ପରିତାପର ବିଷୟ

ଡ. ମୌସୁମୀ ପରିଡ଼ା

ଆଜିକାଲି କେମିତି ଗୋଟେ ଅଚଳାବସ୍ଥା, ଅସହାୟତା, ଅସ୍ବସ୍ତିକର ପରିବେଶ ଚାରିଆଡେ। ମାନସିକ ଚାପଗ୍ରସ୍ତ ହୋଇ ଅମୂଲ୍ୟ ସମ୍ପର୍କ ଓ ନୈତିକତା ଭୁଲିବସୁଛେ। ପାରିବାରିକ, ସାମାଜିକ ବା କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ମନକୁ ଅଶାନ୍ତ ରଖୁଛି, ଯାହାର ପ୍ରଭାବ ଆମ ଉପରେ ଏବଂ ସମାଜରେ ପ୍ରତିଫଳିତ ହେଉଛି। ଏଥିରୁ ମୁକୁଳିବାର ଉପାୟ ନାହିଁ। ନା ଆମେ କର୍ମକ୍ଷେତ୍ର ଛାଡ଼ିପାରିବା ନା ପରିବାର ଓ ସମାଜକୁ। ଏସବୁ ଭିତରେ ଉଚିତ ସମନ୍ବୟ ରଖିବାର କୌଶଳ ଓ ଧୈର୍ଯ୍ୟ କମି କମି ଯାଉଛି ମନମସ୍ତିଷ୍କରୁ। ଫଳରେ ସମସ୍ୟା ଭିତରେ ପେଷିହୋଇ ରୋଗାକ୍ରାନ୍ତ ହେବା ନତୁବା ସବୁଠି ରହି ମଧ୍ୟ କୋଉଠି ବି ନିଜକୁ ଆବିଷ୍କାର ନକରିପାରିବା ଆମ ଦୁଃସ୍ଥିତି ପାଲଟିଯାଇଛି। ଏ ବୈକଲ୍ୟ ପାଇଁ ପାରିପାର୍ଶ୍ୱିକ ଅବସ୍ଥା ଯେତିକି ପରିମାଣରେ ଦାୟୀ ସେ ଅନୁସାରେ ଆମେ ମଧ୍ୟ କମ୍‌ ଦାୟୀ ନୋହୁଁ। ସବୁବେଳେ ଅନ୍ୟ ଉପରେ ଦୋଷ ଲଦି ସହଜରେ ଖସିଯିବାର ଉପାୟ ଆମେ ଅବଲମ୍ବନ କରୁଛେ, କାରଣ ସତ୍ୟକୁ ସ୍ବୀକାର କରିବାର ସାହସ କିମ୍ବା ନିଜକୁ ସୁଧାରିବାର ମାନସିକତା ନାହିଁ ଆମମାନଙ୍କ ପାଖେ। ଯେଉଁଥିପାଇଁ ନାନାଦି ସମସ୍ୟା ଆମକୁ ଘେରି ରହିଛି। ନିଜର ଅହଂକାର ଆମ ପାଇଁ ଏତେ ବଡ଼ ହୋଇଯାଇଛି ଯେ ନିଜ ଦୋଷତ୍ରୁଟିକୁ ନ ସୁଧାରି ଅନ୍ୟକୁ ଦୋଷ ଦେଉଛେ।
ଏ କିଛିଦିନ ଭିତରେ ବୃଦ୍ଧ ମା’ବାପାଙ୍କ ଅସହାୟତା-ସମ୍ବଳିତ ଭିଡିଓ ଚିତ୍ର ମନକୁ ଲହୁଲୁହାଣ କରୁଛି। କୋଉଠି ସମ୍ପତ୍ତି ପାଇଁ ବାପାକୁ ନଜରବନ୍ଦୀ ରଖାଯାଉଛି ତ କୋଉଠି ଆର୍ଥିକ ଅନଟନର ଦ୍ୱାହି ଦେଇ ରୁଗ୍‌ଣ ମା’ବାପାଙ୍କୁ ସରକାରୀ ହାସ୍ପାତାଳରେ ମାସ ମାସ ଧରି ଛାଡ଼ିଦେଇ ଘରକୁ ଚାଲିଆସୁଛି ପୁଅ। ଆବଶ୍ୟକତା ଥିବା ସମୟରେ କେହି ଆତ୍ମୀୟ ଜୁଟୁନାହାନ୍ତି ପାଖରେ ରହିବାକୁ। ସରକାରୀ ହସ୍ପାତାଳ ଯାଇ ବୟସ୍କମାନଙ୍କୁ ପଚରାଯାଉ, ଏ କଥାର ସତ୍ୟତା ଜଣାପଡ଼ିବ। ସତରେ ଆମ ଭିତରେ ମାନବିକତା ଅଛି, ମନରେ ପ୍ରଶ୍ନ ଉଠେ! ତା’ ପୂର୍ବରୁ ଆଉ କିଛି ପ୍ରଶ୍ନ- ଆଗରୁ କ’ଣ ଏସବୁ ଘଟୁ ନ ଥିଲା? ଅବଶ୍ୟ ସେତେବେଳେ ମିଡିଆ ନଥିଲା ପ୍ରଚାରିତ ଓ ପ୍ରସାରିତ କରିବାକୁ। ଆଉ ମଧ୍ୟ କିଛି ରକ୍ଷଣଶୀଳ ଘରମାନଙ୍କରେ ଏସବୁ ଘରକଥା ବା ଲୋକଲଜ୍ଜା ମନେକରି କାହାରିକୁ ଜଣାଉନଥିଲେ। ଏଥିପାଇଁ ଦାୟୀ କେଉଁମାନେ ଥିଲେ, ଯାହା କ୍ରମଶଃ ଗଡ଼ିଆସିଛି ବର୍ତ୍ତମାନକୁ?
ଏସବୁ ଚିନ୍ତା କରିବା ପୂର୍ବରୁ ଆମକୁ ପାଖାପାଖି ପଚାଶ ବର୍ଷ ପୂର୍ବକୁ ଫେରିଯିବାକୁ ପଡ଼ିବ। ଯେତେବେଳେ ଗାଁରୁ କିଛି ଶିକ୍ଷିତ ବିଭିନ୍ନ ସହରକୁ ଯାଇ ନିଜ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଉଥିଲେ କିମ୍ବା କୌଣସି ବ୍ୟବସାୟ ଆରମ୍ଭ କରୁଥିଲେ, ସେତେବେଳେ ସମୟ କିପରି ଥିଲା? ବିବାହ ପରେ ପୁଅମାନେ ନିଜ ସ୍ତ୍ରୀ ପିଲାଙ୍କ ସହ ସହରୀ ଜୀବନ ବିତାଉଥିବାବେଳେ ଗାଁରେ ଥିବା ମା’ବାପାମାନେ ପୁଅ ବିନା କେମିତି ଜିଉଁଥିଲେ। ଗାଁରେ ଥିବା ଅନ୍ୟତମ ପୁଅଟି ସହରୀ ଭାଇର ଆର୍ଥତ୍କ ସମକକ୍ଷ ହୋଇପାରୁ ନଥିବାରୁ ସେ ମଧ୍ୟ ନିଜ ଆକ୍ରୋଶ ସାରୁଥିଲା ମା’ବାପାଙ୍କ ଉପରେ ଅଥବା ମାନବିକତା ଦୃଷ୍ଟିରୁ ସେମାନଙ୍କ ସେବାଶୁଶ୍ରୁଷା କରୁଥିଲା। ପିଲାମାନେ ନ ଚାହିଁଲେ ବି ମା’ବାପା ଶେଷ ସମୟରେ ଚଳିଯାଉଥିଲେ ଜ୍ଞାତିକୁଟୁମ୍ବଙ୍କ ସାହାରା ନେଇ। କେବେକେବେ ଜ୍ଞାତିକୁଟୁମ୍ବମାନେ ହିଁ ପାଟିରେ ତୁଳସୀ ଓ ଗଙ୍ଗାଜଳ ଦେଇ ପିଲାମାନଙ୍କୁ ଖବର ଦେଉଥିଲେ। ଅବଶ୍ୟ ଆଜିକାଲି ସେଭଳି ସମ୍ପର୍କ ବି ମରିଗଲାଣି ମଣିଷ ମନରୁ। ସେଥିପାଇଁ ମଣିଷ ନିଜ ଘର ଭିତରେ ଗୃହବନ୍ଦୀ, ବେଶ୍‌ ଅସହାୟ ଓ ଏକାକୀ।
ଆଜୀବନ ଅର୍ଥବଳରେ ବେହିସାବ ସ୍ବାଧୀନତା ଉପଭୋଗ କରିଆସିଥିବା ସେ ସମୟର ପୁଅ ବୋହୂ ଏବେ ବାର୍ଦ୍ଧକ୍ୟରେ ଉପନୀତ ହେଲେ ଚାକିରିଆ ପୁଅ ବୋହୂଙ୍କଠାରୁ ସେବା ଆଶା ରଖନ୍ତି। ସେମାନେ ଚାହାନ୍ତି ପୁଅ ବୋହୂ କିମ୍ବା ବିବାହିତା ଝିଅ ସେମାନଙ୍କ ପାଖକୁ ଆସି ସେବା ଶୁଶ୍ରୁଷା କରନ୍ତୁ। ଯାହା ସେମାନେ ନିଜ ମା’ବାପାଙ୍କ ପାଇଁ କରିନଥିଲେ। ସେପରି ହୋଇଥିଲେ ଫକୀରମୋହନ ଡାକମୁନ୍‌ସୀ ଭଳି ଗପ ଲେଖିନଥାନ୍ତେ। ସେ ସମୟର ସାମାଜିକ ଚିତ୍ର ବୁଝିହେଉଥିଲା କଥାକାରଙ୍କଠାରୁ। କିପରି ଝିଅମାନଙ୍କୁ ବାପଘରେ ଦାନ ସାମଗ୍ରୀ ଓ ଶାଶୁଘରେ ଦାସୀ ଏବଂ ଉପଭୋଗର ସାମଗ୍ରୀ ଭାବେ ବିବେଚନା କରାଯାଉଥିଲା ଆଦି ଅନେକ ସମସ୍ୟାର କଥା!
ଅତୀତରେ ପୁଅଟିଏ ଶିକ୍ଷିତ ହେବା ପରେ ପରିଚୟ, ପ୍ରତିଷ୍ଠା ଓ ଅର୍ଥ ପାଇଁ ବାହାରେ ଚାକିରି କରୁଥିଲା। ମା’ବାପାଙ୍କ କଥା ବୁଝିବାକୁ ସମୟ ନ ଥିଲା। ସ୍ତ୍ରୀ ଓ ପିଲାଙ୍କ ଆବଶ୍ୟକତାବେଳେ କାମରେ ସାହାଯ୍ୟ କରିବାକୁ ବୟସ୍କ ମା’ବାପାଙ୍କୁ ଗାଁରୁ ଡକାଇ ନିଆଯାଉଥିଲା। ନାତିନାତୁଣୀଙ୍କ ସହିତ ସମୟ ବିତେଇ, ବୋହୂକୁ କାମରେ ସାହାଯ୍ୟ କରି ଫେରିଆସୁଥିଲେ ସେମାନେ। ପୁଅ ବୋହୂଙ୍କ ସୁବିଧା ଅନୁସାରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଗାଁରୁ ପୁଅର ବସା, ପୁଣି ପୁଅ ବସାରୁ ଗାଁ ହୋଇ ସରିଯାଉଥିଲା ଆୟୁଷ, ବଳ। ତେବେ ବି ନା ସେମାନେ କାହା ପାଖେ ଅଭିଯୋଗ ବାଢୁଥିଲେ ନା ନିଜ ସ୍ବାର୍ଥ ହାସଲ ନହୋଇ ପାରିଲେ ଅଭିଶାପ ଦେଉଥିଲେ।
କିନ୍ତୁ ପରିତାପର କଥା ସେ ସହରୀ ପୁଅବୋହୂ ଯେତେବେଳେ ବାର୍ଦ୍ଧକ୍ୟରେ ଉପନୀତ ହେଉଛନ୍ତି, ସେମାନେ ପଛକଥା ମନେପକାଇ ପାରୁନାହାନ୍ତି। ସେମାନେ କେତେ ନିଜ ମା’ବାପା କିମ୍ବା ଶାଶୁ ଶ୍ୱଶୁରଙ୍କ ସେବା କରିଥିଲେ, ଯଦି ବା କରିଥିଲେ ନିଜେ ତାଙ୍କ ପାଖରେ ରହିଥିଲେ ନା ସେମାନଙ୍କୁ ଡକାଇ ପାଖରେ ରଖି କରିଥିଲେ ସେସବୁ ଏବେ ଅତୀତ। କିନ୍ତୁ ସେ କର୍ମଫଳର ଦଶା ଏବେ ଭୋଗିବାକୁ ପାଖରେ ମାନସିକ ବଳ ନାହିଁ। ବୃଦ୍ଧ ବୟସରେ ପିଲାଙ୍କ ପାଖେ ସନ୍ତାନର କର୍ତ୍ତବ୍ୟ ବଖାଣିଲେ କ’ଣ ହେବ ଯଦି ନିଜେ ଭଲ ପୁଅ ବୋହୂ ହୋଇନପାରିଲେ। ଆଜି ଯଦି ସେମାନେ ଏକାକୀ ହୋଇଯାଉଛନ୍ତି ସେଥିପାଇଁ କେତେକାଂଶରେ ସେମାନେ ମଧ୍ୟ ଦାୟୀ। ନିଜ ପିଲାକୁ କିମ୍ବା ନିଜେ ଦେଇଥିବା ସଂସ୍କାରକୁ ଦୋଷ ନଦେଇ ବୋହୂକୁ କାହିଁକି ଦେବା?
ଯେଉଁମାନେ ଆର୍ଥିକ ଅନଟନ ପାଇଁ ମା’ବାପାଙ୍କୁ ଅନାଥାଶ୍ରମରେ ଛାଡ଼ିଆସୁଛନ୍ତି, ସେମାନଙ୍କ ଅସହାୟତାକୁ ବୁଝାଯାଇପାରେ। କିନ୍ତୁ ଯେଉଁମାନେ ବିରକ୍ତିରେ ବା ଦାୟିତ୍ୱରୁ ମୁକୁଳିବାକୁ ଏଭଳି କରୁଛନ୍ତି, ସେମାନଙ୍କ ପାଇଁ କଠୋର ଦଣ୍ଡବିଧାନ ଆବଶ୍ୟକ। କିନ୍ତୁ ତା ପୂର୍ବରୁ ସେ ବୃଦ୍ଧ ମା’ବାପାଙ୍କୁ ବୁଝିବାକୁ ଆବଶ୍ୟକ ଯେ ସେମାନେ ନିଜ ମା’ବାପାଙ୍କ ପାଇଁ କେତେ ଦାୟିତ୍ୱ କରିଥିଲେ! ପିଲାମାନଙ୍କୁ କି କି ସଂସ୍କାରମାନ ଦେଇ ଗଢ଼ିଥିଲେ। ବେଳ ଥାଇ ସଚେତନ ନ ହେଲେ ସଂସାରର ରୀତିନୀତି ଏମିତି ଭୁଶୁଡି ପଡୁଥିବ। ଘର ଅପେକ୍ଷା ବୃଦ୍ଧାଶ୍ରମମାନ ବେଶି ଗଢ଼ିଉଠୁଥିବ। ଆମେମାନେ ସେତିକି ସେତିକି ବିଶୃଙ୍ଖଳ ହୋଇଚାଲିଥିବା।
ତେବେ ସହରୀ ବୟସ୍କମାନେ ନିଜକୁ ଦୋଷମୁକ୍ତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଏକାନ୍ତରେ ଥରେ ଭାବିବା ଉଚିତ, ସତରେ ସେମାନେ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇଛନ୍ତି ଅତୀତରେ। ଯଦି ନା, ତେବେ କାଇଁ ନିଜ ବେଳକୁ ଏତେ ନିୟମ ଶୃଙ୍ଖଳାର ଦ୍ୱାହି! ସମୟ ଥିଲାବେଳେ କିଛି ଶୃଙ୍ଖଳା ମାନିଥିଲେ କ’ଣ ଅସୁବିଧା ହୋଇଥାନ୍ତା। ଅନ୍ତତଃ ପରପିଢ଼ି ବୁଝିପାରିଥାନ୍ତା ପରିବାରରେ ବୟୋଜ୍ୟେଷ୍ଠମାନଙ୍କ ସ୍ଥାନ କେତେ ଉଚ୍ଚରେ। ଏ ଲେଖାଟି ସେଇ ବର୍ଗର ଲୋକଙ୍କ ପାଇଁ ଯେଉଁମାନେ ଚାକିରି, ସହରୀ ସୁଖସୁବିଧା ଓ ପରିବାର ଆଳରେ ବୃଦ୍ଧ ମା’ବାପାଙ୍କୁ ଅଣଦେଖା କରିଆସନ୍ତି ଯାବଜ୍ଜୀବନ, ସେମାନଙ୍କଠାରୁ ଅନୁପ୍ରେରିତ ହୋଇ ବର୍ତ୍ତମାନର ଯୁବପିଢ଼ି ଏଭଳି ଭୁଲ୍‌କୁ ନ ଦୋହରାଉ, ଯାହାଫଳରେ ପରିବାରର ମୂଳଦୁଆ ଦୋହଲିଯିବ।
ମୋ-୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?