Posted inଫୁରସତ

ଆପଣା ଖୁସି ପାଇଁ..

ସେଦିନ ମୁଁ ମା’ କାଳୀଙ୍କ ପାଖରେ ପ୍ରଣାମ କରି ଦୁନିଆର ଦୁଃଖ ଦୂରପାଇଁ ପ୍ରାର୍ଥନାକରିବାକୁ ଗଲାବେଳେ ଦେଖିଲି, ଲୋକଟା ଗୋଟେ ଛେଳିବେକକୁ ଦଉଡ଼ିରେ ବାନ୍ଧି ମନ୍ଦିରଆଡକୁ ଭିଡିଭିଡି ନେଉଛି l ବିଚରା ଛେଳି ଯିବାକୁ ଇଛା ନକରି ପଛକୁ ଭିଡିହୋଇ ମେଁ ମେଁ କରି ବିକଳିଆ ରଡ଼ି ଛାଡ଼ୁଛି l ତା’ସାଥୀ ଆଉଜଣେ ଛେଳି ମୁହଁ ଆଗରେ ଡାଳ ପତ୍ର ପୁଳାଏ ଧରି ଖାଇବାକୁ ଖାଲି ଦେଖାଉଥିଲାସିନା, ଦେଉନଥିଲା। ମୁଁ ତାଙ୍କୁ ପଚାରିଲି.. ଭାଇ ! ଏ ଛେଳି କ’ଣ ତମପାଇଁ ଅଧିକ ପ୍ରାର୍ଥନା କରିବ ବୋଲି ନେଇଯାଉଛ? ସେ କହିଲେ ନା, ଏଇଟା ମା’ଙ୍କ ପାଖରେ ବଳି ପଡିବ l ମୋ ପୁଅର ରୋଗ ଭଲ ହେବାପାଇଁ ମା’ଙ୍କ ପାଖେ ମାନସିକ କରିଥିଲି l ହେଲେ ସବୁ ବନ୍ଧୁ ବାନ୍ଧବ ବ୍ୟସ୍ତ ବିରକ୍ତ ହେଲେଣି ଡେରି ହେଉଛି ବୋଲି l ଶୀଘ୍ର ବଳି ମାଂସ ନେଲେ ରୋଷେଇହେବ l ଭୋଜିପାଇଁ ଆସି ସେମାନେ ଅପେକ୍ଷା କରିଛନ୍ତି l କିନ୍ତୁ ଏ ଛେଳିଟା ଡେରିକରୁଛି ଯାଉନି l ଏହାକହି ତା’ ପଛକୁ ପେଲି ପେଲି ନେଇଯାଉଥିଲା ଲୋକଟି l ମୁଁ ଭାବୁଥିଲି.. ଆଃ ହାରେ ଆହାର! ଆପଣା ସ୍ବାର୍ଥସିଦ୍ଧି ପାଇଁ ମାନସିକର ଏ ମାନସିକତା କି ପ୍ରକାର? ଛେଳିକୁ ତା ମା’ ପାଖରୁ ଛଡେଇଆଣି, ଜଗତମାତାବୋଲି ମାନୁଥିବା ମା’ ପାଖେ ବଳିଦେଇ, ତା ମାଂସରେ ବନ୍ଧୁମାନେ ମିଶି ଭୋଜିକରି ଖାଇଲେ, ନିଜ ପିଲା ବ୍ୟାଧିମୁକ୍ତ ହେବ! ଶାସ୍ତ୍ରରେ ଯେଉଁ ପଶୁବଳି କଥା ଲେଖାଅଛି, ତା’ ଅର୍ଥ କଣ ଏଇଆ? ନା ଆପଣା ଭିତରେ ଥିବା ପଶୁତ୍ୱ ବା ପଶୁପ୍ରବୃତ୍ତିକୁ ବଳି ପକେଇଲେ.. ତାଙ୍କୁ ଉତ୍ସର୍ଗ ବା ତାଙ୍କପାଖେ ତ୍ୟାଗକରି, ନିଜଭିତରେ ମନୁଷ୍ୟତ୍ୱ ଜଗାଇଲେ ମା’ ସନ୍ତୁଷ୍ଟହୋଇ କୃପା କରନ୍ତି.. ବର ଦିଅନ୍ତି,… ତାହା ବିଜ୍ଞଜନଙ୍କ ବିଚାର୍ଯ୍ୟ l ହଁ ବା.. ଯୁଗେ ଯୁଗେ ମଣିଷ ତ ନିଜ ସ୍ବାର୍ଥପାଇଁ ଏଇ ଛେଳିଭଳିଆ ନିରୀହ ସରଳ ପ୍ରାଣୀଙ୍କ ପ୍ରାଣନେବା ଜାଣେ। ମାତ୍ର ବାଘଭଳି ହିଂସ୍ର ଭୟଙ୍କର ଜୀବକୁ ବଳି ପକେଇବାପାଇଁ ସାହସ କରିପାରେ ନାହିଁ।

ଏଇ ଇଂରାଜୀ ନୂଆବର୍ଷ l କେତେ କୋଉଠି ସୁଖ ସମୃଦ୍ଧି କାମନା କରି ଚାଲିଛି ଭୋଜିଭାତ.. ମଦ ମାଉଁସର ଆସର l କହିଲେ.. ସତରେ ଏହା ଦୁନିଆର ମଙ୍ଗଳପାଇଁ ପ୍ରାର୍ଥନା ନା ନିଜ ଭିତରେ ଲୁଚିଥିବା ବାଘଭଳି ପ୍ରକୃତିକୁ ସନ୍ତୁଷ୍ଟ କରି ଜିଭ ସୁଆଦର ବାହାନା ନେବା? ତଥାପି ମଣିଷ ଏମିତି ଶହ ଶହ ନିରୀହ ଛେଳି କୁକୁଡ଼ାଙ୍କୁ ବଳିପକେଇ, ମଦ ମାଂସ ନାଚ ଗୀତରେ ମସଗୁଲହୋଇ ଜଗତର ମଙ୍ଗଳକରୁଛି କହି ନିଜକୁ ବଡ଼ ଜ୍ଞାନୀ ଗୁଣୀ, ସର୍ବଜ୍ଞାତା ପଣ୍ଡିତବୋଲି ଦାବୀ କରିଆସୁଛି l ଈଶ୍ୱରଙ୍କ ସୃଷ୍ଟିକି ନଷ୍ଟକରି, ନିଜ ସୁଖ ମନାସୁଛି l ଯେଉଁ ପ୍ରାଣୀମାନେ ସାରା ଜୀବନ ମଣିଷ ସେବାରେ ଜୀବନ ଦେଉଛନ୍ତି, ତାଙ୍କୁ ମାରିବାରେ ଟିକେ ଦୟା, ଧର୍ମ ବା ଉପକାରର ପ୍ରତିଦାନ କଥା କେବେ ଭାବୁନି। ଆମେ ଫଳ ଖାଉ l ତାଙ୍କୁ ଚୋପା, ନଡା, ପତ୍ର ଦେଉ। ଆମେ ଅମୃତପରି କ୍ଷୀର ପିଉ l ତାଙ୍କୁ ଅଇଁଠା ପେଜ ତୋରାଣି ଦେଉ lତଥାପି ସେମାନେ ଆମ ସେବାରେ ମନଉଣା କି ଅବହେଳା କରନ୍ତି ନାହିଁ। ଆମେ ଆମର ଜନସଂଖ୍ୟା ବୃଦ୍ଧିକରି… ତାଙ୍କର ବଂଶ ନାଶ କରୁ।

ବାଃରେ ମଣିଷ..l
ବରଷକର କଥା l ଅଠରଜଣ ନୂଆବର୍ଷ ଭୋଜିପାଇଁ ନଈକୁଳିଆ ଛାଇ ଜାଗାରେ ଡେରା ପକେଇ କିଛି ଚୁଲି ଠୁ ହାଣ୍ଡି ଯାଏ ଯୋଗାଡ଼ିବାରେ ବ୍ୟସ୍ତ ତ ଆଉକିଛି ଆସିଥିବା ବିଦେଶୀ ବୋତଲର ସଦ୍‌ବ୍ୟବହାର କରିବାରେ ବ୍ୟସ୍ତ। ପାଖରେ ସାତ କି ଆଠ କେଜିଆ ଓଜନର ଛେଳି ମଟନଖିଆ ମଣିଷପାଇଁ ବନ୍ଧାହୋଇ ଭେଁ ଭେଁ ହେଇ ରଡୁଥାଏ l ଆଉ କିଏ ମଟନ ଖାନ୍ତିନି ବୋଲି ଗଞ୍ଜା ଅଭାବରୁ ଅଣ୍ଡାଦିଆ ଦେଶୀ ପେଣ୍ଠି କୁକୁଡ଼ାର ଗୋଡ଼ ବନ୍ଧାହୋଇ ପଡିଥାଏ l ଏମାନଙ୍କୁ ମାରି ମାଂସ ଦେବାକୁ କଥା ଦେଇଥିବା କଂସେଇ ଛୁରୀ କଟୁରୀକି ପଡ଼ିଥିବା ପଥରରେ ଘଷି ଚକଚକ କରିବାଦେଖି, କୁକୁଡ଼ା ପଚାରିଲା- ଛେଳି କହିଲୁ, ତୋର ମୋର ବଳି ପଡ଼ିବାରେ କାହାର ଆଗ ପାଳି? ଛେଳି କହିଲା.. ମତେ ଲାଗୁଚି ଆଗ ତୋ ପାଳି l ମାତ୍ର ଅଧଘଣ୍ଟେରେ ତୋ ବେକ ମୋଡି, ପର ଓପାଡି, ପେଟକୁ ଫାଡ଼ି, କିଲେ ମାଉଁସ ତୋ’ ଦେହରୁ କାଢ଼ିବାକୁ ବହୁତ କମ୍‌ ସମୟ ଲାଗିବ ତ l ତେଣୁ ତୋ କାମ ଆଗ ବଢିବ l କୁକୁଡ଼ା ଆଖି ଛଳ ଛଳ କରି କହିଲା.. ବୁଝିଲୁ ଭାଇ ! ମୁଁ ସାରା ଜୀବନ ଯେତେ ଅଣ୍ଡାଦେଲି, ଦେଶୀଅଣ୍ଡା ବୋଲି ଚଢ଼ାଦାମରେ ମୋ ମାଲିକ ବିକି ବହୁତ ଟଙ୍କା କମେଇଲା l ନିଜେ ଖାଇ ତା’ ପିଲାଙ୍କୁ ଖୁଆଇଲା l ମୋ ବଂଶ ବୁଡେଇଲା l ଛୁଆଟେ ଦେଖିପାରିଲିନି କି ମା’ ଡାକ ଶୁଣିପାରିଲିନି l ତଥାପି ଲୋଭୀର ମନ ବୁଝିଲାନି ଯେ, ଏ ବୟସରେ ଦେଶୀ ପେଣ୍ଠି ବୋଲି ଢ଼େରେ ମୂଲଚାଲ କରି ନଅ ଶହ ଟଙ୍କାରେ ଏ ଲୋକକୁ ବିକିଲା l ସେ ମତେ କିଣିବା ଆଗରୁ ପାଞ୍ଚଥର ହାତରେ ଟେକି ମୋ ମାଂସ ଓଜନ କେତେହେବ ମାପିଲା l

ଏତେ ଶରଧାରେ ଦାନା ଖୁଆଇବାର କାରଣ କ’ଣ ଏଇଆ? ଛେଳି କହିଲା, ମଣିଷଭଳି ଦିଶୁଥିବା କିଛି ଅଛନ୍ତି, ଯେଉଁମାନଙ୍କର କଥା ବଡ ମଧୁର, ହେଲେ ପେଟରେ ପେଟେ ହଳାହଳ l ହଉ, ଏବେ ମୋ କଥା ଟିକେ ଶୁଣ l ଆମେ ଭାଇ ଭଉଣୀ ଥିଲୁ ତିନିଜଣ l ମୋ ମା’ ଏଯାଏ ବୁଢ଼ୀ ହେଇନି, ଛୁଆ ଦେଉଛି ବୋଲି ମୋ ମାଲିକ ବିକୁନି l ସବୁରି ଭିତରେ ମୁଁ ବଡ, ମୋଟା l
ବୟସ ମତେ ମାତ୍ର ଦି ’ବର୍ଷ l ମୁଁ ଶୀଘ୍ର ବଢ଼ି ମୋ ଓଜନ ବଢିବବୋଲି ମୋ ମାଲିକ ପିଲାରୁ ମତେ ପଶୁଡାକ୍ତରଖାନା ନେଇ ମତେ ନପୁଂସକ କଲେ l ଖୋଇପେଇ ଭାରି ଭଲପାଆନ୍ତି ବୋଲି ଆଉଁସି ଦେଉଥିଲେ l ସୁନ୍ଦର ଦିଶିବାକୁ ଯତ୍ନ ନେଉଥିଲେ l ତାଙ୍କ ଏତେ ସ୍ନେହ ଯେ, ମୋ ଶୀଘ୍ର ମରଣର କାରଣ ହେବ ମୁଁ ଆଜି ଜାଣିଲି l ଏଇ ଲୋକଟା ଆଠଦିନ ଆଗରୁ ମୋ ମାଲିକ ପାଖକୁ ଯାଇ ମତେ ଆଠଥର ଟେକିଲା l ଢ଼େରେ ମୂଲା ମୁଲି କରି ଶେଷରେ ତେରଖଣ୍ଡ ଖଡ଼ଖଡିଆ ପାଁ ଶହ ଟଙ୍କିଆ ନୋଟ ତା’ ହାତରେ ଗୁଞ୍ଜିଦେଇ ମୋତେ ଖୁଣ୍ଟରୁ ଫିଟେଇ ଯେଉଁ ରସିରେ ବାନ୍ଧିଆଣିଲା… ସେଇ ରସି, ଆଜି ମୋ ଗଳାର ଫାଶୀ ହେବ l ବୋଧେ ମୋ ମା’ ଏକଥା ଜାଣିପାରିଥିଲା l ଆସିଲାଦିନ ଟଙ୍କା ପାଇ ମୋ ମାଲିକ ଯେତିକି ଖୁସି ହେଉଥିଲେ, ତା’ଠୁ ବେଶି ମୋ ମା’ ଆଖିରୁ ଲୁହଢାଳି ରଡ଼ିକରି କାନ୍ଦୁଥିଲା l ମୁଁ କିନ୍ତୁ ଭାବୁଥିଲି, ଯୋଉଲୋକ ଏତେଟଙ୍କା ଦେଇ କିଣୁଛି, ତା’ର ପିଲାପିଲି ବୋଧେ ନାହିଁ ବୋଲି ମତେ ପାଳିବାକୁ ନେଉଛି l କିନ୍ତୁ ଆଜି ଏଠି ଏତେଲୋକଙ୍କ ଭୋଜି ଆୟୋଜନ ଆଉ କଂସେଇର ଛୁରୀକି ଧାରୁଆ କରିବା ଦେଖି ମୁଁ ଓଲଟାଗଣିବା ଆରମ୍ଭ କଲାଣି l ଆଉ ଅଳ୍ପସମୟରେ ମୋ ଶରୀର ଖଣ୍ଡ ଖଣ୍ଡ ହୋଇ, ମସଲାରେ କସାହୋଇ, ମଣିଷ ପେଟରେ ପଶିବ l ମୋ ମାଂସକୁ ସେଇ ବୋତଲର ରଙ୍ଗୀନ ପାଣି ଆହୁରି ମତୁଆଲା କରିବ l ଏଇ ସୁଯୋଗକୁ ଏ ଗାଡ଼ି ଡ୍ରାଇଭର ବି ହାତଛଡା କରିବନି, ମୁଁ ଜାଣେ l ହେଲେ ମୁଁ ବେଶି ଖୁସି ହୋଉଥାନ୍ତି, ଯଦି ମୋର ଏଇ ମାଂସ.. ସୀମାନ୍ତରେ ଜଗୁଥିବା, ପିଲାଛୁଆଙ୍କୁ ପଛକରି ଦେଶପାଇଁ ନିଜ ଜୀବନକୁ ପାଣି ଛଡେଇ ଲଢୁଥିବା ବୀର ଯବାନଙ୍କ ପେଟରେ ପଡିଥାନ୍ତା l ମୋ ଜୀବନ ଧନ୍ୟ ହୋଇଥାନ୍ତା l ଛାଡ଼ l ସବୁ ମୋ ଭାଗ୍ୟ l

ସେଦିନ ସାରେ ଖବର ପ୍ରଚାରହେଲା.. ଭୋଜିଖାଇ ନିଶାସକ୍ତ ଚାଳକପାଇଁ ଦୁର୍ଘଟଣା। ଗାଡ଼ି ଭିତରେ ଥିବା ଲୋକମାନଙ୍କ ଭିତରୁ ଛ’ଜଣଙ୍କ ଜୀବନ ଯାଇଛି l ଅନ୍ୟମାନେ କ୍ଷତବିକ୍ଷତ l କେଇଘଣ୍ଟା ଆଗର ମଉଜ ମସ୍ତି… ସଞ୍ଜରେ ଆଣିଛି ଦୁଃଖର ପରିଣତି। ଶୁଭୁଛି ଚିତ୍କାର.. ହେ ଈଶ୍ୱର ! ଆମକୁ ରକ୍ଷାକର ରକ୍ଷାକର l

ଭାବୁଥିଲି, ଆଉ କେତେଦିନ ଆମେ ନୂଆବରଷକୁ ସ୍ବାଗତକରିବା ଆଳରେ ମଦ ମାଂସ ଭିତରେ ସୁଖ ଶାନ୍ତି ଆନନ୍ଦ ଖୋଜୁଥିବା ? ପୁରୁଣା ବର୍ଷକୁ ବିଦାୟ ଦେଉଛୁ l ଅଥଚ ପୁରୁଣା ପଶୁ ପ୍ରବୃତ୍ତିକୁ ଛାଡିପାରୁନୁ l ନୂଆ ପୋଷାକ ପିନ୍ଧୁଛୁ l କିନ୍ତୁ ଆମ ପ୍ରକୃତି ପରିବେଶକୁ ସୁଧାରିବାକୁ ଧ୍ୟାନ ଦେଉନୁ l ସୁନ୍ଦର ଦାମୀ ଚପଲ ପିନ୍ଧୁଛୁ l ମାତ୍ର ଚରିତ୍ରକୁ ବଦଳେଇ ପାରୁନୁ l ଯେଉଁଦେଶରେ ଅନେକଲୋକ ବିଶୁଦ୍ଧ ପିଇବା ପାଣିବିନା ପ୍ରାଣ ହରାଉଛନ୍ତି, ଯଦି ନୂଆବରଷରେ ସଂକଳ୍ପକରି ଏଇ ବିଦେଶୀ ମୃଦୁ ବା ନିଶା ପାନୀୟ ପୁରୁଣା ବରଷକୁ ଛାଡିଲାଭଳି ଛାଡିପାରନ୍ତେ.. ତେବେ କୋଟିଏ ଲୋକଙ୍କ ପାଇଁ ସେଇ ଟଙ୍କାରେ ସାରାଜୀବନ ହୁଏତ ପିଇବାପାଣିର ଅଭାବପୂରଣ ଯୋଜନା ସଫଳ ହୋଇପାରନ୍ତା l

ଅକାଳରେ ପରିବାର ପ୍ରିୟଜନଙ୍କ ଏତେ ବିୟୋଗ ଆଉ ହୁଅନ୍ତାନାହିଁ l
ହେ ବାଗବାନ! ଆମ ସମସ୍ତଙ୍କର ନୂତନ ବର୍ଷରେ ଦିବ୍ୟଜ୍ଞାନର ଉଦୟ ହେଉ l ହୃଦୟରେ ପରୋପକାରୀ, ସ୍ନେହ ପ୍ରୀତି, ମୈତ୍ରୀ, କରୁଣାରେ ଭରିଯାଉ l ସଂସାରରୁ ଦୁରାରୋଗ୍ୟ ବ୍ୟାଧି ଦୂରହେଉ l ଶାନ୍ତି ସ୍ଥାପନହେଉ, ସବୁରିପାଇଁ ଏଇ ପ୍ରାର୍ଥନା ।
-ମଙ୍ଗରାଜ ପୁର, ପୁରୀ
ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?