ସ୍ବାଧୀନଚେତା ବିଚାରପତି

ପକେଟରେ ମାତ୍ର ୧୦ ଟଙ୍କା ଧରି ଟ୍ରକ୍‌ରେ ମାଉସୀ ଘରକୁ ପଳାଇଯିବା ପାଇଁ ତାଙ୍କୁ ପିତା ପରାମର୍ଶ ଦେଇଥିଲେ। ୧୯୭୫ ମସିହାରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଚାରିଆଡ଼େ କୋକୁଆଭୟ ଜାତ ହୋଇଥିଲା ଯେ, ପୋଲିସ ଯେତେବେଳେ ଯାହାକୁ ଚାହିଁବ ଗିରଫ କରିନେବ। ୧୮ ବର୍ଷର ପଢ଼ୁଆ ସ୍ବାଧୀନଚେତା ଯୁବକ ହୋଇଥିବାରୁ ଆବେଗକୁ କାଳେ ଚାପି ନ ରଖି ସରକାରଙ୍କ ବିରୋଧରେ କ’ଣ କହିଦେବ, ସେହି ଚିନ୍ତା ପିତାଙ୍କୁ ଘାରିଥିଲା। ଚାଷୀ ପରିବାର ଲୋକ ହୋଇଥିବାରୁ ତାଙ୍କର ପୋଲିସ, କୋର୍ଟ କଚେରିକୁ ପ୍ରବଳ ଭୟ। ଯେଉଁ ପୁଅର ଭବିଷ୍ୟତ ପାଇଁ ପିତା ଦିନେ ସନ୍ଦିହାନ ଥିଲେ, ସେ ୨୪ ଏପ୍ରିଲ ୨୦୨୧ରେ ଭାରତର ୪୮ତମ ପ୍ରଧାନ ବିଚାରପତି (ସିଜେଆଇ) ହେବାକୁ ଯାଉଛନ୍ତି। ନ୍ୟାୟପାଳିକାରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ଆଗରେ ଯେତେ ବାଧାବିଘ୍ନ ଆସିଲେ ବି ଜଷ୍ଟିସ୍‌ ନୁଥାଲାପତି ଭେଙ୍କେଟ ରମନାଙ୍କ ବ୍ୟକ୍ତିତ୍ୱଙ୍କୁ ନିରେଖିଲେ ନିଶ୍ଚିତ ସଳଖି ଛିଡ଼ା ହେବା ପାଇଁ ପ୍ରେରଣା ପାଇବେ।
ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲାର ପୋନାଭରମ୍‌ଠାରେ ଜଷ୍ଟିସ୍‌ ରମନା ୨୭ ଅଗଷ୍ଟ ୧୯୫୭ରେ ଜନ୍ମଗ୍ରହଣ କରିଥିଲେ। ଆଇନ ପାଠ ଶେଷ କରିବା ପରେ ସେ ୧୦ ଫେବୃୟାରୀ ୧୯୮୩ରେ ଆଇନଜୀବୀ ଭାବେ ନାମ ପଞ୍ଜୀକରଣ କରିଥିଲେ। ଆନ୍ଧ୍ରପ୍ରଦେଶ ହାଇକୋର୍ଟ, କେନ୍ଦ୍ରୀୟ ତଥା ଆନ୍ଧ୍ରପ୍ରଦେଶ ପ୍ରଶାସନିକ ଟ୍ରିବ୍ୟୁନାଲ ଓ ପରେ ସୁପ୍ରିମ୍‌କୋର୍ଟରେ ଆଇନ ବ୍ୟବସାୟ କରି ଖ୍ୟାତି ଅର୍ଜନ କରିଥିଲେ। ଦଓ୍ବୋନି, ଫୌଜଦାରି, ସାମ୍ବିଧାନିକ, ଶ୍ରମ, ସେବା ଏବଂ ନିର୍ବାଚନ ସଂକ୍ରାନ୍ତ ମାମଲା ପରିଚାଳନାରେ ତାଙ୍କର ଯଥେଷ୍ଟ ଦକ୍ଷତା ରହିଛି। ଆଇନର ଜଟିଳ ସଂଜ୍ଞାକୁ ବୁଝାଇବାରେ ସ୍ବକୀୟ ପ୍ରତିଭା ତାଙ୍କୁ ସରକାରୀ ପ୍ୟାନେଲ କାଉନସେଲ୍‌ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲା। ସେ ମଧ୍ୟ ଆନ୍ଧ୍ରପ୍ରଦେଶର ଅତିରିକ୍ତ ଆଡ୍‌ଭୋକେଟ ଜେନେରାଲ ରହିଥିଲେ। ଟିକସ, ସମ୍ବିଧାନ, ଆର୍ବିଟ୍ରେଶନ ଏବଂ ଫୌଜଦାରି ଆଇନ ଉପରେ ତାଙ୍କର ଐତିହାସିକ ରାୟ ବରିଷ୍ଠ ଆଇନ ବିଶାରଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ବିଚାରପତି ଭାବେ ତାଙ୍କ କ୍ୟାରିୟରକୁ ଦେଖିଲେ ସେ ୨୭ ଜୁନ୍‌ ୨୦୦୦ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ନିଯୁକ୍ତ ହୋଇଥିଲେ। ୨ ସେପ୍ଟେମ୍ବର ୨୦୧୩ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ହେବାର ସୌଭାଗ୍ୟ ମିଳିଥିଲା। ପରବର୍ତ୍ତୀ ସମୟରେ ୧୭ ଫେବୃୟାରୀ ୨୦୧୪ରେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହୋଇଥିଲେ। ୨୩ ଏପ୍ରିଲ ୨୦୨୧ରେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଅବସର ନେବା ପରେ ଜଷ୍ଟିସ୍‌ ରମନା ସର୍ବୋଚ୍ଚ ଅଦାଲତର ଶୀର୍ଷ ପଦବୀ ମଣ୍ଡନ କରିବେ। ଜଷ୍ଟିସ୍‌ ବୋବ୍‌ଡେ ବରିଷ୍ଠତା ଭିତ୍ତିରେ ରମନାଙ୍କ ନାମ ସରକାରଙ୍କୁ ସୁପାରିସ କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଚର୍ଚ୍ଚିତ ହୋଇଛି। ୨୦୨୦ ଜାନୁୟାରୀରେ ଜଷ୍ଟିସ୍‌ ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁକଶ୍ମୀରରେ ଜାରି ଦୀର୍ଘକାଳୀନ କଟକଣା ପଛର ଗୋପନୀୟତା ସାମ୍ନାକୁ ଆଣିଥିଲେ। କେନ୍ଦ୍ର ସରକାର ନେଉଥିବା ପ୍ରତ୍ୟେକ ପଦକ୍ଷେପ ୭୦ ଲକ୍ଷ କଶ୍ମୀରୀଙ୍କ ମୌଳିକ ସ୍ବାଧୀନତାକୁ ପଙ୍ଗୁ କରିଦେଇଛି। ତେଣୁ ସରକାର ସମସ୍ତ ନିର୍ଦ୍ଦେଶନାମା ପ୍ରକାଶ କରନ୍ତୁ ବୋଲି ଜଷ୍ଟିସ ରମନା ରାୟ ଦେଇଥିଲେ। ଏଥିରୁ ତାଙ୍କ ସ୍ବାଧୀନଚେତା ବିଚାରବୋଧ ପ୍ରତିଫଳିତ ହୋଇଛି। ଅବଶ୍ୟ ଗତ କିଛିମାସ ହେବ ତାଙ୍କ ସାଧୁତା ଉପରେ ପ୍ରଶ୍ନ ଉଠିଥିଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ୭ ଅକ୍ଟୋବର ୨୦୨୦ରେ ସିଜେଆଇ ଏସ୍‌.ଏ. ବୋବ୍‌ଡେଙ୍କ ନିକଟକୁ ପତ୍ର ଲେଖି ରମନାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ଜଷ୍ଟିସ୍‌ ରମନା ତାଙ୍କ ସରକାରରେ ଅସ୍ଥିରତା ସୃଷ୍ଟି କରିବା ସକାଶେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବିଚାରପତିଙ୍କୁ ପ୍ରଭାବିତ କରୁଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ସପକ୍ଷରେ ଯାଇ ବର୍ତ୍ତମାନ ନିର୍ବାଚିତ ସରକାର ବିରୋଧରେ କାର୍ଯ୍ୟ କରୁଥିବା ଜଗନ୍‌ମୋହନ ଉକ୍ତ ପତ୍ରରେ ଉଲ୍ଲେଖ କରିଥିଲେ। ତେବେ ୨୪ ମାର୍ଚ୍ଚ ୨୦୨୧ରେ ରେଡ୍ଡୀଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ସୁପ୍ରିମ୍‌କୋର୍ଟଙ୍କ ଇନ୍‌ହାଉସ୍‌ ଶୁଣାଣିରେ ଖାରଜ ହେବା ପରେ ଜଷ୍ଟିସ୍‌ ରମନାଙ୍କ ଉଚ୍ଚପଦବୀରେ ଆସୀନ ହେବା ଲାଗି ପଥ ପରିଷ୍କାର ହୋଇଯାଇଛି।
ଆଜିର ସମୟରେ ଭାରତୀୟ ନ୍ୟାୟପାଳିକାର ଭୂମିକା ଉପରେ ବିଭିନ୍ନ ଆଡୁ ପ୍ରଶ୍ନ କରାଗଲାଣି। ସମୟ ଥିଲା, କୋର୍ଟ ବିରୋଧରେ କହିଲେ କନ୍‌ଟେମ୍ପଟ୍‌ ଅଫ୍‌ କୋର୍ଟ ବା ଅଦାଲତ ଅବମାନନା ଭାବେ ତାହାକୁ ବିବେଚନା କରାଯାଉଥିଲା। ଏବେ ମଧ୍ୟ ଅନେକ ଗମ୍ଭୀର ବିଷୟରେ ଅଦାଲତକୁ ସମାଲୋଚନା କଲେ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି। ତଫାତ୍‌ ଏହା ଯେ, ସୋସିଆଲ ମିଡିଆର ବ୍ୟାପକ ପ୍ରସାର ସାଧାରଣ ନାଗରିକଙ୍କୁ ତଥ୍ୟ ଜାଣିବା ଏବଂ ଭୁଲ୍‌ ଓ ଠିକ୍‌କୁ ତର୍ଜମା କରିବାର ପ୍ରମୁଖ ମଞ୍ଚ ସୃଷ୍ଟି କରିଦେଇଛି। ତେଣୁ ନ୍ୟାୟପାଳିକାର ଭୁଲ୍‌ଭଟକା ଦେଖିଲେ ଅନେକେ ସମାଲୋଚନା କରିଦେଉଛନ୍ତି। ଏଭଳି ସ୍ଥଳେ ବିଚାରପତିଙ୍କ ସ୍ବଚ୍ଛତା ବଜାୟ ରଖିବା ଅଧିକ ଗୁରୁତ୍ୱ ବହନ କରୁଛି। ଅନ୍ୟପକ୍ଷରେ ଦେଶର ନିମ୍ନ ଅଦାଲତରୁ ସର୍ବୋଚ୍ଚ ଅଦାଲତ ଯାଏ ପ୍ରାୟ ୨କୋଟିରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ରହିଛି। ଦାୟିତ୍ୱ ଗ୍ରହଣଠାରୁ ୨୬ ଅଗଷ୍ଟ ୨୦୨୨ ଯାଏ ଜଷ୍ଟିସ ରମନା ଦେଶର ପ୍ରଧାନ ବିଚାରପତି ରହିବା ମଧ୍ୟରେ ନ୍ୟାୟ ବ୍ୟବସ୍ଥାରେ କିଛି ନୂତନତ୍ୱ ଆଣିବେ ବୋଲି ଆଶା କରାଯାଉଛି। ଗାଁର କୃଷକ ପରିବାରରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଭାରତର ପ୍ରତ୍ୟେକ ସ୍ଥିତିକୁ ପରଖିବା ଲାଗି ଜୀବନବ୍ୟାପୀ ଅଭିଜ୍ଞତା ନିଶ୍ଚିତ ସହାୟକ ହେବ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri