ଭାରତରୁ ଓଡ଼ିଶାର ଚିତ୍ର

ଡ. ପ୍ରମୋଦ କୁମାର ପଣ୍ଡା

ନିଜର ଚେହେରା ବା ଛବି ବା ଫଟୋ ନିଶ୍ଚିତ ରୂପେ ନିଜକୁ ଭଲ ଲାଗେ। ସେଥିପାଇଁ ସମସ୍ତେ ଆତ୍ମସନ୍ତୋଷ ବା ତୃପ୍ତି ଲାଭ କରନ୍ତି। କେହି କେହି ସେଥିପାଇଁ ଗର୍ବ ମଧ୍ୟ ଅନୁଭବ କରନ୍ତି। ମାତ୍ର ସେହି ଚେହେରାଟି ତିନି ପ୍ରକାରର ହୋଇଥାଏ। ପ୍ରଥମଟି ହେଉଛି, ଚେହେରାଟି ଖୁବ୍‌ ସୁନ୍ଦର ଉଭୟ ନିଜ ପାଇଁ ଓ ଅନ୍ୟ ଦେଖଣାହାରୀମାନଙ୍କ ପାଇଁ। ଦ୍ୱିତୀୟଟି ହେଲା ଚେହେରାଟି ଖୁବ୍‌ ସୁନ୍ଦର ନିଜ ପାଇଁ, ମାତ୍ର ଅସୁନ୍ଦର ଅନ୍ୟମାନଙ୍କ ପାଇଁ। ତୃତୀୟଟି ହେଉଛି, ବାସ୍ତବରେ ଚେହେରାଟି ଖୁବ୍‌ ସୁନ୍ଦର ମାତ୍ର ବିଭିନ୍ନ କାରଣରୁ ଅନ୍ୟମାନକୁ ଏହା ସୁନ୍ଦର ଦିଶେ ନାହିଁ। ଏହି ତିନି ଚେହେରା ଭିତରେ ଅନେକ ଫରକ ଅଛି। ଯଦି ପ୍ରକୃତରେ ଆମ ଚେହେରାଟି ଅନ୍ୟମାନଙ୍କ ପାଇଁ ସୁନ୍ଦର ନୁହେଁ, ଆମେ ନିଜେ ନିଜ ଚେହେରାକୁ ଯେତେ ସୁନ୍ଦର କହିଲେ ବା ତାକୁ ନେଇ ଗର୍ବ କଲେ, ତାହାର ପ୍ରଭାବ ଅନ୍ୟମାନଙ୍କ ଉପରେ ପଡ଼ି ନ ଥାଏ। କିନ୍ତୁ ଯଦି ଚେହେରାଟି ଖୁବ୍‌ ସୁନ୍ଦର ଅଛି ମାତ୍ର ଅନ୍ୟମାନେ ତାକୁ ଠିକ୍‌ ରୂପେ ଦେଖିପାରୁନାହାନ୍ତି, ସେପରିସ୍ଥଳେ ଯେ ପର୍ଯ୍ୟନ୍ତ ଚେହେରାରୁ ପରଦା ନ ହଟିଯିବ, ସେ ପର୍ଯ୍ୟନ୍ତ ଅନ୍ୟମାନେ ତା’ର ସୌନ୍ଦର୍ଯ୍ୟକୁ ସ୍ବୀକାର କରିବେ ନIହିଁ। ଏହି ଚେହେରା ଓ ଆଇନାକୁ ନେଇ ବିଖ୍ୟାତ କବି ମିିର୍ଜା ଗାଲିବଙ୍କର ଏକ ଉକ୍ତି ମନେପଡ଼େ-
ଜିନ୍ଦେଗିଭର ଗାଲିବ ଏକ ଗଲତି କରତା ରହା
ଧୂଲ ଚେହେରେପରଥି ଆଇନା ସାଫ କରତା ରହା। ଅର୍ଥାତ୍‌ ଅନେକ ସମୟରେ ଧୂଳି ଆମ ଚେହେରାରେ ଥାଏ, ମାତ୍ର ଆମେ ଭୁଲ୍‌ରେ ଆଇନାକୁ ସଫା କରିବାରେ ଲାଗିଯାନ୍ତି, ଯାହାର କିଛି ବି ଫଳ ମିଳେ ନାହିଁ ପରିଶେଷରେ। ତେଣୁ ସମସ୍ତଙ୍କୁ ନିଜର ବାସ୍ତବ ଚେହେରା ବିଷୟରେ ଧ୍ୟାନ ରହିବା ଅତ୍ୟନ୍ତ ଆବଶ୍ୟକ, ଯାହା ଅନ୍ୟମାନଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ।
ମଣିଷ ଜୀବନପରି ଏକ ଜାତି, ରାଜ୍ୟ ବା ରାଷ୍ଟ୍ରର ପ୍ରତିଛବିକୁ ସମସ୍ତେ ଦେଖନ୍ତି। ସେହି ଅନୁସାରେ ତାକୁ ଆଦର ଓ ସମ୍ମାନ ପ୍ରଦର୍ଶନ ମଧ୍ୟ କରିଥାନ୍ତି। ଆସନ୍ତୁ ଆଜି ଆମେ ଓଡ଼ିଶା ବିଷୟରେ ଚର୍ଚ୍ଚା କରିବା। ଓଡ଼ିଆମାନଙ୍କ ପାଇଁ ଆମ ରାଜ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ତା’ର ସଂସ୍କୃତି, ଐତିହ୍ୟ, ପରମ୍ପରା, ଖାଦ୍ୟପେୟ ଓ ବିବିଧତା ଇତ୍ୟାଦି ନାନା କ୍ଷେତ୍ର ପାଇଁ ଆମେ ଗର୍ବ ଅନୁଭବ କରନ୍ତି। ବାସ୍ତବରେ ମଧ୍ୟ ଏହା ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର ଓ ପୁରାତନ। ମାତ୍ର ଯାହା ଯାହା ପାଇଁ ଆମେ ଗର୍ବ ଅନୁଭବ କରନ୍ତି, ପ୍ରକୃତରେ ଅନ୍ୟମାନେ କ’ଣ ସେ ସବୁ ଜାଣନ୍ତି? କିମ୍ବା ସେ ସବୁ ଆମର ବୋଲି ସ୍ବୀକୃତି ଦିଅନ୍ତି କି? ଓଡ଼ିଶା ବାହାରର ଲୋକେ ଓଡ଼ିଶାକୁ କିପରି ଦେଖନ୍ତି, ତା’ର ଏକ ବାସ୍ତବ ଚିତ୍ର ପାଇବା ନିହାତି ଆବଶ୍ୟକ। କାରଣ ଆମକୁ ସେହି ଚିତ୍ରଟି ମିଳିଲେ ଆମେ ତୁଳନାତ୍ମକ ବିଶ୍ଳେଷଣ କରିପାରିବା ଯେ ପ୍ରକୃତରେ ଆମେ କ’ଣ ଓ ଅନ୍ୟମାନେ ଆମକୁ ଜାଣିଛନ୍ତି କେତେ? ଥରେ ଏହି ତଫାତଟା ଭଲଭାବେ ଜଣାପଡ଼ିଲେ ଆମେ ସେହି ତଫାତକୁ କମ୍‌ କରି ଶୂନ୍ୟ ପର୍ଯ୍ୟନ୍ତ ନେବା ପାଇଁ କାର୍ଯ୍ୟ କରିପାରିବା। ପାଠକ ବନ୍ଧୁ ! ମୁଁ ମୋ ସର୍ବଭାରତୀୟ ଚାକିରି କାଳ ମଧ୍ୟରେ ରାଜସ୍ଥାନ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ସିକ୍କିମ, ମେଘାଳୟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ପ୍ରଭୃତି ସ୍ଥାନଗୁଡ଼ିକରେ ସେବା ପ୍ରଦାନ କରିଛି। ଜଣେ ସ୍ବାଭିମାନୀ ଓଡ଼ିଆ ହିସାବରେ ନିଜକୁ ଜାଣିଛି ଓ ଓଡ଼ିଶା ବାହାରେ ଥିବା ଅନ୍ୟାନ୍ୟ ଅଣ ଓଡ଼ିଆମାନଙ୍କର ଆମ ପ୍ରତି ଥିବା ଧାରଣା ମଧ୍ୟ ମୋତେ ଠିକ୍‌ ରୂପେ ଜଣାଅଛି। ଆସନ୍ତୁ ଦେଖିବା ଓଡ଼ିଶା ବାହାରର ଲୋକ ମନରେ ଆମ ପ୍ରତି କ’ଣ ଧାରଣା ଅଛି। ଓଡ଼ିଶା ବାହାରୁ ପ୍ରକାଶ ପାଉଥିବା ଅଧିକାଂଶ ଖବରକାଗଜ କିମ୍ବା ଟେଲିଭିଜନରେ ଆମ ସମ୍ପର୍କିତ ଖବର ପ୍ରାୟ ପ୍ରକାଶ ପାଏ ନାହିଁ। ଲୋକମାନେ ମଧ୍ୟ ଆମ ବିଷୟରେ ବେଶି ଜାଣିନାହାନ୍ତି। ପ୍ରାୟ ସମସ୍ତେ ଜଗନ୍ନାଥ ଧାମକୁ ହିଁ ଜାଣନ୍ତି ଓ ସେଠାରେ ହେଉଥିବା ରଥଯାତ୍ରାର ଖବର, ରଥଯାତ୍ରା ଦିନ ଏକ ଖବର ହୋଇ ପ୍ରକାଶିତ ହୁଏ। ଆଉ ଏକ ଖବର ମଝିରେ ମଝିରେ ପ୍ରକାଶ ପାଏ, ଏଠାରେ ଅତ୍ୟଧିକ ଗରିବ ଶ୍ରେଣୀର ଲୋକ ବାସ କରନ୍ତି। ଖାଦ୍ୟାଭାବ ଦୂର ପାଇଁ ଗରିବ ଶ୍ରେଣୀର ଲୋକେ ପିଲା ବିକ୍ରି କରିଦିଅନ୍ତି ଓ ରୋଜଗାର ପାଇଁ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଲକ୍ଷ ଲକ୍ଷ ଲୋକ ପଳାୟନ କରନ୍ତି। ଦାନ ମାଝି ଭଳି ସମ୍ବେଦନଶୀଳ ଖବର ମଧ୍ୟ ପ୍ରସାରିତ ହୋଇଥାଏ। ଆଉ ଏକ ଖବର ଦ୍ୱାରା ସେମାନେ ପ୍ରବାହିତ ହୁଅନ୍ତି, ସେ ହେଲା ଓଡ଼ିଶାରେ ସବୁ ବର୍ଷ ବାତ୍ୟା, ବନ୍ୟା ପ୍ରଭୃତି ପ୍ରାକୃତିକ ଦୁର୍ବିପାକର ଆଗମନ। ମାତ୍ର ବାତ୍ୟା ବନ୍ୟା ପରବର୍ତ୍ତୀ ଧନଜୀବନ ହାନି ସମାଚାର ଖୁବ୍‌ କମ୍‌ ଦେଖିବାକୁ ମିଳେ।
ସମସ୍ତେ ଭାବନ୍ତି ଓଡ଼ିଆମାନେ ଶାନ୍ତଶିଷ୍ଟ ଗୋଷ୍ଠୀର ଲୋକ। ଅନ୍ୟମାନେ ବିଚରା ଶବ୍ଦ ଆମ ପାଇଁ ପ୍ରୟୋଗ କରନ୍ତି ଅନୁକମ୍ପାରେ। ତେଣୁ ସେମାନଙ୍କ ହୃଦୟରୁ ବଡ଼ ସମ୍ମାନ ଆଶା କରିବା ବୃଥା। ସେମାନେ ଜାଣିନାହାନ୍ତି ଯେ କଳିଙ୍ଗ ପ୍ରବଳ ପ୍ରତାପୀ ଅପରାଜେୟ ରାଜ୍ୟ ଥିଲା। ଯଦିଓ କଳିଙ୍ଗ ଯୁଦ୍ଧ କଥା କିଛି ଲୋକ ଜାଣନ୍ତି, ମାତ୍ର ସେଠାକାର ସମାଜ ସେତେଟା ଜ୍ଞାତ ଥିବା ମନେହୁଏ ନାହିଁ। ସେମାନେ ଜାଣିନାହାନ୍ତି ପୃଥିବୀର ନୌପଥ ଆବିଷ୍କାରର ଜନକ କଳିଙ୍ଗ ବୋଲି। ସେମାନେ ଜାଣି ନାହାନ୍ତି ଭାରତ ବାହାରେ କଳିଙ୍ଗ ଅଧିବାସୀ ପ୍ରଥମେ ଉପନିବେଶ ସ୍ଥାପନ କରିଛନ୍ତି। ସେମାନେ ଜାଣିନାହାନ୍ତି ସୂର୍ଯ୍ୟଦେବଙ୍କ ପାଇଁ ସମଗ୍ର ପୃଥିବୀରେ ସବୁଠୁ ବଡ଼ ଦେଉଳ, କଳିଙ୍ଗବାସୀ ହିଁ ନିର୍ମାଣ କରିପାରିଛନ୍ତି। ସେମାନେ ଧର୍ମପଦର ତ୍ୟାଗ ବିଷୟରେ ଅଜ୍ଞ। ଜଗନ୍ନାଥଙ୍କ କଥା କ’ଣ କହିବି ସେ ତ ସବୁଥିରେ ପୃଥିବୀରେ ଶ୍ରେଷ୍ଠ। ମାତ୍ର ଏହି ଶ୍ରେଷ୍ଠ କାରଣ ବିଷୟରେ ସେମାନେ ଅଜ୍ଞ। ସେମାନେ ଅଜ୍ଞ ବର୍ତ୍ତମାନ ଭାରତର ସର୍ବପ୍ରଥମ ବିଶ୍ୱବିଦ୍ୟାଳୟ ପୁଷ୍ପଗିରି ବିଷୟରେ। ସେମାନେ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ୧୮୧୮ ମସିହାର ପାଇକ ବିଦ୍ରୋହ ବିଷୟରେ ଅଜ୍ଞ। ସେମାନେ ଜାଣିନାହାନ୍ତି ବକ୍ସି ଜଗବନ୍ଧୁଙ୍କୁ ଓ ଭାରତର କନିଷ୍ଠତମ ଶହୀଦ ବାଜି ରାଉତଙ୍କୁ। ସେମାନେ ଜାଣିନାହାନ୍ତି ରସଗୋଲାର ଉଦ୍ଭାବକ ଓଡ଼ିଶା। ଅବଶ୍ୟ ନିକଟ ଅତୀତରେ ଓଡ଼ିଶା ରସଗୋଲାକୁ ଭୌଗୋଳିକ ସୂଚକାଙ୍କ ବୌଦ୍ଧିକ ଅଧିକାର ମାନ୍ୟତା ମିଳିବା ସମୟରେ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ପାଇଁ କିଛି ପାଠପଢୁଆ ଲୋକ ଜାଣିପାରିଛନ୍ତି। ସେମାନେ ଜାଣିନାହାନ୍ତି ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ୨୧ ଥର ଆକ୍ରମଣ ହୋଇଛି, ମାତ୍ର ବିଗ୍ରହ ଓ ମନ୍ଦିରକୁ ସୁରକ୍ଷିତ ରଖାଯାଇ ପାରିଛି କଳିଙ୍ଗବାସୀଙ୍କ ବୀରତ୍ୱ ଓ ବୁଦ୍ଧି ଯୋଗୁ। ତୁଳସୀ ଦାସଙ୍କ ଶହ ଶହ ବର୍ଷ ପୂର୍ବର ଲେଖକ ସାରଳା ଦାସ ଓ ବଳରାମ ଦାସଙ୍କୁ ଅନ୍ୟମାନେ ଜାଣିନାହାନ୍ତି। ସେମାନେ ଜାଣିନାହାନ୍ତି କବି ସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ, ପ୍ରକୃତି କବି ଗଙ୍ଗାଧର ମେହେର, ବ୍ୟାସକବି ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁବାବୁ ଓ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରମୁଖଙ୍କୁ। ଗୀତଗୋବିନ୍ଦର ସ୍ରଷ୍ଟା ଜୟଦେବ ଯେ ଓଡ଼ିଶାର ତାହା ମଧ୍ୟ ତାଙ୍କୁ ଜଣାନାହିଁ।
ସେହିପରି ତାଳପତ୍ର କାରୁକାର୍ଯ୍ୟ, ପଟ୍ଟଚିତ୍ର, ଚାନ୍ଦୁଆ, ତାରକସି କାମ ଓ ଅନ୍ୟାନ୍ୟ କାର୍ଯ୍ୟରେ ଆମର ଦକ୍ଷତା ତାଙ୍କୁ ଜଣାନାହିଁ। ସେମାନେ ଦେଖନ୍ତି କେନ୍ଦ୍ରରେ ଆମକୁ କେବେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳେନାହିଁ। ଯେଉଁମାନେ ଅତୀତରେ ପାଇଥିଲେ, ତାଙ୍କ ମଧ୍ୟରୁ ଅଧିକାଂଶ କିଛି କରିପାରି ନ ଥିଲେ। ଅବଶ୍ୟ ନିକଟ ଅତୀତରେ ଆମ ଲୋକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ ଓ ସେମାନଙ୍କ ଭିତରୁ ଅଳ୍ପ କିଛି ଲୋକ ଭଲ କାମ ମଧ୍ୟ କରୁଛନ୍ତି। କିନ୍ତୁ ମାତ୍ରାଧିକ ଉଚ୍ଚପଦସ୍ଥ କେତେଦୂର ଓଡ଼ିଶା ପାଇଁ କାର୍ଯ୍ୟ କରୁଛନ୍ତି କିମ୍ବା ଓଡ଼ିଶାର ଐତିହ୍ୟ ପ୍ରଚାର ପ୍ରସାର କରୁଛନ୍ତି, ତାହା ସମୟ ହିଁ କହିବ। ସ୍ବାଭାବିକ ଭାବେ କହିବାକୁ ଗଲେ ଏକ ଗରିବ ଶ୍ରେଣୀର ଲୋକକୁ କିଏ ବା କାହିଁକି ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ କରିବ। କେତେକ ବିଦ୍ୱାନ ପ୍ରଶ୍ନ କରିପାରନ୍ତି ଯେ ଅନ୍ୟମାନେ ଦେଶ ଦୁନିଆ ବିଷୟରେ ତାଙ୍କର ସାଧାରଣଜ୍ଞାନ ବୃଦ୍ଧି କରିବା ଆବଶ୍ୟକ। ଆମେ କାହିଁକି ଜଣାଇବୁ? ମାତ୍ର ପ୍ରତିଯୋଗିତାମୂଳକ ଦୁନିଆରେ ଆମ ପରିବା ବିକ୍ରି କରିବାକୁ ଅନ୍ୟମାନେ କାହିଁକି ଆଗେଇ ଆସିବେ ସ୍ବେଚ୍ଛାକୃତ ଭାବେ।
ସମୟ ଆସିଛି ଆମ ପ୍ରତି ଅନ୍ୟମାନଙ୍କ ମନରେ ଥିବା ପ୍ରତିଛବିକୁ ହଟାଇ ନୂତନ ପ୍ରତିଛବି ସ୍ଥାପନ କରିବା ପାଇଁ; ଯାହାଦ୍ୱାରା ଭାରତର ଅନ୍ୟାନ୍ୟ ପ୍ରାନ୍ତରରେ ଥିବା ଲୋକ କିମ୍ବା ଛାତ୍ର ସମାଜ ଆମର ବୀରତ୍ୱ, ଐତିହ୍ୟ, ସାହସ, ପରମ୍ପରା, ସଂସ୍କୃତି, ତ୍ୟାଗ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଲାଭ କରିପାରିବ ଓ ତା’ ପରେ ଆମ ପ୍ରତି ସେମାନଙ୍କ ହୃଦୟରେ ଏକ ନୂତନ ପ୍ରତିଛବି ପ୍ରସ୍ଫୁଟିତ ହେବ, ଯାହା କି ଆମର ସ୍ବାଭିମାନ ବୃଦ୍ଧିରେ ସହାୟକ ହେବ। ସେଥିପାଇଁ ଆମ ସାହିତ୍ୟ, ସଂସ୍କୃତି, ଇତିହାସ, ଐତିହ୍ୟ, ପରମ୍ପରା, ବୀରତ୍ୱର କାହାଣୀ, ବିଜ୍ଞାନ, ହସ୍ତଶିଳ୍ପ, ବସ୍ତ୍ର, ଖାଦ୍ୟପେୟ ଇତ୍ୟାଦିକୁ ଅନ୍ୟ ଭାଷାରେ ଅନୁବାଦ କରି କଳେବଳେ କୌଶଳେ ସେମାନଙ୍କ ପାଖରେ ପହଞ୍ଚାଇବାକୁ ହେବ। ଆମେ ସମସ୍ତେ ସେ ଦିଗରେ ଆପ୍ରାଣ ଉଦ୍ୟମ କଲେ ଯାଇ ତାହା ସଫଳ ହୋଇପାରିବ। ଏ ଦିଗରେ ଆମ ବିଶ୍ୱବିଦ୍ୟାଳୟର ଭାଷା ବିଭାଗ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଇତିହାସ ବିଭାଗ, ଲେଖକ, ଖବରକାଗଜ, ଦୂରଦର୍ଶନ ମାଧ୍ୟମ ଓ ପ୍ରବାସୀ ଓଡ଼ିଆ ସମସ୍ତଙ୍କର ଏକ ଗୁରୁଦାୟିତ୍ୱ ରହିଛି। ପିଏଚ୍‌ଡି ପ୍ରୋଗ୍ରାମରେ ଏ ସବୁକୁ ସାମିଲ କରାଯାଇ ବିଶ୍ୱ ଆଦୃତର ବ୍ୟବସ୍ଥା କରାଯାଇ ପାରିବ। ମାତ୍ର ସେଦିଗରେ ଆମେ ସମସ୍ତେ କାର୍ଯ୍ୟ ନ କରି ନିଜ ଘରେ ଶୃଗାଳ ନିଜକୁ ସିଂହ ଘୋଷିତ କଲାପରି ଆତ୍ମସନ୍ତୋଷରେ ଢୋଲ ବଜାଇଲେ ଏ ଜାତି ତା’ର ବୀରତ୍ୱ, ସ୍ବାଭିମାନ, ଐତିହ୍ୟ ଓ ସଂସ୍କୃତି ପାଇଁ ଅନ୍ୟମାନଙ୍କଠୁ ଯଥୋଚିତ ସମ୍ମାନର ଅଧିକାରୀ କେବେ ବି ହୋଇପାରିବ ନାହିଁ।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର, ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri