‘ଭି’ ନୁହେଁ ‘କେ’ ଆକାର ପରି ସୁଧାର

ଡ. ସନ୍ତୋଷ କୁମାର ମହାପାତ୍ର

ସାଧାରଣତଃ ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯାଏ। ସେଥିରେ ବିଗତ ବର୍ଷର ଆର୍ଥିକ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରାଗଲା ବେଳେ ବଜେଟରେ କି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ତାହା ସୂଚିତ କରାଯାଇଥାଏ। ଅର୍ଥନୈତିକ ସର୍ଭେରେ ଭାରତୀୟ ଅର୍ଥନୀତିରେ ‘ଭି’ ଆକାର ପରି ସୁଧାର ଆସିଛି ବୋଲି କୁହାଯାଇଛି। କିନ୍ତୁ ଆମ ମତରେ ତାଲାବନ୍ଦ ଉଠିଯିବା ପରେ ପେଣ୍ଟ ଅଫ୍‌ ଡିମାଣ୍ଡ ବା ଚାହିଦା ଯୋଗୁ ଅର୍ଥନୀତିରେ ଆଂଶିକ ସୁଧାର ଆସିଛି ଏବଂ ସେହି ସୁଧାର ‘କେ’ ଆକୃତିର। ପେଣ୍ଟ ଅଫ୍‌ ଡିମାଣ୍ଡ ହେଉଛି ଏକ ପରିସ୍ଥିତି; ଯେଉଁଥିରେ ଏକ ଉତ୍ପାଦର ଚାହିଦା କ୍ଷିପ୍ରଗତିରେ ବୃଦ୍ଧିପାଏ। ଉଦାହରଣ ସ୍ବରୂପ, ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁ କୌଣସି ଦ୍ରବ୍ୟର ଚାହିଦା କମ୍‌ ଥାଏ, କିନ୍ତୁ ବର୍ଦ୍ଧିତ ଖର୍ଚ୍ଚ ହେତୁ ସେହି ଦ୍ରବ୍ୟର ଚାହିଦା ହଠାତ୍‌ ବୃଦ୍ଧିପାଏ। ନୋମୁରା ଇଣ୍ଡିଆ ନର୍ମାଲାଇଜେଶନ୍‌ ଇଣ୍ଡେକ୍ସ (NINI)ଭାରତରେ ସୁଧାର ‘କେ’ ଆକୃତିର ବୋଲି କହିଛି।
ଏପରି କି ଆର୍ଥିକ ସୁଧାର ବଦଳରେ ଆର୍ଥିକ ପୁନରୁଦ୍ଧାର ଦେଖାଦେଇଛି ବୋଲି କହିଲେ ଉଚିତ ହେବ। କାରଣ ଅର୍ଥନୈତିକ ସର୍ଭେ ଅନୁସାରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୨୦-୨୧ରେ ୭.୭% ହ୍ରାସ ପାଇଲା ବେଳେ , ୨୦୨୧-୨୨ରେ ନାମାଙ୍କନ ଜିଡିପି ବୃଦ୍ଧି ୧୫.୪% ଏବଂ ବାସ୍ତବ ଜିଡିପି ବୃଦ୍ଧି (ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ) ୧୧% ହେବ। ଏହି ଆକଳନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆକଳନ ଉପରେ ପର୍ଯ୍ୟବସିତ। ଭାରତର ପୂର୍ବତନ ମୁଖ୍ୟ ପରିସଂଖ୍ୟାନ ବିଶେଷଜ୍ଞ ପ୍ରୋନାବସେନ କହିଛନ୍ତି ଯେ, ୨୦୨୦-୨୧ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ଅଭିବୃଦ୍ଧି ଯେଉଁ ୭ .୭% ହ୍ରାସହେବ ବୋଲି କହିଛି, ବାସ୍ତବରେ ଅର୍ଥନୀତି ପ୍ରାୟ ୧୧-୧୨ % ହ୍ରାସ ପାଇବ। ପୁନଶ୍ଚ ଆସନ୍ତା ବର୍ଷ ଅର୍ଥନୀତି ପୁଞ୍ଜି ବିନିଯୋଗର ସମସ୍ୟା ସମ୍ମୁଖୀନ ହୋଇପାରେ। କାରଣ ବର୍ତ୍ତମାନ ନିବେଶ ଘଟୁନାହିଁ; ଯାହାଫଳରେ ଆଗାମୀବର୍ଷ ଅଭିବୃଦ୍ଧି ହ୍ରାସ ପାଇପାରେ। କିନ୍ତୁ ଜାନୁୟାରୀ ୨୦୨୧ରେ ବିଶ୍ୱବ୍ୟାଙ୍କର ପୂର୍ବାନୁମାନ ଅନୁଯାୟୀ ୨୦୨୦ -୨୧ ଆର୍ଥିକବର୍ଷରେ ଭାରତର ଜିଡିପି୯.୬% ହ୍ରାସପାଇବ ଏବଂ ୨୦୨୧ରେ ୫.୪% ବୃଦ୍ଧିହେବ ବୋଲି ଆକଳନ କରିଛି।
ଏଣୁ ଯେତେବେଳେ ଅର୍ଥନୀତିରେ ଜିଡିପି ବୃଦ୍ଧି ବିଯୁକ୍ତାତ୍ମକ, ସେତେବେଳ ସୁଧାର କଥା କହିବା ସମ୍ପୂର୍ଣ୍ଣ ଭୁଲ୍‌। ୨୦୨୧-୨୨ରେ ଅଧିକ ଅଭିବୃଦ୍ଧି ହେବ ବୋଲି ପୂର୍ବାନୁମାନ କରି ସୁଧାର ହୋଇଛି ବୋଲି କୁହାଯାଇପାରିବନି। କ’ଣ ହୋଇଛି ତାହା ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତ କେତେ ଅନିଶ୍ଚିତ ତାହା କରୋନା ମହାମାରୀ ସୁଚାଇ ଦେଇଛି ପୁନଶ୍ଚ ଯେଉଁ ଅଧିକ ଅଭିବୃଦ୍ଧି ପୂର୍ବାନୁମାନ କରାଯାଇଛି ତାହା ନିମ୍ନ ଭିତ୍ତି ଉପରେ ପର୍ଯ୍ୟବସିତ। ଏପରି କି ଯଦି ଏହି ଜିଡିପି ବୃଦ୍ଧି ହାସଲ ହୁଏ ତେବେ ୨୦୧୯-୨୦ବର୍ଷର ଜିଡିପି ଉପରେ ମାତ୍ର ୨.୩% ଅଧିକ ଅଭିବୃଦ୍ଧି ହେବ। ଅର୍ଥାତ୍‌ ମହାମାରୀର ପୂର୍ବ ଅବସ୍ଥାକୁ ଫେରିବାକୁ ୨ବର୍ଷ ଲାଗିବ। ଏଣୁ ଅର୍ଥନୀତିରେ ସୁଧାର ଆସିଛି ବୋଲି କହିବା ଅନୁଚିତ।
ଏକ ଅର୍ଥନୀତିରେ କି ପ୍ରକାର ରିସେସନ ଦେଖାଦେଇଛି ବା କି ପ୍ରକାର ସୁଧାର ଆସିଥାଏ, ତାହା ବିଭିନ୍ନ ପ୍ରକାର ରୂପ ଯଥା ଇଂଲିଶ ଅକ୍ଷର‘ଏଲ’,‘ଭି‘, ‘ୟୁ’,‘କେ’,‘ଯେ‘, ‘ଜେଡ’, ଡବ୍ଲ୍ୟୁ, କିୟୁ, ‘ଆଇ’ ଆକାର ନେଇଥାଏ। ଏକ ଅର୍ଥନୀତିରେ ଯେତେବେଳେ ଦୁଇଟି ତ୍ରୟମାସରେ ଜିଡିପି ବୃଦ୍ଧି ବିଯୁକ୍ତାତ୍ମକ ହୁଏ ସେତେବେଳେ ରିସେସନ ଦେଖାଦେଇଛି ବୋଲି କୁହାଯିବ। ‘ଭି’ ଆକୃତିର ରିସେସନ ଏବଂ ସୁଧାର କହିଲେ ‘ଭି’ ଅକ୍ଷର ପରି ବିଭିନ୍ନ ସୂଚକାଙ୍କରେ ଦ୍ରୁତ ଅବନତି ଘଟିବା ପରେ ଶୀଘ୍ର ପୁନରୁଦ୍ଧାର ବା ସୁଧାର ହୁଏ। ଅର୍ଥାତ୍‌ ଯେମିତି ଆର୍ଥିକ ସ୍ଥିତି ଦ୍ରୁତଗତିରେ ନିମ୍ନମୁଖୀ ହୋଇଥିଲା ସେମିତି ଦ୍ରୁତଗତିରେ ସୁଧାର ହେଉଛି
‘ଏଲ’- ଆକୃତିର ପୁନରୁଦ୍ଧାର ହେଉଛି ସବୁଠାରୁ ଖରାପ ପରିସ୍ଥିତି; ଯେଉଁଥିରେ ଅଭିବୃଦ୍ଧି ଏବଂ ବିଭିନ୍ନ ସୂଚକାଙ୍କ ନିମ୍ନସ୍ତରରେ ଦୀର୍ଘଦିନ ଧରି ରୁହେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଏପରି କି ଏକଦଶନ୍ଧିରୁ ଅଧିକ ସମୟ ଧରି କୌଣସି ପୁନରୁଦ୍ଧାର ବା ସୁଧାର ହୁଏନାହିଁ। ‘ଜେଡ’- ଆକୃତିର ରିସେସନ ଏବଂ ସୁଧାର ହେଉଛି ସବୁଠାରୁ ଆଶାବାଦୀ ଦୃଶ୍ୟ, ଯେଉଁଥିରେ ଅଭିବୃଦ୍ଧି ଏବଂ ବିଭିନ୍ନ ସୂଚକାଙ୍କ ନିମ୍ନସ୍ତରରେ ଅଳ୍ପଦିନ ରହିଲା ପରେଅର୍ଥନୀତିରେ ଦ୍ରୁତଗତିରେ ସୁଧାର ଆସିଥାଏ। ‘କେ’ର ଗୋଟେ ଗାର ଉପରକୁ ଯାଇଛି ଅର୍ଥାତ୍‌ କେତେକ ଅଧିକ ଧନୀ ହେଲାବେଳେ ‘କେ’ର ଗୋଟେ ଗାର ତଳ ମୁହାଁ ହୋଇଛି ଅର୍ଥ କେତେକ ଅଧିକ ଗରିବ ହୋଇଛନ୍ତି। ବର୍ତ୍ତମାନ ଭାରତରେ ମଧ୍ୟ ସେହି ଅବସ୍ଥା ଦେଖାଦେଇଛି। ‘କେ’-ଆକୃତିର ସୁଧାର ବା ପୁନରୁଦ୍ଧାର ଘଟିଥାଏ; ଯେତେବେଳେ ଏକ ଅର୍ଥନୀତିରେ ଗୋଟିଏ ଶ୍ରେଣୀ ଦ୍ରୁତଗତିରେ ଉନ୍ନତି କଲାବେଳେ ଆଉ ଗୋଟିଏ ଶ୍ରେଣୀ ଅଧିକ ନିମ୍ନମୁଖୀ ହୁଅନ୍ତି ଏବଂ ଆର୍ଥିକ ବୈଷମ୍ୟ ତୀବ୍ରତର ହୁଏ। ଅନ୍ୟଅର୍ଥରେ, ଶୀର୍ଷରେ ଥିବା ଲୋକମାନଙ୍କ ଉନ୍ନତି, ପ୍ରଗତି ଘଟିଲା ବେଳେ, ଯେଉଁମାନେ ସମାଜର ମଧ୍ୟମ ଏବଂ ନିମ୍ନରେ ଅଛନ୍ତି, ସେମାନଙ୍କ ଅବସ୍ଥା ଆହୁରି ଖରାପହୋଇଥାଏ। ଧନୀ ଲୋକମାନଙ୍କର ଆୟ ବୃଦ୍ଧିପାଇଥିବା ବେଳେ ଗରିବ ପରିବାରମାନେ ଜୀବିକାର ଉତ୍ସ ବା ଚାକିରି ହରାଇଛନ୍ତି ଏବଂ ଦାରିଦ୍ର୍ୟର ଗହ୍ବରକୁ ଠେଲି ହୋଇଯାଇଛନ୍ତି।
ଷ୍ଟକ୍‌ ବଜାରର ସୂଚକାଙ୍କର ଉନ୍ନତି ଯୋଗୁ ଧନୀ, କର୍ପୋରେଟେ, ବଡନିବେଶକମାନଙ୍କ ସମ୍ପଦ ବୃଦ୍ଧିପାଇଲା ବେଳେ, ରିଅଲ ଇକୋନୋମୀର ବାସ୍ତବ ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଯୋଗୁ ଗରିବ ଓ ମଧ୍ୟମ ଶ୍ରେଣୀର ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ରିଅଲ ଇକୋନୋମୀ ହେଉଛି ଦେଶର ଅର୍ଥ ବ୍ୟବସ୍ଥାର ଅଂଶ; ଯାହା ବ୍ୟାଙ୍କ, ଷ୍ଟକ୍‌ ବଜାର ଇତ୍ୟାଦି ଭଳି ଆର୍ଥିକସେବା ସହିତ ଥିବା ଅଂଶ ବଦଳରେ ସାମଗ୍ରୀ ଏବଂ ସେବା ଉତ୍ପାଦନ ସହିତ ଜଡିତ। ବିଶେଷକରି ଦେଶର କରୋନା ଭାଇରସ ଜନିତ ଦୁର୍ଦ୍ଦିନରେଯେତେବେଳେ ଅର୍ଥନୀତି ଧ୍ୱସ୍ତବିଧ୍ୱସ୍ତ ହୋଇଛି, ଲକ୍ଷ ଲକ୍ଷ ଜୀବନ ହରାଇବା ସହିତ ଅନେକ ଲୋକ ଜୀବିକା ହରାଇଛନ୍ତି, କୋଟିକୋଟି ଜନତା ଦାରିଦ୍ର୍ୟର ଗହ୍ବରକୁ ଠେଲି ହୋଇଯାଇଛନ୍ତି, ଯେଉଁମାନଙ୍କ ସମ୍ପଦ ଅହେତୁକ ବୃଦ୍ଧିପାଇଛି ବିଶେଷକରି ବିନା ପରିଶ୍ରମରେ ଷ୍ଟକ୍‌ ବଜାରର ବୃଦ୍ଧି ଯୋଗୁ ରାତାରାତି ବୃଦ୍ଧିପାଇଛି, ପରିବାରଗୁଡ଼ିକ ଆୟ ହ୍ରାସପାଇବା ଯୋଗୁ ଏବଂ କ୍ରୟଶକ୍ତି ହ୍ରାସପାଇଛି ଏବଂ ଚାହିଦା ହ୍ରାସପାଇଛି।
ଏପରି କି ଭାରତରେ ‘କେ’- ଆକୃତିର ସୁଧାର ଦେଖାଦେଇଛି ବୋଲି ଅକ୍ସଫାମ୍‌ ରିପୋର୍ଟରୁ ପ୍ରତିପାଦନ ହେଉଛି। ଜାନୁୟାରୀ ୨୦୨୧ରେ ପ୍ରକାଶିତ ଅକ୍ସଫାମ୍‌ର ଅସମାନତା ଭାଇରସ ରିପୋର୍ଟ ଅନୁଯାୟୀ, ଲକ୍‌ଡାଉନ ସମୟରେ ଭାରତୀୟ ବିଲିୟନେୟାରଙ୍କ ସମ୍ପଦ ୩୫% ଏବଂ ୨୦୦୯ରୁ ୯୦% ବୃଦ୍ଧିପାଇ ୪୨୨.୯ ବିଲିୟନ ଡଲାରରେ ପହଞ୍ଚିଛି, (ଅର୍ଥାତ୍‌ ୩ଲକ୍ଷ କୋଟି ଟଙ୍କାରୁ ଅଧିକ)। ଏହି ଦୃଷ୍ଟିରୁ ଭାରତ ବିଶ୍ୱରେ ଆମେରିକା, ଚାଇନା, ଜର୍ମାନୀ, ରୁଷିଆ ଏବଂ ଫ୍ରାନ୍ସ ପରେ ଷଷ୍ଠରେ ରହିଛି। ଏଥିମଧ୍ୟରୁ ମାର୍ଚ୍ଚରେ ତାଲାବନ୍ଦ ପରଠାରୁ ଶ୍ରେଷ୍ଠ ୧୦୦ ବିଲିୟନେୟାରଙ୍କ ସମ୍ପଦ ଯେତିକି ବୃଦ୍ଧିପାଇଛି ତାହାକୁ ବାଣ୍ଟିଲେ ୧୩.୮କୋଟି ଗରିବ ଭାରତୀୟ ଲୋକଙ୍କୁ, ପ୍ରତ୍ୟେକ ମୁଣ୍ଡପିଛା ୯୪,୦୪୫ଟଙ୍କାର ଚେକ୍‌ ଦିଆଯାଇପାରିବ
ପୁନଶ୍ଚ ଅର୍ଥନୀତିରେ ସୁଧାର କେବଳ ଜିଡିପି ବୃଦ୍ଧିକୁ ନେଇ ବିଚାର କରାଯାଏନାହିଁ, ଅନ୍ୟସବୁ ସୁଚକାଙ୍କ ବିଶେଷକରି ନିଯୁକ୍ତି ବୃଦ୍ଧି ବା ବେକାରି ହ୍ରାସ, ବୈଷମ୍ୟ ହ୍ରାସ ଦ୍ୱାରା ଜଣାଯାଇଥାଏ। ଡିସେମ୍ବର ୨୦୨୦ରେ ଭାରତର ବେକାରି ହାର ତୀବ୍ରଭାବେ ବୃଦ୍ଧିପାଇ ୯.୧%। ଉଲ୍ଲେଖଯୋଗ୍ୟ ଯେ ମହାମାରୀ ଯୋଗୁ ଏପ୍ରିଲରେ ପ୍ରାୟ ୧୨କୋଟି ଚାକିରି ହରାଇଥିଲେ। ଅନ୍‌ଲକ୍‌ ଅବଧିରେ ଏହି ସ୍ଥିତିରେ ଉନ୍ନତି ହୋଇଥିଲା। କିନ୍ତୁ ବେକାରି ଆହୁରି ବୃଦ୍ଧିପାଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (CMIE) ଅନୁଯାୟୀ, ଡିସେମ୍ବର ୨୦୨୦ରେ ବେରୋଜଗାର ସଂଖ୍ୟା ୩୮ .୭ ମିଲିୟନକୁ ବୃଦ୍ଧିପାଇଛି। ୨୦୧୯-୨୦ରେ ବେରୋଜଗାରଙ୍କ ହାରାହାରି ସଂଖ୍ୟା ୩୩.୩ ମିଲିୟନ ଥିଲା। ମାର୍ଚ୍ଚ ୨୦୨୦ରେ ବର୍ଷର ସର୍ବାଧିକ ୩୭.୯ମିଲିୟନ ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜାନୁୟାରୀ ୨୦୨୦ ତୁଳନାରେ ଜାନୁୟାରୀ ୨୦୨୧ରେ ନିଯୁକ୍ତିପ୍ରାପ୍ତସଂଖ୍ୟା ୯୮ଲକ୍ଷ କମ୍‌। କାମ ଖୋଜୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧିପାଇଛି।ବିଶ୍ବବ୍ୟାଙ୍କର ରିପୋର୍ଟରେ ଦର୍ଶାଯାଇଛି ଯେ, ଯେଉଁ ଆର୍ଥିକ ସୁଧାର ହୋଇଛି ତାହା ଅସମାନ ଏବଂ ସଂଗଠିତ କ୍ଷେତ୍ରର ୩୦% କର୍ମଜୀବୀ ଆଜି ସଂଗଠିତ କ୍ଷେତ୍ରରେ ନାହାନ୍ତି ବରଂ ଅଣଆନୁଷ୍ଠାନିକ କର୍ମଜୀବୀ ହୋଇଛନ୍ତି। ଆର୍ଥିକ ସୁଧାର ତ ଦୂରର କଥା ରାଜସ୍ବ ଆଦାୟ ନ ହୋଇପାରିବାରୁ ନିଅଣ୍ଟ, ଋଣବୋଝ କ୍ଷମତାର ବାହାରକୁ ଚାଲିଗଲାଣି । ୨୦୨୧ -୨୨ ମସିହାରେ ସରକାର ୧୫୪୫୩୯୬କୋଟି ଟଙ୍କାର ରାଜସ୍ବ ଆଦାୟ କରିବାର ଲକ୍ଷ୍ୟ ରଖିଥିଲାବେଳେ, ସୁଧଦେୟ ପାଇଁ ୮, ୦୯, ୭୦୨କୋଟି ଟଙ୍କା ଖର୍ଚ୍ଚକରିବେ ବୋଲି ଆଶା କରାଯାଉଛି। ଏହା ସରକାରଙ୍କ ଆନୁମାନିକ ଖର୍ଚ୍ଚର ୨୩%।
ନଭେମ୍ବରରେ ଉଭୟ ରପ୍ତାନି ୯% ଏବଂ ଆମଦାନୀ ୧୩.୩୩% ହ୍ରାସ ପାଇଛି। ମୋଟାମୋଟି ବାଣିଜ୍ୟ ମଧ୍ୟ ହ୍ରାସପାଇବା ଅର୍ଥନୀତିରେ ସଙ୍କଟ ଲାଗିରହିଛି। ତାଲାବନ୍ଦ ଉଠିଯିବା ପରେ ଅର୍ଥନୀତିରେ ପୁନରୁଦ୍ଧାର ହେଉଛି ବ୍ୟାଙ୍କମାନଙ୍କର ଅଚଳ ସମ୍ପତ୍ତି ବୃଦ୍ଧିପାଉଛି। ବ୍ୟାଙ୍କର ଋଣପ୍ରଦାନ ବୃଦ୍ଧିପାଇନାହିଁ ଏହା ୨୦୧୯-୨୦ରେ ୬.୧% ଥିଲାବେଳେ ୨୦୨୦-୨୧ରେ ୩.୯ରୁ ୫.୨% ପର୍ଯ୍ୟନ୍ତ ହେବ ବୋଲି କୁହାଯାଉଛି। ବ୍ୟାଙ୍କମାନେ ଋଣ ନ ଦେଇପାରି ଏବେବି ଦିନକୁ ୬ଲକ୍ଷ କୋଟି ଟଙ୍କା ରିଜର୍ଭ ବ୍ୟାଙ୍କରେ ରିଭର୍ସ ରେପୋରେଟ୍‌ ରଖୁଛନ୍ତି। ସେମାନେ କ’ଣ ସ୍ବତଃପ୍ରବୃତ୍ତ ହୋଇ ଅଧିକ ଟିକସ ଦେବା ଉଚିତ ନୁହେଁ। ଯଦି ସରକାର ତାଙ୍କଠାରୁ ଆଦାୟ ନ କଲେ ତେବେ ରାଷ୍ଟ୍ରର ମାନବୀୟ ଚରିତ୍ର କ’ଣ ଉଲ୍ଲଂଘନ ହେଉନି।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଜନ୍ମ: ଏକ ତପସ୍ୟା

ରାସ୍ତାକଡ଼ର ଜରି ଗୋଟାଳି ଝିଅର ମନଭାବ କିମ୍ବା ତା’ ଭୋକର ଦାଉକୁ କେବେ ବୁଝିଛନ୍ତି କି? ସମ୍ଭବତଃ ନା। କାହିଁକି ନା ଆମେ ଏହାକୁ ଅତି ସାଧାରଣ…

ନରେନ୍ଦ୍ର ମୋଦୀଙ୍କ ଯୁଗ

ନରେନ୍ଦ୍ର ମୋଦୀ ଅଜାଣତରେ ରବର୍ଟ ଫ୍ରଷ୍ଟଙ୍କ ଚିନ୍ତାଧାରା ଉପରେ ବିଶ୍ୱାସ କରନ୍ତି: ସେ ଏପରି ଏକ ମାର୍ଗ ବାଛିଛନ୍ତି ଯେଉଁଥିରେ ସାଧାରଣତଃ କେହି ଯାଆନ୍ତି ନାହିଁ ଏବଂ…

ଜିନ୍‌ପିଙ୍ଗ୍‌ ଗଲେ କୋରିଆ

ବର୍ତ୍ତମାନ ସ୍ଥିତିରେ ବିଶ୍ୱରେ କେଉଁ ଦେଶ ଅଧିକ କ୍ଷମତାଶାଳୀ କହିବା କଷ୍ଟକର। ଦିନ ଥିଲା, ଆମେରିକା ଓ ରୁଷିଆ ସୁପରପାଓ୍ବାର ଭାବେ ରାଜୁତି କରୁଥିଲେ। ଚାଇନା ଶକ୍ତିଶାଳୀ…

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri