ନିଜେ ନ ସୁଧୁରିଲେ

ଅପାରଗ ଓ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ଚାକିରିରୁ ହଟେଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଉଥିବା କହିଛନ୍ତି। ୫୦ରୁ ୫୫ ବର୍ଷ ବୟସ ହୋଇଥିବା ଓ ୩୦ ବର୍ଷ ଚାକିରି କରି ସାରିଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସର କିମ୍ବା ଅନ୍ୟ ଅଫିସର, ଯେଉଁମାନେ କାମ ଠିକ୍‌ ଭାବେ କରିପାରୁନାହାନ୍ତି ଓ ଦୁର୍ନୀତିରେ ଜଡ଼ିତ ଥିବା ଜଣାପଡ଼ୁଛି ସେମାନଙ୍କୁ ବିଦା କରିବା ସକାଶେ ସବୁ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ସାଧୁତାକୁ ନେଇ ସନ୍ଦେହରେ ଥିବା ଏଭଳି ଅଧିକାରୀଙ୍କ ସର୍ଭିସ ବୁକ୍‌ ରେକର୍ଡ ଆଧାରରେ ତାଲିକା ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶନାମାରେ କୁହାଯାଇଛି।
ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ବିଦା କରିବା ଲାଗି ସରକାରୀ ସ୍ତରରେ ଆଲୋଚନା ହେବା ସକାରାତ୍ମକ ଦିଗକୁ ଅନିଶା କରୁଛି। କାରଣ ଏଭଳି ଅଧିକାରୀ ବା କର୍ମଚାରୀଙ୍କ ଉପସ୍ଥିତି ବ୍ୟବସ୍ଥାକୁ ପଙ୍ଗୁ କରିଦେଇଥାଏ। କିନ୍ତୁ ଏହିସବୁ ଅଧିକାରୀଙ୍କ ତାଲିକା କିଏ ପ୍ରସ୍ତୁତ କରିବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯେଉଁମାନେ ଶୀର୍ଷରେ ଅଛନ୍ତି, ସେମାନଙ୍କ ବୟସ ନିଶ୍ଚିତ ଭାବେ ୫୦-୫୫ରୁ ଊର୍ଦ୍ଧ୍ୱ ହୋଇଥିବ। ସେମାନେ ନିଜେ କେଉଁଭଳି ଭାବେ କାର୍ଯ୍ୟ କରି ପଦୋନ୍ନତି ପାଇଥିଲେ ତାହାର ବିଚାର କରିବ କିଏ। ଅର୍ଥାତ୍‌ ଉଚ୍ଚସ୍ତରର ସରକାରୀ କର୍ମଚାରୀ ଯୌବନରେ ସଚ୍ଚୋଟ ଥିଲେ ବୋଲି ଜାଣିବା ଯେଉଁଭଳି ଭାବେ କଷ୍ଟ, ଏବେ ମଧ୍ୟ ସେମାନଙ୍କ ସଚ୍ଚୋଟତାର ସାର୍ଟିଫିକେଟ୍‌ ଯୋଗାଡ଼ କରିବା ଅସମ୍ଭବ କାର୍ଯ୍ୟ। ତେବେ ଏମାନଙ୍କ ହାତରେ ସରକାରଙ୍କ ନିଷ୍ପତ୍ତିକୁ ସଅଁପି ଦିଆଗଲେ ଯେଉଁ ତାଲିକା ପ୍ରସ୍ତୁତ ହେବ ତାହାର ବାସ୍ତବତା ଉପରେ ସନ୍ଦେହ ସୃଷ୍ଟି ହେବା ଥୟ। କାରଣ ଯାହାର ଯାହାଙ୍କ ପ୍ରତି ଦରଦ ଥିବ ସେଭଳି କ୍ଷେତ୍ରରେ ବ୍ୟକ୍ତି ଯେତେ ଅପାରଗ ବା ଦୁର୍ନୀତିଗ୍ରସ୍ତ ହେଲେ ମଧ୍ୟ ତାଲିକାରେ ସ୍ଥାନ ପାଇବେ ନାହିଁ। ଅପରପକ୍ଷରେ ଯଦି ଆଜିର ଉଚ୍ଚପଦସ୍ଥ ବାବୁ ଅତୀତରେ କୌଣସି ଭୁଲ କାର୍ଯ୍ୟ କରିବାକୁ ଚେଷ୍ଟା କଲାବେଳେ କୌଣସି ସଚ୍ଚୋଟ କର୍ମଚାରୀ ତାଙ୍କୁ ବାଧା ଦେଇଥାନ୍ତି, ତେବେ ଆଜି ସେହି ସଚ୍ଚୋଟ କର୍ମଚାରୀଙ୍କ ଭବିଷ୍ୟତ କ’ଣ ହେବ। ଆଜିର ଶାସନ ଓ ପ୍ରଶାସନିକ ବାତାବରଣ ଦେଖିଲେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ ଅଫିସରଙ୍କ ରାଜ୍‌ ଚାଲିଛି। ସିଭିଲ୍‌ ସର୍ଭିସ୍‌ରୁ ଆସିଥିବାରୁ ନୀତି, ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସେମାନେ ଅଧିକ ସତର୍କ ଓ ସଚେତନ ଅଛନ୍ତି ବୋଲି ଏକ ଧାରଣା ରହୁଥିବାରୁ ରାଜନୈତିକ କ୍ଷମତା ହାସଲ କରିଥିବା ବ୍ୟକ୍ତି ପ୍ରଶାସକଙ୍କୁ ପୂରା ବିଶ୍ୱାସକୁ ନେଇଯାଉଛନ୍ତି। ଫଳରେ ସରକାରୀ ଯୋଜନା ରୂପାୟନରେ ଲୋକ ପ୍ରତିନିଧିଙ୍କ ଭୂମିକା ଗୌଣ ହୋଇଯାଉଛି। ଅନ୍ୟପକ୍ଷରେ ପ୍ରଶାସକମାନେ ବଳୀୟାନ ହୋଇ ଦୁର୍ନୀତି କରିବାକୁ ସୁଯୋଗ ପାଇପାରୁଛନ୍ତି। ସାଧାରଣରେ ସମସ୍ତେ ଜାଣନ୍ତି ଯେ କୌଣସି ପ୍ରଶାସନିକ କାର୍ଯ୍ୟ ଯଥା ବଦଳି ବାତିଲ ବା ମନପସନ୍ଦ ଜାଗାରେ ନିଯୁକ୍ତି ପାଇବା ପାଇଁ ନେତାଙ୍କ ଅପେକ୍ଷା ଅଫିସର ଶୀଘ୍ର କାମ କରେଇ ଦେଇଥାଆନ୍ତି। ଏହା ମଧ୍ୟ ଜଣାଶୁଣା ଯେ, ଯେଉଁ ଅଫିସର ୧୦୦ ଟଙ୍କା ବେଆଇନ ଭାବେ ଆଦାୟ କରନ୍ତି, ସେଥିରୁ ମାତ୍ର ୧୦ ଟଙ୍କା ଯାଏ ରାଜନେତାଙ୍କ ପାଖକୁ। ବାକି ଅର୍ଥ ରହିଯାଏ ବାବୁଙ୍କ ପକେଟରେ।
ସରକାରୀ ଚାକିରିଆଙ୍କ ଖାଦି ସର୍ବଦା ଆଗରେ ରହିଥାଏ। ଥରେ ପରୀକ୍ଷା ଦେଇ ଚାକିରି ପାଇଯିବା ପରେ ତାହା ଯିବା କାଠିକର ପାଠ ହୋଇଥିବାରୁ ସେମାନେ ମନଇଚ୍ଛା କାର୍ଯ୍ୟ କରିଥାଆନ୍ତି। ଯାହା କରିବା ଦରକାର ତାହା ଅନୁଯାୟୀ ଆଇନକୁ ମୋଡ଼ିବା ସେମାନଙ୍କ ପାଇଁ ଏକ ସହଜ କାର୍ଯ୍ୟ ହୋଇଥାଏ। କେତେକେ ଜନସାଧାରଣଙ୍କୁ ଦୁର୍ବ୍ୟବହାର କରୁଥିବା ବିଷୟ ପଦାକୁ ଆସିଥାଏ। ଏହି ପରିପ୍ରେକ୍ଷୀରେ ଥାନା ଭିତରେ ହତ୍ୟା ଓ ବଳାତ୍କାର ଘଟାଉଥିବା ପୋଲିସ କର୍ମଚାରୀଙ୍କୁ ଘୋଡ଼ାଇବା ପାଇଁ ଉଚ୍ଚପଦସ୍ଥ ଅଫିସରମାନେ ମଧ୍ୟ ଲାଗି ପଡ଼ିଥାଆନ୍ତି। ସେହିଭଳି ବଟି ନେଉଥିବା ତହସିଲଦାର କିମ୍ବା ବିଡିଓଙ୍କୁ ସାହାଯ୍ୟ ଓ ସୁରକ୍ଷା ଦେବା ସକାଶେ ଜିଲାପାଳଙ୍କଠାରୁ ସଚିବଙ୍କ ପର୍ଯ୍ୟନ୍ତ ଗଛପତ୍ରରେ ପଡ଼ିଯାଇଥାନ୍ତି।
ସରକାରୀ ସ୍ତରରେ ଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ବାଛିବା ପାଇଁ କାର୍ଯ୍ୟକୁ ମାନଦଣ୍ଡ ଭାବେ ନିଆଯିବା ଦରକାର। ଜଣେ ତାଙ୍କ କାର୍ଯ୍ୟକାଳ ଭିତରେ ଜନସାଧାରଣଙ୍କ ମଙ୍ଗଳ ହେଲା ଭଳି କେଉଁ ପ୍ରକାର ପଦକ୍ଷେପ ନେଇଛନ୍ତି, ତାହାକୁ ତର୍ଜମା କରାଯିବା ଉଚିତ। କେବଳ ଅମଲାତାନ୍ତ୍ରିକ ସ୍ତରରେ ଥିବା ବ୍ୟକ୍ତି ନୁହନ୍ତି, କୋର୍ଟରେ କାର୍ଯ୍ୟରତ ବିଚାରପତିଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ମପାଯିବା ଦରକାର। ଜଣେ ବିଚାରପତି ତାଙ୍କ କାର୍ଯ୍ୟକାଳ ଭିତରେ କେତୋଟି ପୂର୍ଣ୍ଣାଙ୍ଗ ରାୟ ଦେଇଛନ୍ତି, ତାହାକୁ ବିଚାର କରାଯାଇ ସେମାନଙ୍କ ଅପାରଗ ଓ ସ୍ଥଳବିଶେଷରେ ଦୁର୍ନୀତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ କରାଯିବା ଉଚିତ। କେବଳ କେନ୍ଦ୍ରରୁ ନିର୍ଦ୍ଦେଶନାମା ଜାରି କରିଦେଲେ ହେବ ନାହିଁ, ଜଣଙ୍କ ଦକ୍ଷତା ମାପିବା ଦାୟିତ୍ୱ ଯାହାଙ୍କ ଉପରେ ନ୍ୟସ୍ତ କରାଯିବ ସେହି ବ୍ୟକ୍ତିଙ୍କ ପାରମଙ୍ଗମତା ଓ ସାଧୁତା ପ୍ରଥମେ ଦେଖାଯିବା ଦରକାର। ଏହି ପ୍ରଚ୍ଛଦପଟରେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ତାଲିକା ପ୍ରଥମେ କେନ୍ଦ୍ର ସରକାର ନିଜେ ଆରମ୍ଭ କରିବାର ପ୍ରୟୋଜନ ରହିଛି। କାରଣ ଆଲୋଚିତ ନିର୍ଦ୍ଦେଶନାମା ପୂର୍ବରୁ ମଧ୍ୟ ଅନେକ ଥର ପ୍ରକାଶ ପାଇଥାଏ ଏବଂ ତାହା କିଛି ଦିନ ପରେ ଉଭାନ ହୋଇଯାଏ।
ଯେପର୍ଯ୍ୟନ୍ତ ରାଜନେତାମାନେ କ୍ଷମତାକୁ ଆସୁଛନ୍ତି, ସେପର୍ଯ୍ୟନ୍ତ ନିର୍ବାଚନ ଜିଣିବା ପାଇଁ ଏବଂ ଦଳ ଚଳାଇବା ସକାଶେ ଅପର୍ଯ୍ୟାପ୍ତ ଅର୍ଥର ପ୍ରୟୋଜନ ରହିବ। ସାଧାରଣରେ ଦେଖାଯାଏ, ଯେଉଁ ସରକାରୀ ଅଧିକାରୀ ସଚ୍ଚୋଟ ହୋଇ କାର୍ଯ୍ୟ କରିଥାଆନ୍ତି, ତାଙ୍କ ଦ୍ୱାରା ଖଡ଼ା ସିଝେ ନାହିଁ। ଅର୍ଥାତ୍‌ ଯେତିକି ସଚ୍ଚୋଟ, ସେତିକି ଅକାମୀ। ଅନ୍ୟପଟେ ଯେଉଁ ବାବୁମାନେ ନେଇଆଣି ଥୋଇପାରନ୍ତି ସେହିମାନେ ଦୁନୀତିଗ୍ରସ୍ତ ହୋଇଥାନ୍ତି। ଏଭଳି ସ୍ଥିତିରେ ରାଜନେତାମାନେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ କୋଳେଇ ନେବା ପାଇଁ ପସନ୍ଦ କରିଥାଆନ୍ତି। ସେଥିପାଇଁ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେଉଁ ପର୍ଯ୍ୟନ୍ତ ବିପୁଳ ଅର୍ଥ ଲୋଡ଼ା ହେଉଥିବ, ସେ ପର୍ଯ୍ୟନ୍ତ କ୍ଷମତାସୀନ ବ୍ୟକ୍ତିମାନେ ଦୁର୍ନୀତିଗ୍ରସ୍ତ ହେଉଥିବେ। ଯେତେଦିନ ପର୍ଯ୍ୟନ୍ତ ରାଜନୈତିକ ନେତାମାନେ ଦୁର୍ନୀତିଗ୍ରସ୍ତ ହେଉଥିବେ ସେହିଦିନ ଯାଏ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଚାହିଦା ରହିଥିବ। ମୋଦି ସରକାରଙ୍କ ଏହି ନିର୍ଦ୍ଦେଶନାମା ପଛରେ କୌଣସି ବିଚକ୍ଷଣ ଚିନ୍ତାଧାରା ନାହିଁ। ନିଜେ ନ ସୁଧୁରିଲେ, ପୃଥିବୀ ସୁଧୁରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?