ଉଦ୍‌ବେଳନ ଓ ଅନୁଶୀଳନ

ଡ. ଗୌରୀଶଙ୍କର ସାହୁ

 

ମୁଁ ଯେତେବେଳେ ଶାହାପୁରସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ପରିସରରେ ଯୋଗଦେଲି ଭଡ଼ାଘରଟିଏ ପାଇବା ପାଇଁ ବଡ଼ କସରତ କରିବାକୁ ପଡ଼ିଥିଲା। ବିଶ୍ୱବିଦ୍ୟାଳୟରେ କ୍ୱାର୍ଟର୍ସ ନ ଥିବାରୁ ଦ୍ରମଣ, ଶାହାପୁର, ରାଏତ୍‌ ପ୍ରଭୃତି ଅଞ୍ଚଳ ଯାହା ବିଶ୍ୱବିଦ୍ୟାଳୟ ଆଖପାଖରେ ଅବସ୍ଥିତ, ସେଠାରେ ଭଡ଼ାଘର ନେବାକୁ ପଡୁଥିଲା। ଶାହାପୁର ହିମାଚଳ ପ୍ରଦେଶର ଗୋଟିଏ ଉପଖଣ୍ଡ ମୁଖ୍ୟାଳୟ।
କୌଣସି ଶିଳ୍ପକ୍ଷେତ୍ର ଏହାର ଆଖପାଖରେ ନାହିଁ। ଭଡ଼ାଘରଟିଏ ମିଳିବାରେ ଏତେ ଅସୁବିଧା କାହିଁକି? ହୋଇପାରେ ବାହାର ଲୋକ ଆଖପାଖରୁ ସେତେ ଅଧିକ ଆସୁ ନ ଥିବାରୁ ସ୍ଥାନୀୟ ଲୋକେ ଘରଭଡ଼ା ଲକ୍ଷ୍ୟରେ ଘର ତିଆରି କରୁ ନ ଥିବେ। ବନ୍ଧୁ ଜଗଦୀଶ କୁମାର ଓ କରୁଣାକରଙ୍କ ସହ ବେଶ୍‌ କେଇଦିନ ଖୋଜାଖୋଜି କରିବା ପରେ ଦୁଇ ବଖୁରିଆ ଘରଟିଏ ମିଳିଲା। ଭଡ଼ା ମାସକୁ ଆଠ ହଜାର। କିଛି ଦିନ ରହିବା ପରେ ଶାହାପୁରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ନାଗ୍ରୋଟାରେ ରହୁଥିବା ଜଣେ ହିମାଚଳି ବନ୍ଧୁଙ୍କ ଘରକୁ ଯାଇଥିଲି। ତାଙ୍କର ୧୦ଟି ପରିବାର ଭଡ଼ାଟିଆ ଥିବା ଦେଖିବାକୁ ମିଳିଲା। ନାଗ୍ରୋଟା ମଧ୍ୟ ଗୋଟିଏ ଛୋଟିଆ ସ୍ଥାନ। ପାଖରେ ଶିଳ୍ପାଞ୍ଚଳ ବା ଅନ୍ୟକିଛି ନାହିଁ। କିଏ ତା’ହେଲେ ଏହି ସବୁ ଭଡ଼ାଟିଆ? ବନ୍ଧୁ କହିଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଖପାଖ ଗାଁର ବାସିନ୍ଦା। ସ୍ବାମୀ, ସ୍ତ୍ରୀ ଓ ପିଲାଛୁଆ- ଏଇତ ଏମାନଙ୍କ ପରିବାର । ବାପାମା’ଙ୍କ ପାଖରେ ନ ରହିବାପାଇଁ ସେମାନେ ଭଡ଼ାଘରେ ରହୁଛନ୍ତି। ବାହାନା ପିଲାଙ୍କ ପାଠପଢ଼ା।
ନାଗ୍ରୋଟାରେ ଏହିପରି ଅନେକ ଲୋକ ଆପଣ ପାଇବେ; ଯେଉଁମାନଙ୍କ ଗାଁ ଭଡ଼ାଘରଠାରୁ ପାଞ୍ଚରୁ ଦଶ କିଲୋମିଟର ମଧ୍ୟରେ ହେବ। ଧୀରେ ଧୀରେ ଜାଣିବାକୁ ପାଇଲି ଶାହାପୁର, ଦ୍ରମଣ, ରଏତ୍‌ ପ୍ରଭୃତି ପ୍ରାୟ ଅଧିକାଂଶ ଛୋଟ ସହର ଆଖପାଖ ଗାଁର ନବଦମ୍ପତିମାନଙ୍କ ଗନ୍ତବ୍ୟସ୍ଥଳୀ ପାଲଟିଛି। ସ୍ବାମୀ ସକାଳୁ କାମରେ ଯାଏ। ସ୍ତ୍ରୀ ପିଲାକୁ ଗାଧୋଇ ପାଧୋଇ, ଖୋଇଦେଇ ସକାଳୁ ସ୍କୁଲ ବସ୍‌ ପର୍ଯ୍ୟନ୍ତ ବାଟୋଇ ଦିଏ । ଦିନସାରା ଟେଲିଭିଜନ, ମୋବାଇଲ୍‌ କିମ୍ବା ନିଦ୍ରାର ସାହଚର୍ଯ୍ୟ। ଓଳିଏ ରୋଷେଇ ହେଲେ ଦୁଇଓଳି ଚଳିଯାଏ। ମୁଁ ଓଡ଼ିଶାର ରେଢ଼ାଖୋଲରେ ଥିବାବେଳେ ମଧ୍ୟ ଏହି ଏକା ପରିଦୃଶ୍ୟ ଦେଖିବାକୁ ପାଇଥିଲି। ଭାରତର ଅଧିକାଂଶ ସ୍ଥାନରେ ଏହି କିଛି ବର୍ଷ ମଧ୍ୟରେ ପରିବାରର ସଂଜ୍ଞା ବଦଳିଯାଇଛି।
କିଛି ମାସ ତଳେ ଏକ ଓଡ଼ିଆ ଖବରକାଗଜରେ ପ୍ରକାଶିତ ପ୍ରସଙ୍ଗଟିଏ ଅବତାରଣା କରୁଛି। ଜଣେ ଭାରତୀୟ ଆମେରିକା ଯୁକ୍ତରାଷ୍ଟ୍ରରେ ଚାକିରି ପାଇଲେ। ମା’ ଚାଲିଗଲା ପରେ ବୁଢ଼ାବାପାଙ୍କୁ ପୁଅ ଆମେରିକାରେ ସେ ରହୁଥିବା ସହରକୁ ନେଇଗଲା। ବୁଢ଼ାବାପାଙ୍କୁ ନେଇ ପରିବାରରେ ପ୍ରତିଦିନ ଝଗଡ଼ାହେବାରୁ ସେ ବାଧ୍ୟହୋଇ ନିଜ ଭଡ଼ାଘରଠାରୁ ଅନତିଦୂରରେ ଆଉ ଗୋଟିଏ ଭଡ଼ାଘରେ ବାପାଙ୍କୁ ନେଇ ରଖିଲା । ତାଙ୍କ ପାଇଁ ଗୋଟିଏ ପରିଚାରିକାର ବ୍ୟବସ୍ଥା କରିଦେଲା, ଯେପରି ତାଙ୍କର ଦେଖାଶୁଣା କରିବ। ଅଫିସ୍‌ କାମରେ ବ୍ୟସ୍ତ ରହି ସପ୍ତାହକୁ ଥରେ ସେ ବାପାଙ୍କୁ ଦେଖାକରିବାକୁ ଯାଏ । ଥରେ ସପ୍ତାହାନ୍ତରେ ବାପାଙ୍କୁ ଦେଖା କରିବାକୁ ଯାଇ ଦେଖିଲା, ଭିତରପଟୁ କବାଟ ବନ୍ଦ ଅଛି। ଯେତେ ଡାକିଲେ ବି କେହି ଖୋଲୁନାହାନ୍ତି। କବାଟ ଭାଙ୍ଗି ଦେଖିବା ବେଳକୁ ବାପା ଆରପାରିକୁ ଚାଲିଯାଇଛନ୍ତି। ବୁଝୁ ବୁଝୁ କୌଣସି କାରଣରୁ ଏ ସପ୍ତାହ ପରିଚାରିକା ବାପାଙ୍କ ପାଖକୁ ଆସି ପାରିନାହିଁ। ପୋଷ୍ଟମର୍ଟମରୁ ଜଣାପଡ଼ିଲା ବାପା ଇହଲୀଳା ତ୍ୟାଗକରିବାର ୪ ଦିନ ହେଲାଣି ।
ଏଇ ଗତ କିଛିଦିନ ହେଲା ଗୋଟିଏ ଖବର ପ୍ରକାଶିତ ହୋଇଥିଲା ଯେ ଗୁଜରାଟରେ ଜଣେ ପିଲାର ବାପା ବାଲ୍ୟକାଳୁ ତାକୁ ଛାଡ଼ି ଆରପାରିକୁ ଚାଲିଗଲେ। ମା’ ଦ୍ୱିତୀୟ ବିବାହ ନ କରି ବଡ଼ କଷ୍ଟରେ ପାଳି ପୋଷି ପୁଅକୁ ବଡ଼କଲା। ପୁଅ ଡାକ୍ତର ହେଲା ଓ ବିବାହ କଲା ତା’ର ଜଣେ ଡାକ୍ତରୀ ସହପାଠିନୀକୁ। ସେ ବୁଢ଼ୀ ମା’କୁ ଆଣି ନିଜ ଆପାର୍ଟମେଣ୍ଟରେ ରଖିଲା।
ନିଇତି ମା’କୁ ନେଇ ଦୁଇପ୍ରାଣୀଙ୍କ ମଧ୍ୟରେ କଳହ, ରାଗରୁଷା। ଏ ଭିତରେ ତା’ର ହତଭାଗିନୀ ମା’ ପକ୍ଷାଘାତ ରୋଗରେ ପଡ଼ିଲା। ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ବହୁଗୁଣିତ ହୋଇଗଲା। ଦିନେ ପୁଅ ମା’କୁ କହିଲା ”ମା ଚାଲ୍‌ ତତେ ନେଇ ଛାତ ଉପରୁ ଏ ସୁନ୍ଦର ସହର ଦେଖେଇଦେବି, ଭଲ ଲାଗିବ“। ମା’କୁ ଛାତ ଉପରକୁ ନେଇଗଲା ପୁଅ। ଅଳସ ଅପରାହ୍ନ। ସହର ସାରା କୃତ୍ରିମ ଆଲୋକ। ଛାତ ଧଡ଼ିକୁ ନେଇ ତଳକୁ ପକାଇଦେଲା ମା’କୁ। ମା’ର ପ୍ରାଣବାୟୁ ଉଡ଼ିଗଲା।
ପ୍ରଥମେ ସଭିଏଁ ଭାବିଲେ ଦୁର୍ଘଟଣା। ପୋଲିସ ତଦନ୍ତରୁ ଜଣାପଡ଼ିଲା ପୁଅ ଦ୍ୱାରା ନିଜ ମା’ର ହତ୍ୟା ।
ବୁଢ଼ା ବାପା ମା’ଙ୍କୁ ପିଲାମାନେ ଆଉ ପ୍ରଣମ୍ୟ ପୁରୁଷ ପାଳକ ଭାବେ ଗଣୁନାହାନ୍ତି, ବ୍ୟବହାର କରୁଛନ୍ତି ଅଲୋଡ଼ା ବୋଝ ଭାବେ। ଅତୀତର ସ୍ମୃତି ସବୁ ବିସ୍ମୃତିଗର୍ଭରେ ଲୀନ ହୋଇଯାଉଛି। ବୁଢ଼ା ବାପା ମା’ ବହନ କରୁଛନ୍ତି ପିଲାଛୁଆଙ୍କ ଅତ୍ୟାଚାରର ଅଲିଭା ସ୍ବାକ୍ଷର। ସେମାନଙ୍କର ଶେଷ ଜୀବନ ହେଉଛି, ଅଭିଶପ୍ତ, ଶୋକସନ୍ତପ୍ତ।
ଏହିପରି ଅସଂଖ୍ୟ ଦୁର୍ଘଟଣା ଆଜି ଆମ ଚାରିପାଖରେ ଘଟୁଛି। ପରିବାର କହିଲେ ଆଉ ବାପା, ମା, ଭାଇ, ଭଉଣୀ, ଜେଜେ ବାପା, ଜେଜେମା, ଦାଦା, ଖୁଡ଼ୀଙ୍କୁ ବୁଝାଉନାହିଁ। ବାପା ମା’, ଗୋଟିଏ ବା ଅତି ବେଶିରେ ଦୁଇଟି ସନ୍ତାନକୁ ନେଇ ପରିବାର। ଅଧିକାଂଶ ସାଂପ୍ରତିକ ପରିବାରରେ ବାପା, ମା’ ଉଭୟ କର୍ମଜୀବୀ। ସକାଳୁ ଡେରିରାତି ପର୍ଯ୍ୟନ୍ତ ଅଫିସ କାର୍ଯ୍ୟରେ ବ୍ୟସ୍ତ। ଆୟା ବା ପରିଚାରିକା ଉପରେ ପିଲାର ସମସ୍ତ ଦାୟିତ୍ୱ। ସ୍କୁଲରେ ପାଠର ଅସହ୍ୟ ବୋଝ। ସୁଖ, ଦୁଃଖ, ଭଲମନ୍ଦ କହିବାପାଇଁ ପିଲାଟି ପାଖରେ କେହି ନାହିଁ। ଜେଜେବାପା, ଜେଜେମା’ଙ୍କୁ ଘରେ ରଖିଲେ ଦାମ୍ପତ୍ୟ ଜୀବନ ଦୁର୍ବିଷହ ହେଉଥିବାର ଦେଖି ସେମାନଙ୍କୁ ନିଜଠାରୁ ଅଲଗା ରଖାଯାଉଛି। ପିଲାକୁ କିଏ କହିବ ବୁଢ଼ୀମା’ ଗପସବୁ । କିଏ କହିବ ସାତତାଳ ପାଣି, ତା’ ତଳେ ସାତତାଳ ପଙ୍କ, ତା’ ତଳେ କୁହୁକ ପେଡ଼ି, ତା’ ଭିତରେ ଫରୁଆ, ଫରୁଆ ଭିତରେ କେଶ, ସେଥିରେ ରହିଛି ବୁଢ଼ୀ ଅସୁରୁଣୀର ଜୀବନ। କିଏ କହିବ ପରୀ ରାଇଜ କଥା, ମାଙ୍କଡ଼ କୁମ୍ଭୀର ଗପ, ମିଛୁଆ ରାଧୁଆ କଥା, ପଞ୍ଚତନ୍ତ୍ର କାହାଣୀ ଆହୁରି ଅନେକ?
ଯେଉଁ ଗପ ତାକୁ ଦିଏ ସ୍ବପ୍ନ, ସମ୍ଭାବନା, କଳ୍ପନା, ଯୁକ୍ତି ସିଦ୍ଧତା, ମୁକ୍ତିଚିନ୍ତନ। ଯେଉଁ ଗପ ତା’ ଭିତରେ ଭରିଥାଏ ସାହସ, ଭୟ, ଉତ୍ସାହ, ଉଦ୍ଦୀପନା, ଆହୁରି ଅନେକ ମାନବୀୟ ସମ୍ବେଦନା। ୧୯୭୦ରେ କଳିଙ୍ଗ ପୁରସ୍କାରରେ ସମ୍ମାନିତ ବିଶିଷ୍ଟ ନୃତତ୍ତ୍ୱବିତ୍‌ ମାର୍ଗାରେଟ୍‌ ମିଡ୍‌, ”କମିଙ୍ଗ୍‌ ଅଫ୍‌ ଏଜ୍‌ ଇନ୍‌ ସାମୋଆ“ରେ ନିଜ ଗବେଷଣା ଲବ୍ଧ ତତ୍ତ୍ୱକୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଶିଶୁ ଓ କିଶୋର ଜୀବନରେ ମଣିଷ କିପରି ପରିସ୍ଥିତି, ପରିବେଶ ସହ ଖାପଖୁଆଇ ଚଳିହେବ ସେ କଥା ଶିଖିଥାଏ। ଏହି ବୟସରେ ବ୍ୟକ୍ତି ଯେତେ ଦାୟିତ୍ୱ ମୁକ୍ତ ହେବ ଓ ଯେତେ ଅଧିକ ଅନୁଭବ ଯୁକ୍ତ ହେବ ତା’ର ସେତିକି ବିକାଶ ହେବ। କିପରି ଯୌଥ ପରିବାର ଶିଶୁ ମନରେ ସୁରକ୍ଷା ଓ ସମ୍ବେଦନା ଭରିଥାଏ ତାହା ସେ ଦର୍ଶାଇଛନ୍ତି। ଯୌଥପରିବାର କିଶୋରକୁ ଶିଖାଇଥାଏ ଶୃଙ୍ଖଳା ଓ ସ୍ବାଧୀନତା ମଧ୍ୟରେ କିପରି ତାଳମେଳ ରଖାଯାଇପାରିବ। ସେ ପରିବାର, ସମାଜ ଓ ସଂସ୍କୃତି କିପରି ଏକ ପୂର୍ଣ୍ଣାଙ୍ଗ ମଣିଷ ତିଆରି କରିଥାଏ ତାହା ଦର୍ଶାଇଛନ୍ତି। ଯୌଥପରିବାର ଭାଙ୍ଗିଯିବାରୁ ବୋଧେ ଗତ କିଛି ବର୍ଷ ଧରି ଆମେ ଯୁଗପୁରୁଷଟିଏ ଦେଖିବାକୁ ପାଉନାହେଁ ।
ଭ୍ରୂଣକୁ ଲାଳନ ପାଳନ କଲେ ସିନା ଗଛ ଭଳିଆ ଗଛଟିଏ ପାଇବା। ନ ହେଲେ ଚାରିଆଡ଼େ ଖାଲି ଦେଖିବା ବନସାଇ ସାମ୍ରାଜ୍ୟ। ଭବିଷ୍ୟତରେ ମଧ୍ୟ ଆହୁରି ଭୟାବହ ପରିସ୍ଥିତି ଦେଖିବାକୁ ମିଳିବ।
ପରିବାରରେ ପିଲା ସମ୍ପର୍କ କ’ଣ ଜାଣୁଥିଲା। ସ୍ନେହ, ପ୍ରେମର ସ୍ବରୂପ ଦେଖୁଥିଲା। ପରବର୍ତ୍ତୀ ସମୟରେ ଏହା ତାହାର ସାମାଜିକ ଜୀବନରେ ପ୍ରତିଫଳିତ ହେଉଥିଲା। ଭାଙ୍ଗୁଥିବା ପରିବାର, ବ୍ୟକ୍ତିକୈନ୍ଦ୍ରୀକ ମଣିଷ ଯାହା ଗଢ଼ିତୋଳୁଛି, ଏହା ସମାଜ ଓ ରାଷ୍ଟ୍ରଜୀବନରେ ନକାରାତ୍ମକ ପ୍ରଭାବ ପକାଉଛି। ଆମ ପାଠ ବି ଏ ଦିଗରେ କାରକ ପରି କାମକରୁଛି। ଆମେ ଏବେ ପଢୁଛେ, ଓମେନ୍‌ ଷ୍ଟଡିଜ୍‌, ଜେଣ୍ଡର ଷ୍ଟଡିଜ୍‌ ପ୍ରଭୃତି ବିଭିନ୍ନ ପାଠ୍ୟକ୍ରମ, ଯାହା ବ୍ୟକ୍ତି କୈନ୍ଦ୍ରୀକ ଚିନ୍ତାଧାରାର ପାଳନ ପୋଷଣ କରୁଛି। ଆମ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ଅଗ୍ନିହୋତ୍ରୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପ୍ରସ୍ତାବିତ ଓମେନ୍‌ ଷ୍ଟଡିଜ୍‌ ପାଠ୍ୟକ୍ରମ ବଦଳରେ ସେଣ୍ଟର ଫର୍‌ ଫାମିଲି ଓ କମୁନିଟୀ ଷ୍ଟଡିଜ୍‌ କେନ୍ଦ୍ର ଚାଲୁକରିବା ପାଇଁ ଚେଷ୍ଟା କରିଥିଲେ। ଶିକ୍ଷା ଓ ସଂସ୍କାରରେ ପରିବାରର ଗୁରୁତ୍ୱ ଓ ମହତ୍ତ୍ୱ ବୁଝାଇବାରେ ଆମେ ଯଦି ଆଜି ଅସମର୍ଥ ହେବା ଆମେ ଜଣେ ଜଣେ ଭସ୍ମାସୁରରେ ରୂପାନ୍ତରିତ ହେବା ହିଁ ସାର ହେବ।
ଅଧ୍ୟାପକ, ହିମାଚଳ ପ୍ରଦେଶ କେନ୍ଦ୍ରୀୟ
ବିଶ୍ୱବିଦ୍ୟାଳୟ, ଧର୍ମଶାଳା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଲକ୍‌ଡାଉନ ଯୋଗୁ ଲୋକମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଏବେ ସୁଦ୍ଧା ସେମାନେ ନିଜକୁ ସଳଖି ପାରିନାହାନ୍ତି। କିନ୍ତୁ ଏହା ମଧ୍ୟ ସ୍ବୀକାର୍ଯ୍ୟ ଯେ, ଲକ୍‌ଡାଉନ...

ଏମିତି ଫ୍ରି ଆଉ କେତେଦିନ

ଇବ୍ରାର ଖାଁ   ଗଲା କିଛି ଦଶନ୍ଧି ହେଲା ସମାଜର ଗରିବ, ଦଳିତ, ନିଷ୍ପେଷିତ ବର୍ଗର ଲୋକମାନଙ୍କଠାରୁ ଆରମ୍ଭ କରି କୃଷକ, ଛାତ୍ର, ଭିନ୍ନକ୍ଷମ, ବୃଦ୍ଧ,...

ଏଇ ଭାରତରେ

ସ୍କୁଲର ନାମ ଘାଟ୍‌ଓ୍ବାଲା ସ୍କୁଲ୍‌। ଗଙ୍ଗା କୂଳ କମଳେଶ୍ୱର ଘାଟରେ ଚାଲୁଛି ଏମିତି ଏକ ନିଆରା ସ୍କୁଲ,ଯେଉଁଠି ୨୦୦ ଅସହାୟ ପିଲା ମାଗଣାରେ ପଢୁଛନ୍ତି। ଏହି...

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ କୃଷିକୁ ପ୍ରଭାବିତ କରିବାରେ ଲାଗିଛି। ଫସଲ ନଷ୍ଟ ହେବା ଦ୍ୱାରା ମୁଖ୍ୟତଃ କ୍ଷୁଦ୍ର ତଥା ନାମମାତ୍ର ଚାଷୀମାନେ ନାହିଁ ନ...

ଏଇ ଭାରତରେ

ଅଫିସ ଯିବାକୁ ଛାଡୁ ନ ଥିବା ପୁଅର ଭାବାନାତ୍ମକ ଭିଡିଓ ଶେୟାର କରିଛନ୍ତି ଜଣେ ପିତା ତଥା ଆଇପିଏସ୍‌ ଅଫିସର। କର୍ତ୍ତବ୍ୟ ଆଗରେ ସ୍ନେହମମତା ତୁଚ୍ଛ।...

ପରୀକ୍ଷା ସଂସ୍କାର: ଆମ ଛାତ୍ରୀଛାତ୍ର

ଅକ୍ଷୟ କୁମାର ମିଶ୍ର ଆମ ରାଜ୍ୟରେ ହେଉଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓଟିଇଟି, ସିଟି, ସିପିଏଡ୍‌, ପ୍ରଥମା, ମଧ୍ୟମା, ଏନ୍‌ଆରଟିଏସ୍‌ ଆଦି ପରୀକ୍ଷାର ପରିଚାଳନା ଓ...

ସମ୍ପାଦକୀୟ/ ସମାଧାନକାରୀ ନୁହେଁ, ସୃଷ୍ଟିକର୍ତ୍ତା

ସାଧାରଣ ନିର୍ବାଚନ ୨୦୧୯ର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି। ସମଗ୍ର ଦେଶରେ ଦିନକୁ ଦିନ ପ୍ରଚାର ଅଭିଯାନ ଜୋରଦାର...

ଏଇ ଭାରତରେ

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡି କରାଯାଇ ଜରିମାନା ଆଦାୟ କରାଯାଉଛି। ମାତ୍ର ଟ୍ରାଫିକ ନିୟମ...

Advertisement
Archives

Model This Week