ପ୍ରଭାବହୀନ ଜି୨୦

ନୂଆଦିଲ୍ଲୀଠାରେ ୧୮ତମ ଜି୨୦ ସମ୍ମିଳନୀ ୧୦ ସେପ୍ଟେମ୍ବରରେ ଶେଷ ହୋଇଛି। ଏଥିରେ ନିଆଯାଇଥିବା ସବୁଠାରୁ ବଡ଼ ନିଷ୍ପତ୍ତି ମଧ୍ୟରେ ରହିଛି ଆଫ୍ରିକୀୟ ସଂଘ (ଏୟୁ)କୁ ବୃହତ୍‌ ମଞ୍ଚରେ ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରାଯିବା ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍‌ଇଇ-ଇସି) ଘୋଷଣା। ଆଫ୍ରିକୀୟ ସଂଘକୁ ସଦସ୍ୟତା ଦିଆଯିବା ଦ୍ୱାରା ଜି୨୦ ଅଧିକ ଶକ୍ତିଶାଳୀ ହୋଇଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଇଏମ୍‌ଇଇ-ଇସିରେ ସଦସ୍ୟ ରାଷ୍ଟ୍ର ଭାବେ ଭାରତ, ଆମେରିକା, ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବିଆ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ସମେତ ୟୁରୋପୀୟ ସଂଘର ଅନ୍ୟ ଦେଶଗୁଡ଼ିକ ରହିଛନ୍ତି। ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଅଂଶ ଏସିଆ, ମଧ୍ୟପ୍ରାଚ୍ୟ, ୟୁରୋପ ଓ ଆମେରିକା ସହ ଅର୍ଥନୈତିକ ସହଯୋଗ ଏବଂ ବୃହତ୍‌ ଯୋଗାଯୋଗ ବୃଦ୍ଧି ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିଶ୍ୱ ନେତାମାନେ କହିଛନ୍ତି। ଏଥିରେ ଦୁଇଟି ଅଲଗା କରିଡର ରହିବ। ପ୍ରଥମରେ ଭାରତ ସହିତ ମଧ୍ୟପ୍ରାଚ୍ୟ ଯୋଡ଼ାଯିବ ଓ ଦ୍ୱିତୀୟରେ ମଧ୍ୟପ୍ରାଚ୍ୟରୁ ୟୁରୋପକୁ ଏବଂ ଅନ୍ୟାନ୍ୟ ରାଷ୍ଟ୍ରକୁ ସଂଯୋଗ କରାଯିବ। ଦକ୍ଷିଣ ଏସିଆରୁ ୟୁରୋପ ଯାଏ ଜାହାଜ ଓ ରେଳପଥକୁ ପରିବହନର ମାଧ୍ୟମ କରାଯାଇଛି।
ଉପରବର୍ଣ୍ଣିତ କରିଡର ଘୋଷଣା ପଛରେ ଚାଇନାର ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ)କୁ ଟକ୍କର ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଥିବା ଆଲୋଚନା ହେଉଛି। ଉଲ୍ଲେଖଯୋଗ୍ୟ ଯେ, ‘ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌’ ଭାବେ ୨୦୧୩ରେ ଚାଇନା ଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଜରିଆରେ ବିଶ୍ୱର ୧୫୦ଟି ଦେଶରେ ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଥିଲା। ଏହାର ଉଦ୍ୟେକ୍ତା ଥିଲେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ। ଇତିମଧ୍ୟରେ ଚାଇନା ଅର୍ଥନୀତିରେ ସଙ୍କଟ ଦେଖାଦେଇଥିବାରୁ ଏହି ପ୍ରକଳ୍ପ ତା’ର ଲକ୍ଷ୍ୟ ହାସଲ ଦିଗରେ ଧିମେଇ ଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ଜିନ୍‌ପିଙ୍ଗ ଅନୁପସ୍ଥିତ ଥିବାରୁ ଆମେରିକା ପ୍ରୋତ୍ସାହନରେ ଭରତ ଆଇଏମ୍‌ଇଇ-ଇସିକୁ ଚୂଡ଼ାନ୍ତ ରୂପ ଦେଇଛି। କିନ୍ତୁ ମନେରଖିବାକୁ ହେବ ଯେ, ଭାରତର ରପ୍ତାନି କୌଣସି ଭାବେ ରେଳ ବା ସଡ଼କ ପଥରେ ସିଧାସଳଖ ଅନ୍ୟ କୌଣସି ଦେଶକୁ ପଠାଇହେବ ନାହିଁ। ଉତ୍ତର-ପଶ୍ଚିମରେ ପାକିସ୍ତାନ ଓ ତା’ ପରେ ଆଫଗାନିସ୍ତାନ ଦେଇ ଯୋଗାଯୋଗ ସମ୍ଭବପର ନୁହେଁ। ଅନୁରୂପ ଭାବେ ଉତ୍ତର-ପୂର୍ବରେ ହିମାଳୟ ଓ ତା’ପରେ ଚାଇନା ଦେଇ ଯୋଗାଯୋଗ ଅତ୍ୟନ୍ତ କଷ୍ଟକର। ବାକି ରହିଲା ମ୍ୟାନ୍‌ମାର (ବର୍ମା)। ସେହି ଦେଶର ଅନ୍ୟସବୁ ଆସିଆନ୍‌ ରାଷ୍ଟ୍ରଗୁଡ଼ିକ ସହିତ ବୃଦ୍ଧି ପାଉଥିବା ତିକ୍ତତା ଯୋଗୁ ତାହା ମଧ୍ୟ ଏକ ମାଧ୍ୟମ ହୋଇପାରିବ ନାହିଁ। ଭାରତରୁ ଅଧିକ ପରିମାଣରେ ସାମଗ୍ରୀ ରପ୍ତାନି କରିବାକୁ ହେଲେ ସମୁଦ୍ରପଥ ହେବ ଏକମାତ୍ର ମାଧ୍ୟମ। ଏହାବ୍ୟତୀତ ଉକ୍ତ ଘୋଷଣାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବାଧା ରହିଛି। ମଧ୍ୟପ୍ରାଚ୍ୟରୁ ଅନେକ ଶରଣାର୍ଥୀ ୟୁରୋପର ବିଭିନ୍ନ ଦେଶରେ ପ୍ରବେଶ କରିବାକୁ ଚାହାନ୍ତି। ଜି୨୦ର ଏହି ନିଷ୍ପତ୍ତିକୁ ତୁର୍କୀ ଭଳି ଅନେକ ଦେଶ ସକ୍ରିୟ ଭାବେ ବିରୋଧ କରିବେ। ସଡ଼କ ପଥ ସୃଷ୍ଟି ହୋଇଗଲେ ଶରଣାର୍ଥୀ କିମ୍ବା ବେଆଇନ ପ୍ରବେଶକାରୀଙ୍କ ସୁଅ ଛୁଟିବ, ଯାହାକୁ କୌଣସି ୟୁରୋପୀୟ ଦେଶ ପସନ୍ଦ କରିବେ ନାହିଁ।
ଜି୨୦ରେ ଅର୍ଥନୈତିକ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ବିଶ୍ୱ ଶାନ୍ତି ଏହାର ବୈଶିଷ୍ଟ୍ୟ ମଧ୍ୟରେ ସ୍ଥାନ ପାଇଥାଏ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସମଗ୍ର ବ୍ରହ୍ମାଣ୍ଡକୁ ବିଚଳିତ କରିଦେଇଥିବା ବେଳେ ନୂଆଦିଲ୍ଲୀ ଘୋଷଣାନାମାରେ ଏ ଦିଗରେ ଦୃଢ଼ ନିଷ୍ପତ୍ତି ନିଆଯାଇପାରି ନାହିଁ। ରୁଷିଆକୁ ନିନ୍ଦା କରାଯାଇ ନ ଥିବା ବେଳେ ୟୁକ୍ରେନ୍‌ ନାମ ନିଆଯାଇ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ବିଶ୍ୱ ନେତାମାନେ ଆହ୍ବାନ ଦେଇଥିବା କୁହାଯାଇଛି। ସତେଯେମିତି ୟୁକ୍ରେନ୍‌ ହେଉଛି ପ୍ରଥମ ଆକ୍ରମଣକାରୀ ଦେଶ। ନୂଆଦିଲ୍ଲୀ ଘୋଷଣାନାମାରେ ଅନ୍ୟ ଭୂଖଣ୍ଡ ଦଖଲ ଓ କ୍ଷେତ୍ରୀୟ ଅଖଣ୍ଡତା ବିରୋଧରେ ବଳ ପ୍ରୟୋଗ କରିବା ବା ଧମକ ଦେବା ଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଅର୍ଥାତ୍‌ ଘୋଷଣାନାମାକୁ ପାଣିଚିଆ କରିଦିଆଯାଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ନୂଆଦିଲ୍ଲୀ ଜି୨୦ ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଅନୁପସ୍ଥିତ ରହିଥିଲେ। ଏହି ଦୁଇ ବିଶ୍ୱନେତାଙ୍କ ଅନୁପସ୍ଥିତି ପ୍ରମାଣ କରିଦେଉଛି ଯେ, ଅନ୍ତର୍ଜାତୀୟ କୂଟନୀତିକୁ ଗତିଶୀଳ କରାଇବାରେ ଭାରତ ସଫଳ ହୋଇନାହିଁ ଏବଂ ଜି୨୦ ସମ୍ମିଳନୀର ଗୁରୁତ୍ୱ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି।
ନୂଆଦିଲ୍ଲୀରେ ଜି୨୦ ଆୟୋଜନ କରିବା ଲାଗି ଭାରତ ସରକାର ୪,୧୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ତେବେ ଭାରତ ସରକାର ଏହି ଜି୨୦ର ବର୍ଷିକିଆ ଅଧ୍ୟକ୍ଷତା ଦାୟିତ୍ୱକୁ ନିଜର ଏକ ବିରାଟବଡ଼ ସଫଳତା ଭାବେ ଦର୍ଶାଇବାକୁ ଚେଷ୍ଟା କରି ବିଫଳ ହେଲା। ତାହା ଦେଶର ଭାବମୂର୍ତ୍ତି କିମ୍ବା ନାଗରିକଙ୍କ ଜୀବନଶୈଳୀରେ କୌଣସି ପ୍ରଭାବ ପକାଇଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri