ସନ୍ଧ୍ୟା ନ ହେଉ ସମୟସୀମା

ବଇଣ୍ଡା,୧୫ା୭(ଡି.ଏନ.ଏ.): ଗତ ଗାଇଡଲାଇନ୍‌ରେ ‘ଏ’ କାଟେଗୋରିକୁ ଉନ୍ନୀତ ହୋଇଥିଲା ଅନୁଗୋଳ ଜିଲା। ଫଳରେ କରୋନା କଟକଣା ଏଠାରେ ପୂର୍ବାପେକ୍ଷା ଅଧିକ କୋହଳ ହୋଇଥିଲା। ଜୀବିକାକୁ ପ୍ରାଧାନ୍ୟ ଦେବାକୁ ଯାଇ ସନ୍ଧ୍ୟା ୬ଟା ଯାଏ ବଜାରରେ ବ୍ୟବସାୟ କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିଲା। ସପ୍ତାହାନ୍ତ ଶଟ୍‌ଡାଉନ୍‌ ମଧ୍ୟ ହଟାଇ ଦିଆଯାଇଥିଲା। ଏପରି କି ବସ୍‌ ଚଳାଚଳକୁ ଜିଲାରେ ଅନୁମତି ଦିଆଯାଇଥିଲେ ମଧ୍ୟ ତାହା ଏଯାଏ ସମ୍ଭବ ହୋଇପାରି ନାହିଁ। ସେହିପରି ବେପାର କରିବାକୁ ଅଧିକ କିଛି ସମୟ ମିଳିଥିଲେ ମଧ୍ୟ ଏହା ସମସ୍ତ ବର୍ଗର ବ୍ୟବସାୟୀଙ୍କୁ ସନ୍ତୁଷ୍ଟି ଦେଇପାରି ନାହିଁ। ବିଶେଷକରି ଚାଟ, ଗୁପ୍‌ଚୁପ୍‌ ସହ ଅନ୍ୟ ତେଲଭାଜି ଖାଦ୍ୟ ବିକ୍ରି କରୁଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ମାସ ମାସର କ୍ଷତି ଭରଣା ହୋଇପାରୁ ନାହିଁ। କାରଣ ଦୀର୍ଘଦିନ ପରେ ସରକାର ଏହି ଖାଦ୍ୟ ସାମଗ୍ରୀ ବିକ୍ରିକୁ ସବୁଜ ସଂକେତ ଦେଇଥିଲେ ହେଁ ଏସବୁ କାରବାର ସାଧାରଣତଃ ସନ୍ଧ୍ୟା ସମୟରେ ବେଶି ହୋଇଥାଏ। ଦିନବେଳା ଚଟାପଟା ଖାଦ୍ୟ ପ୍ରତି ଲୋକଙ୍କ ମନରେ ସେତେଟା ଆଗ୍ରହ ଆସି ନ ଥାଏ। ତେଣୁ ବ୍ୟବସାୟୀମାନେ ଦୋକାନ ଖୋଲା ରଖିଥିଲେ ମଧ୍ୟ ଗ୍ରାହକଙ୍କ ଦେଖା ମିଳୁନାହିଁ। ହେଲେ ସନ୍ଧ୍ୟାରେ ଗ୍ରାହକ ଆସିବା ବେଳକୁ ଦୋକାନ ବନ୍ଦ କରିବାକୁ ପଡ଼ୁଛି। ତେଣୁ କିଏ ଶହେ ତ କିଏ ଦୁଇ ଶହ ଟଙ୍କା ବେପାର କରିପାରୁଥିବା କିଶୋରନଗର ବ୍ଲକ ବଇଣ୍ଡା ବଜାରର ବ୍ୟବସାୟୀମାନେ କହିଛନ୍ତି। ଗତ ୧ ତାରିଖରୁ ଲାଗୁ ହୋଇଥିବା କଟକଣା ଆସନ୍ତା ୧୬ ତାରିଖରେ ଶେଷ ହେବାକୁ ଯାଉଥିବାରୁ ୧୭ ତାରିଖରୁ ସରକାର ନୂଆ ଗାଇଡ୍‌ଲାଇନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ତେଣୁ ଏହାକୁ ନେଇ ବଇଣ୍ଡାର ବ୍ୟବସାୟୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି। ଜିଲାରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇ ଚାଲିଥିବାରୁ ସନ୍ଧ୍ୟା ଯାଏ ବେପାର ସମୟସୀମା ରଖା ନ ଯାଇ ରାତି ୯ଟା ପର୍ଯ୍ୟନ୍ତ ବଢ଼ାଇବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି। ସେହିପରି ବସ୍‌ ଚଳାଚଳ କରୁ ନ ଥିବାରୁ ହୋଟେଲ ବ୍ୟବସାୟୀମାନେ ମଧ୍ୟ ବ୍ୟବସାୟ କରିପାରୁ ନାହାନ୍ତି। ଅଟୋ ଚଲେଇ ପେଟ ପୋଷୁଥିବା ଚାଳକମାନେ ପରିବହନ ପାଇଁ ଯାତ୍ରୀ ପାଉନାହାନ୍ତି। ନୂଆ ଗାଇଡଲାଇନ୍‌ରେ ଜୀବିକାକୁ ଅଧିକ ପ୍ରାଧାନ୍ୟ ଦେଇ ସରକାର ବ୍ୟବସାୟୀ ଓ ବସ୍‌ କିପରି ଠିକଣା ରାସ୍ତାକୁ ଫେରିବ ସେ ନେଇ ବ୍ୟବସ୍ଥା କରିବାକୁ ଦାବି ହେଉଛି।

ସେଲୁନବାଲାଙ୍କୁ ସହାୟତା ଦିଆଯାଉ
ଦୀର୍ଘଦିନ ପରେ ସେଲୁନ ଖୋଲାଯାଇଛି। ହେଲେ ଭୟରେ ଲୋକେ ଦୋକାନ ପିଣ୍ଡା ମାଡ଼ୁନାହାନ୍ତି। କରୋନା ଯୋଗୁ ସେଲୁନବାଲା ଅଧିକ କ୍ଷତି ସହିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଦିଆଯାଉ ନାହିଁ।
-ଗୌତମ ବାରିକ, ସେଲୁନ ମାଲିକ

କିଲୋମିଟର ପିଛା ଭଡ଼ା ୧୦୦ ପଇସା ହେଉ
ଡିଜେଲ ଦର ଯେପରି ବଢୁଛି, ସେଥିରେ ସରକାର ଧାର୍ଯ୍ୟ କରୁଥିବା ଦରରେ ଗାଡ଼ି ଗଡ଼ିପାରିବ ନାହିଁ। ସିଟ୍‌ ସଂଖ୍ୟା ଅନୁଯାୟୀ ଯାତ୍ରୀ ନେଲେ ତେଲ ଖର୍ଚ୍ଚ ଉଠିବ ନାହିଁ। କଟକ-ଭୁବନେଶ୍ୱରକୁ ଯାତ୍ରୀ ପରିବହନ ପାଇଁ ଅନୁମତି ସହ କିଲୋମିଟର ପିଛା ଭଡ଼ା ୧୦୦ ପଇସା କରାଯାଉ।
-ମହେନ୍ଦ୍ର ପ୍ରଧାନ, ବସ୍‌ ମାଲିକ, କିଶୋରନଗର

ସୁଧ ଛାଡ଼ କରନ୍ତୁ ସରକାର
ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲୁଥିଲେ ମଧ୍ୟ ବ୍ୟବସାୟ ୫୦ ପ୍ରତିଶତ ହ୍ରାସ ପାଇଛି। ଜିଲାରେ କରୋନା ସଂକ୍ରମଣ ତଳମୁହଁା ହେଉଥିବାରୁ ରାତି ୯ଟା ଯାଏ ବଜାର ଖୋଲା ରଖାଯାଉ। ଋଣ କରିଥିବା ବ୍ୟବସାୟୀଙ୍କ ସୁଧ ଛାଡ଼ କରାଯାଉ। କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଦିଆଯାଉ।
-ପ୍ରବୀଣ କୁମାର ସାହୁ, ସଭାପତି, ବଇଣ୍ଡା ବଣିକ ସଂଘ

ବସ୍‌ ନ ଚାଲିଲେ ହୋଟେଲ ଠପ୍‌
କଟକ-ଭୁବନେଶ୍ୱର ଯିବାକୁ ବସ୍‌କୁ ଅନୁମତି ନାହିଁ। ତେଣୁ ୨୦ଟି ଜିଲାରେ ଅନୁମତି ସତ୍ତ୍ୱେ ବସ୍‌ ଗଡ଼ୁନାହିଁ। ବାହାର ଅଞ୍ଚଳରୁ ଯାତ୍ରୀ ସହରକୁ ଆସୁ ନ ଥିବାରୁ ଛୋଟ ହୋଟେଲଗୁଡ଼ିକରେ ବ୍ୟବସାୟ ହେଉନାହିଁ। ସରକାର ତୁରନ୍ତ ବସ୍‌ ଚଳାଚଳ କରାନ୍ତୁ।
-ବିନୀତ ଶାହା, ହୋଟେଲ ମାଲିକ

ଗ୍ରାହକ ବସି ଖାଇବାକୁ ଅନୁମତି ମିଳୁ
ବସ୍‌ ଚାଲୁନି କି ହୋଟେଲରେ ବସି ଖାଇବାକୁ ଗ୍ରାହକଙ୍କୁ ଅନୁମତି ମିଳୁନି। କେବଳ ପାର୍ସଲରେ ବ୍ୟବସାୟ ତିଷ୍ଠିବା କଷ୍ଟକର। ୧୦୦ ମିଲ୍‌ ସ୍ଥାନରେ ୨୦ଟି ମିଲ୍‌ ପାର୍ସଲ ଯାଉଛି। ଗ୍ରାହକମାନେ ଯେପରି ବସି ଖାଇପାରିବେ ନୂଆ ଗାଇଡ୍‌ ଲାଇନ୍‌ରେ ସେହି ବ୍ୟବସ୍ଥା କରାଯାଉ।
-କ୍ଷୀରୋଦ କୁମାର ସାହୁ, ହୋଟେଲ ବ୍ୟବସାୟୀ

୩୦ ପ୍ରତିଶତ ବେପାର ହେଉଛି
କୋଭିଡ୍‌ କଟକଣା ଯୋଗୁ ଦୀର୍ଘଦିନ ଧରି ଚଟାପଟା ଖାଦ୍ୟ ବ୍ୟବସାୟ ବନ୍ଦ ରହିଥିଲା। ଗତ ୧ ତାରିଖରୁ ସରକାର ଏହାକୁ ଅନୁମତି ଦେଇଥିଲେ ମଧ୍ୟ ସକାଳେ ବେପାର ହେଉନାହିଁ। ସନ୍ଧ୍ୟାରେ ଦୋକାନ ବନ୍ଦ କରିବାକୁ ପଡ଼ୁଥିବାରୁ ମାତ୍ର ୩୦% ବ୍ୟବସାୟ ହେଉଛି।
-ସୁଦର୍ଶନ ରାଉତ, ଚାଟ୍‌ ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri