ଉଦ୍‌ବେଳନ ଓ ଅନୁଶୀଳନ

ଡ. ଗୌରୀଶଙ୍କର ସାହୁ

 

ମୁଁ ଯେତେବେଳେ ଶାହାପୁରସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ପରିସରରେ ଯୋଗଦେଲି ଭଡ଼ାଘରଟିଏ ପାଇବା ପାଇଁ ବଡ଼ କସରତ କରିବାକୁ ପଡ଼ିଥିଲା। ବିଶ୍ୱବିଦ୍ୟାଳୟରେ କ୍ୱାର୍ଟର୍ସ ନ ଥିବାରୁ ଦ୍ରମଣ, ଶାହାପୁର, ରାଏତ୍‌ ପ୍ରଭୃତି ଅଞ୍ଚଳ ଯାହା ବିଶ୍ୱବିଦ୍ୟାଳୟ ଆଖପାଖରେ ଅବସ୍ଥିତ, ସେଠାରେ ଭଡ଼ାଘର ନେବାକୁ ପଡୁଥିଲା। ଶାହାପୁର ହିମାଚଳ ପ୍ରଦେଶର ଗୋଟିଏ ଉପଖଣ୍ଡ ମୁଖ୍ୟାଳୟ।
କୌଣସି ଶିଳ୍ପକ୍ଷେତ୍ର ଏହାର ଆଖପାଖରେ ନାହିଁ। ଭଡ଼ାଘରଟିଏ ମିଳିବାରେ ଏତେ ଅସୁବିଧା କାହିଁକି? ହୋଇପାରେ ବାହାର ଲୋକ ଆଖପାଖରୁ ସେତେ ଅଧିକ ଆସୁ ନ ଥିବାରୁ ସ୍ଥାନୀୟ ଲୋକେ ଘରଭଡ଼ା ଲକ୍ଷ୍ୟରେ ଘର ତିଆରି କରୁ ନ ଥିବେ। ବନ୍ଧୁ ଜଗଦୀଶ କୁମାର ଓ କରୁଣାକରଙ୍କ ସହ ବେଶ୍‌ କେଇଦିନ ଖୋଜାଖୋଜି କରିବା ପରେ ଦୁଇ ବଖୁରିଆ ଘରଟିଏ ମିଳିଲା। ଭଡ଼ା ମାସକୁ ଆଠ ହଜାର। କିଛି ଦିନ ରହିବା ପରେ ଶାହାପୁରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ନାଗ୍ରୋଟାରେ ରହୁଥିବା ଜଣେ ହିମାଚଳି ବନ୍ଧୁଙ୍କ ଘରକୁ ଯାଇଥିଲି। ତାଙ୍କର ୧୦ଟି ପରିବାର ଭଡ଼ାଟିଆ ଥିବା ଦେଖିବାକୁ ମିଳିଲା। ନାଗ୍ରୋଟା ମଧ୍ୟ ଗୋଟିଏ ଛୋଟିଆ ସ୍ଥାନ। ପାଖରେ ଶିଳ୍ପାଞ୍ଚଳ ବା ଅନ୍ୟକିଛି ନାହିଁ। କିଏ ତା’ହେଲେ ଏହି ସବୁ ଭଡ଼ାଟିଆ? ବନ୍ଧୁ କହିଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଖପାଖ ଗାଁର ବାସିନ୍ଦା। ସ୍ବାମୀ, ସ୍ତ୍ରୀ ଓ ପିଲାଛୁଆ- ଏଇତ ଏମାନଙ୍କ ପରିବାର । ବାପାମା’ଙ୍କ ପାଖରେ ନ ରହିବାପାଇଁ ସେମାନେ ଭଡ଼ାଘରେ ରହୁଛନ୍ତି। ବାହାନା ପିଲାଙ୍କ ପାଠପଢ଼ା।
ନାଗ୍ରୋଟାରେ ଏହିପରି ଅନେକ ଲୋକ ଆପଣ ପାଇବେ; ଯେଉଁମାନଙ୍କ ଗାଁ ଭଡ଼ାଘରଠାରୁ ପାଞ୍ଚରୁ ଦଶ କିଲୋମିଟର ମଧ୍ୟରେ ହେବ। ଧୀରେ ଧୀରେ ଜାଣିବାକୁ ପାଇଲି ଶାହାପୁର, ଦ୍ରମଣ, ରଏତ୍‌ ପ୍ରଭୃତି ପ୍ରାୟ ଅଧିକାଂଶ ଛୋଟ ସହର ଆଖପାଖ ଗାଁର ନବଦମ୍ପତିମାନଙ୍କ ଗନ୍ତବ୍ୟସ୍ଥଳୀ ପାଲଟିଛି। ସ୍ବାମୀ ସକାଳୁ କାମରେ ଯାଏ। ସ୍ତ୍ରୀ ପିଲାକୁ ଗାଧୋଇ ପାଧୋଇ, ଖୋଇଦେଇ ସକାଳୁ ସ୍କୁଲ ବସ୍‌ ପର୍ଯ୍ୟନ୍ତ ବାଟୋଇ ଦିଏ । ଦିନସାରା ଟେଲିଭିଜନ, ମୋବାଇଲ୍‌ କିମ୍ବା ନିଦ୍ରାର ସାହଚର୍ଯ୍ୟ। ଓଳିଏ ରୋଷେଇ ହେଲେ ଦୁଇଓଳି ଚଳିଯାଏ। ମୁଁ ଓଡ଼ିଶାର ରେଢ଼ାଖୋଲରେ ଥିବାବେଳେ ମଧ୍ୟ ଏହି ଏକା ପରିଦୃଶ୍ୟ ଦେଖିବାକୁ ପାଇଥିଲି। ଭାରତର ଅଧିକାଂଶ ସ୍ଥାନରେ ଏହି କିଛି ବର୍ଷ ମଧ୍ୟରେ ପରିବାରର ସଂଜ୍ଞା ବଦଳିଯାଇଛି।
କିଛି ମାସ ତଳେ ଏକ ଓଡ଼ିଆ ଖବରକାଗଜରେ ପ୍ରକାଶିତ ପ୍ରସଙ୍ଗଟିଏ ଅବତାରଣା କରୁଛି। ଜଣେ ଭାରତୀୟ ଆମେରିକା ଯୁକ୍ତରାଷ୍ଟ୍ରରେ ଚାକିରି ପାଇଲେ। ମା’ ଚାଲିଗଲା ପରେ ବୁଢ଼ାବାପାଙ୍କୁ ପୁଅ ଆମେରିକାରେ ସେ ରହୁଥିବା ସହରକୁ ନେଇଗଲା। ବୁଢ଼ାବାପାଙ୍କୁ ନେଇ ପରିବାରରେ ପ୍ରତିଦିନ ଝଗଡ଼ାହେବାରୁ ସେ ବାଧ୍ୟହୋଇ ନିଜ ଭଡ଼ାଘରଠାରୁ ଅନତିଦୂରରେ ଆଉ ଗୋଟିଏ ଭଡ଼ାଘରେ ବାପାଙ୍କୁ ନେଇ ରଖିଲା । ତାଙ୍କ ପାଇଁ ଗୋଟିଏ ପରିଚାରିକାର ବ୍ୟବସ୍ଥା କରିଦେଲା, ଯେପରି ତାଙ୍କର ଦେଖାଶୁଣା କରିବ। ଅଫିସ୍‌ କାମରେ ବ୍ୟସ୍ତ ରହି ସପ୍ତାହକୁ ଥରେ ସେ ବାପାଙ୍କୁ ଦେଖାକରିବାକୁ ଯାଏ । ଥରେ ସପ୍ତାହାନ୍ତରେ ବାପାଙ୍କୁ ଦେଖା କରିବାକୁ ଯାଇ ଦେଖିଲା, ଭିତରପଟୁ କବାଟ ବନ୍ଦ ଅଛି। ଯେତେ ଡାକିଲେ ବି କେହି ଖୋଲୁନାହାନ୍ତି। କବାଟ ଭାଙ୍ଗି ଦେଖିବା ବେଳକୁ ବାପା ଆରପାରିକୁ ଚାଲିଯାଇଛନ୍ତି। ବୁଝୁ ବୁଝୁ କୌଣସି କାରଣରୁ ଏ ସପ୍ତାହ ପରିଚାରିକା ବାପାଙ୍କ ପାଖକୁ ଆସି ପାରିନାହିଁ। ପୋଷ୍ଟମର୍ଟମରୁ ଜଣାପଡ଼ିଲା ବାପା ଇହଲୀଳା ତ୍ୟାଗକରିବାର ୪ ଦିନ ହେଲାଣି ।
ଏଇ ଗତ କିଛିଦିନ ହେଲା ଗୋଟିଏ ଖବର ପ୍ରକାଶିତ ହୋଇଥିଲା ଯେ ଗୁଜରାଟରେ ଜଣେ ପିଲାର ବାପା ବାଲ୍ୟକାଳୁ ତାକୁ ଛାଡ଼ି ଆରପାରିକୁ ଚାଲିଗଲେ। ମା’ ଦ୍ୱିତୀୟ ବିବାହ ନ କରି ବଡ଼ କଷ୍ଟରେ ପାଳି ପୋଷି ପୁଅକୁ ବଡ଼କଲା। ପୁଅ ଡାକ୍ତର ହେଲା ଓ ବିବାହ କଲା ତା’ର ଜଣେ ଡାକ୍ତରୀ ସହପାଠିନୀକୁ। ସେ ବୁଢ଼ୀ ମା’କୁ ଆଣି ନିଜ ଆପାର୍ଟମେଣ୍ଟରେ ରଖିଲା।
ନିଇତି ମା’କୁ ନେଇ ଦୁଇପ୍ରାଣୀଙ୍କ ମଧ୍ୟରେ କଳହ, ରାଗରୁଷା। ଏ ଭିତରେ ତା’ର ହତଭାଗିନୀ ମା’ ପକ୍ଷାଘାତ ରୋଗରେ ପଡ଼ିଲା। ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ବହୁଗୁଣିତ ହୋଇଗଲା। ଦିନେ ପୁଅ ମା’କୁ କହିଲା ”ମା ଚାଲ୍‌ ତତେ ନେଇ ଛାତ ଉପରୁ ଏ ସୁନ୍ଦର ସହର ଦେଖେଇଦେବି, ଭଲ ଲାଗିବ“। ମା’କୁ ଛାତ ଉପରକୁ ନେଇଗଲା ପୁଅ। ଅଳସ ଅପରାହ୍ନ। ସହର ସାରା କୃତ୍ରିମ ଆଲୋକ। ଛାତ ଧଡ଼ିକୁ ନେଇ ତଳକୁ ପକାଇଦେଲା ମା’କୁ। ମା’ର ପ୍ରାଣବାୟୁ ଉଡ଼ିଗଲା।
ପ୍ରଥମେ ସଭିଏଁ ଭାବିଲେ ଦୁର୍ଘଟଣା। ପୋଲିସ ତଦନ୍ତରୁ ଜଣାପଡ଼ିଲା ପୁଅ ଦ୍ୱାରା ନିଜ ମା’ର ହତ୍ୟା ।
ବୁଢ଼ା ବାପା ମା’ଙ୍କୁ ପିଲାମାନେ ଆଉ ପ୍ରଣମ୍ୟ ପୁରୁଷ ପାଳକ ଭାବେ ଗଣୁନାହାନ୍ତି, ବ୍ୟବହାର କରୁଛନ୍ତି ଅଲୋଡ଼ା ବୋଝ ଭାବେ। ଅତୀତର ସ୍ମୃତି ସବୁ ବିସ୍ମୃତିଗର୍ଭରେ ଲୀନ ହୋଇଯାଉଛି। ବୁଢ଼ା ବାପା ମା’ ବହନ କରୁଛନ୍ତି ପିଲାଛୁଆଙ୍କ ଅତ୍ୟାଚାରର ଅଲିଭା ସ୍ବାକ୍ଷର। ସେମାନଙ୍କର ଶେଷ ଜୀବନ ହେଉଛି, ଅଭିଶପ୍ତ, ଶୋକସନ୍ତପ୍ତ।
ଏହିପରି ଅସଂଖ୍ୟ ଦୁର୍ଘଟଣା ଆଜି ଆମ ଚାରିପାଖରେ ଘଟୁଛି। ପରିବାର କହିଲେ ଆଉ ବାପା, ମା, ଭାଇ, ଭଉଣୀ, ଜେଜେ ବାପା, ଜେଜେମା, ଦାଦା, ଖୁଡ଼ୀଙ୍କୁ ବୁଝାଉନାହିଁ। ବାପା ମା’, ଗୋଟିଏ ବା ଅତି ବେଶିରେ ଦୁଇଟି ସନ୍ତାନକୁ ନେଇ ପରିବାର। ଅଧିକାଂଶ ସାଂପ୍ରତିକ ପରିବାରରେ ବାପା, ମା’ ଉଭୟ କର୍ମଜୀବୀ। ସକାଳୁ ଡେରିରାତି ପର୍ଯ୍ୟନ୍ତ ଅଫିସ କାର୍ଯ୍ୟରେ ବ୍ୟସ୍ତ। ଆୟା ବା ପରିଚାରିକା ଉପରେ ପିଲାର ସମସ୍ତ ଦାୟିତ୍ୱ। ସ୍କୁଲରେ ପାଠର ଅସହ୍ୟ ବୋଝ। ସୁଖ, ଦୁଃଖ, ଭଲମନ୍ଦ କହିବାପାଇଁ ପିଲାଟି ପାଖରେ କେହି ନାହିଁ। ଜେଜେବାପା, ଜେଜେମା’ଙ୍କୁ ଘରେ ରଖିଲେ ଦାମ୍ପତ୍ୟ ଜୀବନ ଦୁର୍ବିଷହ ହେଉଥିବାର ଦେଖି ସେମାନଙ୍କୁ ନିଜଠାରୁ ଅଲଗା ରଖାଯାଉଛି। ପିଲାକୁ କିଏ କହିବ ବୁଢ଼ୀମା’ ଗପସବୁ । କିଏ କହିବ ସାତତାଳ ପାଣି, ତା’ ତଳେ ସାତତାଳ ପଙ୍କ, ତା’ ତଳେ କୁହୁକ ପେଡ଼ି, ତା’ ଭିତରେ ଫରୁଆ, ଫରୁଆ ଭିତରେ କେଶ, ସେଥିରେ ରହିଛି ବୁଢ଼ୀ ଅସୁରୁଣୀର ଜୀବନ। କିଏ କହିବ ପରୀ ରାଇଜ କଥା, ମାଙ୍କଡ଼ କୁମ୍ଭୀର ଗପ, ମିଛୁଆ ରାଧୁଆ କଥା, ପଞ୍ଚତନ୍ତ୍ର କାହାଣୀ ଆହୁରି ଅନେକ?
ଯେଉଁ ଗପ ତାକୁ ଦିଏ ସ୍ବପ୍ନ, ସମ୍ଭାବନା, କଳ୍ପନା, ଯୁକ୍ତି ସିଦ୍ଧତା, ମୁକ୍ତିଚିନ୍ତନ। ଯେଉଁ ଗପ ତା’ ଭିତରେ ଭରିଥାଏ ସାହସ, ଭୟ, ଉତ୍ସାହ, ଉଦ୍ଦୀପନା, ଆହୁରି ଅନେକ ମାନବୀୟ ସମ୍ବେଦନା। ୧୯୭୦ରେ କଳିଙ୍ଗ ପୁରସ୍କାରରେ ସମ୍ମାନିତ ବିଶିଷ୍ଟ ନୃତତ୍ତ୍ୱବିତ୍‌ ମାର୍ଗାରେଟ୍‌ ମିଡ୍‌, ”କମିଙ୍ଗ୍‌ ଅଫ୍‌ ଏଜ୍‌ ଇନ୍‌ ସାମୋଆ“ରେ ନିଜ ଗବେଷଣା ଲବ୍ଧ ତତ୍ତ୍ୱକୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଶିଶୁ ଓ କିଶୋର ଜୀବନରେ ମଣିଷ କିପରି ପରିସ୍ଥିତି, ପରିବେଶ ସହ ଖାପଖୁଆଇ ଚଳିହେବ ସେ କଥା ଶିଖିଥାଏ। ଏହି ବୟସରେ ବ୍ୟକ୍ତି ଯେତେ ଦାୟିତ୍ୱ ମୁକ୍ତ ହେବ ଓ ଯେତେ ଅଧିକ ଅନୁଭବ ଯୁକ୍ତ ହେବ ତା’ର ସେତିକି ବିକାଶ ହେବ। କିପରି ଯୌଥ ପରିବାର ଶିଶୁ ମନରେ ସୁରକ୍ଷା ଓ ସମ୍ବେଦନା ଭରିଥାଏ ତାହା ସେ ଦର୍ଶାଇଛନ୍ତି। ଯୌଥପରିବାର କିଶୋରକୁ ଶିଖାଇଥାଏ ଶୃଙ୍ଖଳା ଓ ସ୍ବାଧୀନତା ମଧ୍ୟରେ କିପରି ତାଳମେଳ ରଖାଯାଇପାରିବ। ସେ ପରିବାର, ସମାଜ ଓ ସଂସ୍କୃତି କିପରି ଏକ ପୂର୍ଣ୍ଣାଙ୍ଗ ମଣିଷ ତିଆରି କରିଥାଏ ତାହା ଦର୍ଶାଇଛନ୍ତି। ଯୌଥପରିବାର ଭାଙ୍ଗିଯିବାରୁ ବୋଧେ ଗତ କିଛି ବର୍ଷ ଧରି ଆମେ ଯୁଗପୁରୁଷଟିଏ ଦେଖିବାକୁ ପାଉନାହେଁ ।
ଭ୍ରୂଣକୁ ଲାଳନ ପାଳନ କଲେ ସିନା ଗଛ ଭଳିଆ ଗଛଟିଏ ପାଇବା। ନ ହେଲେ ଚାରିଆଡ଼େ ଖାଲି ଦେଖିବା ବନସାଇ ସାମ୍ରାଜ୍ୟ। ଭବିଷ୍ୟତରେ ମଧ୍ୟ ଆହୁରି ଭୟାବହ ପରିସ୍ଥିତି ଦେଖିବାକୁ ମିଳିବ।
ପରିବାରରେ ପିଲା ସମ୍ପର୍କ କ’ଣ ଜାଣୁଥିଲା। ସ୍ନେହ, ପ୍ରେମର ସ୍ବରୂପ ଦେଖୁଥିଲା। ପରବର୍ତ୍ତୀ ସମୟରେ ଏହା ତାହାର ସାମାଜିକ ଜୀବନରେ ପ୍ରତିଫଳିତ ହେଉଥିଲା। ଭାଙ୍ଗୁଥିବା ପରିବାର, ବ୍ୟକ୍ତିକୈନ୍ଦ୍ରୀକ ମଣିଷ ଯାହା ଗଢ଼ିତୋଳୁଛି, ଏହା ସମାଜ ଓ ରାଷ୍ଟ୍ରଜୀବନରେ ନକାରାତ୍ମକ ପ୍ରଭାବ ପକାଉଛି। ଆମ ପାଠ ବି ଏ ଦିଗରେ କାରକ ପରି କାମକରୁଛି। ଆମେ ଏବେ ପଢୁଛେ, ଓମେନ୍‌ ଷ୍ଟଡିଜ୍‌, ଜେଣ୍ଡର ଷ୍ଟଡିଜ୍‌ ପ୍ରଭୃତି ବିଭିନ୍ନ ପାଠ୍ୟକ୍ରମ, ଯାହା ବ୍ୟକ୍ତି କୈନ୍ଦ୍ରୀକ ଚିନ୍ତାଧାରାର ପାଳନ ପୋଷଣ କରୁଛି। ଆମ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ଅଗ୍ନିହୋତ୍ରୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପ୍ରସ୍ତାବିତ ଓମେନ୍‌ ଷ୍ଟଡିଜ୍‌ ପାଠ୍ୟକ୍ରମ ବଦଳରେ ସେଣ୍ଟର ଫର୍‌ ଫାମିଲି ଓ କମୁନିଟୀ ଷ୍ଟଡିଜ୍‌ କେନ୍ଦ୍ର ଚାଲୁକରିବା ପାଇଁ ଚେଷ୍ଟା କରିଥିଲେ। ଶିକ୍ଷା ଓ ସଂସ୍କାରରେ ପରିବାରର ଗୁରୁତ୍ୱ ଓ ମହତ୍ତ୍ୱ ବୁଝାଇବାରେ ଆମେ ଯଦି ଆଜି ଅସମର୍ଥ ହେବା ଆମେ ଜଣେ ଜଣେ ଭସ୍ମାସୁରରେ ରୂପାନ୍ତରିତ ହେବା ହିଁ ସାର ହେବ।
ଅଧ୍ୟାପକ, ହିମାଚଳ ପ୍ରଦେଶ କେନ୍ଦ୍ରୀୟ
ବିଶ୍ୱବିଦ୍ୟାଳୟ, ଧର୍ମଶାଳା


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri