ଆଉଟସୋର୍ସିଂର ଭାରତୀୟକରଣ

ଅରୁଣ କୁମାର ତ୍ରିପାଠୀ

ଦୀପାବଳି ଅବସରରେ ଓଡ଼ିଶା ସରକାର ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କ ୨୫% ଦରମା ବୃଦ୍ଧି ଘୋଷଣା କରିଛନ୍ତି। ଏଥିନିମନ୍ତେ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି। ଏହାଦ୍ୱାରା ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩,୦୦୦ କର୍ମଚାରୀ ଉପକୃତ ହେବେ। ତେବେ ଉକ୍ତ ଆଲେଖ୍ୟରେ ଶୁଣିବାକୁ ଭଲ ଲାଗୁଥିବା ଏହି ପ୍ରସ୍ତାବ ସମ୍ପର୍କିତ ବିଭିନ୍ନ ବିଭବ ଆଲୋଚନା କରାଯାଇଛି।
ଶିଳ୍ପ ବିପ୍ଳବ ସମୟରେ ଶିଳ୍ପ ସମୂହ ସେମାନଙ୍କ ଅନୁଷ୍ଠାନକୁ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ସ୍ଥାପନ କରିବାକୁ ଲାଗିଲେ। ଶିଳ୍ପ ବିପ୍ଳବ ପରଠାରୁ, ଶିଳ୍ପମାନ ସେମାନଙ୍କର ବଜାର ଏବଂ ଲାଭ ବୃଦ୍ଧି ପାଇଁ ପ୍ରତିଯୋଗିତାମୂଳକ ପରିସ୍ଥିତି କିଭଳି ସାମ୍ନା କରିବେ ସେନେଇ ବିଚାର ବିମର୍ଷ ପରେ ‘ଆଉଟସୋର୍ସିଂ’ ଶବ୍ଦଟିର ଉନ୍ମେଷ ହେଇଥିଲା; ଯାହାର ବୈଶିଷ୍ଟ୍ୟ ଥିଲା, ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ଅଥବା ସ୍ବତନ୍ତ୍ର ଗୁଣସମ୍ପନ୍ନ ବ୍ୟକ୍ତିତ୍ୱ ସ୍ବଳ୍ପ ସମୟରେ ନିଜସ୍ବ ସେବା ଯୋଗାଇ ଉପଯୁକ୍ତ ପାରିଶ୍ରମିକ ଲାଭ କରିବେ ଏବଂ ସେବା ଗ୍ରହଣ କରୁଥିବା ସଂସ୍ଥାର ଉତ୍ପାଦିକତା ବୃଦ୍ଧି। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଧାରାଟି ଅନ୍ୟଭାବେ ବ୍ୟବହୃତ ହୋଇଗଲା। କେବଳ ସ୍ବତନ୍ତ୍ର କର୍ମ ସମ୍ପାଦନ ନିମିତ୍ତ ସୃଜିତ ହୋଇଥିବା ପରମ୍ପରା କାଳକ୍ରମେ ନିତ୍ୟ ନିୟମିତ କାର୍ଯ୍ୟ ଆଡ଼କୁ ଅଗ୍ରସର ହୋଇଅଛି। ଅନ୍ୟସ୍ଥାନରେ ନୂତନ ଉପାଂଶ ସୃଷ୍ଟି ଏବଂ ତାହାର ପରିଚାଳନା ନିମନ୍ତେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉଟସୋର୍ସିଂର ବହୁଳ ବ୍ୟବହାର କରାଗଲା। ଏକବିଂଶ ଶତାବ୍ଦୀର ଅୟମାରମ୍ଭ ସହ ଆଉଟସୋର୍ସିଂ ଶବ୍ଦର ମାନ ଏବଂ ଗୁଣରେ ଅନେକାଂଶରେ ପରିବର୍ତ୍ତନ ହୋଇଅଛି। କଳକାରଖାନାଗୁଡ଼ିକରେ ଜନ୍ମଲାଭ କରିଥିବା ଏହି ଶବ୍ଦ କାଳକ୍ରମେ ସରକାରୀ ସଂସ୍ଥାରେ ପ୍ରବେଶ ହୋଇଥିଲା।
ବିକାଶଶୀଳ ଅର୍ଥବ୍ୟବସ୍ଥାରେ ନିୟମିତ ପଦବୀରେ ନିୟୋଜନ କରାଗଲେ ଅର୍ଥବିଭାଗରେ ଯେଉଁ ବୋଝ ପଡ଼ନ୍ତା ତାହାର ପ୍ରାୟତଃ ୩୦% ଖର୍ଚ୍ଚରେ ଆଉଟସୋର୍ସିଂରେ ସେହି କାର୍ଯ୍ୟ ସମ୍ପାଦିତ ହୋଇପାରେ। ଉଦାହରଣ ସ୍ବରୂପ ପ୍ରଥମତଃ ନିୟୋଜନର ବିଜ୍ଞାପନ ବାବଦର ଖର୍ଚ୍ଚକାଟ୍‌। ଯଦି ବିଜ୍ଞାପନରେ କୌଣସି ତ୍ରୁଟିବିଚ୍ୟୁତି ରହିଗଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କୌଣସି ପ୍ରତ୍ୟାଶୀ ନ୍ୟାୟାଳୟର ଆଶ୍ରୟ ନେଇଗଲେ, ସେବେ ସଂପୃକ୍ତ ବିଜ୍ଞାପନ ବିନା ଅଗ୍ରଗତିରେ ରହିଯାଉଥିଲା, ତଥା କାର୍ଯ୍ୟାଳୟର ମାନ ପ୍ରଭାବିତ ହେଉଥିଲା; ଯେଉଁଥିପାଇଁ ସାଧାରଣ ଜନତା ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ତାଲିମ ନିମନ୍ତେ ଯାହା ଖର୍ଚ୍ଚ ସେୟା ମଧ୍ୟ ସଞ୍ଚୟ ହେଉଅଛି। କର୍ମଚାରୀଗଣ ପରବର୍ତ୍ତୀ ସମୟରେ ଦରମା ବୃଦ୍ଧି ଆଉ ଅନ୍ୟାନ୍ୟ ସୁବିଧା ସୁଯୋଗରେ ବୃଦ୍ଧି ନିମନ୍ତେ ‘ତାଲାବନ୍ଦ’ ଆନ୍ଦୋଳନ କରିବା ଦ୍ୱାରା ସେବା ପ୍ରଦାନ ବନ୍ଦ ରହୁଥିଲା, ସେହି ସମସ୍ୟାର ମଧ୍ୟ ସମାଧାନ କରେଇଲା ଆଉଟସୋର୍ସିଂ, କାରଣ ଏଥିରେ ନିୟୋଜିତ କର୍ମଚାରୀ ସେହିସବୁ କର୍ମ କରିବେନି ବୋଲି ବାଇଦା କରନ୍ତି। ଦରମାରେ ନିୟମିତ ବୃଦ୍ଧି ତଥା ଅବସର ସୁବିଧା ସୁଯୋଗ ଆଉଟସୋର୍ସିଂ କର୍ମଚାରୀଙ୍କୁ ମିଳେନି, ଫଳତଃ କମ୍‌ ଖର୍ଚ୍ଚରେ ସମସ୍ତ ସମସ୍ୟାରୁ ମୁକ୍ତି ନିମିତ୍ତ ଆଜି ଆଉଟସୋର୍ସିଂ ସାଜିଛି ସଞ୍ଜୀବନୀ।
ଉକ୍ତ ଆଲେଖ୍ୟ ନିମିତ୍ତ ବିଭିନ୍ନ ଅନୁଷ୍ଠାନରେ ନିୟୋଜିତ ଆଉଟସୋର୍ସିଂ କର୍ମଚାରୀଙ୍କ ସାକ୍ଷାତ୍‌କାର କରାଯାଇ ସେମାନଙ୍କ ସମସ୍ୟା ତଥା ତାହାର ସମାଧାନ ନିମିତ୍ତ କିଛି ପ୍ରୟାସ କରାଯାଇ ଅଛି । ବର୍ତ୍ତମାନ ସମୟରେ ନିୟୋଜନର ଘୋର ଅଭାବ। ଆଉ ଏହି ଘଡ଼ିସନ୍ଧି ସମୟରେ ଯୁବପିଢ଼ି ଯେକୌଣସି ଉପାୟରେ ହେଉ କର୍ମସଂସ୍ଥାନ ନିମିତ୍ତ ଆପ୍ରାଣ ଉଦ୍ୟମ କରୁଛନ୍ତି। ପ୍ରଥମରେ ସେମାନଙ୍କୁ କୌଣସି ସେବାପ୍ରଦାନକାରୀ ସଂସ୍ଥାରେ ପଞ୍ଜୀକରଣ ନିମନ୍ତେ କିଛି ପାରିଶ୍ରମିକ ଦେବାକୁ ପଡ଼େ, ଯାହା କିଛି ଆନୁଷ୍ଠାନିକ ଏବଂ ବହୁଳ ମାତ୍ରାରେ ଅଣଆନୁଷ୍ଠାନିକ। ଯେଉଁ ସମୟରେ ସେମାନେ ନିୟୋଜିତ ହୁଅନ୍ତି କିଛି କ୍ଷଣ ହସଖୁସିରେ କଟେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟରେ ବହୁଳ ମାତ୍ରାରେ ପରିବର୍ତ୍ତନ ହୁଏ। ବୟସ ବଢ଼ିବା ସହ ସେମାନଙ୍କ ଅଭିଜ୍ଞତାରେ ବୃଦ୍ଧିହୁଏ, କିନ୍ତୁ ପାରିଶ୍ରମିକ ବୃଦ୍ଧି ହୁଏନି। ଛଟେଇ ଡରର ଛାଟ ସେମାନଙ୍କ ଉପରେ ପ୍ରତିମୁହୂର୍ତ୍ତରେ ପ୍ରହାର ହୁଏ। ସମାନ କର୍ମ ନିମିତ୍ତ ସମାନ ଦରମା ନୀତି ସେମାନଙ୍କ କ୍ଷେତ୍ରରେ ଲାଗୁ ହୁଏନି।
କେନ୍ଦ୍ର ସରକାରଙ୍କ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ନିର୍ଦ୍ଦେଶନାମାନୁସାରେ ସାଧାରଣ ଶ୍ରମ ଏବଂ ଆକସ୍ମିକ ଶ୍ରମ ନିମନ୍ତେ ବିଭାଗୀକରଣ କରାଯାଇଛି।
କିନ୍ତୁ ଆଉଟସୋର୍ସିଂ କର୍ମଚାରୀଙ୍କ ଯୋଗ୍ୟତାର ମୂଲ୍ୟାଙ୍କନ ନିମିତ୍ତ କିଛି ମାପଦଣ୍ତର ଅଭାବ ରହିଛି।
ଫଳତଃ ଶ୍ରମିକଙ୍କ ନିକିତିରେ ସେମାନଙ୍କ ଶ୍ରମ ତଉଲି ପାରିଶ୍ରମିକ ନିର୍ଦ୍ଧାରଣ କରାଯାଏ। ବିଭିନ୍ନ ସାମାଜିକ ସୁରକ୍ଷାରେ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ ମଧ୍ୟ ସଂପୃକ୍ତ ସେବାପ୍ରଦାନକାରୀ ସଂସ୍ଥା ନିୟମିତ ପ୍ରଦାନ କରିପାରେନି। ସେମାନଙ୍କ ମୂଳପ୍ରାପ୍ୟ ମଧ୍ୟ ଅନେକଦିନ ପରେ ମିଳେ। କର୍ମ ଯଦିଓ କିଛିମାତ୍ରାରେ ଅଧିକ ସମ୍ପାଦିତ କରନ୍ତି କିନ୍ତୁ ବାଛବିଚାରର ସାମ୍ନା କରିବାକୁ ପଡ଼େ। ମାନସିକ ଚାପରେ ରହି ମଧ୍ୟ ଅନୁଷ୍ଠାନର ସେବାରେ ସେମାନେ ପ୍ରତିନିମିଷକୁ ଉତ୍ସର୍ଗୀକୃତ କରନ୍ତି କେବଳ ସେହି ଆଶାରେ ଯେ, କେବେ ତ ସରକାରଙ୍କ କୃପାଦୃଷ୍ଟି ସେମାନଙ୍କ ଉପରେ ପଡ଼ିବ ଏବଂ ସେମାନେ ନିଜର ସ୍ବପ୍ନର ସୌଧ ଗଢ଼ିବେ। ସେମାନଙ୍କୁ ନିଜର ଅଭିଜ୍ଞତା ନିମିତ୍ତ ଅନୁଷ୍ଠାନରୁ ପ୍ରମାଣପତ୍ର ବି ମିଳେନା, ଫଳତଃ ସେମାନଙ୍କ ଅଭିଜ୍ଞତା ଅନ୍ୟସ୍ଥାନରେ ପ୍ରତିଫଳନ କରେଇପାରନ୍ତିନି। ଏତଦ୍‌ବ୍ୟତୀତ ଏକଚାଟିଆ ଶାସନ କିଛିମାତ୍ରାରେ ଦେଖିବାକୁ ମିଳେ। ସେମାନଙ୍କ ସମୟ ଏହିଭଳି ଭାବେ ଶୋଷିତ ହୁଏ, ସେମାନେ ପରିବାର ତଥା ନିଜସ୍ବ ବିକାଶରେ ସ୍ବଳ୍ପ ସମୟ ହିଁ ପାଆନ୍ତି। ଆଉ ସାମାଜିକ ସ୍ଥିତି କହିଲେ, ସେମାନେ ସର୍ବଦା ନିଜର ପଦବୀ ଲୁଚେଇ ପରିଚୟ ଦିଅନ୍ତି।
ଓଡ଼ିଶା ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଆଉଟସୋର୍ସିଂ କର୍ମଚାରୀ ମୁହଁରେ ହସ ଖେଳେଇଦେଇଛି। ଏହିଭଳି ଘୋଷଣାନାମା ନିୟମିତ ବ୍ୟବଧାନରେ କରାଯିବା କଥା। ଏଥିସହ ସରକାର ଆଉ କିଛି ପଦକ୍ଷେପ ନେଲେ ଅନେକ ପରିବାର ଯେଉଁମାନେ ଆଉଟସୋର୍ସିଂ ଉପରେ ନିର୍ଭରଶୀଳ ଅଛନ୍ତି ସେମାନେ ଉପକୃତ ହୁଅନ୍ତେ।
୧. ସମାନ କାମକୁ ସମାନ ଦରମା ନୀତି ସେମାନଙ୍କ କ୍ଷେତ୍ରରେ ପ୍ରଦାନ କରାଯାଇପାରେ। ଅଧିକ ସୁବିଧା ସୁଯୋଗ ବ୍ୟତୀତ କେବଳ ସ୍ଥିରୀକୃତ ଦରମା ଦିଆଯାଇପାରେ। ୨.ବିଭିନ୍ନ ସାମାଜିକ ସୁରକ୍ଷା ବ୍ୟବସ୍ଥା ନିୟମିତ ସେମାନଙ୍କୁ ପ୍ରଦାନ କରିବା ସେବାପ୍ରଦାନ କାରୀ ସଂସ୍ଥା ତଥା ସେବା ଗ୍ରହଣକାରୀ ସଂସ୍ଥା ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶନାମା ଦୃଢୀଭୂତ କରାଯାଇପାରେ। ୩. ଜୀବନ ବୀମା ତଥା ମାତୃତ୍ୱ ଅବକାଶ ସେମାନଙ୍କୁ ପ୍ରଦାନ କରାଯାଇପାରେ। ୪. ଲକ୍ଷ ଏବଂ ଉପଲବ୍ଧି ହାସଲ କ୍ଷେତ୍ରରେ ସେମାନଙ୍କୁ ସ୍ବତନ୍ତ୍ର ଉପହାରର ବ୍ୟବସ୍ଥା କରାଯାଇପାରେ। ୫. ମାସିକ ତଥା ବାର୍ଷିକ ଅବକାଶ(ଦେୟଯୁକ୍ତ ) ନିମନ୍ତେ ମଧ୍ୟ ସ୍ବତନ୍ତ୍ର ନିୟମ ଆବଶ୍ୟକ। ୬. ସେମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ନିମିତ୍ତ ବିଭିନ୍ନ ପ୍ରତିଯୋଗିତା ତଥା ପୁରସ୍କାରର ବ୍ୟବସ୍ଥା ବିଧେୟ। ୭. ଯଦିଓ ନିୟମିତ ବ୍ୟବସ୍ଥା କରାଯିବା ବ୍ୟୟସାପେକ୍ଷ, କିନ୍ତୁ ସ୍ଥିରନିଶ୍ଚିତ ନିଯୁକ୍ତିର ସର୍ତ୍ତରେ ସେମାନଙ୍କ ଗୁଣବତ୍ତାର ବିକାଶ ହୋଇପାରିବ। ସର୍ବୋପରି ସମସ୍ତଙ୍କ ସହଯୋଗରେ ଦେଶର ବିକାଶ ସମୟର ଆବଶ୍ୟକତା। ସମସ୍ତ ନାଗରିକ ନିଜକୁ ଦେଶ ସେବାରେ ନିୟୋଜିତ କରେଇପାରିଲେ ଭାରତ ବିଶ୍ୱର ନେତୃତ୍ୱ ଯେ ଦିନେ ନେବ- ଏଥିରେ ସନ୍ଦେହର ଅବକାଶ ନାହିଁ।
ଶୈକ୍ଷିକ ପରାମର୍ଶଦାତା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା
aktripathy@cuo.ac.in


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥନୈତିକ ଉଦାରୀକରଣ ଏବଂ ପରିବେଶ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ସ୍ୱାଧୀନତା ପରଠାରୁ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ଦିଗ୍‌ଦର୍ଶନରେ ପ୍ରଚଳିତ ସରକାରୀ ଉଦ୍ୟୋଗରେ ପ୍ରତିଷ୍ଠିତ ବୃହତ୍‌ ଶିଳ୍ପ ଉପରେ ନିର୍ଭରଶୀଳ ତଥା...

ଟିକା ଅସମାନତା

ସାଫୁରା ଅବଦୁଲ୍‌ କରିମ୍‌ ଦକ୍ଷିଣ ଆଫ୍ରିକାରେ କୋଭିଡ୍‌-୧୯ର ନୂଆ ରୂପ ଓମିକ୍ରନ୍‌ ପ୍ରକାଶ ପାଇବା ପରେ ଏହାକୁ ନେଇ ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ...

ଏଇ ଭାରତରେ

ଜଣେ ଉତ୍ତମ ଶିକ୍ଷକ ହିଁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରନ୍ତି। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପିକା ଚିତ୍ରଲେଖା ମଲ୍ଲିକ। କୋଲକାତା...

ଶ୍ରମିକଙ୍କୁ ଉପେକ୍ଷା କାହିଁକି

ଡ. ଅସୀମା ସାହୁ   ଆମ ଦେଶର ଅର୍ଥନୀତି ଶ୍ରମିକଙ୍କ ଶ୍ରମଦାନ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ। ସେନ୍‌ସସ୍‌ ଆଣ୍ଡ ଇକୋନମିକ୍‌ ଇନ୍‌ଫର୍‌ମେଶନ୍‌ ସେଣ୍ଟରର ୨୦୨୦...

ଏଇ ଭାରତରେ

ବିହାରର ମୁଜଫରପୁର ଅଞ୍ଚଳରେ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ପରିଚୟ ଦେଇଛନ୍ତି ସେଠାରେ ବାସ କରୁଥିବା ମୁସଲମାନ୍‌ମାନେ। ଶ୍ରାବଣ ମାସ ଶେଷ ସୋମବାରରେ ବକ୍ରିଦ୍‌ର ପ୍ରଥମ...

ଏଇ ଭାରତରେ

ଭାରତରେ ପକ୍ଷୀମାନେ ଫସଲ ନଷ୍ଟ କରୁଥିବାରୁ ସେମାନଙ୍କୁ ତଡିବା ଲାଗି ବିଭିନ୍ନ ପ୍ରକାର ଉପାୟ କରାଯାଉଥିବାବେଳେ ତାମିଲନାଡୁର ଜଣେ କୃଷକ ସେମାନଙ୍କ ଲାଗି ଫସଲ କରୁଛନ୍ତି।...

ଏଇ ଭାରତରେ

ପଞ୍ଜାବର ଜଣେ ଛତୁଚାଷୀଙ୍କ ବାର୍ଷିକ ଆୟ ବିଷୟରେ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଟଣ୍ଡା ଗଁାର ସଞ୍ଜୀବ ସିଂ ବର୍ଷକୁ ୨ ହଜାର ଟନ୍‌...

କରୋନା ବେଳେ ବନ୍ୟା

ଇଂ. ବିଦ୍ୟାଧର ପଣ୍ଡା କରୋନା କଟକଣାରୁ ଅନଲକ୍‌ ହୋଇ ପେଟପାଟଣା ଚିନ୍ତାରେ ମଣିଷ ଘରୁ ଗୋଡକାଢିଲା ବେଳକୁ ରାସ୍ତାରେ ବନ୍ୟା ପାଣି। ପିଲାଛୁଆ ଉପାସରେ ବସିଛନ୍ତି,...

Advertisement
Archives

Model This Week