ବିସମ୍ବାଦର ବିଡ଼ମ୍ବନା

ସେ କାଳରୁ ଏକାଳଯାଏ ଏ ସଂସାରରେ ଏମିତି କେହି ଜଣେ ନ ଥିବେ, ଯିଏ ଏହି ସଂସାରକୁ ଆସିବାଠୁ ପୁଣି ଚିରଦିନ ପାଇଁ ବିଦାୟ ନେବା ପର୍ଯ୍ୟନ୍ତ କୌଣସି ଖବର ସହ ସମ୍ପୃକ୍ତ ନ ଥିବେ! ସମ୍ପୃକ୍ତ ଥିବେନି ବୋଇଲେ ନିଜ ଅନୁଭବ ଓ ଅନୁଭୂତି ବାହାରେ କୌଣସି ଘଟଣା କାନରେ ଶୁଣି ନ ଥିବେ ଅବା ଘଟଣା ସମ୍ପର୍କିତ ଖବର ଆଖିରେ ପଢ଼ି ନ ଥିବେ ବା ଘଟଣାର ଦୃଶ୍ୟରାଜି ଆଖିରେ ଦେଖି ନ ଥିବେ। ନିଜ ପରିସର ବାହାରେ ସଂଘଟିତ ହେଉଥିବା ଘଟଣାଟି ଯେଉଁ ରୂପ ଧରି ନିଜ ଚେତନାକୁ ସ୍ପର୍ଶ କରେ, ସେଇ ରୂପର ନାମ ଖବର, ତେଣିକି ତାହା ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେଉ ଅବା ପହଲଗାମ୍‌ରେ ନିର୍ଦ୍ଦୟ ନରସଂହାର ହେଉ। ନିଜ ଚାରିପଟରେ ଘଟୁଥିବା ଘଟଣାବଳୀର ଯଦି ଖବର ରୂପ ନେଇ ପ୍ରସାରିତ ହେଉ ନ ଥା’ନ୍ତା, ତେବେ ମଣିଷ କୂପମଣ୍ଡୁକ ହୋଇ ନିଜ କ୍ଷୁଦ୍ର ଦୁନିଆ ମଧ୍ୟରେ ଅବରୁଦ୍ଧ ବନ୍ଦୀ ଜୀବନ ବିତାଉଥାଆନ୍ତା ଅବା ଇତର ପଶୁମାନଙ୍କ ଭଳି ଖାଇପିଇ, ବଂଶ ବିସ୍ତାର କରି କେବଳ ମରଣକୁ ଅପେକ୍ଷା କରି ରହନ୍ତା।
ଏବେ ସିନା ନବ୍ୟ ଆଧୁନିକତାର ଭବ୍ୟ ଆକର୍ଷଣ ମଧ୍ୟରେ ମଣିଷ ନିମିଷକ ମଧ୍ୟରେ ବିଶ୍ୱର ଏ ପ୍ରାନ୍ତରୁ ସେ ପ୍ରାନ୍ତଯାଏ ଘଟୁଥିବା ଘଟଣାବଳୀ ସମ୍ପର୍କରେ ଅବଗତ ହୋଇପାରିଛି; ମାତ୍ର ଟିକେ ପଛକୁ ଫେରି ଚାହିଁଲେ ସ୍ପଷ୍ଟ ରୂପେ ଜାଣିହେବ ଯେ ଅତୀତରେ ମଣିଷ କେମିତି ଏକ ସଂକୁଚିତ ପୃଥିବୀର ବାସିନ୍ଦା ଥିଲା। ନା ତା’ ପାଖରେ ଥିଲା ବାହାର ଦୁନିଆ ସମ୍ପର୍କରେ ଜାଣିବାର କିଛି ମାଧ୍ୟମ ନା ଥିଲା ନିଜ ଜ୍ଞାନ ପରିସରକୁ ପ୍ରଶସ୍ତ ଓ ପ୍ରସାରିତ କରିବାର ସୁଯୋଗ। ବିଜ୍ଞାନକୁ ଶତ ଧନ୍ୟବାଦ, ଯାହା ମଣିଷକୁ ଶ୍ରୀଲଙ୍କାରୁ ସାଇବେରିଆଯାଏ ସମସ୍ତ ଭୂଗୋଳ ସମ୍ପର୍କରେ ପରିଚିତ କରାଇପାରୁଛି, ପୁଣି ଭୁବନରେ ନିଅଁା ଲାଗିଲେ ନିମିଷକ ମଧ୍ୟରେ ତାହାର ତାତି ଭୁବନେଶ୍ୱରରେ ଅନୁଭୂତ କରାଇପାରୁଛି।
ଆମ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ଭାବେ ଗୃହୀତ ‘ବସୁଧୈବ କୁଟୁମ୍ବକମ୍‌’ ହିଁ ଆଧୁନିକ ବିଶ୍ୱର ‘ଗ୍ଲୋବାଲ୍‌ ଭିଲେଜ’ ବା ‘ବିଶ୍ୱଗ୍ରାମ’ ସ୍ଲୋଗାନ୍‌ର ମୂଳପିଣ୍ଡ। ବିଶାଳ ବିଶ୍ୱ ଭୂଖଣ୍ଡର ପରିବ୍ୟାପ୍ତ ପରିସୀମା ଭିତରେ ସାମ୍ପ୍ରତିକ ଖବର ସରବରାହ ବ୍ୟବସ୍ଥା ଏ ପୃଥିବୀକୁ ଏବେ ଛୋଟ କରିଦେଇଛି ସିନା, ମାତ୍ର ଯେତେବେଳେ ପ୍ରାଚୀନ ଯୁଗର ମଣିଷ କେହି କାହାର ଖବର ରଖିପାରୁ ନ ଥିଲେ, ସେତେବେଳେ ଦେବର୍ଷି ନାରଦ ନିଜର ବୀଣାବାଦନ ମାଧ୍ୟମରେ ବିଶ୍ୱର ଗୋଟିଏ ପ୍ରାନ୍ତର ଖବର ଅନ୍ୟ ପ୍ରାନ୍ତଯାଏ ନେଇଯାଉଥିଲେ। ସେଥିପାଇଁ ତ ବିଶ୍ୱର ଆଦ୍ୟ ସାମ୍ବାଦିକ ଭାବେ ସେ ପରିଚିତ ଓ ପୂଜିତ।
ନବ୍ୟ ଜୀବନର ଭବ୍ୟ ଆହ୍ବାନ ମଧ୍ୟରେ ପରିପୁଷ୍ଟ ଏବେକାର ସମାଜ ଆଧୁନିକତାର ପ୍ରବାହ ମଧ୍ୟରେ ଖବରର ପ୍ରାଚୀନ ପରିଭାଷା ବଦଳାଇଦେଇଛି। ସମାଜର ଲୋକେ ଯାହା ଜାଣିନାହାନ୍ତି, ତାହା ତାଙ୍କୁ ଜଣାଇଦେବାର ମହତ୍‌ ଲକ୍ଷ୍ୟ ମଧ୍ୟରେ ଆଉ ନିର୍ଣ୍ଣିତ ହେଉନାହିଁ ଖବରର ସଂଜ୍ଞା। ବରଂ ସେମାନେ ଜାଣିଥିବା କଥାଟି ବାହାରେ ଆଉ କିଛି କଥା ଅଛି ଓ ସେଇ କଥାଟିକୁ ନ ଜାଣିଲେ ସମ୍ପୂର୍ଣ୍ଣ ସତ୍ୟ ପାଖରେ ପହଞ୍ଚତ୍ ହେବ ନାହିଁ, ଏହିଭଳି ଏକ ଅବବୋଧ ସୃଷ୍ଟି କରାଯାଇ ଖବରଟିକୁ ରୋଚକ କରିବା ଭିତ୍ତିରେ ନିର୍ଣ୍ଣିତ ହେଉଛି ସାମ୍ବାଦିକର ସାମର୍ଥ୍ୟ। ଆଉ ଏ ସବୁ କରିବାରେ ଭିନ୍ନ ମତ ପୋଷଣ କରୁଥିବା ଓ ଏହା ପ୍ରକୃତ ସାମ୍ବାଦିକ ଧର୍ମର ପରିପନ୍ଥୀ ବିଚାରୁଥିବା ସାମ୍ବାଦିକଟିଏ ଖବର ପ୍ରସାରଣ ବଜାରରେ ଅଲୋଡ଼ା ହୋଇ ରହିଯାଉଛି। ଛାପା ଖବର ସଂସ୍ଥା ବା ପ୍ରିଣ୍ଟ ମିଡିଆ ଅପେକ୍ଷା ବିଭିନ୍ନ ଟିଭି ଚ୍ୟାନେଲ ବା ଇଲେକ୍‌ଟ୍ରୋନିକ ମିଡିଆରେ ଏହି ଧାରାର ଖବର ପ୍ରସାରଣ ଅଧିକ ଗୁରୁତ୍ୱ ହାସଲ କରୁଛି।
ବିଜ୍ଞାନ ଓ ବୌଦ୍ଧିକତାର ବିସ୍ତାରଣ ମଧ୍ୟରେ ବିଶ୍ୱର ଭୂଗୋଳ କ୍ରମେ ସଙ୍କୁଚିତ ହୋଇ ବିଶ୍ୱ ଗ୍ରାମରେ ପହଞ୍ଚତ୍ୟାଉଛି ସିନା, ମାତ୍ର ଅନେକ କ୍ଷେତ୍ରରେ ଖବର ପ୍ରସାରଣ ଆଶାନୁରୂପ ହୋଇପାରୁନି। ଏମିତି କେତେକ ଖବର ପ୍ରକାଶ ପାଉଛି, ଯାହା ଜନମଙ୍ଗଳରେ ଆସିପାରୁନାହିଁ ବୋଲି ଚର୍ଚ୍ଚା ହୋଇଥାଏ। ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ଅଧିବାସୀମାନଙ୍କ ପାରସ୍ପରିକ ଅସଂଲଗ୍ନ ଅବସ୍ଥାକୁ ବ୍ୟଙ୍ଗ କରି କୁହାଯାଉଥିଲା- ‘ଭୁବନେଶ୍ୱର ଏମିତି ଏକ ବିଚିତ୍ର ସହର ଯେ, ଏଠି ଏପାଖ ଘରର କେହି ମରିଗଲେ ତାଙ୍କ ପୁଅ ନାତିମାନେ ଲଣ୍ଡା ନ ହେବାଯାଏ ସେ ପାଖଘରର ଲୋକ କେହି ଜାଣିପାରିବେ ନାହିଁ।’ ଅବଶ୍ୟ ସେ ଅବସ୍ଥାରେ ଅନେକ ପରିବର୍ତ୍ତନ ଆସିଲାଣି।
ଇଲେକ୍‌ଟ୍ରୋନିକ ଗଣମାଧ୍ୟମର କଥା କହିଲେ ନ ସରେ। ସମାନ ଖବରଟିଏ ସଂଘଟିତ ହୋଇଥିବ କେଉଁ ଏକ ସ୍ଥାନରେ, ଏକ ନିର୍ଦ୍ଦିଷ୍ଟ ସମୟରେ। ଅଥଚ ଦୁଇଟି ଟିଭି ଚ୍ୟାନେଲରେ ତାହାର ପ୍ରସାରଣର ଭାଷା ହୋଇଥିବ ଭିନ୍ନ। ଟିଭି ଚ୍ୟାନେଲରେ କେଉଁଠି ହତ୍ୟା ଆତ୍ମହତ୍ୟାର ରୂପ ନେଉଥିବ ତ ଅନ୍ୟଠି ଆତ୍ମହତ୍ୟାକୁ ହତ୍ୟା ଭାବେ ପ୍ରଚାର କରାଯାଉଥିବ। ତହିଁରେ ଏଠାକାର ଖବରଦାତାମାନଙ୍କ ଖବର ପରିବେଷଣର ଶୈଳୀ ପୁଣି ଆହୁରି ବିଚିତ୍ର। ସୀମାନ୍ତ ସୁରକ୍ଷାରେ ନିୟୋଜିତ ସୈନ୍ୟ ଜଣେ ଶତ୍ରୁର ଗୁଳିରେ ଶହୀଦ ହୋଇଗଲେ ମୁଣ୍ଡ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିବା ତାଙ୍କ ବୃଦ୍ଧ ପିତାଙ୍କୁ କେଉଁଠି ପଚରା ଯାଉଥିବ ଅତ୍ୟନ୍ତ ଅମାନବିକ ଏକ ପ୍ରଶ୍ନ- ”ପୁଅ ଆପଣଙ୍କର ଶହୀଦ ହୋଇଗଲେ। କ’ଣ କହିବେ ଆପଣ!“ ପୁଣି ଅନ୍ୟ କେଉଁଠି ପ୍ରଚଣ୍ଡ ଅଗ୍ନିକାଣ୍ଡରେ ନିଜର ସର୍ବସ୍ବ ହରାଇଥିବା ଲୁଗା ଗୋଦାମର ହତଭାଗ୍ୟ ମାଲିକଙ୍କୁ ପଚରା ଯାଉଥିବ ଏକ କ୍ରୋଧ ଉଦ୍ଦୀପକ ହାସ୍ୟାସ୍ପଦ ପ୍ରଶ୍ନ- ”ଆପଣଙ୍କର ଏ ବିପୁଳ କ୍ଷତି ଦେଖି କ’ଣ କହିବେ! କେତେ ଦୁଃଖ ଲାଗୁଛି ଆପଣଙ୍କୁ?“
ଖବର ମଧ୍ୟରେ ଏପ୍ରକାର ବିସମ୍ବାଦର ଧାରା ସବୁଠୁଁ ଉତ୍କଟ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମରେ। ସ୍ମାର୍ଟଫୋନ୍‌ ପ୍ରଚଳନ ହେବା ଦିନରୁ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌, ୟୁଟ୍ୟୁବ୍‌ ବା ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ଖବର ପ୍ରସାରଣର ଧାରା ଏତେ ବ୍ୟାପକ ହୋଇଗଲାଣି ଯେ, ଏହାର ପ୍ରତ୍ୟେକ ବ୍ୟବହାରକାରୀ ଏବେ ଜଣେ ଜଣେ ସାମ୍ବାଦିକ। ସଚ୍ଚା ସାମ୍ବାଦିକର ଭୂମିକା ନିର୍ବାହ କରି ମୋବାଇଲ ମିଡିଆରେ ବିଭିନ୍ନ ଖବର ପରିବେଷଣ କରୁଥିଲେ ଆଉ କଥା ନ ଥା’ନ୍ତା। ମାତ୍ର ଆଖି ଖୋସି ହୋଇଗଲା ପରି ହଟଚମଟ ସୃଷ୍ଟିକାରୀ ବିସମ୍ବାଦ ପ୍ରସାରଣ କରି ଏଇ ବିସାମ୍ବାଦିକମାନେ ନିଜେ ନିଜକୁ ସାମାଜିକ ଗଣମାଧ୍ୟମର ନାୟକ ମନେକରନ୍ତି। କେଉଁଠି ବ୍ୟାଙ୍କର ଅନେକ କୋଟି ଟଙ୍କା ଠକି ନେଇ ବିଦେଶ ପଳାଇ ଯାଇଥିବା ଅର୍ଥନୈତିକ ଅପରାଧୀ ନୀରବ ମୋଦିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ ବୋଲି ଘୋଷଣା କରନ୍ତି ତ ପୁଣି ଅନ୍ୟଠି କେଇକ୍ଷଣ ପୂର୍ବରୁ ବହୁଦର୍ଶିତ ଟେଲିଭିଜନ ଶୋ’ ‘କୌନ୍‌ ବନେଗା କରୋଡ଼ପତି’କୁ ସକ୍ରିୟ ଭାବେ ସଞ୍ଚାଳନ କରିଥିବା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଫଟୋଚିତ୍ରରେ ଫୁଲମାଳ ଲମ୍ବାଇ ‘ଏକ ଯୁଗର ଅବସାନ’ ଭଳି ଶୋକବାର୍ତ୍ତା ଲେଖି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି!
ଏମିତି ବିଚିତ୍ର ବିସମ୍ବାଦରୁ ଆଧୁନିକ ବୋଲାଉଥିବା ଆମ ଏବେକାର ଅତ୍ୟାଧୁନିକ ସମାଜ କେବେ ଓ କେମିତି ଏଥିରୁ ମୁକ୍ତି ପାଇବ, ତାହା ଆମ ସମାଜପତିମାନେ ଯେତେଶୀଘ୍ର ଚିନ୍ତା କରିବେ ସେତେ ମଙ୍ଗଳ।
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର,
ଚକେଇସିଆଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri