ଭଞ୍ଜନଗର,୨୫।୧୧ (ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଘୁମୁସର ଅଞ୍ଚଳ ବାଲିପଦରର ଝିଅ ତଥା ବୁଗୁଡ଼ା ବ୍ଲକ ଆଦିପୁର ଗ୍ରାମର ବୋହୂ ଜୟନ୍ତୀ ପଢ଼ିଆରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜଭବନଠାରେ ସାକ୍ଷାତ କରିଛନ୍ତି।
ପୂର୍ବତନ ଭାଜପା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜୟନ୍ତୀ ଏହି ସାକ୍ଷାତ ଅବସରରେ ମହିଳାଙ୍କ ବିକାଶ, ସେମାନଙ୍କ ସାମାଜିକ ସ୍ଥିତିରେ ଉନ୍ନତି ଏବଂ ସମାଜରେ ଅଧିକ ସମ୍ମାନ ଓ ମର୍ଯ୍ୟାଦା ପ୍ରଦାନ ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ।
ଏଥିସହିତ ରାଇରଙ୍ଗପୁର ଓ ଗଞ୍ଜାମ ଜିଲାରେ ମହିଳାଙ୍କ ସାମଗ୍ରିକ ବିକାଶ ଓ ସଶକ୍ତୀକରଣ ପାଇଁ ଦୁଇଟି ସ୍ବତନ୍ତ୍ର କେନ୍ଦ୍ର ସ୍ଥାପନ କରିବାକୁ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ଜୟନ୍ତୀଙ୍କୁ ତାଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା। ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ମହିଳାଙ୍କ ବିକାଶ ସମ୍ପର୍କରେ ନିଜର ମତ ରଖିବାର ସୁଯୋଗ ପାଇଥିବାରୁ ଜୟନ୍ତୀ ଖୁସିବ୍ୟକ୍ତ କରିଛନ୍ତି। ଏହି ସାକ୍ଷାତକୁ ନେଇ ଘୁମୁସର ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।
Dharitri – Odisha’s No.1 Odia Daily

