
ନୂଆଦିଲ୍ଲୀ,୩।୭: ଦଲାଇ ଲାମାଙ୍କ ଉତ୍ତରାଧିକାରୀ କିଏ ହେବେ ସେ ପ୍ରଶ୍ନରେ ଏବେ ବି ସସପେନ୍ସ ରହିଛି। ଚାଇନା ଏହି ପ୍ରସଙ୍ଗରେ ସମ୍ପ୍ରତି କହିଛି ଯେ, ଏହାର ଅନୁମୋଦନ ବିନା, ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାକୁ ବୈଧ ବିବେଚନା କରାଯିବ ନାହିଁ। ଏବେ ଭାରତ ପରୋକ୍ଷରେ ଚାଇନାକୁ ଭର୍ତ୍ସନା କରିଛି। ଏକ ରିପୋର୍ଟ ଅନୁଯାୟୀ, ଭାରତ କହିଛି ଯେ, ଦଲାଇ ଲାମାଙ୍କ ବ୍ୟତୀତ ଅନ୍ୟ କେହି ତାଙ୍କର ଉତ୍ତରାଧିକାରୀ ସ୍ଥିର କରିପାରିବେ ନାହିଁ।
କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦଲାଇ ଲାମାଙ୍କ ସ୍ଥିତି କେବଳ ତିବ୍ଦତୀୟମାନଙ୍କ ପାଇଁ ନୁହେଁ ବରଂ ବିଶ୍ୱର ସମସ୍ତ ଅନୁଗାମୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଦଲାଇ ଲାମାଙ୍କ ହାତରେ। ଏଥିରେ ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ନାହିଁ। ଚାଇନାର ପ୍ରତିକ୍ରିୟା ପରେ ରିଜିଜୁଙ୍କ ବୟାନ ଆସିଛି।
ଦଲାଇ ଲାମାଙ୍କ ସମ୍ପର୍କରେ ଚାଇନା ପ୍ରତିକ୍ରିୟା ଦେଇଥିଲା। ଏହା କହିଥିଲା ଯେ, ପରବର୍ତ୍ତୀ ଉତ୍ତରାଧିକାରୀଙ୍କୁ ତାଙ୍କର ଅନୁମୋଦନ ନେବାକୁ ପଡିବ। ଏହି ପ୍ରକାରେ ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ସହିତ ତିବ୍ଦତୀୟ ବୌଦ୍ଧମାନଙ୍କ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି।
ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା କହିଥିଲେ ଯେ, ଦଲାଇ ଲାମାଙ୍କ ସଂସ୍ଥା ଜାରି ରହିବ ଏବଂ କେବଳ ଗାଡେନ ଫୋଡ୍ରଙ୍ଗ ଟ୍ରଷ୍ଟ ତାଙ୍କର ଉତ୍ତରାଧିକାରୀ ନିଷ୍ପତ୍ତି ନେବାର ଅଧିକାର ପାଇବ। ଏହା ସହିତ, ତାଙ୍କ ପରେ ତାଙ୍କର ଉତ୍ତରାଧିକାରୀ ରହିବ କି ନାହିଁ ସେ ସମ୍ପର୍କରେ ଅନିଶ୍ଚିତତାର ଅନ୍ତ ଘଟାଇଥିଲେ। ଗାଡେନ ଫୋଡ୍ରଙ୍ଗ ଟ୍ରଷ୍ଟ ୨୦୧୫ରେ ଦଲାଇ ଲାମାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।