
ନୂଆଦିଲ୍ଲୀ,୨୩।୧: ରୋହିତଙ୍କୁ ଫୁଲ ଟାଇମ୍ ଅଧିନାୟକ କରାଯିବା ଉଚିତ। କିନ୍ତୁ ଏଥି ଲାଗି ସିନିୟର ବ୍ୟାଟରଙ୍କୁ ଫିଟ୍ ରହିବାକୁ ପଡ଼ିବ ବୋଲି ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି।
ରୋହିତଙ୍କୁ ଗତବର୍ଷ ଡିସେମ୍ବରରେ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଥିଲା। କିନ୍ତୁ ମାଂସପେଶୀ ଜନିତ ସମସ୍ୟା କାରଣରୁ ସେ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ିଥିଲେ। ଏଣୁ ବିରାଟ କୋହଲିଙ୍କ ଡେପୁଟି ଦାୟିତ୍ୱ ଦିଆଯାଇଥିଲା ଲୋକେଶ ରାହୁଲଙ୍କୁ। କିନ୍ତୁ କୋହଲି ଟେଷ୍ଟ ଦଳର ନେତୃତ୍ୱରୁ ଓହରିବା ପରେ ନୂଆ ଅଧିନାୟକ ଖୋଜା ଚାଲିଛି।
“ଯଦି ରୋହିତ ଫିଟ୍ ଅଛନ୍ତି, ତେବେ କାହିଁକି ସେ ଟେଷ୍ଟରେ ଅଧିନାୟକ ହୋଇପାରିବେ ନାହିଁ। ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଲାଗି ଉପ ଅଧିନାୟକ ଘୋଷଣା କରାଯାଇଥିଲା। କିନ୍ତୁ ଆହତ ସମସ୍ୟା କାରଣରୁ ସେ ଯାଇ ପାରିଲେ ନାହିଁ। ଯଦି ତାଙ୍କୁ ଉପ ଅଧିନାୟକ କରାଯାଇଥିଲା, ତେବେ କ’ଣ ପାଇଁ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯିବ ନାହିଁ” ବୋଲି ଶାସ୍ତୀ କହିଛନ୍ତି।