ଛତ୍ରପୁର, ୩।୧୧ (ଦିଲ୍ଲୀପ ସାମଲ): ବନ୍ୟା ବିପତ୍ତିର ଏହି କଠିନ ସମୟରେ ବିପନ୍ନଙ୍କ ନିକଟରେ ରନ୍ଧା ଖାଦ୍ୟ ପହଞ୍ଚାଇବାରେ ଗଞ୍ଜାମ ଜିଲାରେ ଓରମାସ୍ (ORMAS)ର ‘ଶକ୍ତିଗାଁ’ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ମାଧ୍ୟମ ପାଲଟିଛି। ଓରମାସ୍, ଜିଲା ପ୍ରଶାସନ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ୍ର ସମନ୍ୱିତ ପ୍ରୟାସରେ ଗତ ୪ ଦିନ ମଧ୍ୟରେ ୧୦୦୦ରୁ ଅଧିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ସଂଗ୍ରହ କରାଯାଇ ବିଭିନ୍ନ ସ୍ଥାନକୁ ଯୋଗାଣ କରାଯାଇଛି।
ଜିଲାର ୧୦ଟି ବ୍ଲକ୍ ଓ ସହରାଞ୍ଚଳରେ ବ୍ଲକ୍ ପ୍ରଶାସନ ଦ୍ୱାରା ପରିଚାଳିତ ୨୦୦ରୁ ଅଧିକ ସାମୂହିକ ରୋଷେଇ କେନ୍ଦ୍ରକୁ ନିରବଚ୍ଛିନ୍ନ ଗ୍ୟାସ୍ ଯୋଗାଣ ସୁନିଶ୍ଚିତ କରାଯାଇଛି। ଫଳରେ ବିଭିନ୍ନ ଗ୍ରାମ ଓ ବ୍ଲକ୍ ମୁଖ୍ୟାଳୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ବିଭିନ୍ନ ଗୋଷ୍ଠୀ ହଜାର ହଜାର ବନ୍ୟା ବିପନ୍ନଙ୍କ ପାଇଁ ନିୟମିତ ଭାବେ ଗରମ ଓ ସ୍ୱାସ୍ଥ୍ୟକର ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରିପାରୁଛନ୍ତି।
ଏହି ଅଭିଯାନରେ ଓରମାସ୍ର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ନେଟ୍ୱର୍କ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ଆବଶ୍ୟକତା ଚିହ୍ନଟ କରାଯାଉଛି। ଏହାପରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ୍ ସିଲିଣ୍ଡର ଯୋଗାଣର ବ୍ୟବସ୍ଥା କରାଯାଉଛି। ଇଣ୍ଡିଆନ୍ ଅଏଲ୍ର ସହଯୋଗରେ ସିଲିଣ୍ଡର ସଂଗ୍ରହ ଓ ଯୋଗାଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିଛି।
ବିପର୍ଯ୍ୟୟ ସମୟରେ କେବଳ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ନୁହେଁ, ବରଂ ଲୋକଙ୍କ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ସେବାକୁ ଅବ୍ୟାହତ ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ‘ଶକ୍ତିଗାଁ’ ଅଭିଯାନ ଏହି ଦିଗରେ ସମନ୍ୱୟ, ସହଯୋଗ ଓ ସାମୂହିକ ଦାୟିତ୍ୱବୋଧର ଏକ ଉଦାହରଣ ସୃଷ୍ଟି କରିଛି।

