ମେଧାବୀ ଆତ୍ମହତ୍ୟା ବଢୁଛ

ହରିହର ତ୍ରିପାଠୀ

ରାଜସ୍ଥାନର କୋଟା ସହରରେ ନିଟ୍‌ ଓ ଆଇଆଇଟି ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କ ଆତ୍ମହତ୍ୟା ବଢ଼ିବା ଘଟଣା ଦେଶରେ ଚହଳ ସୃଷ୍ଟି କରିଛି। କୋଟାକୁ ନିଟ୍‌, ଆଇଆଇଟି ପ୍ରସ୍ତୁତିର କାରଖାନା କୁହାଯାଏ। ଏଠାରେ ଥିବା କୋଚିଂ ଅନୁଷ୍ଠାନରେ ପଢ଼ି ପିଲାଏ ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷାରେ ଯେମିତି ଉତ୍ତୀର୍ଣ୍ଣ ହେଉଛନ୍ତି ଅନୁରୂପ ଭାବେ ଏଠାରେ ଛାତ୍ରୀଛାତ୍ରମାନେ ବିଭିନ୍ନ କାରଣରୁ ଆତ୍ମହତ୍ୟା ବି କରୁଛନ୍ତି। ଦେଶର ସମୁଦାୟ ୨୩ଟି ଆଇଆଇଟିରେ ଛାତ୍ରୀଛାତ୍ରମାନଙ୍କ ଭିତରେ ମଧ୍ୟ ଆତ୍ମହତ୍ୟା ପ୍ରବଣତା ବଢ଼ୁଛି। କିଛିଦିନ ତଳେ ଦୁଇଥର ନିଟ୍‌ ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ଚେନ୍ନାଇର ଏସ୍‌.ଜଗଦୀସରନ ନାମକ ପିଲାଟିଏ ଆତ୍ମହତ୍ୟା କରିଦେଇଥିଲେ। ଏହାର ଦୁଇଦିନ ପରେ ତାଙ୍କ ବାପା ପି. ସେଲଭାଶେଖର ମଧ୍ୟ ଆତ୍ମହତ୍ୟା କରିଥିଲେ। ନିଟ୍‌ରେ ଅକୃତକାର୍ଯ୍ୟ ହେବାରୁ ପୁଅ ଏଭଳି ପଦକ୍ଷେପ ନେଇଥିବା ବେଳେ ବାପା ନିଟ୍‌ ପରୀକ୍ଷା ପଦ୍ଧତିକୁ ଦୋଷାରୋପ କରି ଜୀବନ ହାରିଛନ୍ତି।
ପ୍ରଶ୍ନ ଉଠୁଛି ଏଭଳି ହେଉଛି କାହିଁକି? ଆଇଆଇଟି ଅନୁଷ୍ଠାନ କ’ଣ ଭଗବାନ୍‌? ଏମିତି ପ୍ରଶ୍ନଟିଏ ପଚାରିଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। କୋଟାରେ ମେଧାବୀ ଛାତ୍ରୀଛାତ୍ରମାନଙ୍କ ଆତ୍ମହତ୍ୟା ପରିପ୍ରେକ୍ଷୀରେ ସେ ଏକଥା କହିଛନ୍ତି। ପିତାମାତାମାନଙ୍କ ଭିତରେ ନିଜର ପିଲାମାନଙ୍କୁ ନେଇ ଯେଉଁ ଅତିରିକ୍ତ ଉଚ୍ଚାକାଂକ୍ଷା ଭାବନା ରହୁଛି, ତାହା ଆମର ପିଲାମାନଙ୍କୁ ନିଜର କ୍ୟାରିଅରକୁ ନେଇ ଅତିମାତ୍ରାରେ ସମ୍ବେଦନଶୀଳ କରି ପକାଉଛି ।
ଏହା ଖୁବ୍‌ ବିପଜ୍ଜନକ। ପିଲାମାନେନିଟ୍‌ କିମ୍ବା ଆଇଆଇଟି ଲାଗି ପ୍ରସ୍ତୁତି ଦଶମ ଶ୍ରେଣୀରୁ ଆରମ୍ଭ କରୁଛନ୍ତି । ଏ ଦିଗରେ ଦେଶର କିଛି ନାମୀ କୋଚିଂ ଅନୁଷ୍ଠାନ ପିଲାମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ସେମାନେ ନିଜ ନିଜର କୋଚିଂ ଅନୁଷ୍ଠାନରେ ଡମି ସ୍କୁଲ ଚଳାଉଛନ୍ତି। ପିଲାମାନଙ୍କ ନାଁ ଗୋଟେ ସ୍କୁଲରେ ଗଡ଼ୁଛି, ପାଠପଢ଼ା କୋଚିଂ ଅନୁଷ୍ଠାନର ଏହି ଡମି ସ୍କୁଲରେ ହେଉଛି । ଏହା ଦ୍ୱାରା ପିଲାମାନଙ୍କ ଉପରେ ପଢ଼ାର ପ୍ରବଳ ଚାପ ପଡ଼ୁଛି । ଗୋଟିଏ ପଟେ ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ଭଲ କରିବା ଏବଂ ଅନ୍ୟ ପଟେ ନିଟ୍‌ ବା ଆଇଆଇଟି ପ୍ରବେଶିକା ଲାଗି ପ୍ରସ୍ତୁତି କରିବା। ଏଭଳି ପାଠପଢ଼ାର ଚାପ ଲାଗି ଅନେକ ପିଲା ଜୀବନ ହାରିଦେବାକୁ ବି ପଛାଉ ନାହାନ୍ତି। ସୂଚନାଯୋଗ୍ୟ, କୋଟାରେ ଚଳିତବର୍ଷ ପ୍ରାଣ ହରାଇଥିବା ୨୨ଜଣ ପିଲାଙ୍କ ଭିତରୁ ୧୪ ଜଣ ଏକ ନିର୍ଦ୍ଦିଷ୍ଟ କୋଚିଂ ଅନୁଷ୍ଠାନର; ଯେଉଁ ଅନୁଷ୍ଠାନ କି ନିଟ୍‌ ବା ଆଇଆଇଟି ପ୍ରସ୍ତୁତି ଲାଗି ହାଇସ୍କୁଲସ୍ତରର ପିଲାମାନଙ୍କୁ ନେଇ ଡମି ସ୍କୁଲ ଚଳାଇ ଆସୁଛି।
ଆମର ଅଭିଭାବକମାନେ ନିଜର ପିଲାମାନଙ୍କ ଭବିଷ୍ୟତକୁ ନେଇ ଡ୍ରଗ ଆଡିକ୍ଟ ବା ନିଶାଡ଼ିଙ୍କ ଭଳି କାହିଁକି ହେଉଛନ୍ତି। ଗୋଟେ ପିଲା ଭିତରେ ଲୁଚି ରହିଥିବା ପ୍ରତିଭାକୁ ଦେଖିବା ଲାଗି କାହାରି ନିକଟରେ ଆଖିଥିବା ଭଳି ଲାଗୁନି । ସବୁ ପିଲା ଡାକ୍ତର, ଇଞ୍ଜିନିୟର ହେବେ, ଆଇଟି ବା ସେହିଭଳି ପାଠ ପଢ଼ି ବିଦେଶ ଯିବେ, ମାସିକ ୨ ଲକ୍ଷ ଉପରେ ରୋଜଗାର କରିବେ; ଏମିତି ଏକ ଇଚ୍ଛା ଆମର ମା’ବାପାମାନଙ୍କୁ ଅନ୍ଧ କରିଦେଇଛି। ଏହାର ପ୍ରଭାବରେ ପିଲାଟିଏ ଏବେ ତା’ର ଚାରିପାଖକୁ ଦେଖିବା ବି ବନ୍ଦ କରିଦେଲାଣି।
ଆଜିର ସମୟରେ ନିଟ୍‌, ଆଇଆଇଟି ବା ସେହିଭଳି ଏଣ୍ଟ୍ରାନ୍ସ ଲାଗି ପ୍ରସ୍ତୁତି କରୁଥିବା ପିଲାଏ ସକାଳର ସୂର୍ଯ୍ୟଙ୍କୁ ଦେଖିବା ବନ୍ଦ କରିଦେଇଛନ୍ତି, ତାଙ୍କ ଚାରିପାଖରେ ଥିବା ପ୍ରକୃତିକୁ ଚିହ୍ନି ପାରୁନାହାନ୍ତି। ଏମିତିକି ସେମାନଙ୍କ ଝରକା ପାଖରେ କେବେଠାରୁ କୁନି ଚଢ଼େଇଟିଏ ଆସି ସବୁଦିନ ବସୁଛି ତାକୁ ବି ସବୁଦିନ ଦେଖି ସେ ତାର ଉପସ୍ଥିତିକୁ ଅନୁଭବ କରି ପାରୁନାହାନ୍ତି। ସେମାନଙ୍କୁ ଗୋଟିଏ କଥା ଶିଖାଯାଉଛି ୪ ବର୍ଷ ପରିଶ୍ରମ କର ଜୀବନଯାକ ସୁଖ ପାଇବ! ଏମିତି ଏକ ଆଦର୍ଶର ପଛରେ ଦୌଡ଼ିବାକୁ ଆରମ୍ଭ କରିଥିବା ପିଲାମାନେ ଆମର ଦଶମ ପାସ୍‌ କରିବା ବେଳକୁ ନିଜର ହୃଦୟଟି ହରାଇ ଦେଉଛନ୍ତି। ସେମାନଙ୍କ ନିକଟରେ ଆବେଗ କିଛି ରହୁନି। ପିଲାଟି ଦିନରୁ କେବଳ ମା’ବାପା ବା ଗୋଟିଏ ଭାଇ କି ଭଉଣୀ ପାଖେ ବଢ଼ିଥିବା ଆଜିର ପିଲାଏ ସେଇ ତିନିଜଣଙ୍କ ସହ ବି ସଂପର୍କ ରକ୍ଷା କରି ପାରୁ ନାହାନ୍ତି। ସେମାନଙ୍କ ଆଖି ସାମ୍ନାରେ କେବଳ ଅଧ୍ୟାପକଙ୍କ ନୋଟ୍‌, ଇଣ୍ଟିଗ୍ରେଶନ, ଡେରିଭେଶନ, ଫରମୁଲା ଓ ମକ୍‌ ଟେଷ୍ଟ!
ଏହା ଉପରେ ପୁଣି କୋଚିଂ ଅନୁଷ୍ଠାନମାନଙ୍କ ଚାପ ମଧ୍ୟ ପ୍ରବଳ ହେଉଛି। ଜୀବନ ଯେ କେବଳ ନିଟ୍‌ ବା ଆଇଆଇଟି କ୍ୱାଲିଫାଏ କରିବା ନୁହେଁ, ସେକଥା କେହି ବି ବୁଝିବାକୁ ନାରାଜ। ଆମ ପିଲାମାନେ ବହି ପଢ଼ିବା ଛାଡ଼ି ଦେଇଛନ୍ତି । ନିଜର ପାଠପଢ଼ା ଟେକ୍ସଟ ବହି ବି ପଢ଼ୁନାହାନ୍ତି। କୋଚିଂର ନୋଟ୍‌ ସେମାନଙ୍କ ଲାଗି ଯଥେଷ୍ଟ। ଏହା ସେମାନଙ୍କୁ ବାଧ୍ୟତାମୂଳକ କରାଯାଉଛି। କିଛି ହଷ୍ଟେଲରେ ପିଲାମାନେ ଏଣ୍ଟ୍ରାନ୍ସ ପ୍ରସ୍ତୁତି ବ୍ୟତୀତ ଅନ୍ୟ ବହି ବା ପତ୍ରପତ୍ରିକା ପାଖରେ ରଖିବାର ନିୟମ ବି ନାହିଁ।
‘ପିଲାର ଅନ୍ତର୍ନିହିତ ପ୍ରତିଭାର ବିକାଶ ଦ୍ୱାରା ହିଁ ସେ ଜଣେ ଶ୍ରେଷ୍ଠ ମଣିଷ ହୋଇ ପାରିବ’ ଏଇ ସାଧାରଣ ଜ୍ଞାନ ଯେ ଆମର ଶିକ୍ଷିତ ମା’ବାପାଙ୍କ ପାଖରେ ନାହିଁ ବା ସେମାନଙ୍କୁ ଶିଖାଇବାକୁ ପଡ଼ିବ ତାହା ଆଦୌ ନୁହେଁ । ସମସ୍ତେ ସବୁକଥା ଜାଣନ୍ତି । ମାତ୍ର ମଦ ପିଇଦେଲେ, ନିଶା ଖାଇଦେଲେ ମଣିଷ ଯେମିତି ସବୁ ଭୁଲିଯାଏ ଆମର ଅଭିଭାବକମାନଙ୍କ ଦଶା ଠିକ୍‌ ସେଇଭଳି। ଜୀବନରେ ନିଜେ ନିଟ୍‌ ବା ଆଇଆଇଟି ପାଇ ପାରିନଥିବା, ଭଲ ଅନୁଷ୍ଠାନରେ ପାଠ ପଢ଼ିପାରିନଥିବାର ଅବସୋସ ସେମାନଙ୍କୁ ଅନ୍ଧ କରିଦେଉଛି। ପଡ଼ୋଶୀ, ବନ୍ଧୁବର୍ଗଙ୍କ ସହ ପ୍ରତିଯୋଗିତା ମନୋଭାବ ସେମାନଙ୍କୁ ନିଜର ପିଲାର ମନ ଭିତରକୁ ଉଙ୍କି ମାରି ଚାହିଁବାକୁ ଦେଉନି। ଏହା ସହିତ କୋଚିଂ ଅନୁଷ୍ଠାନମାନଙ୍କର ମନି ମେକିଂ ମେଶିନ୍‌ର ଯୋଜନା ଆମର ପିଲାମାନଙ୍କୁ ଚାପଗ୍ରସ୍ତ କରିବାକୁ ଯଥେଷ୍ଟ ଉପାଦାନ ଯୋଗାଡ଼ କରିଦେଉଛି।
ଥରେ ଆମେ ମା’ବାପା ଅଭିଭାବକମାନେ ଆସନ୍ତୁ ନିଜକୁ ଦେଖିବା। ଆମେ ଆମର ମା’ବାପାଙ୍କ ଲାଗି କ’ଣ କରିଛେ? ଆଜି ଆମେ ଯେଉଁଭଳି ଭାବେ ଶିକ୍ଷିତ ହୋଇ ଚାକିରି ବାକିରି ବା ବ୍ୟବସାୟ କରିଛେ, ତାହାଫଳରେ ଗାଁ ଛାଡ଼ି ସହରଟିରେ ବସା ବାନ୍ଧିଛେ, ଯେଉଁଠି ସଂପର୍କ କହିଲେ ୨/୪ଜଣ ଲୋକ କେବଳ। ଆମର ପରିଧି ଭିତରେ ଆମ ନିଜର ମା’ବାପା ବି ସ୍ଥାନ ପାଇବା କାଠିକର ପାଠ ହେଉଛି । ତେବେ ଆମେ ଆମର ପିଲାମାନଙ୍କୁ ଯେଉଁଭଳି ମେଶିନ୍‌ରେ ପରିଣତ କରୁଛୁ, ସେମାନଙ୍କ ଭବିଷ୍ୟତ ଜୀବନ କ’ଣ ହେବ? ଏକଥା ସତ୍ୟ ସେମାନଙ୍କ ଦରମା ବାର୍ଷିକ ଆଠ ଅଙ୍କ ବି ଛୁଇଁଯାଇପାରେ, ମାତ୍ର ସେମାନେ କ’ଣ ମଣିଷ ହୋଇ କି ଥିବେ ? ସେଇ ଆଠଅଙ୍କର ଅର୍ଥକୁ ଉପଭୋଗ କରିବାକୁ ସେମାନଙ୍କ ପାଖେ ମନ, ଆବେଗ ଓ ସଂପର୍କ ଥିବ ତ? ବିଚାର କରିବା ଆସନ୍ତୁ !
ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା
ମୋ: ୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri