ପ୍ରତିବାଦକୁ ମାରିଦେବା

ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାର ଟିକୁନିଆରେ ୩ ଅକ୍ଟୋବରରେ ଚାଷୀଙ୍କ ଉପରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ସହ ତିନୋଟି ଏସ୍‌ୟୁଭି ଚଢ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ଏହାର ପ୍ରତିବାଦରେ ହିଂସାତ୍ମକ କାଣ୍ଡ ଘଟିବାରୁ ଉତ୍ତ୍ୟକ୍ତ ଚାଷୀମାନେ ୪ ଜଣ ଭାଜପା କର୍ମୀଙ୍କୁ ପିଟି ମାରିଦେଇଛନ୍ତି। ଫଳରେ ଏହି ଘଟଣାରେ ୮ ଜଣଙ୍କ ପ୍ରାଣ ଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମ୍ପୃକ୍ତ ମୃତ ଚାଷୀଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଦେବାକୁ ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି। ଏହି ପରିମାଣକୁ ଦେଖିଲେ ମନେହୁଏ ଯେପରି ଆଦିତ୍ୟନାଥ ଏଭଳି ଘଟଣାରେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। କାରଣ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ନିକଟ ଭବିଷ୍ୟତରେ ହେବାକୁ ଯାଉଛି। ଅନ୍ୟପକ୍ଷରେ କୃଷକମାନେ ଏହି ଘଟଣା ଲାଗି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ସହ ତାଙ୍କ ପୁଅଙ୍କୁ ଗିରଫ କରିବା ଲାଗି ଦାବି କରିଛନ୍ତି। ତେବେ ଅଜୟ ମିଶ୍ରା କହିଛନ୍ତି ଯେ, ଚାଷୀଙ୍କ ଉପରେ ଗାଡ଼ି ଚଢ଼ିବା ବେଳେ ତାଙ୍କ ପୁଅ ସେଥିରେ ନ ଥିଲେ। ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କେତେକେ ଗାଡ଼ି ଉପରକୁ ଟେକାପଥର ଫିଙ୍ଗିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ଏଭଳି ଅଘଟଣ ଘଟିଲା। କେନ୍ଦ୍ରମନ୍ତ୍ରୀଙ୍କ ଭାଷାରୁ ବୁଝିହେଉଛି ଯେ, ଡ୍ରାଇଭର ମୁଣ୍ଡରେ ଦୋଷ ଲଦିଦେଇ ପୁଅକୁ ସୁରକ୍ଷା ଦେବା ଲାଗି ସବୁ ପ୍ରୟାସ ଆରମ୍ଭ ହୋଇସାରିଲାଣି। ଡ୍ରାଇଭରଙ୍କୁ ଗିରଫ କରାଯାଇ ଜେଲକୁ ପଠାଯିବ। ମାମଲାକୁ ପୋଲିସ ତରଫରୁ ପାଣିଚିଆ କରିଦିଆଯିବା ପରେ ହତ୍ୟା ପରିବର୍ତ୍ତେ ଘଟଣାକୁ ଏକ ରାସ୍ତା ଦୁର୍ଘଟଣାର ଆଖ୍ୟା ଦିଆଯାଇ ଡ୍ରାଇଭରଙ୍କୁ ମୁକୁଳାଇ ଦିଆଯିବ। ଏହା ଏକ ଗତାନୁଗତିକ ଓ ବହୁବାର ଘଟୁଥିବା ଦୃଷ୍ଟାନ୍ତ। ଅତୀତରେ ବଡ଼ବଡ଼ିଆ ପିଲାଙ୍କ ଗାଡ଼ି ଚକା ତଳେ କେତେକ ଲୋକଙ୍କ ଜୀବନ ଯାଇଥିବା ଘଟଣା ବିଷୟରେ ଏ ଦେଶବାସୀ ଭଲ ଭାବେ ଜାଣିଛନ୍ତି।
ଭାରତରେ ଗଣତାନ୍ତ୍ରିକ ଢଙ୍ଗରେ ସରକାର ଚାଲୁଥିଲେ ମଧ୍ୟ ଅନେକ ସ୍ଥାନରେ ଅଗଣତାନ୍ତ୍ରିକ କାର୍ଯ୍ୟ ଜାରି ରହିଛି। ଭାରତକୁ କୃଷିପ୍ରଧାନ ଦେଶ କୁହାଯାଉଥିବା ସତ୍ତ୍ୱେ ଚାଷୀଙ୍କ ପ୍ରତି ବର୍ତ୍ତମାନର କେନ୍ଦ୍ର ସରକାରଙ୍କ କୌଣସି ଗୁରୁତ୍ୱ ରହୁନାହିଁ। କେନ୍ଦ୍ର ଦ୍ୱାରା ଅଣାଯାଇଥିବା କୃଷି ଆଇନକୁ ଚାଷୀମାନେ ବିରୋଧ କରି ବିକ୍ଷୋଭ ଓ ପ୍ରତିବାଦ ସଭା କରିଚାଲିଥିଲେ ହେଁ ତାହାର ସମାଧାନ ଅଣାଯାଇପାରି ନାହିଁ। ଆନ୍ଦୋଳନ କରୁଥିବା ବ୍ୟକ୍ତିମାନେ ଚାଷୀ ନୁହନ୍ତି ଓ ସେମାନେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଭାଜପା ଅଭିଯୋଗ କରୁଛି। ଭାଜପାର ଏଭଳି ମତକୁ ଖୁଣିବାକୁ ଯଥେଷ୍ଟ ବିନ୍ଦୁ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କହୁଛନ୍ତି, କୃଷକଙ୍କ କଲ୍ୟାଣ ଦିଗରେ ତାଙ୍କ ସରକାର ସର୍ବଦା କାର୍ଯ୍ୟ କରୁଛି। ଏଠାରେ ପ୍ରଶ୍ନ ହେବା ସ୍ବାଭାବିକ ଯେ, ଯେଉଁ କୃଷି ଆଇନ ଅଣାଯାଇଛି ତାହା ଦ୍ୱାରା କୃଷକଙ୍କ ମଙ୍ଗଳ ହେବ ନାହିଁ ବୋଲି ଯଦି ଚାଷୀମାନେ କହୁଛନ୍ତି, ତାହା ହେଲେ ତାହାକୁ ପ୍ରତ୍ୟାହାର କରା ନ ଯିବା ପଛରେ କି ରହସ୍ୟ ରହିଛି। ସରକାରୀ ବ୍ୟବସ୍ଥା ତୃଣମୂଳ ସ୍ତରକୁ ଯାଇ ବାସ୍ତବତା ବୁଝିବାରେ ଅକ୍ଷମ ଥିବାରୁ ଆଜି ବିଷମ ସ୍ଥିତି ଉପୁଜୁଛି। ପ୍ରକୃତରେ ଦେଖିଲେ ଏ ଦେଶରେ ମଳିମୁଣ୍ଡିଆ, ଚାଷୀ ଓ ଗରିବଙ୍କ ପ୍ରତି କାହାର ସେଭଳି ଦରଦ ନାହିଁ। ନିଜ ଅଧିକାର ପାଇଁ ଚାଷୀ ପ୍ରତିବାଦ ଜାରି ରଖୁଥିବା ବେଳେ ସୁପ୍ରିମକୋର୍ଟ ତାହାର ବୈଧତା ନେଇ ପ୍ରଶ୍ନ ଉଠାଇଲେଣି। ଏ ସଂକ୍ରାନ୍ତ ବିଷୟ ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ଥିବା ବେଳେ ବିକ୍ଷୋଭର ଔଚିତ୍ୟ ରହିଛି କି ନାହିଁ ସେ ସଂକ୍ରାନ୍ତ ସମୀକ୍ଷା କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ବିଚାରପତି ଏ. ଏମ୍‌. ଖାନ୍‌ଓ୍ବିଲକର କହିଛନ୍ତି। ଏଥିସହିତ ଏ ସଂକ୍ରାନ୍ତୀୟ ପରବର୍ତ୍ତୀ ଶୁଣାଣି ୨୧ ଅକ୍ଟୋବରରେ ହେବ ବୋଲି ଜଣାପଡ଼ିଛି।
ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିବାଦର ଗୁରୁତ୍ୱ ଯଥେଷ୍ଟ ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ଆଇନର ତିନୋଟି ବିଷୟକୁ ମୁଖ୍ୟତଃ ବିରୋଧ କରାଯାଉଛି। କୃଷି ଆଇନ ସମ୍ପର୍କରେ ପୂର୍ବରୁ ଯଥେଷ୍ଟ ଆଲୋଚନା ଓ ଲେଖା ହୋଇସାରିଲାଣି। ସେଗୁଡ଼ିକୁ ଏଠାରେ ଦୋହରାଇବାର ପ୍ରୟୋଜନ ନାହିଁ। ସବୁ ଦିଗରୁ ଏହି ଆଇନ କୃଷକଙ୍କୁ କ୍ଷତି ପହଞ୍ଚାଇବ ବୋଲି ମତବ୍ୟକ୍ତ ହେବା ସତ୍ତ୍ୱେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ସେଥିପାଇଁ ସନ୍ଦେହ ସୃଷ୍ଟି ହେଉଛି ଯେ କୃଷକ ନୁହେଁ, କେତେକ ଶିଳ୍ପପତିଙ୍କ ସ୍ବାର୍ଥ ରକ୍ଷା ଲାଗି ଏଭଳି ଆଇନକୁ ଅଣାଯାଇଛି। କଣ୍ଟ୍ରାକ୍ଟ ଫାର୍ମିଂ ଭଳି ବ୍ୟବସ୍ଥା ଭାରତର କୃଷି କ୍ଷେତ୍ରରେ କେଉଁ ପ୍ରକାର କ୍ଷତି ପହଞ୍ଚାଇବ ତାହା ଆକଳନ କରିବା କଷ୍ଟକର। ଏହି ମରମ କଥାକୁ ବିରୋଧ ହେଉଥିବା ହେତୁ ସରକାରୀ ଦଳର ପ୍ରତିକ୍ରିୟା ବୁଝିବା କଷ୍ଟକର ନୁହେଁ। ଏପରି କି ଅଫିସରମାନଙ୍କ ହସ୍ତକ୍ଷେପ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଦାହରଣ ସ୍ବରୂପ, ଉତ୍ତରପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଓ୍ବନିଶ ଅଓ୍ବସ୍ତି ଲକ୍ଷ୍ନୌ ବିମାନବନ୍ଦରକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ଏସ୍‌. ରାନ୍ଧଓ୍ବାଙ୍କୁ ବିମାନବନ୍ଦରରେ ଅବତରଣ କରିବାକୁ ଦିଆ ନ ଯାଉ। ସବୁ ବିମାନବନ୍ଦର କେନ୍ଦ୍ର ସରକାରଙ୍କ ଅଧୀନ। ସେଠାକାର ସୁରକ୍ଷା ଦାୟିତ୍ୱ ମଧ୍ୟ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଉପରେ ନ୍ୟସ୍ତ। ଭାରତର ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର ଅଛି ଯେ, ଦେଶର କୌଣସି କୋଣଅନୁକୋଣକୁ ସେ ଯାଇପାରିବେ। ଏଭଳି ସ୍ଥଳେ ଏକ ସରକାରୀ ବିମାନବନ୍ଦରରେ ବିମାନ ଓହ୍ଲାଇବାକୁ ଦିଆ ନ ଯିବା ଅତ୍ୟନ୍ତ ଅସାମ୍ବିଧାନିକ। ମନେହେଉଛି ଯେପରି ଉତ୍ତରପ୍ରଦେଶରେ ଏହିଭଳି ଅନେକ ସମ୍ବିଧାନ ବିରୋଧୀ କାର୍ଯ୍ୟ ଦୈନନ୍ଦିନ ହେବାରେ ଲାଗିଲାଣି। ଏହା ଦେଶର ଭବିଷ୍ୟତ ପାଇଁ ନିଶ୍ଚିତ କ୍ଷତିକାରକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବହୁସଂଖ୍ୟକବାଦୀ ଚିନ୍ତାଧାରା

ଆକାର ପଟେଲ ଏକ ପୁରାତନ ଓ ଗୌରବାବହ ଦେଶ ଏପରି ନୀତି ନିର୍ଦ୍ଧାରଣ କରିବା ପାଇଁ ଭୋଟ ଦେଲା, ଯାହା ଆପ୍ରବାସନକୁ ବିରୋଧ କରେ। ଆପ୍ରବାସନକୁ...

ଝିଅ ଅଳିଆ, ପୁଅ ଅରୁଆ

ହିନ୍ଦୁ ପିଲାଙ୍କୁ ସରସ୍ବତୀ ଓ ଲକ୍ଷ୍ମୀପୂଜାଠାରୁ ଆରମ୍ଭକରି ଗ୍ରାମର ଇଷ୍ଟ ଦେବୀଙ୍କ ପର୍ଯ୍ୟନ୍ତ ସବୁବେଳେ ମାତୃଶକ୍ତିକୁ ମନେ ପକାଇବା ପାଇଁ ଅନେକ ଯୁଗ ଧରି କୁହାଯାଇଆସୁଛି।...

କ୍ୱାଡ୍‌

ପୂର୍ବ ଲଦାଖଠାରେ ଭାରତ ଓ ଚାଇନା ଗତ ମେ’ରୁ ସାମ୍ନାସାମ୍ନି ହୋଇ ଚାଲିଛନ୍ତି। ଭାରତର ୨୦ ଯବାନଙ୍କ ପ୍ରାଣ ଯାଇଥିବା ବେଳେ ଚାଇନା ଅଦ୍ୟାବଧି ତା’...

କରୋନା ସମୟରେ ବୁଦ୍ଧଙ୍କ ପ୍ରାସଙ୍ଗିକତା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଆଜି ଏକ ଅଦୃଶ୍ୟ ଭୂତାଣୁ କରୋନା ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ବିଭିନ୍ନ ଦେଶରେ ଲକ୍ଷ ଲକ୍ଷ ଲୋକ...

ଆମେରିକାର ପରାଜୟ, ପାକିସ୍ତାନର ବିଜୟ

ଆମେରିକା ଓ ନାଟୋ ସୈନ୍ୟ ଆଫଗାନିସ୍ତାନରୁ ଅପସରି ଯିବା ପରେ ସେଠାରେ ନିର୍ଦ୍ୱନ୍ଦ୍ୱରେ ସରକାର ଗଠନ କରିବ ବୋଲି ତାଲିବାନ୍‌ ଧରିନେଇଥିଲା। ସମଗ୍ର ପୃଥିବୀ ମଧ୍ୟ...

ଏଇ ଭାରତରେ

ଜଣେ ଆଦିବାସୀ ମହିଳାଙ୍କ ଚାଷ ପଦ୍ଧତି ଏବେ ବହୁ ଚାଷୀଙ୍କୁ ବାଟ ଦେଖାଉଛି। କର୍ନାଟକର ମହୀଶୂର ଜିଲା ଅନ୍ତର୍ଗତ ଏଚ୍‌ଡି କୋଟେ ବ୍ଲକ୍‌ ନିବାସୀ ପ୍ରେମା...

ଟିକା ପାଇବା ସୁଯୋଗ ନୁହେଁ, ଅଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଭୟଙ୍କର ରୂପ ନେବା ସହିତ ଦେଶସାରା ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମଣ ଓ...

ଜନହିତ ଓ ବିଜ୍ଞାନ

ଇଂ. ମାୟାଧର ସ୍ବାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ୭୪ ବର୍ଷର ଜଣେ ମହିଳା ଟେଷ୍ଟ ଟ୍ୟୁବ୍‌ ପଦ୍ଧତିରେ ଦୁଇଟି ଯମଜ ଶିଶୁ...

Advertisement
Archives

Model This Week