Posted inଫୁରସତ

ଗୁଜବ -ବଡ଼ ଅଜବ

ଚକ ଚକ କରୁଥିବା ଚନ୍ଦରାର ଚନ୍ଦା ମୁଣ୍ଡରେ ଚମତ୍କାର ବୁଦ୍ଧି l ଆଜ୍ଞା! ପଚାରୁଛନ୍ତି କେମିତି? ଭାତ ହାଣ୍ଡିରୁ ଗୋଟେ ଚିପି ପରଖିଲା ଭଳିଆ… କଥାଟେ ଶୁଣୁନାହାନ୍ତି l ଚନ୍ଦରାର ସମୁଦି ଚଇତା ଚାରିବର୍ଷ ତଳେ ଚାରିଟିଣ ଜଡ଼ାତେଲ, ଚାରି ହଜାର ଦୀପ, ବାଣ, ବଳିତା କିଣି ଦୀପାବଳି କି ବେପାର କରୁଥିଲା l ଗ୍ରାହକଙ୍କ ଭିଡ଼ରେ ବେପାର ଜମିଲାବେଳକୁ ପ୍ରବଳ ବେଗରେ ଝଡ଼ ବର୍ଷା ଆସି ସବୁ ସାରିଦେଲା l

ବିଚରା ହାତ ଉଧାରି ଶହକେ ପାଞ୍ଚଟଙ୍କା ସୁଧରେ ତିରିଶି ହଜାର ଟଙ୍କାର ଲାଭ କ’ଣ ପାଇବ, ମୂଳଜମା ଉଠିଲାନି l ଚଇତା ମୁଣ୍ଡ ଆଉଁସି ମନଦୁଃଖରେ ବସିବାଦେଖି ଚନ୍ଦରା ଘଟଣା ସମ୍ପର୍କରେ ସବିଶେଷ ଶୁଣି ଫେଁ ଫେଁ ହେଇ ଭଡାଏ ହସି ହସି କାଶି ପକେଇଲା l କହିଲା.. ସମୁଦି ! ଏ ଚନ୍ଦରା ଥାଉ ଥାଉ ତମେ ଭାଙ୍ଗିପଡୁଛ? ଏଇଟା ଗୋଟାଏ କଥାନା ? ଦେଖ , କାଲି ସିନା ଦୀପାବଳି ଯାଇଛି , ହେଲେ ତମ ବଳକା ତିନି ଟିଣ ତେଲ, ଦୀପ, ବଳିତା, ବାଣକୁ କେମିତି ଦି ଦିନରେ ବିକେଇ ମୋଟା ଲାଭ ତମ ହାତରେ ଯେବେ ନ ଧରେଇ ପାରୁଛି… ତେବେ ମୋ ନାଁରେ ଗୋଟେ ବଣଭୁଆ ପୋଷିବ l

ସତକୁସତ ମାତ୍ର ଦେଢ଼ ଦିନରେ ଖାଲି ଚଇତା ନୁହଁ ବରଂ ଅନ୍ୟ ବେପାରୀଙ୍କ ସବୁ ବଳକା ମାଲ ଚଢ଼ାଦାମରେ ବିକ୍ରି ହେଇଗଲା l ଲୋକେ ଧାଡ଼ି ଧାଡ଼ିହେଇ ମାଡ଼ିଆସି ସବୁ କିଣିନେଇଗଲେ l ବୁଝୁ ବୁଝୁ କୁଆଡ଼େ କୋଉ ଦିଅଁ ମନ୍ଦିର ପୂଜାରୀ କି ସ୍ବପ୍ନେଇଛନ୍ତି… ଯିଏ ଦୀପାବଳିଠୁ ସାତଦିନ ଭିତରେ ସାତଟା ଜଡ଼ାତେଲ ଦୀପ, ସଞ୍ଜବେଳେ ଚଉରାମୂଳେ ଜାଳି ଦି’ଟା ବାଣ ନ ଫୁଟେଇବ…ତା’ ପରିବାରର ରୋଜଗାରିଆ ବଡ଼ମୁଣ୍ଡ ବରଷକ ଭିତରେ ଯିବାଟା ଥୟ l ଏଇକଥା କୋଉଠି ବୁଝିଲା ବେଳକୁ , କିଏ କହିଲା ପୁରୀରେ ବଡ଼ପଣ୍ଡାକୁ ଜଗନ୍ନାଥେ ସ୍ବପ୍ନେଇଛନ୍ତି ତ କିଏ କହିଲା ଝଙ୍କଡ଼ରେ ସାରଳା ମା’ କହିଛନ୍ତି l ପୁଣି କିଏ କହିଲା.. ଆରେ ନା ନା, ମା’ ମଙ୍ଗଳାପରା କାକଟପୁରରେ ସାକ୍ଷାତ ଦର୍ଶନଦେଇ ବତେଇଛନ୍ତି l ପୁଣି କାହାଠୁ ଶୁଣିବାକୁ ମିଳିଲା ତାରିଣୀ ମା’ ପାହାନ୍ତା ରାତିରେ ନିର୍ଦ୍ଦେଶବାଣୀ ଶୁଣେଇଛନ୍ତି l ମାଇପେମାନେ ଘରେ ଉଚ୍ଛନ୍ନହୋଇ ଜିଗରକରି ପତିଙ୍କୁ କହିଲେ… ଏତେ ତର୍ଜମାରୁ ଆମର କ’ଣ ମିଳିବ ? ଟଙ୍କା ଶହେ ଦେଢ଼ଶହ ଖରଚ କରି ଏଇସବୁ ଜିନିଷ କିଣି ଚଉରାମୂଳେ କାମସାରିଦେଲେ ଗଲା l ଆଉ ତେଣିକି ତ ମନ ଦକ ଦକ ନ ଥିବ ନା l

ଚଇତା, ଚନ୍ଦା ଚନ୍ଦରା ସମୁଦିଙ୍କ ବୁଦ୍ଧିକି ତାରିଫକରି କହିଲେ ଏମିତି କମାଲ କେମିତି କଲ? ତମକୁ ମାନିବାକୁ ପଡିବ l ଚନ୍ଦରା ହସି ହସି କହିଲା… ବୁଝିଲ ସମୁଦି, ଇଏ କିବା କଥା l ମତେ ଯଦି ଭାରତର ପ୍ରଧାନମନ୍ତ୍ରୀ ପଦ ମିଳିଯାଆନ୍ତା, ମୁଁ ମୋ କରାମତି ଦେଖେଇଦିଅନ୍ତି l

ଦେଖିଲ ତ…ମାନ୍ଦା ହୋଇଯାଇଥିବା ତମ ଧନ୍ଦାକୁ କେମିତି ମୋ ଚକ ଚକ କରୁଥିବା ଚନ୍ଦାମୁଣ୍ଡର ଚମତ୍କାରିତା କମାଲ କଲା !
ଆଜ୍ଞା! ମୋ ପିଲାବେଳେ ଶୁଣିଥିଲି ଶାସକ ଦଳକୁ ଗଡେଇ ବିରୋଧୀଏ ଆସନରେ ବସିବା ପାଇଁ କୋଉ ଚନ୍ଦା ମୁଣ୍ଡରୁ ବୁଦ୍ଧିଆଣି ସଫଳ ହୋଇଥିଲେ l

ସେତେବେଳେ ହୀରାକୁଦର ଗଚ୍ଛିତ ମହାନଦୀ ପାଣିକି କେନାଲରେ ଆଣି ସାରା ଓଡ଼ିଶାରେ ଟାଇଚିନ୍‌ ଧାନ କରିବାର ଯୋଜନା ସରକାର କଲେ l ବିରୋଧୀଏ ବୁଦ୍ଧିନେଇ ଜନତାଙ୍କୁ ମତେଇ ଆନ୍ଦୋଳନ କଲେ… ଏ ସରକାର କରେଣ୍ଟ ଛାଣି ସାର ନ ଥିବା ଅସାର ପାଣିରେ ଚାଷ କରେଇ ଚାଷୀ ତଥା ଓଡ଼ିଶାବାସୀଙ୍କ ଜୀବନ ନେବାର ଯୋଜନା କରୁଛନ୍ତି l ଏ ସରକାର ହଟାଓ… ରାଜ୍ୟ ବଞ୍ଚାଓ l

ତାତିଲେ ମାତିଲେ ମାତେଙ୍ଗାଦଳ l ଚାଲିଲା ହୋ ହାଲ୍ଲା ଗଣ୍ଡଗୋଳ l ବଢ଼ିଲା ଝାମେଲା… ଷ୍ଟ୍ରାଇକ ପାଲା… ନିର୍ବାଚନ ପରେ ସର୍କାର ଗଲା l ଆଉଥରେ ଡାଲଡ଼ା ଘିଅର ଘୋର ଅଭାବବେଳେ ବିରୋଧୀଏ କିଛି ଘିଅଟିଣ କିଣି ସରକାର ମାଗଣାରେ ଘିଅ ବାଣ୍ଟିବାକୁ ଦେଇଛନ୍ତି କହି ଗାଁ ଏମୁଣ୍ଡରେ ଜଣକୁ ସେମୁଣ୍ଡେ ଜଣକୁ ମଝିରେ ଗୋଟେ ପରିବାରକୁ କିଲେ କିଲେ ଦେଇ କହିଲେ ଯିଏ ଶାସକ ଦଳର ଲୋକ କେବଳ ତାଙ୍କୁ ଦେବାକୁ କହିଛନ୍ତି l

ଏଇ ଗୁଜବରେ ବିଶ୍ୱାସକରି ଅସଲ ସରକାରଙ୍କୁ ସମର୍ଥନକାରୀ ପରିବାର ପ୍ରାୟ ସତୁରି ଅଶୀ ଭାଗ ଲୋକ ଗର୍ଜନ ଆରମ୍ଭକଲେ l ପର ନିର୍ବାଚନରେ ସରକାରୀ ଦଳକୁ ଗଡ଼େଇ ବିରୋଧୀଙ୍କୁ ଆସନରେ ଚଢ଼େଇଦେଲେ l ତିନିବର୍ଷ ତଳେ ମୁଁ ଅଫିସରେ ବସିଥାଏ l ଦଳ ଦଳହୋଇ ଲୋକେ ଆସି ପଚାରିଲେ… ଆପଣଙ୍କ ଅଫିସ ଆମକୁ ଗ୍ରୀନ କାର୍ଡ ଦେଇଛନ୍ତ। ତେବେ କୁହନ୍ତୁ.. କୋଉଠି ମାସକୁ ପନ୍ଦରଶହ ଟଙ୍କା ଓ ମାଗଣାରେ କୁଇଣ୍ଟାଲେ ଚାଉଳ ମିଳୁଛି ? ଆମ ନେତା କହିଛନ୍ତି… ଏଇଠି ମିଳିବ । ଆମେ ଯେତେ ବୁଝେଇଲୁ.. ଏଗୁଡ଼ାକ ଗୁଜବ, ଡାହା ମିଛ , ସେମାନେ ନ ଶୁଣି ନାରାବାଜିକରି କମ୍ପେଇଲେ… ସରକାର ଆମକୁ ଏ ସୁବିଧା ଦେଉଛି। ତମେ ତାକୁ ମାରି ଖାଉଛ l ତାଙ୍କ ନେତା ପ୍ରତି କାର୍ଡ ପିଛା ହଜାରେ ଟଙ୍କା ଲେଖା ଆଦାୟ କରି କୁଆଡେ ସମ୍ବିଧାନ ଭିତରେ ପଶି… ଲଢେଇକରି ଗ୍ରୀନ କାର୍ଡଧାରୀଙ୍କ ପାଇଁ ଖୋଦ ଏମିତି ଆଇନ କରିଛନ୍ତି। ହାୟ! ଚତୁରିଆ ନେତା କୋଟିଏରୁ ବେଶି ଟଙ୍କା ଧରି ଛୁ l ମାତ୍ର ଭକୁଆ ବନିଥିବା ଜନତା ଚୁଟି ଧରାଧରି ହଉଛନ୍ତି l କିଏ ଅତି ଭଦ୍ର ଗୁଜବ ଭାଇରାଲ କରି କହିଲାଣି.. ସାବଧାନ ! ଏଟିଏମ୍‌ରୁ ମାସକୁ ଚାରିଥରରୁ ଅଧିକଥର ଟଙ୍କା ଉଠେଇଲେ ସବୁଟଙ୍କା ସରକାର ନେଇଯିବେ ତ କିଏ କହିଲାଣି ମୋଟା ଟ୍ୟାକ୍ସ ଦେଇ ବ୍ୟାଙ୍କ ବାଲାନ୍ସ ଶୂନ ହୋଇଯିବ ଇତ୍ୟାଦି….

ଏମିତି ଅନେକ ଗୁଜବକୁ ଜନ୍ମକରି ମୁଣ୍ଡରୁ ବୁଦ୍ଧି ନିଗାଡ଼ି ଥୋକେ ଦେଶକୁ ବିଗାଡି ଆପେ ଏସି ଘରେ ଖଟ ଗଦିରେ ଶୋଇ ସୁକୁଟ ଦେଖି ଭବିଷ୍ୟତରେ ମୁକୁଟ ପିନ୍ଧିବାର ଯୋଜନା କଲାବେଳକୁ… ଏଣେ ଯୁବ ଗୋଷ୍ଠୀ ଗୁଜବକୁ ବିଶ୍ୱାସକରି ପର ବୁଦ୍ଧିରେ ଜାତୀୟ ସମ୍ପତ୍ତିରେ ନିଆଁ ଲଗେଇ ଦୁନିଆଁ ଉଚ୍ଛନ୍ନ କରି ପରେ ଅନୁତାପ କଲାବେଳକୁ ସମୟ ସାରିଦେଲାଣି ସବୁ l
-ମଙ୍ଗରାଜପୁର, ପୁରୀ
ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?