Posted inଫୁରସତ

ହାପି ନ୍ୟୁ ଇଅର ଟୁ ୟୁ

ନୂଆବର୍ଷ ଆସିଲେ ଯୋଜନାପ୍ରିୟ ମଣିଷ ଅନେକଗୁଡିଏ ଯୋଜନାର ସ୍ବପ୍ନ ଦେଖିବା ଆରମ୍ଭ କରିଦିଏ। ଏହା ଭିତରେ ଏକ ପ୍ରମୁଖ କାମ ହେଲା ନୂଆବର୍ଷର ରିଜୋଲ୍ୟୁଶନ ବା ସଂକଳ୍ପ । ପ୍ରତିବର୍ଷ ନୂଆବର୍ଷ ଆସିଲେ କିଏ ଗୁଟ୍‌ଖା ତ କିଏ ମଦ ଛାଡ଼ିବା ପାଇଁ ସଙ୍କଳ୍ପ ନିଏ। କିଏ ସାମାଜିକ ଗଣମାଧ୍ୟମରୁ ନିବୃତ୍ତ ରହିବା ପାଇଁ ସଂକଳ୍ପ ନିଏ ତ କିଏ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ପାଇଁ ପ୍ରାତଃ ଭ୍ରମଣ କରିବା ପାଇଁ ନିଷ୍ପତ୍ତି ନିଏ। ସଂକଳ୍ପମାନଙ୍କ ଏକ ଲମ୍ବା ଲିଷ୍ଟ ତିଆରି ହେଇଯାଏ। ଗତବର୍ଷ ନେଇଥିବା ସଂକଳ୍ପ ମଧ୍ୟରୁ ଗୋଟିଏ ବି ପୂରା ହୋଇ ନ ଥିବା ବେଳେ ଏ ବର୍ଷ ଯେମିତି ତାହାର ପୁନରାବୃତ୍ତି ନ ହୁଏ ସେଥିପାଇଁ ମଧ୍ୟ ଗୋଟିଏ ନୂଆ କିସମର ସଂକଳ୍ପ ତାଲିକା ସହ ଯୋଡ଼ାଯାଏ। କିନ୍ତୁ ପ୍ରତି ବର୍ଷ ନିଆଯାଇଥିବା ସଂକଳ୍ପ ଭଳି କିଛିଦିନ ପରେ ଯଥା ପୂର୍ବଂ ତଥା ପରମ୍‌। ୯୯.୯ ଭାଗ ସଂକଳ୍ପର ଅବସ୍ଥା ନେତାଙ୍କ ନିର୍ବାଚନୀ ଭାଷଣରେ ଦିଆଯାଇଥିବା ପ୍ରତିଶ୍ରୁତି ଭଳି ହୋଇଥାଏ। ଯେବେଠୁ ଫେସବୁକ ହ୍ବଟ୍ସଆପ ଭଳି ସାମାଜିକ ଗଣମାଧ୍ୟମର ପ୍ରଭାବ ଲୋକଙ୍କ ଉପରେ ଅଧିକ ପଡ଼ିଲାଣି ସେବେଠୁ ଏକ ନୂଆ କଥା ଦେଖିବାକୁ ମିଳୁଛି। ଆମେ ଯାହା ଚିନ୍ତା କରୁଛୁ କି ଯାହା କରିବାକୁ ଚାହୁଁଛୁ ତାକୁ ସର୍ବ ସମ୍ମୁଖରେ ଢୋଲ ପିଟି ଜଣେଇବାକୁ ପସନ୍ଦ କରୁ। ନୂଆବର୍ଷ ପୂର୍ବରୁ ବେଶ୍‌ କିଛି ଲୋକ ସେମାନଙ୍କ ନୂଆବର୍ଷ ରିଜୋଲ୍ୟୁଶନ ବା ସଂକଳ୍ପ ବିଷୟରେ ଆଗୁଆ ସର୍ବସାଧାରଣରେ ଜଣେଇ ଦିଅନ୍ତି। ଭଲ କଥା। ଅନ୍ତତଃ ଅନ୍ୟମାନେ ସେ ସବୁ ଆଉ ନ ଦୋହରେଇ କିଛି ନୂଆ କଥା ଲେଖନ୍ତି। ଲେଖିବା ଲୋକ ଜାଣେ ଓ ପଢ଼ିବା ଲୋକ ଜାଣେ ଏ ସବୁ ଧୂଆଁବାଣ। ନୂଆବର୍ଷ ସଂକଳ୍ପର କିଛି ମୂଲ୍ୟ ନ ଥାଏ। ଅଳ୍ପଦିନ ପରେ ପୁଣି ସେଇ ପୁରୁଣା ଜୀବନ ଚାଲିବ।

ନୂଆବର୍ଷ ଆସିଲେ ଆଉ ଏକ ବିଶେଷ କଥା ଦେଖିବାକୁ ମିଳେ। ତାହାହେଲା ଶୁଭେଚ୍ଛା ବାର୍ତ୍ତା। ପରିବା ଦୋକାନୀଠାରୁ ନେଇ କେବେ ଥରେ ବସରେ ସହଯାତ୍ରୀ ଥିବା ଲୋକର ଶୁଭେଚ୍ଛା ବାର୍ତ୍ତା ଆସେ। କେତେକ ଲୋକ ଏଥିପାଇଁ ବଡ଼ଦିନର ସପ୍ତାହକ ପୂର୍ବରୁ ଭଲ ଭଲ ଶୁଭେଚ୍ଛା ବାର୍ତ୍ତା, ଫଟୋ ଭିଡିଓ ସଂଗ୍ରହରେ ଲାଗିପଡ଼ନ୍ତି । ଏଇଟା ସତ, ଲୋକଙ୍କ ଶୁଭେଚ୍ଛା ଯେତେ ମିଳିଲେ ବି କାହାର ଭାଗ୍ୟ ପରିବର୍ତ୍ତନ ହୁଏ ନାହିଁ । ତଥାପି ଲୋକ ଅନ୍ୟକୁ ଶୁଭେଚ୍ଛା ଜଣେଇବାକୁ ଭୁଲନ୍ତି ନାହିଁ । ଅନ୍ୟ କାହା କଥା କହିପାରିବି ନାହିଁ ହେଲେ ମୋର ତ ଆଜି ଯାଏ ହେଇନି। ବରଂ ନୂଆବର୍ଷର ପ୍ରଥମ ସପ୍ତାହ ପ୍ରାୟ ସମୟ ମୋର ଫୋନ ଷ୍ଟୋରେଜ ସଫା କରିବାରେ ଯାଏ। ଭିଡିଓ, ଫଟୋ ମିଶେଇ ଏତେ ମାତ୍ରାରେ ଶୁଭେଚ୍ଛା ଆସେ ଯେ ଫୋନ ମେମୋରି ଭର୍ତ୍ତି ହୋଇ ବିସ୍ଫୋରଣ ସ୍ଥିତିକୁ ଆସିଯାଏ। କାହାର ଶୁଭେଚ୍ଛାରେ କିଏ ଖୁସି ହେବା ପରିବର୍ତ୍ତେ ମନେ ମନେ ଗାଳି କରୁଥାଏ। ଆରେ ଭାଇ ଯଦି ଶୁଭେଚ୍ଛା କି ଅଭିନନ୍ଦନ ବାର୍ତ୍ତାରେ କାହାର ଭାଗ୍ୟ ଭଲ ହୋଇଯାଉଥାଏ ତେବେ ଭାରତ ବର୍ଷ କେବେଠୁ ବିଶ୍ୱର ଏକ ନମ୍ବର ଦେଶ ହୋଇସାରନ୍ତାଣି ଆଉ ମୁଁ ନିଜେ ଲକ୍ଷ୍ମୀ ମିତ୍ତଲ। ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଗୁଡ୍‌ ମର୍ନିଂ ଗୁଡ୍‌ ନାଇଟ୍‌ ଓ ବିଶେଷ ପର୍ବ ପର୍ବାଣିରେ ଶୁଭେଚ୍ଛା ବାର୍ତ୍ତା ପଠେଇବାରେ ଭାରତ ବିଶ୍ୱରେ ଏକ ନମ୍ବର ସ୍ଥାନ ନେଇଛି। ଏଠି ଗରିବରୁ ଅତି ଗରିବ ଲୋକ ଅନ୍ୟକୁ ଧନ ଜନ ଗୋପ ଲକ୍ଷ୍ମୀରେ ଭରପୂର ହେବାକୁ ଶୁଭେଚ୍ଛା ଜଣାଏ । ପାଇଥିବା ଲୋକ ବି ‘ସେମ୍‌ ଟୁ ୟୁ’ରେ ଶୁଭେଚ୍ଛା ଜଣେଇବାରେ ହେଳା କରେନାହିଁ । କିଏ କିଏ ତ ପଞ୍ଚଫଣା ନାଗ ସାପର ଫଟୋ ଦେଇ ଧମକାଇ ଥାଏ ସେଆର କଲେ ଧନ ଘରେ କୁଢେଇ ହୋଇଯିବ ନ ହେଲେ ଘରୁ ମୁଣ୍ଡ ଯିବ। ପଞ୍ଚମୁହାଁ କଥା ଆସିବାରୁ ମନକୁ ଆସିଲା ଜ୍ୟୋତିଷଙ୍କ କଥା। ନୂଆବର୍ଷ ଆସିଲେ କୁଆଡ଼େ ଥାନ୍ତି ହଠାତ୍‌ ଅନେକ ଜ୍ୟୋତିଷଙ୍କ ଆବିର୍ଭାବ ଘଟେ । ରାଶି ଅନୁଯାୟୀ ନୂଆବର୍ଷ କାହା ପାଇଁ ଶୁଭ କାହା ପାଇଁ ଅଶୁଭ ହେବା ସହ ସେଥିରୁ ଲାଭ ପାଇବା ପାଇଁ ସୂକ୍ଷ୍ମ ଓ ସରଳ ଉପାୟ ବି ବତାନ୍ତି । ସବୁ ରାଶିରେ ସମାନ ଫଳ ଘୋଷଣା କରୁଥିବା ଜ୍ୟୋତିଷମାନେ କେତେ କେତେ ଅଭିନବ ଉପାୟ ବତେଇଥାନ୍ତି ଧନ, ମାନ, ସ୍ବାସ୍ଥ୍ୟ, ପ୍ରେମ ଆଦିର ସଫଳତା ହାସଲ କରିବାକୁ ନୂଆ ବର୍ଷରେ। ଥରେ ଜଣେ ଜ୍ୟୋତିଷ କହିଲେ, ଯାହାଙ୍କ ରାଶିରେ ଶନିଦଶା ଅଛି ସେମାନେ ପଞ୍ଚମୁଖୀ ହନୁମାନଙ୍କ ପାଖରେ ମାନସିକ ନଡ଼ିଆ ବସାନ୍ତୁ। ଯାହା ଜଣାପଡୁଛି ବେଶ୍‌ କିଛି ବର୍ଷ ହେଲା ଶନି ଦେବତାଙ୍କ ବିଭାଗ ପ୍ରାୟତଃ ପ୍ରଭାବଶୂନ୍ୟ ବା ନିଷ୍କ୍ରିୟ ହେଇଯାଇଛି। ଧରା ପୃଷ୍ଠରେ ଯେତେ ପାପୀ ଥିଲେ ସମସ୍ତେ ଠାକୁରଙ୍କ ପାଖରେ ନଡ଼ିଆ ଥୋଇ ଖୁସିରେ ବୁଲୁଛନ୍ତି । ଏମିତି ଚାଲିଲେ ଇନ୍ଦ୍ରଦେବ କେଉଁଦିନ ତାଙ୍କୁ ଛଟେଇ କରି ତାଙ୍କ ବିଭାଗ ବନ୍ଦ କରିଦେବେ ସେଇ ଚିନ୍ତାରେ ଏବେ ଖୋଦ୍‌ ଶନି ଦେବ। ତାଙ୍କ ନିଜ ମହାଦଶା କାଟିବା ପାଇଁ ଶନିଦେବ ଏବେ କେଉଁ ମନ୍ଦିରରେ ମାନସିକ ନଡ଼ିଆ ଥୋଇବେ ସେ କଥା ଚିନ୍ତା କଲେଣି। ଧନ୍ୟ ଜ୍ୟୋତିଷ ବାବା। ତୁମେ ଈଶ୍ୱରଙ୍କ ସବୁ ଗଣିତ ଫେଲ କରିଦେବ।

ଏଇ ନୂଆବର୍ଷ ସମୟର କଥା। ସକାଳୁ ସକାଳୁ ବାପ ଘରକୁ ଯାଇଥିବା ପତ୍ନୀଙ୍କ ଫୋନ ଆସିଲା କହିଲେ କ’ଣ ସବୁ ଶୁଣିଲଣି ନା ନାହିଁ ମାଳିକା କହିଛି ଏହି ବର୍ଷ ପୃଥିବୀ ପୃଷ୍ଠରୁ ପ୍ରଥମେ ସବୁ ମିଛୁଆ ନିପାତ ହେବେ। (କିରେ ମିଛୁଆମାନେ ମଶା କ’ଣ ଯେ ତୁମେ ଲିମ୍ବ ପତ୍ର ଧୂଆଁ ଦେଇ ନିପାତ କରିବ ! ) ପତ୍ନୀ ସେପଟୁ କହୁଥିଲେ, ତୁମେ ତ ମିଛ କହିବାରେ ପୃଥିବୀର ସବୁ ରେକର୍ଡ ଭାଙ୍ଗି ଦେଇଛ। ବୋଉ କହୁଛି(ମୋ ଶାଶୁ) ମୁକ୍ତି ମଣ୍ଡପରେ ବ୍ରାହ୍ମଣ ଭୋଜନ ଦେ ଆଉ ଗାଁ ଦିଅଁଙ୍କ ପାଖରେ କୁକୁଡ଼ା ମାନସିକ କର ଗ୍ରହ ରିଷ୍ଟ କଟିବ। ପୂଜା ଖର୍ଚ୍ଚ ପାଇଁ ଶୀଘ୍ର ଫୋନ ପେ’ରେ ପାଞ୍ଚ ହଜ଼ାର ଟଙ୍କା ପଠାଅ। ମୁଁ କହିଲି, ଏ ବେକାର କଥା ମାଳିକା ନୁହେଁ ତୁମ ପୁରୀ ଦେଉଳ ପଣ୍ଡା କହିଛନ୍ତି। ଏ ସବୁ ବେକାର କାମ ପାଇଁ ମୋ ପାଖରେ ଟଙ୍କାଟିଏ ବି ନାହିଁ। ସେପଟୁ ଉତ୍ତର ଆସିଲା- ହେ ଭଗବାନ ନୂଆବର୍ଷ ସକାଳଟାରୁ ପୁଣି ମିଛ କଥା କହୁଛ, ତୁମ ପାଖରେ ବିଲକୁଲ ଟଙ୍କାଟିଏ ବି ନାହିଁ ! ଏତେ ମିଛରୁ ତୁମକୁ କୋଉ ମୁକ୍ତିମଣ୍ଡପ ବି ରକ୍ଷା କରିପାରିବନି। ମୋ କଥା ଛାଡ଼ ପିଲାମାନଙ୍କ କଥା ତ ଟିକେ ଭାବ। ତମରିମାନଙ୍କ ପାଇଁ ଯାହା ମୁଁ ଏତେ ଦହଗଞ୍ଜ ହେଉଛି । ‘ମୁଁ କହିଲି, ଥାଉ ଆଉ ଅଧିକା ବକ ବକ ହୁଅନି, ମୁଁ ଗୋଟେ ସିରିଅସ କଥା ଚିନ୍ତା କରୁଥିଲି ସବୁ ମୁଡ଼ ଖରାପ କରିଦେଲ।’ ପତ୍ନୀ କହିଲେ ,‘ମୁଁ ଠିକ ଜାଣିଚି ତମେ ସେଠି ବସି କାହା କଥା ଭାବୁଛ।’ ସେପଟୁ ଫୋନ କଟିଗଲା। ବିଶ୍ୱାସ ନ ଥିଲେ ବି କାହିଁକି କେଜାଣି ମନକୁ ପାପ ଛୁଇଁଲା । ଯଦି ସେ ମୁକ୍ତିମଣ୍ଡପ ଯିବେ ନାହିଁ ତେବେ କୌଣସି ମୁହୂର୍ତ୍ତରେ ବି ଗ୍ରହ ମୋତେ ମାଡିବସିପାରେ। ପୁରୀ ପଣ୍ଡାଙ୍କ କଥା କେବେ ବି ଅନ୍ୟଥା ହୋଇ ନ ଥାଏ। ଅତୀତରେ ଘଟି ଯାଇଥିବା କେତେ ପ୍ରସିଦ୍ଧ ଘଟଣା ତା’ର ପ୍ରମାଣ।

ବନ୍ଧୁମାନେ ମୋ କଥାକୁ ହସକଥା ଭାବି ଉଡ଼େଇ ଦେଲେ ତୁମ ବିପଦ କେହି ମୁଣ୍ଡେଇବେନି । ମୋବାଇଲ ଫୋନରେ ଆସୁଥିବା ଶୁଭକାମନା ବାର୍ତ୍ତାକୁ ଭରସା କରି ରହିଲେ ପରେ ପସ୍ତେଇବା ସାର ହେବ। କାରଣ କେବଳ ଶୁଖିଲା ଶୁଭେଚ୍ଛା ବାର୍ତ୍ତାରେ ଭାଗ୍ୟ ପରିବର୍ତ୍ତନ ହେବ ନାହିଁ । ଯଦି ଭଲ ଗତି ଅଛି ତେବେ ଶୀଘ୍ର ପଞ୍ଚମୁଖୀ ହନୁମାନଙ୍କ ପାଖରେ ମାନସିକ ନଡ଼ିଆ ବସାଅ, ବଡ଼ଦେଉଳରେ ବାନା ଉଡାଅ, ରୁଦ୍ରାଭିଷେକ କର, ସତ୍‌ସଙ୍ଗ କର, କାଙ୍ଗାଳୀ ଭୋଜନ ଦିଅ। ତା’ପରେ ଯାଇ ହାପି ନ୍ୟୁ ଇଅର। ମୁଁ ହାପି କହିଲେ କାହା ଭାଗ୍ୟ ହାପି ହେବାର ପ୍ରମାଣ ନାହିଁ, ତଥାପି ସୌଜନ୍ୟ ଦୃଷ୍ଟିରୁ ଆଗୁଆ ଜଣେଇ ଦେଲି ଆଗକୁ ଆପଣଙ୍କୁ ସେହି ଈଶ୍ୱର ଭରସା।
-ବନମାଳୀ ଭବନ, ଖାନନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?