ଅର୍ଥନୀତିର ବିସଙ୍ଗତି ଓ ପରିଣାମ

ଶକ୍ତି ରଞ୍ଜନ ଦାଶ

 

ଆମ ପଡ଼ୋଶୀ ଦେଶ ଶ୍ରୀଲଙ୍କାର ପରିସ୍ଥିତି ଯଦି ନିରୀକ୍ଷଣ କରିବା ତାହା ଅତ୍ୟନ୍ତ ଦୟନୀୟ ପରିସ୍ଥିରେ ଗତି କରୁଛି। ଋଣଗ୍ରସ୍ତ ଶ୍ରୀଲଙ୍କା ଏବେ ଦେବାଳିଆ ସ୍ଥିତିରେ। ଏହାର ଦୁର୍ବଳ ଅର୍ଥନୀତି ଦେଶର ସାର୍ବଭୌମତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆର୍ଥିକ ସଙ୍କଟକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜୋରଦାର ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ଇସ୍ତଫା ଦେଇଛନ୍ତି। ତେଣୁ ପ୍ରଶ୍ନ ଉଠେ, ଏହି ପରିସ୍ଥିତି ହେଲା କିପରି? ଦୁଇଟି ବ୍ୟାପକ ବର୍ଗ ପାଇଁ ସରକାର ଋଣ ନେବା ଆବଶ୍ୟକ କରନ୍ତି; ବ୍ୟାପକ-ଆର୍ଥିକ ଉଦ୍ଦେଶ୍ୟ (Macroeconomic Purpose) ଯେପରି କି ଅଧିକ ବିନିଯୋଗ, ଅଧିକ ବ୍ୟବହାର (ଶିକ୍ଷା ଏବଂ ସ୍ବାସ୍ଥ୍ୟ) କିମ୍ବା ନିଅଣ୍ଟ ବଜେଟକୁ ଭରଣା କରିବାକୁ। ପ୍ରତ୍ୟେକ ବର୍ଷ ଦେଶରେ ଥିବା ସରକାର ଦେଶକୁ ଚଳେଇବା ପାଇଁ ଏକ ବଜେଟ ଉପସ୍ଥାପନ କରିଥାନ୍ତି । ଯଦି ଆୟ ସହ ଖର୍ଚ୍ଚ ସମାନ ହୋଇଥାଏ ତାହାକୁ ସମତୁଲ ବଜେଟ କୁହାଯାଏ ଓ ଯଦି ଅସମାନତା ଥାଏ ତାହାକୁ ଅସମତୁଲ ବଜେଟ କୁହାଯାଏ । ସ୍ବାଭାବିକ ଭାବେ ଏହି ଅସମାନତାରେ ଖର୍ଚ୍ଚ ଆୟଠାରୁ ଅଧିକ ହୋଇଥାଏ, ଯାହାକୁ ବିତ୍ତୀୟ ନିଅଣ୍ଟ କୁହାଯାଏ। ଏହି ନିଅଣ୍ଟକୁ ମୁଖ୍ୟତଃ ସରକାର ୩ଟି ମାଧ୍ୟମରେ ଦୂର କରିପାରିବେ ଯଥା ଅଧିକ ମୁଦ୍ରା ଛପେଇ, ଅଧିକ ଟିକସ ଆଦାୟ କରି କିମ୍ବା ବିଦେଶରୁ ଋଣ ଆଣିକରି। ଏହି ୩ଟି ମାଧ୍ୟମରୁ ସରକାର ମୁଖ୍ୟତଃ ଋଣ ସଂଗ୍ରହକୁ ପସନ୍ଦ କରନ୍ତି। କାରଣ ଏହା ମୁଦ୍ରଣ କିମ୍ବା ଟିକସ ଲାଗୁ କରିବା ପରି ମୁଦ୍ରାସ୍ଫୀତିକୁ ବୃଦ୍ଧି କରି ନ ଥାଏ। ଯଦିଓ ସରକାର ଏହାର ବଜେଟ ନିଅଣ୍ଟକୁ ଦୂରକରିବା ପାଇଁ ଟିକସ ବ୍ୟବହାର କରିପାରିବେ, କିନ୍ତୁ ଟିକସ ଆପେକ୍ଷିକ ମୂଲ୍ୟର ସଂରଚନାକୁ ବିକୃତ କରିଥାଏ। ଅନ୍ୟପକ୍ଷରେ ଋଣ ଯଦି ଅର୍ଥନୀତିର ବହନ କ୍ଷମତାଠାରୁ ଅଧିକ ନିଆଯାଏ ତାହା ମଧ୍ୟ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ।
ଏହି ଅନୁକ୍ରମରେ ଶ୍ରୀଲଙ୍କାର ବୃହତ୍‌ ଋଣ ବୋଝର ମୁଖ୍ୟ କାରଣ ହେଉଛି କମ୍‌ ଟିକସ ରାଜସ୍ବ ଏବଂ କମ୍‌ ବୈଦେଶିକ ପ୍ରତ୍ୟକ୍ଷ ବିନିଯୋଗ (ଏଫ୍‌ଡିିଆଇ))। ବିଗତ ୪୦ ବର୍ଷ ଧରି ବିକାଶ ଆଶାରେ ଦେଶ ବିଦେଶୀ ଋଣ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଛି । ୧୯୮୯ରେ ଶ୍ରୀଲଙ୍କାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ୬୨% ଥିଲା ବୈଦେଶିକ ଋଣ। ୧୯୯୦ର ପ୍ରାରମ୍ଭ ତୁଳନାରେ ଶ୍ରୀଲଙ୍କାର ଜିଡିପି ଅନୁପାତରେ ବୈଦେଶିକ ଋଣ ବହୁ ମାତ୍ରାରେ ହ୍ରାସ ପାଇଛି। କିନ୍ତୁ ୧୯୯୦ର ପ୍ରାରମ୍ଭରେ ଶ୍ରୀଲଙ୍କାର ଅଧିକାଂଶ ବିଦେଶୀ ଋଣ ରିହାତି ମୂଲ୍ୟରେ ଧାରଣ କରାଯାଇଥିଲା ଏବଂ ଏହି ଋଣଗୁଡ଼ିକ ଅଧିକାଂଶ ବିଶ୍ୱ ବ୍ୟାଙ୍କ, ଏସୀୟ ବିକାଶ ବ୍ୟାଙ୍କ ଏବଂ ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି ଭଳି ବିକାଶ ଏଜେନ୍ସି ଦ୍ୱାରା ଅଧିକୃତ ହୋଇଥିଲା। ଏହି ଋଣଗୁଡ଼ିକ ଶ୍ରୀଲଙ୍କା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ସେମାନଙ୍କର ଏକ ଲମ୍ବା ଦେୟ ଅବଧି (୨୫-୪୦ ବର୍ଷ), ବହୁତ କମ ସୁଧ ହାର (୧% କିମ୍ବା ୧% ରୁ କମ) ଏବଂ ଯଥେଷ୍ଟ ଅନୁଗ୍ରହ ଅବଧି (grace period) ଯାହାର ଅର୍ଥ ଧାର୍ଯ୍ୟ ତାରିଖ ପରେ ମଧ୍ୟ ବିନା ଦଣ୍ଡରେ ଦେୟ ପ୍ରଦାନ କରାଯାଇପାରିବ ସୁବିଧାମାନ ଆଦି ଥିଲା। ତେଣୁ ସେତେବେଳର ବିଦେଶୀ ଋଣ ଶ୍ରୀଲଙ୍କାର ‘ବୈଦେଶିକ ମୁଦ୍ରା ଭଣ୍ଡାର’ ପାଇଁ ଏକ ବୋଝ କିମ୍ବା ବିପଦ ସୃଷ୍ଟି କରୁ ନ ଥିଲା। କିନ୍ତୁ ବର୍ତ୍ତମାନ ଶ୍ରୀଲଙ୍କାର ଋଣ ପରିସ୍ଥିତି ସେତବେଳଠାରୁ ଭିନ୍ନ। ଫେବୃୟାରୀ ସୁଦ୍ଧା ଶ୍ରୀଲଙ୍କା ସଂରକ୍ଷଣରେ ମାତ୍ର ୨.୩ ବିଲିୟନ ଡଲାର ରହିଥିଲା, କିନ୍ତୁ ୨୦୨୨ରେ ଏହା ପ୍ରାୟ ୪ ବିଲିୟନ ଡଲାରର ଋଣ ପରିଶୋଧର ସମ୍ମୁଖୀନ ହେବାକୁ ଯାଉଛି, ଯେଉଁଥିରେ ଜୁଲାଇରେ ୧ ବିଲିୟନ ଡଲାରର ‘ଅନ୍ତର୍ଜାତୀୟ ସାର୍ବଭୌମ ବଣ୍ଡ’ ପରିପକ୍ୱ ହେବାକୁ ଯାଉଛି।
‘ଅନ୍ତର୍ଜାତୀୟ ସାର୍ବଭୌମ ବଣ୍ଡ’ ହେଉଛି ଏକ ସୁବିଧା, ଯେଉଁଥିରେ ଏକ ସରକାର ଆର୍ଥିକ ଆବଶ୍ୟକତା ମୁକ୍ତ ବଜାରରୁ ପ୍ରାପ୍ତ କରିଥାଆନ୍ତି। ସରକାର ଏହି ‘ବଣ୍ଡ’ର ନିୟାମକ ସୁଧ ଓ ମୂଳ ଧନକୁ ଠିକ୍‌ ସମୟରେ ଫେରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି । ଏହି ବଣ୍ଡ ଶ୍ରୀଲଙ୍କା ଋଣର ସର୍ବାଧିକ ଅଂଶ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁସାରେ ନିକଟ ଅତୀତର ଋଣ ଦେୟ ପାଇଁ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ପର୍ଯ୍ୟାପ୍ତ ନୁହେଁ। ଶ୍ରୀଲଙ୍କା ଅର୍ଥନୀତିରେ ମିଳିଥିବା ପ୍ରମୁଖ ଗଠନମୂଳକ ଦୁର୍ବଳତା ହେଉଛି କମ୍‌ ମାତ୍ରାରେ ‘ମୋଟ ଘରୋଇ ଉତ୍ପାଦନ’, ‘ବୈଦେଶିକ ପ୍ରତ୍ୟକ୍ଷ ବିନିଯୋଗ’ର ନିମ୍ନ ସ୍ତର, ‘ଟିକସ ରାଜସ୍ବ’ ହ୍ରାସ ଓ ବିଭିନ୍ନ କ୍ଷେତ୍ରରେ ରପ୍ତାନିରେ ଉନ୍ନତି ଆଣିବାରେ ବିଫଳତା। ଅଧିକ ରପ୍ତାନି ଆୟ ପାଇଁ ଶ୍ରୀଲଙ୍କାକୁ ଏହା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। କୋଭିଡ୍‌ ମହାମାରୀ ପୂର୍ବରୁ ମଧ୍ୟ ଶ୍ରୀଲଙ୍କା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା। ଏହି ଲକ୍‌ଡାଉନ ଅନୌପଚାରିକ କ୍ଷେତ୍ରକୁ (Informal sector) ଅଧିକ ପ୍ରଭାବିତ କରିଛି, ଯାହା ଦେଶର ପ୍ରାୟ ୬୦% କର୍ମଜୀବୀଙ୍କର ଜୀବିକା ନିର୍ବାହ କରେ। ଶ୍ରୀଲଙ୍କାର ବୈଦେଶିକ ଆୟର ପ୍ରାୟ ୨୦% ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଉତ୍ପାଦିତ ହୁଏ, କୋଭିଡ୍‌ ମହାମାରୀ ହେତୁ ପର୍ଯ୍ୟଟନଜନିତ ଆୟ ମଧ୍ୟ ପ୍ରଭାବିତ ହୋଇଛି । ଏକ ଯୁକ୍ତିଯୁକ୍ତ ଏବଂ ସ୍ଥାୟୀ ସମାଧାନ ବିଷୟରେ ଚିନ୍ତା କରିବାର ସମୟ ଆସିଛି । ବିଭିନ୍ନ କ୍ଷେତ୍ରଗୁଡ଼ିକରେ ଅଧିକ ଉତ୍ପାଦନ କରିବାକୁ ଶ୍ରୀଲଙ୍କାକୁ ବିଚାର କରିବାକୁ ପଡ଼ିବ, ଯାହା ତାହାର ଜିଡିପି ଏବଂ ରପ୍ତାନି ବୃଦ୍ଧି କରିବା ସହ ରଣନୀତି ଅନୁଯାୟୀ ଆମଦାନୀକୁ ଧୀରେ ଧୀରେ ହ୍ରାସ କରିବ। ଫଳସ୍ବରୂପ ଏହା ଦେଶର କରେଣ୍ଟ ଆକାଉଣ୍ଟକୁ ଅନୁକୂଳ ରଖିବ। ଏଥିସହ ଶ୍ରୀଲଙ୍କାକୁ ମଧ୍ୟ ବୈଦେଶିକ ମୁଦ୍ରା ଭଣ୍ଡାରର ବୃଦ୍ଧି ପାଇଁ ଅଧିକ ‘ମୁଦ୍ରା ଅଦଳବଦଳ’ (currency swap) କରିବାକୁ ପଡ଼ିବ। କୃଷିକୁ ପୁନଃ ସ୍ଥାପିତ କରିବା ପାଇଁ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ଉପରେ ଚାଷୀମାନଙ୍କୁ ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନ ଦେବା ଆବଶ୍ୟକ। କୃଷି ଜାତ ଦ୍ରବ୍ୟର ରପ୍ତାନି ବୈଦେଶିକ ମୁଦ୍ରା ଆୟକୁ ବୃଦ୍ଧି କରିବ। ଶ୍ରୀଲଙ୍କାକୁ ଏହାର ପୁନରୁଦ୍ଧାର ପାଇଁ ଏକ ଠିକ୍‌ ଟିକସ ମନିଟରିଂ ସିଷ୍ଟମ୍‌ ଏବଂ ଉପଯୁକ୍ତ ପ୍ରଶାସନ ଲାଗୁ କରିବା ଜରୁରୀ। ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଔଦ୍ୟୋଗିକର ସଂକଳ୍ପ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଲଙ୍କା ଅର୍ଥନୀତିରେ ବୈଷୟିକ ଜ୍ଞାନକୌଶଳ ତଥା ପ୍ରଯୁକ୍ତିବିଦ୍ୟାର ସଂପ୍ରସାରଣକୁ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ଅନୁଧାବନ କରିବାକୁ ହେବ। ଯଦି ଶ୍ରୀଲଙ୍କା ଉପରୋକ୍ତ ଆଲୋଚନାକୁ ବିଚାର କରେ ଏହା ତାହାର ଆର୍ଥିକ ପରିସ୍ଥିତିର ଉନ୍ନତିରେ ସହାୟକ ହେବ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri