ନୂଆଦିଲ୍ଲୀ,୩।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗର ଏମପି ଆଗା ସୟଦ ରୁହୁଲ୍ଲାହ ମେହେଦୀ ଆଜି ନ୍ୟାସନାଲ କନଫରେନ୍ସ (NC) ରୁ ଇସ୍ତଫା ଦେଇଛନ୍ତି ଏବଂ ସେ ଦଳ ସହିତ ନିଜ ଏମପି ପଦ ମଧ୍ୟ ଛାଡ଼ିଛନ୍ତି। ଆଜି ସେ ବଡଗାମରେ ନିଜ ପିତା ଆଗା ସୟଦ ମେହେଦୀଙ୍କ ୨୬ତମ ପୁଣ୍ୟତିଥି ଅବସରରେ ଏକ ଜନସଭାକୁ ସମ୍ୱୋଧିତ କରିଥିଲେ, ଯାହା ପରେ ସେ ଇସ୍ତଫା ଘୋଷଣା କରିଥିଲେ। ରୁହୁଲ୍ଲାହ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଦଳର ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ୨୦୨୪ ବିଧାନସଭା ର୍ନିବାଚନରେ ଉଭୟ ଧାରା ୩୭୦କୁ ନେଇ ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଏବେ ସେଥିରୁ ପଛଘୁଞ୍ଚା ଦେଉଛନ୍ତି। ରୁହୁଲ୍ଲାହ ବଡଗାମରୁ ୨ ଥର ବିଧାୟକ ରହିସାରିଛନ୍ତି ଏବଂ ୨୦୨୪ରେ ଶ୍ରୀନଗରରୁ ଲୋକ ସଭା ର୍ନିବାଚନ ଜିତି ସାଂସଦ ହୋଇଥିଲେ।
ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନଫରେନ୍ସ (NC) ଭିତରେ ରାଜନୈତିକ ଟଣାଓଟରା ଲାଗିରହିଛି। ଦଳର ୨୫ ଜଣ ବିଧାୟକ ବିଦ୍ରୋହୀ ହୋଇ ରବିବାର ଦିନ ଦଳୀୟ ହାଇକମାଣ୍ଡଙ୍କୁ ୧୪ ଦିନର ଅଲ୍ଟିମେଟମ ଦେଇଛନ୍ତି। ଦାବି ପୂରଣ ନହେଲେ ଓମାର ଅବଦୁଲ୍ଲା ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେବାକୁ ବିଧାୟକମାନେ ଧମକ ଦେଇଛନ୍ତି। ଗତକାଲି ବିଧାୟକମାନେ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ଗଠନ କରିଥିଲେ, ଯାହାର ନେତୃତ୍ୱ ଗୁରେଜ ବିଧାୟକ ନଜିର ଅହମ୍ମଦ ଗୁରେଜୀ ଏବଂ ଥାନାମଣ୍ଡି ବିଧାୟକ ମୁଜାଫର ଇକବାଲ ଖାନ ନେବେ। ଏହି ପ୍ରତିନିଧି ଦଳ ଦଳୀୟ ସଭାପତି ଫାରୁକ ଅବଦୁଲ୍ଲା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ। ବର୍ତ୍ତମାନ ବିଧାୟକମାନେ ଅଲ୍ଟିମେଟମର ଉତ୍ତରକୁ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି, ତା’ପରେ ହିଁ ସେମାନେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବେ।
ସୂଚନାଯୋଗ୍ୟ ଯେ, ଗତ ୨୭ ଅକ୍ଟୋବରରେ ଓମାର ଅବଦୁଲ୍ଲା ସରକାର କ୍ୟାବିନେଟ ସମ୍ପ୍ରସାରଣ କରି ନ୍ୟାସନାଲ କନଫରେନ୍ସର ୪ ଜଣ ବିଧାୟକଙ୍କୁ ମନ୍ତ୍ରୀ କରିଥିଲେ, ଯେଉଁଥିରେ ଅଲି ମହମ୍ମଦ ସାଗର, ମୀର ସୈଫୁଲ୍ଲାହ, ଶମିମା ଫିରଦୌସ ଏବଂ ଅଲତାଫ ଅହମ୍ମଦ କଲ୍ଲୁ ସାମିଲ ଅଛନ୍ତି। ଏହା ବ୍ୟତୀତ ସୱାଧୀନ ବିଧାୟକ ସତୀଶ ଶର୍ମାଙ୍କୁ ପଦରୁ ହଟାଇ ଦିଆଯାଇଥିଲା। କିନ୍ତୁ ଅନେକ ବରିଷ୍ଠ ବିଧାୟକ ମନ୍ତ୍ରୀ ହୋଇପାରିନଥିଲେ, ଯେଉଁଥିରେ ନଜିର ଅହମ୍ମଦ ଗୁରେଜୀ ଏବଂ ମୁବାରକ ଗୁଲ ସାମିଲ ଥିଲେ। ଅସନ୍ତୋଷ ପ୍ରକାଶ ପାଇବା ପରେ ଫାରୁକ ଅବଦୁଲ୍ଲା, ଅଲି ମହମ୍ମଦ ସାଗରଙ୍କ ସ୍ଥାନରେ ମୁବାରକ ଗୁଲଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିଲେ। କିନ୍ତୁ ନଜିର ଅହମ୍ମଦ ଗୁରେଜୀଙ୍କୁ ଅଣଦେଖା କରାଯିବାରୁ ସେ ବିଦ୍ରୋହୀ ବିଧାୟକମାନଙ୍କ ସହ ମିଶି ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଦେଇଛନ୍ତି ଏବଂ ଦଳୀୟ ହାଇକମାଣ୍ଡଙ୍କୁ ଅଲ୍ଟିମେଟମ ଦେଇଛନ୍ତି।

