ପ୍ରଯୁକ୍ତି ବିଦ୍ୟାରେ ଭାରତ

ଡ. ଗୌରୀଶଙ୍କର ସାହୁ

 

ମେ’ ୩୧, ୧୮୯୩। ଜାପାନର ୟୋକୋହାମାରୁ କାନାଡାର ଭାଙ୍କୋଭର ଅଭିମୁଖେ ଚଳମାନ ଏକ ଷ୍ଟିମର। ଅନ୍ୟ ସହଯାତ୍ରୀଙ୍କ ସହ ଯାତ୍ରା କରୁଥାନ୍ତି ଭାରତର ଦୁଇଜଣ ଯୁଗପୁରୁଷ- ସ୍ବାମୀ ବିବେକାନନ୍ଦ ଓ ଜାମସେଦ୍‌ଜୀ ଟାଟା। ଟାଟା ସ୍ବାମିଜୀଙ୍କୁ ନିଜ ମନ କଥା ଜଣାଇଲେ-‘ଭାରତକୁ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ କରିବା ପାଇଁ ସେ ବିଦେଶୀ ଜ୍ଞାନକୌଶଳ ଓ ଯନ୍ତ୍ରାଂଶ ସାହାଯ୍ୟରେ ସ୍ବଦେଶୀ ଇସ୍ପାତ କାରଖାନା ନିର୍ମାଣ କରିବାକୁ ଚାହୁଁଛନ୍ତି।’ ସ୍ବାମିଜୀ କହିଲେ ‘ବିଦେଶରୁ କାହିଁକି? ଯନ୍ତ୍ରାଂଶ ଭାରତରେ କ’ଣ ତିଆରି କରିହେବ ନାହିଁ?’ ଟାଟା କହିଲେ, ‘ଏଥିପାଇଁ ସ୍ବଦେଶୀ ଜ୍ଞାନ କୌଶଳ ଆମ ଦେଶରେ ନାହିଁ। ଯଦି ଭାରତରେ ଗୋଟିଏ ବିଶ୍ୱସ୍ତରୀୟ ଗବେଷଣା ପ୍ରତିଷ୍ଠାନଟିଏ ଖୋଲାଯାଇପାରନ୍ତା ଏହା ସମ୍ଭବ ହୋଇପାରନ୍ତା।’ ବିବେକାନନ୍ଦ କହିଲେ, ‘ଯଦି ପାଶ୍ଚାତ୍ୟଜଗତର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସାଂପ୍ରତିକ ଉତ୍କର୍ଷ ସହିତ ମହାଭାରତୀୟ ମାନବବାଦ ଓ ତପସ୍ୟାର ସଙ୍ଗମରେ ଆପଣଙ୍କ ସ୍ବପ୍ନର ଅନୁଷ୍ଠାନ ଗଢ଼ାହୋଇପାରନ୍ତା, ତେବେ ଭଲ ହୁଅନ୍ତା।’ ଟାଟା କହିଲେ, ”ଆପଣ ମୋର ମାର୍ଗଦର୍ଶନ କରନ୍ତୁ, ଏପରି ମଠ(ମୋନାଷ୍ଟରୀ)ଟିଏ ଗଢ଼ାହେବ; ଯେଉଁଠି ମଣିଷମାନେ ତ୍ୟାଗ ତିତିକ୍ଷାର ମୁକ୍ତିମନ୍ତ୍ର ପ୍ରତୀକ ହେବେ, ତପସ୍ବୀସମ ଜୀବନଯାପନ କରିବେ ଓ ସେମାନଙ୍କ ଜୀବନକୁ ପ୍ରାକୃତିକ ଓ ମାନବବାଦୀ ବୈଜ୍ଞାନିକ ଗବେଷଣାରେ ଉତ୍ସର୍ଗ କରିବେ।“ ସ୍ବାମିଜୀ ଟାଟାଙ୍କୁ ଆଶୀର୍ବାଦ ପ୍ରଦାନ କଲେ। ୨୩ ନଭେମ୍ବର ୧୮୯୮ରେ ସେ ସ୍ବାମିଜୀଙ୍କୁ ଚିଠିଲେଖି ଜଣାଇଲେ ଯେ ସେ ଭାରତରେ ଗୋଟିଏ ଗବେଷଣା ପ୍ରତିଷ୍ଠାନ ସ୍ଥାପନ ପାଇଁ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏ ଉଦ୍ୟମର ନେତୃତ୍ୱ ନେବାପାଇଁ ଏହି ଚିଠିରେ ସେ ସ୍ବାମିଜୀଙ୍କୁ ଅନୁରୋଧ କରିଥିଲେ। ସ୍ବାମିଜୀ ସେତେବେଳେ ରାମକୃଷ୍ଣ ମିଶନ ପ୍ରତିଷ୍ଠାରେ ବ୍ୟସ୍ତ ଥିବାରୁ ଭଗିନୀ ନିବେଦିତାଙ୍କୁ ଟାଟାଙ୍କୁ ସହଯୋଗ କରିବା ପାଇଁ ପଠାଇଲେ।
୧୯୦୪ରେ ଜାମସେଦ୍‌ଜୀଙ୍କ ସ୍ବର୍ଗବାସ ହୋଇଯିବା ପରେ ତାଙ୍କ ପୁତ୍ର ଦୋରାବଜୀ ଟାଟା ଓ ଭଗିନୀ ନିବେଦିତା ସେମାନଙ୍କ ପ୍ରୟାସ ଜାରିରଖିଲେ। ୧୯୦୯ରେ ତତ୍କାଳୀନ ଭାଇସ୍‌ରାଏ ଲର୍ଡ ମିଣ୍ଟୋ ପ୍ରସ୍ତାବିତ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ। ସ୍ବାମୀ ବିବେକାନନ୍ଦଙ୍କ ଶିଷ୍ୟ ମହୀଶୁର ରାଜା ଚାମରାଜା ୱାଡିଅର୍‌ଙ୍କ ସୁପୁତ୍ର ମହାରାଜା କୃଷ୍ଣରାଜ ୱାଡିଅର୍‌ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ବାଙ୍ଗାଲୋରର ଯଶୱନ୍ତପୁର ଅଞ୍ଚଳରେ ୩୭୧ ଏକର ଜମି ଦାନ କଲେ। ପ୍ରତିଷ୍ଠାନର ଭବନ, ଗବେଷଣାଗାର ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ଦୋରାବଜୀ ଟାଟା ଅର୍ଥ ଯୋଗାଇଲେ। ୧୯୧୧ରେ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ)ର ଭିତ୍ତିପ୍ରସ୍ତର ସ୍ଥାପନ ହେଲା ଓ ସେହିବର୍ଷ ଜୁଲାଇ ୨୪ରେ ପ୍ରଥମ ବ୍ୟାଚ୍‌ ଆଡ୍‌ମିଶନ୍‌ ହେଲା। ବିଶିଷ୍ଟ ବୈଜ୍ଞାନିକ ଟ୍ରାଭର୍ସ ହେଲେ ଏହାର ପ୍ରଥମ ନିର୍ଦ୍ଦେଶକ। ଅଳ୍ପ ଦିନରେ ଏହା ଏକ ବିଶ୍ୱପ୍ରସିଦ୍ଧ ଅନୁଷ୍ଠାନ ଭାବେ ଗଣାହେଲା।
୧୯୩୯ରେ ହୋମି ଜାହାଙ୍ଗୀର ଭାଭା ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ରିଡରଭାବେ ଯୋଗଦେଲେ। ଭାଭା ୧୯୪୪ରେ ଟାଟାଙ୍କୁ ଚିଠି ଲେଖି ମୌଳିକ ଗବେଷଣା ପାଇଁ ଏକ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ସକାଶେ ଅନୁରୋଧ କଲେ। ଟାଟାଙ୍କ ଆର୍ଥିକ ଓ ବ୍ୟକ୍ତିଗତ ସହଯୋଗରେ ୧୯୪୫ରେ ଟାଟା ମୌଳିକ ଗବେଷଣା ଅନୁଷ୍ଠାନ (ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ) ଗଠିତ ହେଲା।
ଆମେରିକାର ମାନହାଟନ୍‌ ପ୍ରକଳ୍ପର ସଫଳତା ପରେ ଭାଭା ଭାରତକୁ ଏକ ପରମାଣୁ ଶକ୍ତିସମ୍ପନ୍ନ ଦେଶ ଭାବେ ଗଢ଼ିବାକୁ ଚାହିଁଲେ।
ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ବୁଝାଇ ସେ ୧୯୫୪ରେ ପରମାଣୁ ଶକ୍ତି ପ୍ରତିଷ୍ଠାନ (ଆଟମିକ୍‌ ଏନର୍ଜି ଏଷ୍ଟାବ୍ଲିଶ୍‌ମେଣ୍ଟ) ଟ୍ରମ୍ବେଠାରେ ଗଢ଼ିଲେ। ୧୯୬୭ରେ ଏହାର ନାମ ‘ଭାଭା ଆଣବିକ ଗବେଷଣା କେନ୍ଦ୍ର’କୁ ରୂପାନ୍ତରିତ ହୋଇଛି। ଟାଟା ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନ ଗଢ଼ିଉଠିଲା।
ଅଗଷ୍ଟ ୦୨, ୧୯୬୩ରେ ଭାଭା ନେହେରୁଙ୍କୁ ଚିଠି ଲେଖି ଜଣାଇଲେ ”ଚାଇନା ଗଣରାଜ୍ୟର ମାନସିକ ଓ ରାଜନୈତିକ ଚାପରୁ ରକ୍ଷାପାଇବା ପାଇଁ ଭାରତକୁ ପରମାଣୁ ପରୀକ୍ଷଣ କରିବାକୁ ପଡ଼ିବ। ତେଣୁ ଆପଣ ଅନୁମତି ଦିଅନ୍ତୁ। ନେହେରୁ ପରମାଣୁ ବୋମାକୁ ‘ସଇତାନର ପ୍ରତୀକ’ କହି ଭାଭାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ। ନେହେରୁଙ୍କ ମୃତ୍ୟୁପରେ ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ହେଲେ ଓ ସେ ମଧ୍ୟ ଭାଭାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ।
୨୪ ଜାନୁୟାରୀ ୧୯୬୬ରେ ଏୟାର ଇଣ୍ଡିଆ ବିମାନ-୧୦୧ରେ ଯାତ୍ରା କରୁଥିବା ବେଳେ ସନ୍ଦିଗ୍ଧ ଅବସ୍ଥାରେ ମଣ୍ଟବ୍ଲାଙ୍କ ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଭାଭା ଇହଲୀଳା ସମ୍ବରଣ କଲେ।
ତାଙ୍କ ପରେ ଭାଭା ଅନୁଷ୍ଠାନର ମଙ୍ଗ ସମ୍ଭାଳିଲେ ପଦାର୍ଥ ବିଜ୍ଞାନୀ ରାଜା ରମନ୍ନା। ଭାଭାଙ୍କ ସେହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରୂପ ଦେବାପାଇଁ ରମନ୍ନାଙ୍କୁ ନିର୍ଦ୍ଦେଶ ଦେଲେ। ବୈଜ୍ଞାନିକ ଦଳ ୧୮ ମେ ୧୯୭୪ରେ ପୋଖରାନ୍‌ଠାରେ ପରମାଣୁ ପରୀକ୍ଷଣ କଲେ। ଏହାପରେ ପାଶ୍ଚାତ୍ୟ ଦେଶମାନେ ନ୍ୟୁକ୍ଲୀୟ ପଦାର୍ଥ ଯୋଗାଣ ବନ୍ଦ କରିଦେଲେ। ଭାରତର ପରମାଣୁ ପରୀକ୍ଷଣ ଶୀତସୁପ୍ତିକୁ ଚାଲିଗଲା। ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଭାଭା ଆଣବିକ ଗବେଷଣା କେନ୍ଦ୍ରର ତତ୍କାଳୀନ ନିର୍ଦ୍ଦେଶକ ରାଜଗୋପାଳ ଚିଦାମ୍ବରମଙ୍କୁ ପରମାଣୁ ବୋମା ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଲେ।
୧୧ ମେ ୧୯୯୮ରେ ଭାରତ ପାଞ୍ଚଟି ପରମାଣୁ ବୋମା ସଫଳତାର ସହ ପରୀକ୍ଷା କଲା ପୋଖରାନ୍‌ଠାରେ।
ଏହି ପରୀକ୍ଷଣର ପ୍ରମୁଖ ବିନ୍ଧାଣୀ ଥିଲେ ରାଜଗୋପାଳ ଓ ପ୍ରଧାନମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଅବଦୁଲ୍‌ କଲାମ୍‌।
ପ୍ରତୀକାତ୍ମକ ଭାବେ ୧୧ ମେ’କୁ ପ୍ରତିବର୍ଷ ଭାରତୀୟ ପ୍ରଯୁକ୍ତି ବିଦ୍ୟାଦିବସ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ବାଜପେୟୀ ଘୋଷଣା କଲେ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଭାରତ ବିଶ୍ୱର ଅଗ୍ରଣୀ ଦେଶର ମାନ୍ୟତା ପାଇବାରେ ଯେଉଁ ଅନୁଷ୍ଠାନଟିର ଭୂମିକା ରହିଛି, ସେଇ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ସ୍ବାମୀ ବିବେକାନନ୍ଦ, ଭଗିନୀ ନିବେଦିତା, ଜାମସେଦ୍‌ଜୀ ଟାଟା ଓ ମହାରାଜା କୃଷ୍ଣରାଜ ୱାଡିଅରଙ୍କ ଯୋଗୁ ଗଢ଼ା ହୋଇପାରିଥିଲା ।
ଯନ୍ତ୍ରରେ ବି ମନ୍ତ୍ର ଭରି ଦେଇଥିଲେ ଏହି ଯୁଗପୁରୁଷ ଓ ତାଙ୍କ ସ୍ବପ୍ନର ମଣିଷମାନେ । ଆଜି ଦିନଟି ହେଉ ଆମମାନଙ୍କ ପାଇଁ ଆତ୍ମସମୀକ୍ଷାର ଦିନ ।
ଅଧ୍ୟାପକ, ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧର୍ମଶାଳା
ମୋ-୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri