ଶିକ୍ଷାରେ ନୂତନତା

ଭାରତରେ ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି। ବିଶେଷକରି ପାରମ୍ପରିକ ଚାକିରି ଅସଂଖ୍ୟ ଯୁବପିଢ଼ିଙ୍କ ଚାହିଦା ପୂରଣ କରିପାରୁ ନ ଥିବାରୁ ନୂଆ ଧରଣର ନିଯୁକ୍ତି ଲାଗି ପରିସର ବ୍ୟାପକ ହେଉଛି। ଏଭଳି ସନ୍ଦିକ୍ଷଣରେ ଦେଶର କେତେକ ଘରୋଇ ବିଶ୍ୱବିଦ୍ୟାଳୟ ସମୟ ଉପଯୋଗୀ ପାଠ୍ୟକ୍ରମ ପ୍ରଚଳନ କରିବାକୁ ଆଗେଇ ଆସିଛନ୍ତି। ସେଗୁଡ଼ିକ ମଧ୍ୟରେ ଫିଜିଓଥେରାପି, ଫୋରେନ୍‌ସିକ୍‌ ସାଇନ୍ସ ବା ଅପରାଧ ଅନୁସନ୍ଧାନ ବିଜ୍ଞାନ, ଖାଦ୍ୟ ବିଜ୍ଞାନ ଓ ପ୍ରଯୁକ୍ତି, ବିପର୍ଯ୍ୟୟ ପରିଚାଳନା, କ୍ଲାଉଡ୍‌ ଇଞ୍ଜିନିୟରିଂ ଏବଂ ସ୍ପୋର୍ଟସ ସାଇନ୍ସର ଚାହିଦା ସର୍ବାଗ୍ରେ ରହୁଛି। କୋଭିଡ୍‌-୧୯ ଯୋଗୁ ବହୁଲୋକ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେତେବେଳେ ଡାକ୍ତରଖାନାଗୁଡ଼ିକ ଫିଜିକାଲ ଟ୍ରେନିଂ ବା ପିଟିରେ ଅଭିଜ୍ଞତା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଭଡ଼ାରେ ଆଣି ରୋଗୀଙ୍କୁ ସେବା ଯୋଗାଇଥିଲେ। ଏଥିସହିତ ପୂର୍ବାପେକ୍ଷା ଲୋକେ ଫିଟ୍‌ ରହିବାକୁ ଚାହୁଁଥିବାରୁ ସେମାନଙ୍କୁ ଆବଶ୍ୟକ ବ୍ୟାୟାମ କୌଶଳ ଓ ପରାମର୍ଶ ଦେବା ନିମନ୍ତେ ଫିଜିଓଥେରାପିଷ୍ଟଙ୍କ ଭୂମିକା ଗୁରୁତ୍ୱ ବହନ କରୁଛି। ସେହିପରି ନୂଆ ଧରଣର ଅପରାଧ ବଢ଼ୁଥିବାରୁ ଅପରାଧ ଅନୁସନ୍ଧାନ ବିଜ୍ଞାନର ଚାହିଦା ବଢ଼ିଛି। ପୂର୍ବରୁ ବିଜ୍ଞାନ ପାଠ୍ୟକ୍ରମ ପଢ଼ି ଚାକିରି ପାଉଥିବା ବ୍ୟକ୍ତିଙ୍କୁ ଏହି ଦିଗରେ ପ୍ରଶିକ୍ଷଣ ଦିଆଯାଉଥିଲା। ଏବେ ଯେଉଁମାନେ ସିଧାସଳଖ ସେହି ପାଠ୍ୟକ୍ରମ ବା ବିଷୟ ପଢ଼ିଥିବେ ସେମାନଙ୍କୁ ନିଯୁକ୍ତି ଦେବା ଅଧିକ ଉପଯୋଗୀ ହୋଇପାରିବ। ଅନୁରୂପ ଭାବେ ଦେଖିଲେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ ମନୁଷ୍ୟକୃତ କାର୍ଯ୍ୟରୁ ସୃଷ୍ଟି ହେଉଥିବା ଅସ୍ବାଭାବିକ ସ୍ଥିତିକୁ ମୁକାବିଲା କରିବା ସକାଶେ ବିପର୍ଯ୍ୟୟ ପରିଚାଳନା ପାଠ ପଢ଼ି ତାଲିମପ୍ରାପ୍ତ ଯୁବତୀଯୁବକ ଅଧିକ ସହାୟକ ହୋଇପାରିବେ। ରାସାୟନିକ ଖାଦ୍ୟ ପରିମାଣ ବୃଦ୍ଧି ଓ ଅତ୍ୟାଧୁନିକ ଜୀବନଚର୍ଚ୍ଚା ଯୋଗୁ ଲାଇଫ୍‌ଷ୍ଟାଇଲ୍‌ ଡିଜିଜ୍‌ ବଢ଼ୁଥିବାରୁ ଖାଦ୍ୟ ବିଜ୍ଞାନ ଓ ପ୍ରଯୁକ୍ତିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି। ବେଙ୍ଗାଲୁରୁଭିତ୍ତିକ ରେଭା ଘରୋଇ ବିଶ୍ୱବିଦ୍ୟାଳୟ ଚଳିତବର୍ଷ ସ୍ପୋର୍ଟସ ସାଇନ୍ସ ବା କ୍ରୀଡ଼ା ବିଜ୍ଞାନ ପାଠ୍ୟକ୍ରମ ପ୍ରଚଳନ କରିଛି। ଏହି ବିଷୟ ପଢ଼ି ପ୍ରଶିକ୍ଷିତ ହୋଇଥିବା ଆଶାୟୀଙ୍କୁ କ୍ରୀଡ଼ା ସଙ୍ଗଠନ ବା କମ୍ପାନୀଗୁଡ଼ିକ ଫିଟ୍‌ନେସ୍‌ ପରାମର୍ଶଦାତା ଭାବେ ନିଯୁକ୍ତି ଦେବାର ସମ୍ଭାବନା ରହିଛି। ସେହିଭଳି ପ୍ରତ୍ୟେକ ସଂସ୍ଥା ନିଜର ତଥ୍ୟ ଓ୍ବେବ୍‌ରେ ସୁରକ୍ଷିତ ଭାବେ ସାଇତି ରଖିବା ଲାଗି ଆଇଟି ବିଭାଗକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି। ଯେହେତୁ ବିଶ୍ୱବ୍ୟାପୀ ହ୍ୟାକିଂ କରାଯାଇ ତଥ୍ୟ ଚୋରି କିମ୍ବା ବ୍ୟବସ୍ଥାକୁ ନଷ୍ଟ କରିଦିଆଯାଇପାରୁଛି, ସେଥିପାଇଁ କ୍ଲାଉଡ୍‌ ଇଞ୍ଜିନିୟରିଂର ଆବଶ୍ୟକତା ବଢୁଛି। ଆଲୋଚ୍ୟ ପାଠ୍ୟକ୍ରମ ବାହାରେ ଆହୁରି ବିଷୟବସ୍ତୁ ସମୟର ଆବଶ୍ୟକତା ଅନୁଯାୟୀ ଆସିପାରିବ, ଯାହାକୁ ପରବର୍ତ୍ତୀ ସମୟରେ ସନ୍ନିବେଶିତ କରାଯାଇପାରେ।
ନୂତନ ଧରଣର ପାଠ୍ୟକ୍ରମ ପ୍ରତି ଯୁବବର୍ଗଙ୍କ ଚାହିଦା ବଢ଼ୁଥିଲେ ମଧ୍ୟ ପାରମ୍ପରିକ ବିଷୟ ଯଥା-ପଦାର୍ଥ ବିଜ୍ଞାନ, ମେକାନିକାଲ ଇଞ୍ଜିନିୟରିଂ, ଅର୍ଥନୀତି ଆଦିର ଗୁରୁତ୍ୱ ରହିଛି। ଏହି ବିଷୟଗୁଡ଼ିକରେ ନିଯୁକ୍ତି ସୁଯୋଗ ସୀମିତ ଥିବାରୁ ନୂଆ ପାଠ୍ୟକ୍ରମରେ ପ୍ରଶିକ୍ଷିତ ଆଶାୟୀଙ୍କୁ ଅପେକ୍ଷାକୃତ ଶୀଘ୍ର ଚାକିରି ମିଳିବାର ସୁଯୋଗ ଅଧିକ ରହିଛି। ରେଭା ଭଳି ଘରୋଇ ବିଶ୍ୱବିଦ୍ୟାଳୟ ଏବେ ଭିନ୍ନ ଚିନ୍ତାଧାରା ନେଇ ନୂଆ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଦୁଃଖର ବିଷୟ ଯେ, ଓଡ଼ିଶାରେ ଅନେକ ବିରାଟକାୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଥିବା ସତ୍ତ୍ୱେ ନୂତନ ଚିନ୍ତାଧାରାକୁ କେହି ଆପଣାଉ ନାହାନ୍ତି। ପିଲାଙ୍କ ଭବିଷ୍ୟତ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ଭିତ୍ତିଭୂମି, ଲ୍ୟାଣ୍ଡ୍‌ବ୍ୟାଙ୍କ ସୃଷ୍ଟି ଏବଂ ବ୍ୟବସାୟିକ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ଓଡ଼ିଶା ଏକ ଶୈକ୍ଷିକ କେନ୍ଦ୍ରବିନ୍ଦୁ ହେବାରେ ବିଫଳ ହେଉଛି। ଗତାନୁଗତିକ ଶିକ୍ଷାର ଭବିଷ୍ୟତ କ୍ରମଶଃ ସଙ୍କୁଚିତ ହୋଇଯାଉଛି। ସେଥିପାଇଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେଠାରୁ ପରିବର୍ତ୍ତନ ଆଣିବା ଅତ୍ୟନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri