ଖେଳରେ ନିବେଶ

ନିକଟରେ ଖୋର୍ଦ୍ଧା ସହରରେ ଆବଶ୍ୟକ କ୍ରୀଡ଼ା ଭିତ୍ତିଭୂମିର ଅଭାବ ସମ୍ପର୍କିତ ପ୍ରକାଶିତ ଏକ ଖବର ବାସ୍ତବିକ ଚିନ୍ତାଜନକ। ଏଠାକାର ବିଜେବି ସ୍କୁଲ ନିକଟରେ ଥିବା ଜିଲାସ୍ତରୀୟ ଷ୍ଟାଡିୟମର ଦୁରବସ୍ଥା ଓ ଷ୍ଟାଡିୟମକୁ ଲାଗି ରହିଥିବା ଇଣ୍ଡୋର ଗେମ୍‌ ସ୍ପୋଟର୍‌ସ କମ୍ପ୍ଲେକ୍ସର ଅଧାପନ୍ତରିଆ ସ୍ଥିତି, ବିଜେବି ସ୍କୁଲର ନିଜସ୍ବ ପଡ଼ିଆ ଜବରଦଖଲ ତଥା ପିଏନ୍‌ କଲେଜ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ ଓ ଖେଳପଡ଼ିଆର ବିପର୍ଯ୍ୟସ୍ତ ଅବସ୍ଥା କ୍ରୀଡ଼ାର ଦୁର୍ବଳ ଭିତ୍ତିଭୂମିକୁ ଦର୍ଶାଉଛି। ଏହା ବ୍ୟତୀତ ସହରରେ ଆବଶ୍ୟକ ସଂଖ୍ୟକ ଖେଳପଡ଼ିଆ ନ ଥିବା ଛାତ୍ରୀଛାତ୍ର ଓ ଯୁବକମାନଙ୍କୁ ନିରାଶ କରୁଥିବା ଖବରର ବାସ୍ତବତା କ୍ରୀଡ଼ା ବିକାଶରେ ସରକାରୀ ଆନ୍ତରିକତାର ଅଭାବକୁ ସୂଚିତ କରୁଛି। କେବଳ ଖୋର୍ଦ୍ଧା ସହର ନୁହେଁ, ରାଜ୍ୟର ପ୍ରତିଟି ସହରରେ ଜନସଂଖ୍ୟା ତୁଳନାରେ ଖେଳପଡ଼ିଆର ଅଭାବ ରହିଛି। ଯଦି ଭୁବନେଶ୍ୱରକୁ ଦେଖିବା ତେବେ ଏଠାରେ ହାତଗଣତି କେତୋଟି ଖେଳପଡ଼ିଆ ଅଛି, ଯେଉଁଠି ପିଲାମାନେ ଖେଳିବା ଲାଗି ସ୍ଥାନ ପାଉନାହାନ୍ତି। ଏଠାରେ ମନେରଖିବାକୁ ହେବ ଯେ, ସାଧାରଣ ଖେଳପଡ଼ିଆ, ଯାହାକୁ ସ୍ଥାନୀୟ ପିଲାମାନେ ବ୍ୟବହାର କରିପାରିବେ ଏବଂ ଷ୍ଟାଡିୟମ ମଧ୍ୟରେ ଅନେକ ତଫାତ୍‌ ରହିଛି। ବିଗତ ବର୍ଷମାନଙ୍କରେ ବଡ଼ ଧରଣର କ୍ରୀଡ଼ା ପ୍ରତିଯୋଗିତା ପାଇଁ ବିଭିନ୍ନ ସ୍ଥାନରେ ଷ୍ଟାଡିୟମ ନିର୍ମାଣ ହୋଇଥିଲେ ମଧ୍ୟ ସେଗୁଡ଼ିକ ଦ୍ୱାରା ସ୍ଥାନୀୟ ପିଲା ବିଶେଷ ଭାବେ ଉପକୃତ ହେବା ଲକ୍ଷ୍ୟ କରାଯାଉନାହିଁ।
ଉଲ୍ଲେଖନୀୟ ଯେ, ବଢ଼ୁଥିବା ଜନସଂଖ୍ୟାକୁ ଦେଖି ଚିକିତ୍ସା, ନିର୍ମାଣ, ଗମନାଗମନ ଭିତ୍ତିଭୂମି ବିକାଶକୁ ଯେତିକି ଗୁରୁତ୍ୱ ଦିଆଯାଉଛି ଖେଳକୁ ସେତିକି ଦିଆଯାଉନାହିଁ। ସହରରେ କେବଳ ପାର୍କ ନିର୍ମାଣରେ ଯୋଜନା ସୀମିତ ରହିଯାଉଛି। ପାର୍କରେ ସବୁ ଶିଶୁ ଖେଳିବା ସମ୍ଭବ ହେଉନାହିଁ। ଏହା ସହ ସହରଗୁଡ଼ିକରେ ଯେଉଁ କେତୋଟି ପଡ଼ିଆ ଅଛି ତାହା ସାମାନ୍ୟ ବର୍ଷାରେ ଡୁବି ଯାଉଛି। ବୁଝିବାକୁ ହେବ ଯେ, ବର୍ଷାଦିନେ ସେଠାରେ ଖେଳିବା ସମ୍ଭବ ହେବନାହିଁ। ଏହା ନିଶ୍ଚିତ ଯେ, କେବଳ ମିନି ଷ୍ଟାଡିୟମ କିମ୍ବା ଷ୍ଟାଡିୟମ ସାମଗ୍ରିକ ଭାବେ ପିଲାମାନଙ୍କ କ୍ରୀଡ଼ା ପାଇଁ ଆବଶ୍ୟକ ହେଉଥିବା ସ୍ଥାନର ଅଭାବକୁ ପୂରଣ କରିପାରିବ ନାହିଁ। ସହର ବ୍ୟତୀତ ଗ୍ରାମାଞ୍ଚଳର କ୍ରୀଡ଼ା ଭିତ୍ତିଭୂମି ବିକାଶକୁ ଦେଖାଯାଉ। ପ୍ରତିଟି ପଞ୍ଚାୟତ ଓ ବ୍ଲକ ସ୍ତରରେ ମିନି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହିସବୁ ମିନି ଷ୍ଟାଡିୟମ ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଦେଖିବାକୁ ଗଲେ ସହରରେ ମିନି ଷ୍ଟାଡିୟମର ରକ୍ଷଣାବେକ୍ଷଣ ହୋଇପାରୁ ନ ଥିବାବେଳେ ଗ୍ରାମାଞ୍ଚଳରେ ଏସବୁର ଦୁରବସ୍ଥା ବୁଝିବା କଷ୍ଟକର ନୁହେଁ। ରକ୍ଷଣାବେକ୍ଷଣ ଦାୟିତ୍ୱ କାହା ଉପରେ ନ୍ୟସ୍ତ ତାହା ମଧ୍ୟ ଅସ୍ପଷ୍ଟ। ଏହି ଦାୟିତ୍ୱ କିଏ ନେବ ତାହା ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଅଧିକ ଗୁରୁତ୍ୱ ଧାରଣ କରୁଛି। ବିଦା ହୋଇଥିବା ବିଜୁ ଜନତା ଦଳ ସରକାର ଅନ୍ତର୍ଜାତୀୟ ଖେଳ ଏବଂ ବିରାଟକାୟ ଷ୍ଟାଡିୟମ ପାଇଁ ମନ ବଳାଇଥିଲା। ନବ ନିର୍ବାଚିତ ସରକାର ସେହିସବୁ ଭିତ୍ତିଭୂମିକୁ କେତେ ଗୁରୁତ୍ୱ ଏବଂ ରକ୍ଷଣାବେକ୍ଷଣ ସହିତ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଅର୍ଥ ବରାଦ କରିବେ ତାହା ଦେଖିବାକୁ ଅଛି।
ଏକ ସୁସ୍ଥ ଏବଂ ଟାଣୁଆ ଯୁବପିଢ଼ି ଗଠନରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷା ସହିତ କ୍ରୀଡ଼ାର ଭିତ୍ତିଭୂମି ସ୍କୁଲ ଓ କଲେଜ ସ୍ତରରେ ମଜଭୁତ ହେଲେ ତାହାର ସକାରାମତ୍କ ପରିଣାମ ନାଗରିକ ଜୀବନରେ ପ୍ରତିଫଳିତ ହୋଇଥାଏ। କହିବାକୁ ଗଲେ କ୍ରୀଡ଼ାର ମୁଳଦୁଆ ବିଦ୍ୟାଳୟ ସ୍ତରରୁ ଆରମ୍ଭ ହେବା କଥା। ସ୍କୁଲରେ ପିଲା ଖେଳିବା ପାଇଁ ଏକ ସୁସ୍ଥ ପରିବେଶ ଓ ଖେଳପଡ଼ିଆର ଆବଶ୍ୟକତା ରହିଛି। କିନ୍ତୁ ଓଡ଼ିଶାରେ ସେଭଳି କୌଣସି ସୁବିଧା ମିଳୁନାହିଁ। ରାଜ୍ୟ ଶିକ୍ଷା ବିଭାଗ ଓ ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର (ଏନ୍‌ଆଇସି)ର ତଥ୍ୟ ଅନୁଯାୟୀ, ଓଡ଼ିଶାରେ ପାଖାପାଖି ୭୫%ରୁ ଅଧିକ ପ୍ରାଇମେରି ଓ ଅପର ପ୍ରାଇମେରି ସ୍କୁଲରେ ଖେଳପଡ଼ିଆର ଅଭାବ ରହିଛି। ଏହା ବ୍ୟତୀତ ୨୦୧୬ରେ ସରକାର ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଥିଲେ ଯେ, ରାଜ୍ୟରେ ୪୭% ହାଇସ୍କୁଲରେ ଖେଳପଡ଼ିଆ ନାହିଁ। ୟୁନିଫାଇଡ୍‌ ଡିଷ୍ଟ୍ରିକ୍ଟ ଇନଫର୍‌ମେଶନ ସିଷ୍ଟମ ଫର୍‌ ଏଜୁକେଶନ (ୟୁଡିଆଇଏସଇ) ସର୍ଭେ ଅନୁଯାୟୀ ଜାତୀୟ ସ୍ତରରେ ମଧ୍ୟ ୨୪ ପ୍ରତିଶତରୁ ଅଧିକ ସ୍କୁଲରେ ଖେଳପଡ଼ିଆ ନାହିଁ। ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଲାଗି ଆଗ୍ରହୀ ଥିବାବେଳେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ନୈରାଶ୍ୟଜନକ। ସେଥିପାଇଁ ସବୁ ରାଜ୍ୟରେ ପଞ୍ଚାୟତ ଯୁବ କ୍ରୀଡ଼ା ଓ ଖେଳ ଅଭିଯାନ (ପାଇକା) ମାଧ୍ୟମରେ ଉତ୍ତମ କ୍ରୀଡ଼ା ପ୍ରତିଭା ଅନ୍ବେଷଣ କଷ୍ଟକର ହୋଇଯାଉଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଛି, ଯେଉଁଥିପାଇଁ ଅନ୍ୟ ରାଜ୍ୟ ତୁଳନାରେ ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାର କରିବା ସମ୍ଭବ ହୋଇପାରୁନାହିଁ। ଉଲ୍ଲେଖନୀୟ ଯେ, କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ବଜେଟ ପ୍ରବଧାନ ଆଶାନୁରୂପ ହୋଇପାରିନାହିଁ। ଓଡ଼ିଶାର ୨୦୨୪ ବଜେଟରେ ଖେଳ ସକାଶେ ୧,୩୦୫ କୋଟି ରଖାଯାଇଥିଲେ ବି ଏହାର ସିଂହଭାଗ ଖେଳ ଆୟୋଜନ ପାଇଁ ଉଦ୍ଦିଷ୍ଟ। ସମୟ ଅଛି, କ୍ରୀଡ଼ାକୁ ଅଣଦେଖା ନ କରି ତୃଣମୂଳ ସ୍ତରରେ ଅଧିକ ନିବେଶ କରାଯାଉ।

ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଲାଗି ଆଗ୍ରହୀ ଥିବାବେଳେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ନୈରାଶ୍ୟଜନକ। ସେଥିପାଇଁ ସବୁ ରାଜ୍ୟରେ ପଞ୍ଚାୟତ ଯୁବ କ୍ରୀଡ଼ା ଓ ଖେଳ ଅଭିଯାନ (ପାଇକା) ମାଧ୍ୟମରେ ଉତ୍ତମ କ୍ରୀଡ଼ା ପ୍ରତିଭା ଅନ୍ବେଷଣ କଷ୍ଟକର ହୋଇଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri