ବଡ଼ଗାଁ,୨୪।୧୧(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ବିଶେଷ ସୂଚନା ଆଧାରରେ ଏକ ସଂଗଠିତ ବେଆଇନ ମାରଣାସ୍ତ୍ର ଯୋଗାଣ ରାକେଟ୍ର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ରାକେଟର ମାଷ୍ଟରମାଇଣ୍ଡ ଓ ଅସ୍ତ୍ର ଯୋଗାଣକାରୀଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ବାମଡ଼ା ବଡଡୁମେରମୁଣ୍ଡା ଗ୍ରାମର ଶ୍ରୀକାନ୍ତ ଭୈଷା (୨୩), ଅରବାଜ ଅଲ୍କୀ (୨୪), ବଡ଼ଗାଁର ଅରବିନ୍ଦ ଷଡ଼ଙ୍ଗୀ (୨୧), ରାଜବୀର କର୍ସେଲ (୨୩), ଲଇକେରା ଥାନା ଅନ୍ତର୍ଗତ ଗଞ୍ଜୁଢିହୀ ଗ୍ରାମର ମାନସ ରଞ୍ଜନ ପଣ୍ଡା (୨୬) ଏବଂ ବାମଡ଼ା ପଣ୍ଡରିପଥର ଗ୍ରାମର ଦୀପକ ଭୈଷା (୨୭)। ପୋଲିସ ସମସ୍ତଙ୍କୁ ଗିରଫ କରି ମଙ୍ଗଳବାର ଅଦାଲତକୁ ଚାଲାଣ କରିଛି।
ଏକ ସ୍ବତନ୍ତ୍ର ପୋଲିସ ଟିମ ଚଢ଼ଉ କରି ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବେଆଇନ ବନ୍ଧୁକ, ଗୋଟିଏ ବୋଲେରୋ ଗାଡ଼ି ଏବଂ ୫ଟି ମୋବାଇଲ ଫୋନ ଜବତ କରିଛି। ଜବତ ବନ୍ଧୁକ କେଉଁଠାରୁ ଆସିଥିଲା ଏବଂ କାହାକୁ ଯୋଗାଣ କରିବା ପାଇଁ ଯୋଜନା ହୋଇଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily

