ଦାୟିତ୍ୱହୀନ ଉତ୍ସବ

ଭାରତରେ ୮୫ ଦିନରେ ୧୦ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇପାରିଛି। କୁହାଯାଉଛି, ଏହା ହେଉଛି ଆମ ଦେଶ ପାଇଁ ସବୁଠାରୁ ଗର୍ବର ବିଷୟ। ବାସ୍ତବରେ ଏହି ସଂଖ୍ୟା କେତେଦୂର ସତ୍ୟ ତାହା ସାଧାରଣରେ ଜାଣିବା କଷ୍ଟକର। କାରଣ କେନ୍ଦ୍ରରେ ଭାଜପା ସରକାର କ୍ଷମତାସୀନ ହେବାଦିନୁ ସାମାଜିକ ସ୍ତରଠାରୁ ଅର୍ଥନୀତି ସଂକ୍ରାନ୍ତ ଦେଇଆସୁଥିବା ଅନେକ ତଥ୍ୟ ଅସତ୍ୟ ବୋଲି ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇଛି। ଏପରି କି କେନ୍ଦ୍ର ସରକାରଙ୍କ କେତେକ ମନ୍ତ୍ରଣାଳୟ ମଧ୍ୟରେ ମେଳ କଲା ବେଳେ ବହୁ ତଥ୍ୟ ତଫାତ୍‌ ଦେଖାଦେଇଥିବା ଅତୀତ ଘଟଣାରୁ ଜଣାପଡ଼ିଛି। ୨୦୨୦ରେ କରୋନା ଭୂତାଣୁଜନିତ ସଂକ୍ରମଣ ବଢ଼ିବା ବେଳେ ସମାଜର ବିଭିନ୍ନ ବର୍ଗଙ୍କୁ ଆର୍ଥିକ ସୁରକ୍ଷା ଦେବା ବିଷୟ କେନ୍ଦ୍ର ସରକାର ଘୋଷଣା କଲେ। ସେଥିରୁ ୨୦ ଲକ୍ଷ କୋଟି ଟଙ୍କା ବା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୦ ପ୍ରତିଶତ ବୋଲି ଡିଣ୍ଡିମ ପିଟାଗଲା, ପରବର୍ତ୍ତୀ ସମୟରେ ଦେଖାଗଲା ଯେ ସେଥିରୁ ଅଧିକାଂଶ ବୃହତ୍‌ ଋଣମେଳା ଥିଲା। ଲୋକେ ସେତେବେଳେ ଭକୁଆ ହୋଇଥିଲେ। ସେହିପରି ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ୍‌ରେ ଶତପ୍ରତିଶତ ମାଗଣାରେ ନିଜ ଅଞ୍ଚଳକୁ ଯିବାର ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ସରକାର କହିଥିଲେ। କିନ୍ତୁ ଏ ବିଷୟରେ ସତ୍ୟତା ଖୋଜାଗଲା ବେଳକୁ ଜଣାପଡ଼ିଲା ଯେ ଟ୍ରେନ୍‌ ଟିକେଟର ୮୫ ପ୍ରତିଶତ କେନ୍ଦ୍ର ବହନ କରିଥିବା ବେଳେ ରାଜ୍ୟଗୁଡ଼ିକ ଉପରେ ୧୫ ପ୍ରତିଶତ ପଡ଼ିଥିଲା। ଆହୁରି କୌତୂହଳର ବିଷୟ ଯେ, ଉକ୍ତ ୮୫ ପ୍ରତିଶତ ମଧ୍ୟ ସନ୍ଦେହଜନକ ଥିଲା, କାରଣ ଅନେକ ଶ୍ରମିକ ନିଜେ ଟିକେଟ କିଣି ଘରକୁ ଫେରିଥିଲେ। ଏହା ପୂର୍ବର ଉଦାହରଣକୁ ଦେଖିଲେ ବିମୁଦ୍ରୀକରଣ କଥା ମନେପଡ଼େ। ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା ବେଳେ କୁହାଯାଇଥିଲା ଯେ, ଏହାର ପ୍ରମୁଖ ଉଦ୍ଦେଶ୍ୟ କଳାଧନ ଠାବ କରିବା। କିନ୍ତୁ ସେଥିରେ ବିଫଳ ହେବା ପରେ କଥା ବୁଲାଇ କୁହାଗଲା ଭାରତୀୟ ଅର୍ଥନୀତିକୁ ଡିଜିଟାଲ ମୋଡ୍‌କୁ ଆଣିବାରେ ଏହା ବିଶେଷ ସହାୟକ ହୋଇଛି। ଏଥିସହିତ ଯୋଡ଼ାଯାଇପାରେ ତାଳି ମାରିବା, ଥାଳି ବାଡ଼େଇବା, ଘଣ୍ଟ ପିଟିବା ଓ ଦୀପ ଜଳାଇବା ଇତ୍ୟାଦି ଅନେକ ଅସଂଲଗ୍ନ ଘୋଷଣା, ଯାହାସବୁ ଲୋକଙ୍କୁ ସେହି ମୁହୂର୍ତ୍ତରେ ବାଟବଣା କରିବାରେ ସଫଳ ହୋଇଥିଲା। ଅବଶ୍ୟ ନିରପେକ୍ଷ ଓ ଚିନ୍ତାଶୀଳ ନାଗରିକ ପରବର୍ତ୍ତୀ ସମୟରେ ସତ୍ୟ ବୁଝିପାରିଥିଲେ। ଯେଉଁମାନେ ସତ୍ୟକୁ ଅସ୍ବୀକାର କରିବେ ସେମାନଙ୍କୁ ବାସ୍ତବତା ବୁଝାଇବା ସମ୍ଭବପର ହେବ ନାହିଁ।
ଟିକାକରଣକୁ ନେଇ ବାହାବା ନେବା ବିଷୟକୁ ଫେରିବା। ଆମେରିକା ଓ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ଅଦ୍ୟାବଧି ଭାରତ ଅଧିକ ଲୋକଙ୍କୁ ଟିକା ଦେବାରେ ସକ୍ଷମ ହୋଇଛି ବୋଲି କୁହାଯାଉଛି। ଏ ଦିଗରେ ଏକ ନୂଆ ଉପଲବ୍ଧି ହାସଲ କରିପାରିଥିବାରୁ ଭାରତ ଉଲ୍ଲସିତ ହୋଇଛି। ଅନେକ ଭାରତୀୟ ଯେତେବେଳେ ଆମେରିକା ତୁଳନାରେ କିଛି ସଫଳତା ପାଇଥାଆନ୍ତି, ସେତେବେଳେ ମାଙ୍କଡଡିଆଁ ମାରିଥାଆନ୍ତି। ବାସ୍ତବରେ ଟିକାକରଣକୁ ଦେଖିଲେ ଆମେରିକାର ଲୋକସଂଖ୍ୟା ୩୩ କୋଟିରୁ ଅଧିକ। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ଅର୍ଥାତ୍‌ ୬ କୋଟି ୬୦ ଲକ୍ଷ ଲୋକ ଟିକା ନେଇଛନ୍ତି। ଭାରତର ଜନସଂଖ୍ୟା ୧୩୫ କୋଟିରୁ ଊର୍ଦ୍ଧ୍ୱ। ସେହି ଅନୁଯାୟୀ ଦେଖିଲେ ଏଠାରେ ୧୦ ପ୍ରତିଶତ ଲୋକଙ୍କୁ ଅଦ୍ୟାବଧି ଟିକା ଦିଆଯାଇପାରି ନାହିଁ। ତେଣୁ ଭାରତବାସୀ ହିସାବ କରିପାରୁଥିବେ ଆମେରିକାଠାରୁ ଆମେ କେତେ ଆଗରେ ଅଛୁ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିକଟରେ ଘୋଷଣା କରିଥିଲେ, ପ୍ରତ୍ୟେକ ପ୍ରାପ୍ତବୟସ୍କ ନାଗରିକ ଟିକା ନେଇପାରିବେ। ଅର୍ଥାତ୍‌ ସେଠାରେ ସମସ୍ତଙ୍କ ପାଇଁ ଯଥେଷ୍ଟ ପରିମାଣର ଟିକା ମହଜୁଦ ଅଛି। କିନ୍ତୁ ନାଗରିକଙ୍କ ଟିକା ନେବା ପାଇଁ ବିରୋଧ ଥିବା ଯୋଗୁ ଟିକାକରଣରେ ବିଳମ୍ବ ଘଟୁଥିଲା। ପୂର୍ବରୁ ଆମେରିକା ଘୋଷଣା କରିଥିଲା ଯେ, ମେ ମାସ ପ୍ରଥମ ସପ୍ତାହରୁ ସମସ୍ତେ ଟିକା ପାଇପାରିବେ। ରାଷ୍ଟ୍ରପତି ବାଇଡେନଙ୍କ ଏବେକାର ଘୋଷଣା ଦର୍ଶାଉଛି ଯେ, ଆମେରିକା ତାହାର ଟିକାକରଣ କାର୍ଯ୍ୟକୁ ଦୁଇ ସପ୍ତାହ ପୂର୍ବରୁ କରିଦେଇପାରିଛି। ଅପରପକ୍ଷରେ ଭାରତରେ ଓଡ଼ିଶା ଓ ପଞ୍ଜାବ ସମେତ ଆହୁରି ଅନେକ ରାଜ୍ୟ ଟିକାର ଅଭାବ ଘୋଷଣା କରିସାରିଲେଣି। ଏଥିସହିତ ଭାରତରେ ଘରୋଇ କମ୍ପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ତାହାର କୋଭିସିଲ୍‌ଡ ଟିକା ପ୍ରସ୍ତୁତି କାର୍ଯ୍ୟରେ ବିଳମ୍ବ ହେଉଛି ବୋଲି ଆଦାର ପୁନାଓ୍ବାଲା ଗଣମାଧ୍ୟମକୁ କହିସାରିଲେଣି। ଏଭଳି ପ୍ରଚ୍ଛଦପଟରେ ଟିକା ଉତ୍ସବ ପୁନର୍ବାର ଏକ ତାଳିମାରିବା, ଦୀପ ଜଳାଇବା ଭଳି ପ୍ରତୀୟମାନ ହୋଇପାରେ। ଏଠାରେ ମନେରଖିବାକୁ ହେବ ଯେ, ଏହିସବୁ ନାଟକ ରଚାଯାଉଥିବାବେଳେ ଦେଶବ୍ୟାପୀ କରୋନାର ଦ୍ୱିତୀୟ ଓ ତୃତୀୟ ଲହର ପ୍ରବଳ ମାତ୍ରାରେ ସଂକ୍ରମିତ କରୁଛି।
୧୧ ଏପ୍ରିଲ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ ଜନ୍ମଦିନଠାରୁ ୧୪ ଏପ୍ରିଲ ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପର୍ଯ୍ୟନ୍ତ ୪ ଦିନ ଧରି ଦେଶରେ ‘ଟିକା ଉତ୍ସବ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ଅର୍ଥାତ୍‌ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ବହୁସଂଖ୍ୟାରେ ଟିକାଗ୍ରହଣ କେନ୍ଦ୍ରକୁ ଯାଇ ଟିକା ନେଲେ ଉତ୍ସବ ପାଳନ ସଫଳ ହେଲା ବୋଲି ଧରାଯିବ। ବାସ୍ତବରେ ଏହି ଲୋକଦେଖାଣିଆ ଖୁସି ଭୂତାଣୁ ସଂକ୍ରମଣରୁ ନାଗରିକଙ୍କୁ କିଭଳି ଦୂରେଇ ରଖିବ ଭାବି ହେଉନାହିଁ। ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଶୋଭାଯାତ୍ରାରେ ଯେଭଳି ଜନ ସମାଗମ ହୋଇଛି ସେଥିରୁ ମନେହେଉଛି ଯେପରି ରାଜନୈତିକ କାର୍ଯ୍ୟରେ କରୋନା ଭୂତାଣୁ ହସ୍ତକ୍ଷେପ କରୁନାହିଁ। ଖୋଦ୍‌ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ଅନେକ ନେତା ବିଭିନ୍ନ ସମୟରେ ମାସ୍କ ପିନ୍ଧୁ ନ ଥିବା ଦେଖିବାକୁ ମିଳୁଛି। ତେଣୁ କେବଳ ସ୍ଲୋଗାନ ଦେଇ ନିଜ ପିଠିକୁ ନିଜେ ଥାପୁଡ଼ାଇଲେ ବାସ୍ତବ ସତ୍ୟ ଲୁଚିଯିବ ନାହିଁ। ଦେଶବ୍ୟାପୀ ହୁରିପଡ଼ିଛି କରୋନା ଟିକାର ଅଭାବ, ହେଲେ କେନ୍ଦ୍ର ସରକାର ଏହାର ଉତ୍ସବ ପାଳୁଛନ୍ତି। ଅନ୍ୟପଟେ ଟିକାର ପ୍ରଭାବକୁ ଦେଖାଯାଉ। ଭାରତରେ ମିଳୁଥିବା ମୁଖ୍ୟତଃ ଦୁଇ ପ୍ରକାର ଟିକାକୋଭାକ୍ସିନ୍‌ ଓ କୋଭଶିଲ୍ଡର ଯଥେଷ୍ଟ ପରୀକ୍ଷା ଏ ପର୍ଯ୍ୟନ୍ତ ହୋଇନାହିଁ। ତରବରିଆ ଭାବେ ପ୍ରସ୍ତୁତ ଏହି ଟିକା ନେଇଥିବା ବ୍ୟକ୍ତି ନିଜେ କରୋନା ସଂକ୍ରମିତ ହେବେ ନାହିଁ ବୋଲି ନିଶ୍ଚିତତା ନାହିଁ। ତାହାର ପ୍ରମାଣ ହରିୟାଣାର ଜଣେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନେକ ଲୋକଙ୍କଠାରେ ଦେଖାଯାଇ ସାରିଲାଣି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଆବିଷ୍କୃତ କୋଭିଶିଲ୍ଡ ଏବେ ୟୁରୋପରେ ନିଷିଦ୍ଧ କରାଗଲାଣି। ସେହି କୋଭିଶିଲ୍ଡ ନେଇଥିବା ଲୋକଙ୍କ ରକ୍ତ ଜମାଟ ହେଉଥିବାର ଅଭିଯୋଗ ଆସିଛି। ଅପରପକ୍ଷରେ ଭାରତରେ ପ୍ରସ୍ତୁତ ଓ ବିକଶିତ କୋଭାକ୍ସିନ୍‌ର କୌଣସି ପରୀକ୍ଷାଫଳ ମିଳିବା ପୂର୍ବରୁ ଲୋକଙ୍କୁ ଦିଆଯାଉଛି। ଏହି ଦୁଇ ଟିକାର ପ୍ରଭାବ ମଣିଷ ଦେହରେ କେତେଦିନ ରହିବ ତାହା ନିର୍ମାତା କିମ୍ବା ସରକାର କହିବାକୁ ପ୍ରସ୍ତୁତ ହେଉନାହାନ୍ତି। ଏହା ବ୍ୟତୀତ ଟିକା ନେଇଥିବା ବ୍ୟକ୍ତିର କ୍ଷତି ଘଟିଲେ ସେଥିପାଇଁ ଔଷଧ କମ୍ପାନୀ ବା ସରକାର ଦାୟୀ ହେବାକୁ ଆଗେଇ ଆସୁ ନାହାନ୍ତି। ଟିକା ଉତ୍ସବ ଭଳି କାର୍ଯ୍ୟକ୍ରମ ଘୋଷଣା କରିବାବେଳେ ଜନସାଧାରଣଙ୍କୁ ଆନୁଷଙ୍ଗିକ ବିପଦ ସମ୍ପର୍କରେ ସଚେତନ କରାଇବା ହେଉଛି ସରକାରଙ୍କ ଦାୟିତ୍ୱ। ଆଜିର ସରକାର ନାଗରିକଙ୍କ ପ୍ରତି କୌଣସି ଦାୟିତ୍ୱ ତୁଲାଇବା ପାଇଁ ପ୍ରସ୍ତୁତ ଥିବା ଭଳି ମନେହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri