ପରିତାପର ବିଷୟ

ଡ. ମୌସୁମୀ ପରିଡ଼ା

ଆଜିକାଲି କେମିତି ଗୋଟେ ଅଚଳାବସ୍ଥା, ଅସହାୟତା, ଅସ୍ବସ୍ତିକର ପରିବେଶ ଚାରିଆଡେ। ମାନସିକ ଚାପଗ୍ରସ୍ତ ହୋଇ ଅମୂଲ୍ୟ ସମ୍ପର୍କ ଓ ନୈତିକତା ଭୁଲିବସୁଛେ। ପାରିବାରିକ, ସାମାଜିକ ବା କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ମନକୁ ଅଶାନ୍ତ ରଖୁଛି, ଯାହାର ପ୍ରଭାବ ଆମ ଉପରେ ଏବଂ ସମାଜରେ ପ୍ରତିଫଳିତ ହେଉଛି। ଏଥିରୁ ମୁକୁଳିବାର ଉପାୟ ନାହିଁ। ନା ଆମେ କର୍ମକ୍ଷେତ୍ର ଛାଡ଼ିପାରିବା ନା ପରିବାର ଓ ସମାଜକୁ। ଏସବୁ ଭିତରେ ଉଚିତ ସମନ୍ବୟ ରଖିବାର କୌଶଳ ଓ ଧୈର୍ଯ୍ୟ କମି କମି ଯାଉଛି ମନମସ୍ତିଷ୍କରୁ। ଫଳରେ ସମସ୍ୟା ଭିତରେ ପେଷିହୋଇ ରୋଗାକ୍ରାନ୍ତ ହେବା ନତୁବା ସବୁଠି ରହି ମଧ୍ୟ କୋଉଠି ବି ନିଜକୁ ଆବିଷ୍କାର ନକରିପାରିବା ଆମ ଦୁଃସ୍ଥିତି ପାଲଟିଯାଇଛି। ଏ ବୈକଲ୍ୟ ପାଇଁ ପାରିପାର୍ଶ୍ୱିକ ଅବସ୍ଥା ଯେତିକି ପରିମାଣରେ ଦାୟୀ ସେ ଅନୁସାରେ ଆମେ ମଧ୍ୟ କମ୍‌ ଦାୟୀ ନୋହୁଁ। ସବୁବେଳେ ଅନ୍ୟ ଉପରେ ଦୋଷ ଲଦି ସହଜରେ ଖସିଯିବାର ଉପାୟ ଆମେ ଅବଲମ୍ବନ କରୁଛେ, କାରଣ ସତ୍ୟକୁ ସ୍ବୀକାର କରିବାର ସାହସ କିମ୍ବା ନିଜକୁ ସୁଧାରିବାର ମାନସିକତା ନାହିଁ ଆମମାନଙ୍କ ପାଖେ। ଯେଉଁଥିପାଇଁ ନାନାଦି ସମସ୍ୟା ଆମକୁ ଘେରି ରହିଛି। ନିଜର ଅହଂକାର ଆମ ପାଇଁ ଏତେ ବଡ଼ ହୋଇଯାଇଛି ଯେ ନିଜ ଦୋଷତ୍ରୁଟିକୁ ନ ସୁଧାରି ଅନ୍ୟକୁ ଦୋଷ ଦେଉଛେ।
ଏ କିଛିଦିନ ଭିତରେ ବୃଦ୍ଧ ମା’ବାପାଙ୍କ ଅସହାୟତା-ସମ୍ବଳିତ ଭିଡିଓ ଚିତ୍ର ମନକୁ ଲହୁଲୁହାଣ କରୁଛି। କୋଉଠି ସମ୍ପତ୍ତି ପାଇଁ ବାପାକୁ ନଜରବନ୍ଦୀ ରଖାଯାଉଛି ତ କୋଉଠି ଆର୍ଥିକ ଅନଟନର ଦ୍ୱାହି ଦେଇ ରୁଗ୍‌ଣ ମା’ବାପାଙ୍କୁ ସରକାରୀ ହାସ୍ପାତାଳରେ ମାସ ମାସ ଧରି ଛାଡ଼ିଦେଇ ଘରକୁ ଚାଲିଆସୁଛି ପୁଅ। ଆବଶ୍ୟକତା ଥିବା ସମୟରେ କେହି ଆତ୍ମୀୟ ଜୁଟୁନାହାନ୍ତି ପାଖରେ ରହିବାକୁ। ସରକାରୀ ହସ୍ପାତାଳ ଯାଇ ବୟସ୍କମାନଙ୍କୁ ପଚରାଯାଉ, ଏ କଥାର ସତ୍ୟତା ଜଣାପଡ଼ିବ। ସତରେ ଆମ ଭିତରେ ମାନବିକତା ଅଛି, ମନରେ ପ୍ରଶ୍ନ ଉଠେ! ତା’ ପୂର୍ବରୁ ଆଉ କିଛି ପ୍ରଶ୍ନ- ଆଗରୁ କ’ଣ ଏସବୁ ଘଟୁ ନ ଥିଲା? ଅବଶ୍ୟ ସେତେବେଳେ ମିଡିଆ ନଥିଲା ପ୍ରଚାରିତ ଓ ପ୍ରସାରିତ କରିବାକୁ। ଆଉ ମଧ୍ୟ କିଛି ରକ୍ଷଣଶୀଳ ଘରମାନଙ୍କରେ ଏସବୁ ଘରକଥା ବା ଲୋକଲଜ୍ଜା ମନେକରି କାହାରିକୁ ଜଣାଉନଥିଲେ। ଏଥିପାଇଁ ଦାୟୀ କେଉଁମାନେ ଥିଲେ, ଯାହା କ୍ରମଶଃ ଗଡ଼ିଆସିଛି ବର୍ତ୍ତମାନକୁ?
ଏସବୁ ଚିନ୍ତା କରିବା ପୂର୍ବରୁ ଆମକୁ ପାଖାପାଖି ପଚାଶ ବର୍ଷ ପୂର୍ବକୁ ଫେରିଯିବାକୁ ପଡ଼ିବ। ଯେତେବେଳେ ଗାଁରୁ କିଛି ଶିକ୍ଷିତ ବିଭିନ୍ନ ସହରକୁ ଯାଇ ନିଜ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଉଥିଲେ କିମ୍ବା କୌଣସି ବ୍ୟବସାୟ ଆରମ୍ଭ କରୁଥିଲେ, ସେତେବେଳେ ସମୟ କିପରି ଥିଲା? ବିବାହ ପରେ ପୁଅମାନେ ନିଜ ସ୍ତ୍ରୀ ପିଲାଙ୍କ ସହ ସହରୀ ଜୀବନ ବିତାଉଥିବାବେଳେ ଗାଁରେ ଥିବା ମା’ବାପାମାନେ ପୁଅ ବିନା କେମିତି ଜିଉଁଥିଲେ। ଗାଁରେ ଥିବା ଅନ୍ୟତମ ପୁଅଟି ସହରୀ ଭାଇର ଆର୍ଥତ୍କ ସମକକ୍ଷ ହୋଇପାରୁ ନଥିବାରୁ ସେ ମଧ୍ୟ ନିଜ ଆକ୍ରୋଶ ସାରୁଥିଲା ମା’ବାପାଙ୍କ ଉପରେ ଅଥବା ମାନବିକତା ଦୃଷ୍ଟିରୁ ସେମାନଙ୍କ ସେବାଶୁଶ୍ରୁଷା କରୁଥିଲା। ପିଲାମାନେ ନ ଚାହିଁଲେ ବି ମା’ବାପା ଶେଷ ସମୟରେ ଚଳିଯାଉଥିଲେ ଜ୍ଞାତିକୁଟୁମ୍ବଙ୍କ ସାହାରା ନେଇ। କେବେକେବେ ଜ୍ଞାତିକୁଟୁମ୍ବମାନେ ହିଁ ପାଟିରେ ତୁଳସୀ ଓ ଗଙ୍ଗାଜଳ ଦେଇ ପିଲାମାନଙ୍କୁ ଖବର ଦେଉଥିଲେ। ଅବଶ୍ୟ ଆଜିକାଲି ସେଭଳି ସମ୍ପର୍କ ବି ମରିଗଲାଣି ମଣିଷ ମନରୁ। ସେଥିପାଇଁ ମଣିଷ ନିଜ ଘର ଭିତରେ ଗୃହବନ୍ଦୀ, ବେଶ୍‌ ଅସହାୟ ଓ ଏକାକୀ।
ଆଜୀବନ ଅର୍ଥବଳରେ ବେହିସାବ ସ୍ବାଧୀନତା ଉପଭୋଗ କରିଆସିଥିବା ସେ ସମୟର ପୁଅ ବୋହୂ ଏବେ ବାର୍ଦ୍ଧକ୍ୟରେ ଉପନୀତ ହେଲେ ଚାକିରିଆ ପୁଅ ବୋହୂଙ୍କଠାରୁ ସେବା ଆଶା ରଖନ୍ତି। ସେମାନେ ଚାହାନ୍ତି ପୁଅ ବୋହୂ କିମ୍ବା ବିବାହିତା ଝିଅ ସେମାନଙ୍କ ପାଖକୁ ଆସି ସେବା ଶୁଶ୍ରୁଷା କରନ୍ତୁ। ଯାହା ସେମାନେ ନିଜ ମା’ବାପାଙ୍କ ପାଇଁ କରିନଥିଲେ। ସେପରି ହୋଇଥିଲେ ଫକୀରମୋହନ ଡାକମୁନ୍‌ସୀ ଭଳି ଗପ ଲେଖିନଥାନ୍ତେ। ସେ ସମୟର ସାମାଜିକ ଚିତ୍ର ବୁଝିହେଉଥିଲା କଥାକାରଙ୍କଠାରୁ। କିପରି ଝିଅମାନଙ୍କୁ ବାପଘରେ ଦାନ ସାମଗ୍ରୀ ଓ ଶାଶୁଘରେ ଦାସୀ ଏବଂ ଉପଭୋଗର ସାମଗ୍ରୀ ଭାବେ ବିବେଚନା କରାଯାଉଥିଲା ଆଦି ଅନେକ ସମସ୍ୟାର କଥା!
ଅତୀତରେ ପୁଅଟିଏ ଶିକ୍ଷିତ ହେବା ପରେ ପରିଚୟ, ପ୍ରତିଷ୍ଠା ଓ ଅର୍ଥ ପାଇଁ ବାହାରେ ଚାକିରି କରୁଥିଲା। ମା’ବାପାଙ୍କ କଥା ବୁଝିବାକୁ ସମୟ ନ ଥିଲା। ସ୍ତ୍ରୀ ଓ ପିଲାଙ୍କ ଆବଶ୍ୟକତାବେଳେ କାମରେ ସାହାଯ୍ୟ କରିବାକୁ ବୟସ୍କ ମା’ବାପାଙ୍କୁ ଗାଁରୁ ଡକାଇ ନିଆଯାଉଥିଲା। ନାତିନାତୁଣୀଙ୍କ ସହିତ ସମୟ ବିତେଇ, ବୋହୂକୁ କାମରେ ସାହାଯ୍ୟ କରି ଫେରିଆସୁଥିଲେ ସେମାନେ। ପୁଅ ବୋହୂଙ୍କ ସୁବିଧା ଅନୁସାରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଗାଁରୁ ପୁଅର ବସା, ପୁଣି ପୁଅ ବସାରୁ ଗାଁ ହୋଇ ସରିଯାଉଥିଲା ଆୟୁଷ, ବଳ। ତେବେ ବି ନା ସେମାନେ କାହା ପାଖେ ଅଭିଯୋଗ ବାଢୁଥିଲେ ନା ନିଜ ସ୍ବାର୍ଥ ହାସଲ ନହୋଇ ପାରିଲେ ଅଭିଶାପ ଦେଉଥିଲେ।
କିନ୍ତୁ ପରିତାପର କଥା ସେ ସହରୀ ପୁଅବୋହୂ ଯେତେବେଳେ ବାର୍ଦ୍ଧକ୍ୟରେ ଉପନୀତ ହେଉଛନ୍ତି, ସେମାନେ ପଛକଥା ମନେପକାଇ ପାରୁନାହାନ୍ତି। ସେମାନେ କେତେ ନିଜ ମା’ବାପା କିମ୍ବା ଶାଶୁ ଶ୍ୱଶୁରଙ୍କ ସେବା କରିଥିଲେ, ଯଦି ବା କରିଥିଲେ ନିଜେ ତାଙ୍କ ପାଖରେ ରହିଥିଲେ ନା ସେମାନଙ୍କୁ ଡକାଇ ପାଖରେ ରଖି କରିଥିଲେ ସେସବୁ ଏବେ ଅତୀତ। କିନ୍ତୁ ସେ କର୍ମଫଳର ଦଶା ଏବେ ଭୋଗିବାକୁ ପାଖରେ ମାନସିକ ବଳ ନାହିଁ। ବୃଦ୍ଧ ବୟସରେ ପିଲାଙ୍କ ପାଖେ ସନ୍ତାନର କର୍ତ୍ତବ୍ୟ ବଖାଣିଲେ କ’ଣ ହେବ ଯଦି ନିଜେ ଭଲ ପୁଅ ବୋହୂ ହୋଇନପାରିଲେ। ଆଜି ଯଦି ସେମାନେ ଏକାକୀ ହୋଇଯାଉଛନ୍ତି ସେଥିପାଇଁ କେତେକାଂଶରେ ସେମାନେ ମଧ୍ୟ ଦାୟୀ। ନିଜ ପିଲାକୁ କିମ୍ବା ନିଜେ ଦେଇଥିବା ସଂସ୍କାରକୁ ଦୋଷ ନଦେଇ ବୋହୂକୁ କାହିଁକି ଦେବା?
ଯେଉଁମାନେ ଆର୍ଥିକ ଅନଟନ ପାଇଁ ମା’ବାପାଙ୍କୁ ଅନାଥାଶ୍ରମରେ ଛାଡ଼ିଆସୁଛନ୍ତି, ସେମାନଙ୍କ ଅସହାୟତାକୁ ବୁଝାଯାଇପାରେ। କିନ୍ତୁ ଯେଉଁମାନେ ବିରକ୍ତିରେ ବା ଦାୟିତ୍ୱରୁ ମୁକୁଳିବାକୁ ଏଭଳି କରୁଛନ୍ତି, ସେମାନଙ୍କ ପାଇଁ କଠୋର ଦଣ୍ଡବିଧାନ ଆବଶ୍ୟକ। କିନ୍ତୁ ତା ପୂର୍ବରୁ ସେ ବୃଦ୍ଧ ମା’ବାପାଙ୍କୁ ବୁଝିବାକୁ ଆବଶ୍ୟକ ଯେ ସେମାନେ ନିଜ ମା’ବାପାଙ୍କ ପାଇଁ କେତେ ଦାୟିତ୍ୱ କରିଥିଲେ! ପିଲାମାନଙ୍କୁ କି କି ସଂସ୍କାରମାନ ଦେଇ ଗଢ଼ିଥିଲେ। ବେଳ ଥାଇ ସଚେତନ ନ ହେଲେ ସଂସାରର ରୀତିନୀତି ଏମିତି ଭୁଶୁଡି ପଡୁଥିବ। ଘର ଅପେକ୍ଷା ବୃଦ୍ଧାଶ୍ରମମାନ ବେଶି ଗଢ଼ିଉଠୁଥିବ। ଆମେମାନେ ସେତିକି ସେତିକି ବିଶୃଙ୍ଖଳ ହୋଇଚାଲିଥିବା।
ତେବେ ସହରୀ ବୟସ୍କମାନେ ନିଜକୁ ଦୋଷମୁକ୍ତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଏକାନ୍ତରେ ଥରେ ଭାବିବା ଉଚିତ, ସତରେ ସେମାନେ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇଛନ୍ତି ଅତୀତରେ। ଯଦି ନା, ତେବେ କାଇଁ ନିଜ ବେଳକୁ ଏତେ ନିୟମ ଶୃଙ୍ଖଳାର ଦ୍ୱାହି! ସମୟ ଥିଲାବେଳେ କିଛି ଶୃଙ୍ଖଳା ମାନିଥିଲେ କ’ଣ ଅସୁବିଧା ହୋଇଥାନ୍ତା। ଅନ୍ତତଃ ପରପିଢ଼ି ବୁଝିପାରିଥାନ୍ତା ପରିବାରରେ ବୟୋଜ୍ୟେଷ୍ଠମାନଙ୍କ ସ୍ଥାନ କେତେ ଉଚ୍ଚରେ। ଏ ଲେଖାଟି ସେଇ ବର୍ଗର ଲୋକଙ୍କ ପାଇଁ ଯେଉଁମାନେ ଚାକିରି, ସହରୀ ସୁଖସୁବିଧା ଓ ପରିବାର ଆଳରେ ବୃଦ୍ଧ ମା’ବାପାଙ୍କୁ ଅଣଦେଖା କରିଆସନ୍ତି ଯାବଜ୍ଜୀବନ, ସେମାନଙ୍କଠାରୁ ଅନୁପ୍ରେରିତ ହୋଇ ବର୍ତ୍ତମାନର ଯୁବପିଢ଼ି ଏଭଳି ଭୁଲ୍‌କୁ ନ ଦୋହରାଉ, ଯାହାଫଳରେ ପରିବାରର ମୂଳଦୁଆ ଦୋହଲିଯିବ।
ମୋ-୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri