଚଳିତ ଆଇନରେ ସଂସ୍କାର କରିବା ଯୋଜନାରେ ଅଛନ୍ତି। ଭଲ କଥା, କିନ୍ତୁ,ଏହି ସଂସ୍କାର ପ୍ରକ୍ରିୟା ସୁବିଚାର ପ୍ରସୂତ ଓ ସମୟୋଚିତ ହେବା ଆବଶ୍ୟକ। ଆଇନର ସରଳୀକରଣ ଓ ସଙ୍କୋଚନ ଆବଶ୍ୟକ। କିନ୍ତୁ, ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଯାହା କରାଯାଉଛି, ତାହା ଉଭୟ ପ୍ରଣାଳୀ ଓ ସମୟ ଦୃଷ୍ଟିରୁ ଠିକ ନୁହେଁ। ଭାରତର ଶ୍ରମ ଆଇନ ପ୍ରକୃତରେ ଅନେକ ଆଇନର ସମାହାର । ଅତ୍ୟଧିକ ଉତ୍ସାହିତ ହୋଇ ଏହାକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେବା ଉଚିତ ହେବ କି? ସମ୍ପୂର୍ଣ୍ଣ ଅପସାରଣ ସଂସ୍କାରର ଏକମାତ୍ର ପଥ କି? କୋଭିଡ୍‌-୧୯ କବଳରେ ଅର୍ଥନୀତି ମାନ୍ଦା ଥିବାବେଳେ, ଯଦି ରୋଜଗାର ସୃଷ୍ଟି କରିବା ଆମର ଉଦ୍ଦେଶ୍ୟ ତେବେ, ଶିଫ୍ଟ ସମୟ କମ୍‌ କରି ଶ୍ରମିକ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ। ୧୨ ଘଣ୍ଟିଆ ଶିଫ୍ଟ ନିଷ୍ପତ୍ତି ଏହି ଉଦ୍ଦେଶ୍ୟର ସମ୍ପୂର୍ଣ୍ଣ ପରିପନ୍ଥୀ। ବଡ ଧରଣର ବେକାରିକୁ ସାମ୍ନା କରୁଥିବା ଶ୍ରମିକ ସହଜେ ତ ମୂଲଚାଲ କରିବାର ଶକ୍ତି ହରାଇଛି, ତେଣୁ ଆଇନଗତ ସୁରକ୍ଷା ଅଭାବରେ ଦୁର୍ଦ୍ଦଶାକୁ ସହ୍ୟ କରିବାକୁ ସେ ବାଧ୍ୟ ହେବ।
ଶ୍ରମିକ ପାଇଁ ସର୍ବନିମ୍ନ ମଜୁରି, ସମାନ କାମକୁ ସମାନ ମଜୁରି, କାର୍ଯ୍ୟସ୍ଥଳର ପରିବେଶ ଇତ୍ୟାଦି ମୌଳିକ ଆବଶ୍ୟକତାକୁ ଅଣଦେଖା କରିବା ମାନବିକ ଅଧିକାରର ଉଲ୍ଲଂଘନ ସଦୃଶ। ସମାଜକୁ ମନୁଷ୍ୟତ୍ୱହୀନ କରିବା କ’ଣ ଇଜ୍‌ଅଫ ଡୁଇଂ ବିଜ୍‌ନେସ୍‌? ଶିଳ୍ପ ନିରାପତ୍ତା ନଷ୍ଟ କରିବା ଓ ଶ୍ରମିକମାନଙ୍କ ସୁରକ୍ଷାକୁ ଅଣଦେଖା କରି ଶ୍ରମ ନିୟମକୁ ଦୁର୍ବଳ କରିବା କ’ଣ ଇଜ୍‌ଅଫ ଡୁଇଂ ବିଜ୍‌ନେସ୍‌?
ଅଧିକନ୍ତୁ, ଚାହିଦାର ସ୍ତର ନିମ୍ନଗାମୀ ରହିଥିବାବେଳେ, କୌଣସି ଉଦ୍ୟୋଗୀ ନିଜର ଉତ୍ପାଦନକୁ ବୃଦ୍ଧି କରିବାକୁ ଚାହିଁବ ନାହିଁ। ବରଂ ଉପଯୁକ୍ତ ମଜୁରିର ବନ୍ଦୋବସ୍ତ କରି ଶ୍ରମିକ ହାତକୁ ନଗଦ ପହଞ୍ଚାଇବାକୁ ଚେଷ୍ଟା କରିବାର ଅଛି। ଏପରି ହେଲେ, ଚାହିଦା ବୃଦ୍ଧି ପାଇବ ଓ ଉଦ୍ୟୋଗପତି ଉତ୍ପାଦନ ବଢାଇବା ପାଇଁ ଆଗଭର ହେବ।
ଏକ ଚାପଗ୍ରସ୍ତ ମାନବ ସମ୍ବଳକୁ ପ୍ରଦର୍ଶିତ କରି ଆମେ ଯଦି ଅଧିକ ନିବେଶ ଆଶା କରିବା, ତେବେ ଆମେ ଭୁଲ ବାଟରେ ଅଛୁ । କେବଳ ଅନୁଭୂତି ବା ଉପଲବ୍ଧିକୁ ବ୍ୟବହାର କରି ନୀତି ନିର୍ଣ୍ଣୟ କରିବା ଭୁଲ୍‌ ହେବ। ଆଇନର ଶାସନ ବନ୍ଦ ହୋଇଗଲେ ଜଙ୍ଗଲରାଜ ଆସିଯିବ। ନିବେଶକମାନଙ୍କୁ ଆକୃଷ୍ଟ କରିବା ଓ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ହେଲେ ସରକାର ଏକ ସନ୍ତୁଳିତ ଶ୍ରମ ଆଇନକୁ ଯଥାଶୀଘ୍ର ପାର୍ଲାମେଣ୍ଟରେ ପାସ କରାଇବାକୁ ଚେଷ୍ଟା କରିବା ଉଚିତ। ୪୪ଟି ଶ୍ରମ ଆଇନକୁ ଚାରୋଟି ଶ୍ରେଣୀ ଯଥା: ବେତନ, ସାମାଜିକ ସୁରକ୍ଷା, ଶିଳ୍ପ ନିରାପତ୍ତା ଏବଂ କଲ୍ୟାଣ ଓ ଶିଳ୍ପ ସମ୍ପର୍କ ମଧ୍ୟରେ ସୀମିତ କରି ଏକ ଚିଠା ଆଇନ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯିବ ବୋଲି ଜଣାଯାଏ।
ଜାତୀୟ ଇତିହାସରେ ଏହି ଦୁର୍ବଳ ମୁହୂର୍ତ୍ତକୁ ତରବରିଆ ଭାବରେ ବ୍ୟବହାର କରିବାକୁ ରାଜ୍ୟ ସରକାରମାନଙ୍କୁ ଅନୁମତି ଦେବା ଶ୍ରମିକଙ୍କ ସୁରକ୍ଷାକୁ କ୍ଷୁଣ୍ଣ କରିବ ଓ ଆମର ଶ୍ରମ ପ୍ରତିଷ୍ଠାନଗୁଡ଼ିକୁ ଆହୁରି ବିକୃତ କରିଦେବ। ରାଜ୍ୟ ସରକାରମାନଙ୍କର ଅଧ୍ୟାଦେଶଗୁଡିକର ମଞ୍ଜୁରି ଦେବା ପୂର୍ବରୁ ରାଷ୍ଟ୍ରପତି ଏସବୁ ବିଷୟକୁ ବିଚାର ପରିସରକୁ ନେବେ ବୋଲି ଆଶା କରିବା । ଶ୍ରମ ଆଇନର ସଂସ୍କାର ସରକାର, ଶ୍ରମିକ ଓ ନିଯୁକ୍ତିଦାତାଙ୍କ ସହମତିରେ ବାହାରିବା ଉଚିତ। ଏହା ମୌଳିକ ନୀତି ଓ କାମ କରିବାର ଅଧିକାର ସମେତ ଅନ୍ତର୍ଜାତୀୟ ଶ୍ରମ ମାନକ(ଆଇଏଲଓ) ଅନୁରୂପ ହେବା ବିଧେୟ । ଅଧ୍ୟାଦେଶ ବଳରେ କାମଚଳା ସଂସ୍କାର ବିପର୍ଯ୍ୟୟ ସୃଷ୍ଟି କରିବ ସିନା ସମାଧାନରେ ସାହାଯ୍ୟ କରିବ ନାହିଁ ।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା,ଭୁବନେଶ୍ୱର
ମୋ:୯୪୩୭୧୬୪୬୧୧
Email: saktiprasadd@yahoo.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଶିକର ଜଣେ ୮ବର୍ଷର ବାଳକ ସାଇକେଲ ଯୋଗେ ୩୬୦ କିଲୋମିଟର ଯାତ୍ରା କରିବାକୁ ଉଦ୍ୟମ କରିବା ନିଆରା ନିଶ୍ଚୟ। ଏହି ବାଳକ ନାଶିକଠାରୁ ପଣ୍ଢରପୁର ‘ସାଇକେଲ...

ବାବୁଙ୍କୁ ବାସିନ୍ଦା ଅଧିକାର

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧୦ ମାସ ପରେ ସ୍ଥାନୀୟ ପ୍ରଶାସନ ଡୋମିସାଇଲ ସାର୍ଟିଫିକେଟ(ମୂଳ ବାସିନ୍ଦା ପ୍ରମାଣପତ୍ର) ଦେବା ଆରମ୍ଭ କରିଛି। ନୂଆ ନିୟମାନୁସାରେ...

କିଏ ଏଇ ମା’

ସୁଧିରାଜ ରାଉତ ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା...

ଏଇ ଭାରତରେ

ଚୋରି କରିବା ଏକ ନିନ୍ଦନୀୟ କାର୍ଯ୍ୟ। ଚୋରି କରୁଥିବା ପୁରୁଷକୁ ବିବାହ ପାଇଁ କେହି ଝିଅ ଦେବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଛତିଶଗଡ଼ର କେତେକ...

ଏଇ ଭାରତରେ

କୌଣସି ବ୍ୟକ୍ତି ଅପରାଧ କରି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଦଣ୍ଡବିଧାନ ସ୍ବରୂପ ଜେଲ୍‌ରେ ରଖାଯାଇଥାଏ। କିନ୍ତୁ ଆମ ଭାରତରେ ଏପରି ଏକ ଜେଲ୍‌ ରହିଛି...

ଅବଦୁଲ୍‌ କଲାମ ଓ ଓଡ଼ିଶା

ଅଲେଖ ଚନ୍ଦ୍ର ସାମଲ ମହାନ୍‌ ବୈଜ୍ଞାନିକ ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ କିଏ କହୁଥିଲା ଅଗ୍ନିପୁରୁଷ, କିଏ କହୁଥିଲା ପୃଥ୍ବୀର ପାର୍ଥ।...

କଶ୍ମୀରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା

ଅାକାର ପଟେଲ କଶ୍ମୀରରେ ଅାମେ ଯାହା କଲୁ ତାହାର ପୂର୍ଣ୍ଣ ଅର୍ଥ କଣ ତାହା ଯଥାସମୟରେ ଜଣାପଡ଼ିବ ଏବେ ଅାମେ କହିଚାଲିଛୁ କି ଅାମେ ଯାହା...

ନିର୍ଯାତିତ ଶୈଶବ ଓ ସାର୍ବଜନୀନ ଶିକ୍ଷା

ସବ୍ୟସାଚୀ ଅମିତାଭ ଆମ ସମାଜରେ ଶିଶୁର ବିକାଶରେ ଶିଶୁଶ୍ରମିକ ପ୍ରଥା ଏକ ବଡ଼ ବାଧକ। ଶିଶୁ ଶ୍ରମିକ ନିଷେଧ ଆଇନ ଅନୁଯାୟୀ ୧୪ ବର୍ଷରୁ କମ୍‌...


Coronavirus Update

Archives

Model This Week

Why Dharitri