ରାଜ୍ୟରେ ଜଳସେଚନ ଓ ଶିଳ୍ପ ଉନ୍ନୟନ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

 

ବିଧାନସଭାରେ ୨୮ା୦୩ା୨୦୨୨ ରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରକାଶ କଲେ ଯେ, ରାଜ୍ୟର ଋଣଭାର ୧,୦୪,୩୧୨ କୋଟି ଟଙ୍କା ହେଲାଣି। ଯାହାଦ୍ୱାରା ରାଜ୍ୟରେ ମୁଣ୍ଡ ପିଛା ଋଣଭାର ୨୨,୮୨୭ ଟଙ୍କା। ରାଜ୍ୟର ସଂଖ୍ୟାଧିକ ଜନତାଙ୍କ ଉନ୍ନତି ସାଧନ କରୁଥିବା ଆୟକାରୀ ଯୋଜନା ପାଇଁ ଋଣ କରିବା ବାଞ୍ଛନୀୟ। କିନ୍ତୁ ଋଣବୋଝ ବଢ଼ାଇ, ଅଣ ଆୟକାରୀ ଯୋଜନାରେ ଅର୍ଥ ଖଟାଇ ମୁଷ୍ଟିମେୟ ଜନତାଙ୍କୁ ଆକୃଷ୍ଟ କରିବା ଚିନ୍ତାର କାରଣ। ଏ ବିଷୟରେ ଗୋଟିଏ ଗପ ମନେପଡ଼େ। ଗୋଟିଏ ଗ୍ରାମରେ ମା’ଟିଏ ନିଜର ଭେଣ୍ଡିଆ ପୁଅ ସହ ରହୁଥାନ୍ତି। ପୁଅଟି ମାନସିକ ଅନଗ୍ରସର ଓ କେବଳ ଘାସ କାଟି, ବିକ୍ରି କରି ଘର ଚଳାଏ। ତାଙ୍କ ଘରେ ଥିବା ଏକ ମାଈ ଗଧ(ଗଧୁଣୀ)ଟିକୁ ଘାସ ବୋହିବାରେ ଲଗାଏ। ଗଧୁଣୀଟି ଗର୍ଭଧାରଣ କରିବା ଦେଖି ମା’ ପୁଅକୁ ଉପଦେଶ ଦେଇ କହିଲେ -ଗର୍ଭିଣୀ ଗଧୁଣୀ ପିଠିରେ ବେଶି ଘାସ ଲଦିବୁ ନାହିଁ। ଥରେ ପୁଅର ନଜରରେ ପଡ଼ିଲା କଅଁଳିଆ ଘାସପୂର୍ଣ୍ଣ କେତୋଟି ହିଡ଼ ଉପରେ। ପୁଅ ମନେ ମନେ ଭାବିଲା, ଆଜି କଅଁଳ ଘାସ ବେଶି କାଟିନେବି, ମା’ ଦେଖି ଖୁସି ହେବେ ଓ ଗଧୁଣୀକୁ ଆଜି ପେଟେ କଅଁଳ ଘାସ ଖୁଆଇବାକୁ ମା’ଙ୍କୁ କହିବି। ପୁଅ ଅଧିକ ଘାସ କାଟିଲା। ମା’ଙ୍କ କଥା ମନେପଡ଼ିବାରୁ ଘାସବିଡ଼ା ଗଧୁଣୀ ପିଠିରେ ନ ଲଦି, ନିଜେ ମୁଣ୍ଡାଇ ଗଧୁଣୀ ଉପରେ ବସି ଘର ଅଭିମୁଖେ ଚାଲିଲା। ମା’ ଦୂରରୁ ଦେଖିଲେ, ପୁଅ ଘାସ ମୁଣ୍ଡାଇ ଗଧୁଣୀ ଉପରେ ବସି ଆସୁଛି। ଏହା ଦେଖି ମା’ ମୁଣ୍ଡରେ ହାତ ଦେଇ ଥପ୍‌ କରି ବସିପଡ଼ିଲେ। ପାଖରେ ପୁଅ ପହଞ୍ଚୁ ପହଞ୍ଚୁ କହି ଉଠିଲା- ମା’ ମୁଁ ଗଧୁଣୀ ପିଠିରେ ଘାସ ନ ଲଦି ନିଜେ ମୁଣ୍ଡାଇ ଆଣିଛି। ଆଜି ଅଧିକ କଅଁଳ ଘାସ ଗଧୁଣୀକୁ ଖାଇବାକୁ ଦେବୁ। ବିଚରା ଗଧୁଣୀଟି ବୋଝ ଉପରେ ନଳିତା ବିଡ଼ା ପରି ବୋଝ ବୁହାଇ, କେରାଏ କଅଁଳ ଘାସ ଖାଇ ସନ୍ତୁଷ୍ଟ ହେବ। ଏ ଗଳ୍ପ ଅବତାରଣା କରିବାର ଉଦ୍ଦେଶ୍ୟ ହେଲା-ଗଧୁଣୀ ଉପରେ ଅଧିକ ବୋଝ ପରି, ରାଜ୍ୟର ଜନତାଙ୍କ ଉପରେ ଋଣବୋଝ ବଢ଼ାଇ, ଗଧୁଣୀକୁ କଅଁଳ ଘାସରେ ସନ୍ତୁଷ୍ଟ କଲାପରି ରାଜ୍ୟର କିଛି ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବାକୁ ଅଣ ଆୟକାରୀ ଯୋଜନା ପାଇଁ ଋଣବୋଝ ବଢ଼ା ନ ଯାଉ। ଯେଉଁ ଆୟକାରୀ ଯୋଜନା ଦ୍ୱାରା ରାଜ୍ୟର ସଂଖ୍ୟାଧିକ ଜନତାଙ୍କ ପକେଟକୁ ଅର୍ଥ ଯିବ, ସେପରି ଯୋଜନା ପ୍ରତି ଗୁରୁତ୍ୱ ଦେଇ ଋଣ କରାଯାଉ। ଏପରି ଯୋଜନା ଚିନ୍ତା କଲେ ପ୍ରଥମେ ମନକୁ ଆସେ, ରାଜ୍ୟରେ କୃଷିର ଉନ୍ନତି। ରାଜ୍ୟର ପ୍ରାୟ ୮୦ ଭାଗ ଜନତା କୃଷି ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ। କୃଷିର ଉନ୍ନତି ପାଇଁ ପ୍ରଥମ ଆବଶ୍ୟକତା ଜଳ ଆମ ରାଜ୍ୟରେ ପ୍ରଚୁର ଅଛି।
ନିକଟ ଅତୀତରେ ଦେଶର ବିଭିନ୍ନ ରାଜ୍ୟର ଚାଷୀଙ୍କ ଆୟ ମାସିକ ତୁଳନାମତ୍କ ଆୟ ଉପରେ ଜାତୀୟ ସର୍ବେକ୍ଷଣ ସଂସ୍ଥା (ଏନ୍‌ଏସ୍‌ଏସ୍‌) ଏକ ରିପୋର୍ଟ ପ୍ରକାଶ କରିଥିଲା। ଆମ ରାଜ୍ୟ ଚାଷୀଙ୍କ ମାସିକ ଆୟ ଅନ୍ୟ ରାଜ୍ୟ ତୁଳନାରେ ଓ ଏପରି କି ଦେଶର ଚାଷୀଙ୍କ ହାରାହାରି ଆୟ ତୁଳନାରେ ନୈରାଶ୍ୟଜନକ। ଏ ରିପୋର୍ଟ ଅନୁସାରେ, ଓଡ଼ିଶା ଚାଷୀଙ୍କ ମାସିକ ଆୟ ୪,୯୩୯ ଟଙ୍କା ଥିଲା ବେଳେ ପଞ୍ଜାବରେ ୧୮୦୫୯, ହରିୟାଣାରେ ୧୪୪୩୯ ଟଙ୍କା ଓ ଦେଶରେ ଚାଷୀଙ୍କ ଆୟ୬,୪୨୪ ଟଙ୍କା। ୨୦୦୧ରୁ ୨୦୦୮ ମସିହା ମଧ୍ୟରେ ରାଜ୍ୟର ସବୁ ପ୍ରକାରର ଚାଷ ଜମି କମିଥିଲା ୧୦%। ୨୦୧୫-୧୬ ବର୍ଷରେ ରାଜ୍ୟରେ ୫.୨୪ ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଥିବା ବେଳେ ୨୦୧୯-୨୦ ବର୍ଷ ବେଳକୁ ତାହା ୭.୭୭ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଲା।
ରାଜ୍ୟରେ ଜମିରୁ ଉତ୍ପାଦିତ ହାର ଅନ୍ୟ ରାଜ୍ୟ ତୁଳନାରେ ନୈରାଶ୍ୟଜନକ। ଜଳସେଚନ ଜମିର ଉତ୍ପାଦନ ବଢ଼ାଏ। ରାଜ୍ୟରେ ଜଳସେଚିତ ଜମିର ହାର ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍‌। ୨୦୧୭ରେ ଏକ ଖବର ପ୍ରକାଶ ପାଇଥିଲା ଯେ, ଦେଶରେ ହାରାହାରି ୪୦% ଜମିରେ ଜଳସେଚନ ହୋଇପାରୁଥିବାବେଳେ ଆମ ରାଜ୍ୟରେ ଥିଲା ମାତ୍ର ୧୮%। ରାଜ୍ୟରେ ଯେତେ ପ୍ରକାର ଆୟକାରୀ ଯୋଜନା ଚିନ୍ତା କରାଗଲେ ମଧ୍ୟ କୌଣସି ଯୋଜନା ଜଳସେଚନ ଯୋଜନା ପରି ବହୁମୁଖୀ ଅଭିବୃଦ୍ଧି କରିପାରିବ ନାହିଁ। ଏହା ଜଣାଥିଲେ ମଧ୍ୟ ଜଳସେଚନକୁ ଅଣଦେଖା କରି ଅନ୍ୟ ଯୋଜନା ସବୁକୁ ଗୁରୁତ୍ୱ ଦିଆଯାଉଛି। ଚାଷଜମିକୁ ଜଳସେଚନ କରି ନ ପାରି ରାଜ୍ୟ ସରକାର କେନ୍ଦ୍ରକୁ ୮୪୨ କୋଟି ଟଙ୍କା ଫେରାଇ ଦେଇଛନ୍ତି ବୋଲି ୩୧ା୩ା୨୨ରେ ସିଏଜି ରିପୋର୍ଟରେ ପ୍ରକାଶ ପାଇଛି, ଯାହା ରାଜ୍ୟର ଚାଷୀଙ୍କ ପାଇଁ ‘କଟା ଘାଆରେ ଚୂନ’ ଦେଲା ପରି ହୋଇଛି। ରାଜ୍ୟ ପାଇଁ କେନାଲ ଜଳସେଚନ ଅଭିବୃଦ୍ଧି ଅପରିହାର୍ଯ୍ୟ ସ୍ଥଳେ ଗତ ୧୧ା୪ା୨୨ରେ ବିରୋଧୀ ଦଳ ପକ୍ଷରୁ ଏକ ଗୁରୁତର ଅଭିଯୋଗରେ କୁହାଯାଇଛି ଯେ, ଗତ ୨୨ ବର୍ଷ ମଧ୍ୟରେ ଗୋଟିଏ ବି ନୂଆ କେନାଲ ଖୋଳାଯାଇନାହିଁ। ଏହା ଯେକୌଣସି ସଚେତନ ନାଗରିକ ଓ ଚାଷୀଙ୍କ ମନକୁ ଆନ୍ଦୋଳିତ କରିବ।
ଏବେ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରି ‘ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌’ ଓ ‘ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌’ର ଆୟୋଜନ କରୁଛନ୍ତି। ଏହା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ସ୍ବାଗତଯୋଗ୍ୟ ପଦକ୍ଷେପ। ଶିଳ୍ପ ଅଭିବୃଦ୍ଧିକୁ ଯେପରି ଗୁରୁତ୍ୱ ଦିଆଯାଇ ଓଡିଶା ଇନ୍‌ଭେଷ୍ଟର୍ସ ମିଟ୍‌ କରାଯାଉଛି, ରାଜ୍ୟ କୃଷିର ଉନ୍ନତିକୁ ସେହିପରି ଗୁରୁତ୍ୱ ଦିଆଯାଇ ଓଡିଶା ଫାର୍ମର୍ସ ମିଟ୍‌ ଆୟୋଜନ କରାଯାଇ କୃଷିର ସର୍ବାଙ୍ଗୀନ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରାଯିବା ଦରକାର। କୃଷି ଉନ୍ନତିର ମୂଳଦୁଆ ହେଲା ଚାଷଜମିକୁ ଜଳ। ସେଥିପାଇଁ ରାଜ୍ୟର ନଦୀଗୁଡ଼ିକରେ ଜଳଭଣ୍ଡାର ସୃଷ୍ଟି କରି କେନାଲ ଦ୍ୱାରା ଜଳସେଚନ କରାଯିବା ଦରକାର। ପୂର୍ବରୁ ଶିଳ୍ପ ଦ୍ୱାରା ରାଜ୍ୟର ଲାଭ କ୍ଷତି ବିଷୟରେ ସଂକ୍ଷେପରେ କୁହାଗଲା। ଏବେ ଶିଳ୍ପ ସହ ଜଳସେଚନର ଲାଭ କ୍ଷତିର ତୁଳନାମତ୍କ ଦିଗ ଉପରେ ଆଲୋକପାତ କରିବା। ଶିଳ୍ପପତିମାନେ ତାଙ୍କ ପୁଞ୍ଜି ଖଟାଇବେ ଓ ଉତ୍ପାଦନର ଲାଭ ସେମାନଙ୍କ ପକେଟକୁ ବା ତାଙ୍କ ରାଜ୍ୟକୁ ଚାଲିଯିବ। ରାଜ୍ୟରେ ସେଚ ପ୍ରକଳ୍ପ ପ୍ରତିଷ୍ଠା କଲେ ସେଥିପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଦେବେ ଓ ରାଜ୍ୟକୁ କିଛି ଋଣ କରିବାକୁ ପଡ଼ିପାରେ। ସେଚ ପ୍ରକଳ୍ପ ଦ୍ୱାରା ଯେଉଁ ଆର୍ଥିକ ଲାଭ ହେବ ତାହା ରାଜ୍ୟବାସୀଙ୍କ ପକେଟକୁ ଯିବ ଓ ରାଜ୍ୟ ଋଣ ପରିଶୋଧ ଅଚିରେ କରିପାରିବ। ଶିଳ୍ପ ପ୍ରତିଷ୍ଠା ଫଳରେ କିଛି ହଜାର ଲୋକଙ୍କ କର୍ମସଂସ୍ଥାନ ଓ ଆର୍ଥିକ ଉନ୍ନତି ହେବା ସ୍ଥଳେ ଜଳସେଚନ ପାଇଁ ଡ୍ୟାମ୍‌ ନିର୍ମାଣ, କେନାଲ ଖନନ, ପତିତ ଜମିର ପୁନରୁଦ୍ଧାର, ଜମିରୁ ଏକାଧିକ ଫସଲ ଉତ୍ପାଦନ ଦ୍ୱାରା ଲକ୍ଷ ସଂଖ୍ୟାରେ ନୁହେଁ କୋଟି ସଂଖ୍ୟାରେ ଜନତାଙ୍କ ହାତକୁ କାମ ଓ ଅଣ୍ଟାକୁ ଟଙ୍କା ଯିବ। ଶିଳ୍ପ ଦ୍ୱାରା ରାଜ୍ୟରେ ଜଳସଙ୍କଟ ଦେଖାଦେବ କିନ୍ତୁ ସେଚ ପ୍ରକଳ୍ପ ଦ୍ୱାରା ଜଳ ସଂରକ୍ଷଣ ହେବ। ଶିଳ୍ପ ଦ୍ୱାରା ରାଜ୍ୟର ଜଳ, ସ୍ଥଳ ଓ ବାୟୁ ପ୍ରଦୂଷଣ ଏବଂ ଜଙ୍ଗଲ କ୍ଷୟ ହେବା ସ୍ଥଳେ ସେଚ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ସବୁଜିମା ସୃଷ୍ଟି ହେବ। ପ୍ରଦୂଷଣ ନିୟନ୍ତ୍ରଣ ହେବ। ସେଚ ପ୍ରକଳ୍ପରେ ଜଳଭଣ୍ଡାର ସୃଷ୍ଟି ଫଳରେ ବୃଷ୍ଟିଜଳ ସଂରକ୍ଷଣ, ଶିଳ୍ପକୁ ଜଳଯୋଗାଣ, ବନ୍ୟା ନିୟନ୍ତ୍ରଣ, ପାନୀୟଜଳ ଯୋଗାଣ, ଭୂତଳ ଜଳସ୍ତର ଉନ୍ନୟନ, ଜଳବିଦ୍ୟୁତ୍‌ ଉତ୍ପାଦନ, ନାଭିଗେଶନ, କେନାଲ ବନ୍ଧରେ ସୌରଶକ୍ତି ଓ ପବନଶକ୍ତି ଉତ୍ପାଦନ, କେନାଲ ବନ୍ଧରେ ବୃକ୍ଷ ରୋପଣ, ପର୍ଯ୍ୟଟନସ୍ଥଳୀ ଓ ଜଳକ୍ରୀଡ଼ା ବିକାଶ ଯୋଜନାର ଭିତ୍ତି ପଡ଼ିବ।
-କୋଟିତୀର୍ଥ (କେଦାରଗୌରୀ), ଭୁବନେଶ୍ୱର,
ମୋ: ୭୦୦୮୮୪୬୨୭୨


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri