ମୋ କଥା ଲାଗିଲା

ଦ୍ୱିତୀ ଚନ୍ଦ୍ର ସାହୁ

ଗାଁରେ ପଶିବା ବାଟରେ ସ୍ବାଗତ କରି ରହିଥିଲା ଅନେକ ପୋଷ୍ଟର। ଦି’ ପାଖରେ ଖୁଣ୍ଟରେ ପୋତା ହୋଇଥିଲା ଫ୍ଲେକ୍ସ ବ୍ୟାନର। ସାହିର ମଝାମଝି ଶୂନ୍ୟରେ ଝୁଲୁଛି ବ୍ୟାନର। ଲୋକ ଭିନ୍ନ ଭିନ୍ନ ହେଲେ ବି ସମସ୍ତେ ହସ ହସ ବଦନରେ ଦି’ ହାତକୁ ଯୋଡ଼ି ପ୍ରଣାମ ମୁଦ୍ରାରେ ଥିଲେ। ଲାଗୁଛି କେଡ଼େ ଅନୁନୟ ହେଉଛନ୍ତି ଚିତ୍ରରେ। ସୁନ୍ଦର ସୁନ୍ଦର ଧାଡ଼ି, ଢଗ ଓ କବିତାରେ ନିଜ କଥାକୁ କହୁଛନ୍ତି। ଅନେକଙ୍କୁ ଖାଇବାକୁ ତର ନାହିଁ। ଗାଁଟା ଏବେ ଶୀତରେ ବି ତାତି ଲାଗୁଛି। ପାନ ଦୋକାନ, ଛକ, ଉଚ୍ଚ ପିଣ୍ଡାରେ କେବଳ ରାଜନୀତି ଚର୍ଚ୍ଚା। ମାଆଙ୍କ ଶ୍ରାଦ୍ଧ କାମ ସରିଲା। କୋଭିଡ୍‌ ନିୟମ ମୁତାବକ ସୀମିତ ଲୋକଙ୍କୁ ନେଇ ପଙ୍‌କ୍ତି ଭୋଜନର ବ୍ୟବସ୍ଥା ହୋଇଥିଲା। ଖାଇବା ସ୍ଥାନଟି ନିମିଷକରେ ରାଜନୀତିମୟ ହୋଇଗଲା। ଶ୍ରାଦ୍ଧ ଭଳି ଛୋଟକାଟିଆ ସମାବେଶକୁ ବି ହାତଛଡ଼ା କରିବାକୁ ହେଳା କଲେନି ପ୍ରାର୍ଥୀ ପ୍ରାର୍ଥିନୀ । ଜଣେ ଜଣେ ପର୍ଯ୍ୟାୟକ୍ରମିକ ଭାବେ ଆସି ଖାଉଥିବା ଲୋକଙ୍କ ସହ ଦୁଃଖସୁଖ ହୋଇ ଯେ ଝା ରାସ୍ତାରେ ଭୋଟଦେବାକୁ ଅନୁରୋଧ କଲେ। ସବୁ ପ୍ରତିଦ୍ୱନ୍ଦ୍ୱୀଙ୍କ ଆଚରଣଠାରୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ସେମାନଙ୍କ ଭେକ। ଜଣେ ବେକରେ ଚେନ ଲଗାଇ ଗୋଟେ ତାଲା ଝୁଲେଇଛି। ଆଉ ଜଣେ ପେଟ ସରି ଦଉଡ଼ିଟିଏ ଓହଳାଇ ସେଥିରେ ଗୋଟେ ବହିକୁ ଖୋଲାମେଲା କରି ପ୍ରଦର୍ଶିତ କରିଛି। ଆଉ ଜଣେ ହାତରେ ବାଲ୍‌ତି ଧରି ବୁଲୁଛି। ଜଣେ ଆସିଲା ଧୁଡ଼ଧାଡ଼ କରି ବଜେଇଲା ଡ୍ରମ। କିଛି ସମୟ ପରେ କରତ ଉଞ୍ଚେଇ ଆଉ ଜଣେ କହିଲା – ‘ଏଥର ସମସ୍ତ ଦୁର୍ନୀତିର ଗଣ୍ଡିଙ୍କୁ କାଟିବା ଆସ !
ମୁଁ ଏଥର ଛିଡ଼ା ହୋଇଛି। ମୋତେ ଥରେ ଭୋଟ ଦେଇ ଦେଖ।’ ସେମିତି କେହି କେହି ଆଖିରେ କଳା ଚଷମା, କେଟିଲି, ଷ୍ଟୁଲ, ଲଣ୍ଠନ, ହାତପଙ୍ଖା ଆଦି ଧରି ଘୂରି ବୁଲୁଛନ୍ତି ନିଜ ଚିହ୍ନକୁ ଚିହ୍ନେଇବା ପାଇଁ। ବାକି କେତେ ଜଣ ନିଜ ଚିହ୍ନକୁ ନେଇ ଅସହାୟ। ସେଥିପାଇଁ ମୋଟର କାର, ବସ୍‌ ଭଳି ଖେଳଣାର ପ୍ରତିକୃତି ଧରି ବୁଲୁଛନ୍ତି। ବଡ଼ କଥା ହେଲା ଜଣେ ପ୍ରାର୍ଥୀ କି ପ୍ରାର୍ଥିନୀ ଆସି ଚାଲିଗଲା ପରେ ଆରମ୍ଭ ହେଉଥିଲା ସେମାନଙ୍କ ବିଷୟରେ ଆଲୋଚନା। ବ୍ୟକ୍ତିତ୍ୱର ବିଶ୍ଲେଷଣ। ସେଇ ବ୍ୟକ୍ତିର ହେଉଥିଲା ଚରିତ୍ର ଚିତ୍ରଣ। ତଳ ଦିନରେ ସେ କୋଉଠି କ’ଣ କହିଥିଲା ଓ କେଉଁ ସବୁ ବାହାସ୍ଫୋଟ ମାରିଥିଲା ତା’ର ଅବିକଳ ମିମିକ୍ରି କରି ଜଣେ ଅଧେ କହୁଥିଲେ। ଶୁଣିବା ବାକି ଥୋକାଏ ହସୁଥିଲେ।
ପଞ୍ଚାୟତ ନିର୍ବାଚନରେ ସବୁଠାରୁ ବଡ଼ କଥା ହେଲା ବ୍ୟକ୍ତିତ୍ୱ। ରାଜନୈତିକ ଚିହ୍ନକୁ ଛାଡ଼ି ସାଧାରଣ ଚିହ୍ନକୁ ନେଇ ସରପଞ୍ଚ ଓ ସମିତିସଭ୍ୟ ପଦବୀ ଲାଗି ଲଢୁଥିବା ଲୋକଙ୍କ କଥା ଗୁରୁତ୍ୱପୂର୍ଣ୍ଣ। ସେଠି ପାର୍ଟି ଅପେକ୍ଷା ମାଟିର ଗୁରୁତ୍ୱ ଅଧିକ। ବ୍ୟକ୍ତିଠାରୁ ବ୍ୟକ୍ତିତ୍ୱର ମୂଲ୍ୟ ବେଶି। ଚେହେରା ଅପେକ୍ଷା ଚରିତ୍ର ଭାରି ଲାଗେ। ଅତୀତର ଛୋଟ ଛୋଟ ଆଚରଣ ବଡ଼ ବଡ଼ ଘଟଣା ହୋଇଯାଏ । ସାନ ସାନ କଥା ବଡ଼ ବଡ଼ ବୋମା ଭଳି ବିସ୍ଫୋରଣ ହୁଏ ଗାଁ ପରିସରରେ। ଅତୀତକୁ ପଛରେ ଛାଡ଼ି ବର୍ତ୍ତମାନରେ ବଞ୍ଚୁଥିବା ଲୋକଙ୍କ ପାଇଁ ନିର୍ବାଚନରେ ଅତୀତ ସବୁ ସିନେମା ପରଦାର ଛବି ଭଳି ଭାସି ଉଠେ। ବର୍ତ୍ତମାନ ଅପେକ୍ଷା ଅତୀତର ମୂଲ୍ୟ ବେଶି ଓଜନ ଲାଗେ । ଭବିଷ୍ୟତ କଥା ତ ସମସ୍ତଙ୍କ ପାଇଁ ଦୂର ଦିଗ୍‌ବଳୟ। ଭବିଷ୍ୟତକୁ ନେଇ ରାଜନୀତିରେ ଟଣାଓଟରା ଚାଲେ। ଗୋଟେ ଅଜବ ନିଶାରେ ହେଉ କିମ୍ବା ଅନ୍ୟ ଦ୍ୱାରା ପ୍ରରୋଚିତ ହୋଇ ପ୍ରାର୍ଥୀ ହୋଇଗଲା ପରେ ନିଜର ଅତୀତର କର୍ମ ସବୁ ନିଜ ନିକଟରେ ଛାଟିପିଟି ହୁଅନ୍ତି। ଭଲ କର୍ମ ସବୁ ଦମ୍ଭ ଯୋଗାଏ। କୁକର୍ମ ନିଜକୁ ଦୁର୍ବଳ କରେ। ତାକୁ ଘୋଡ଼ାଇବା ଲାଗି ଅଜସ୍ର ମିଛ କହିବାକୁ ହୁଏ। କୃତ୍ରିମ ଆଚରଣ ପ୍ରଦର୍ଶନ କରିବାକୁ ପଡ଼େ। ଟାଉଟର ନିଜର ଜୟଗାନ କରେ। ଗୁଣ୍ଡା ଜନତାଙ୍କ ଭେଣ୍ଡା ଭଳି ଅଭିନୟ କରେ। ମିଠା ଛଳନାରେ ରଙ୍ଗେଇବାକୁ, କୃତ୍ରିମ ସରାଗରେ ବୁଡ଼ାଇବାକୁ, ମିଛ ପ୍ରତିଶ୍ରୁତିରେ ବୁଡ଼େଇବାକୁ ହେଳା କରନ୍ତିନି କେହି। ସବୁଠି ପ୍ରେମ ଛଳଛଳ, ଭାବ ଗଦଗଦ। ମଧୁର ବଚନର ବାଆ। ଅସାଧୁ ରାତାରାତି ନିଜେ ସାଧୁ ହୋଇଯାଏ ଯେମିତି। କିନ୍ତୁ ପ୍ରତିକ୍ଷଣ ତା’ର ଅତୀତ ମାରି ଗୋଡ଼ାଏ। ଏସବୁ ପରେ ବି ଅର୍ଥ କାଳେ ଅନର୍ଥ କରେ ନିର୍ବାଚନରେ। ରାତାରାତି ପଟ ବଦଳିଯାଏ। ପବନର ଦିଗ ପରିବର୍ତ୍ତନ ହୁଏ। ଏକଥା ବି ସତ ଅର୍ଥ ସତ୍ତ୍ୱେ ବି ସବୁ ବ୍ୟର୍ଥ ହୁଏ। ମୁହଁମାଡ଼ି ମାଟି କାମୁଡ଼ିବାକୁ ପଡ଼େ। ସଫଳତାର ସ୍ବପ୍ନରେ ବିଭୋର ମଣିଷ ଫଳାଫଳରେ ଆତ୍ମହରା ହେବାକୁ ବାଧ୍ୟ ହୁଏ। ଗାଁ ରାଜନୀତିରେ ସହଜରେ ଭୋଟ ଭାଗ ଭାଗ ହୁଏ। ଗଣତନ୍ତ୍ରରେ ସମସ୍ତେ ସମାନ ଯଦିଓ ପଞ୍ଚାୟତ ନିର୍ବାଚନରେ ଜାତି, ଧର୍ମ, ଗୋଷ୍ଠୀ, ସଂସ୍କୃତି, ପରମ୍ପରା ଆଦି ଅନେକ କାରକ ବଡ଼ ଫରକ ଆଣେ। କୋଠ ଘର, ଭାଗବତ ଟୁଙ୍ଗି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଆଖଡା, କ୍ଲବ, ସଂଘ, ସଂଗଠନ, ଗୋଷ୍ଠୀ, ପରିଷଦ, ଜାତିଭିତ୍ତିକ ସମାଜର ଗୁରୁତ୍ୱ ବଢ଼ିଯାଏ। ବେଳେବେଳେ ସାମାନ୍ୟ କିଛି ପରିମାଣର ଅନୁଦାନ ହେଉ ଅବା କିଛି ଲୋଭନୀୟ ସାମଗ୍ରୀ ବଦଳରେ ମେଣ୍ଢା ପଲ ପ୍ରାୟ ଆଖି ବୁଜି ମୁଖିଆଙ୍କ ଇଙ୍ଗିତରେ ଭୋଟ ଦେଇଦିଅନ୍ତି। ପଛରେ ହୁଏତ ବହୁତ ପସ୍ତେଇବାକୁ ପଡ଼େ ଏମାନଙ୍କୁ।
ପଞ୍ଚାୟତ ନିର୍ବାଚନ ବ୍ୟକ୍ତିତ୍ୱର ମୂଲ୍ୟାୟନ ହୁଏ ଅଧିକ। ଅତି ନିକଟରୁ ଦେଖୁଥିବା ମଣିଷମାନଙ୍କୁ ଲୋକେ ସହଜରେ ମୂଲ୍ୟାୟନ କରନ୍ତି। ଅନେକ ଲୋକଙ୍କ ଆତ୍ମସମ୍ମାନ ଧୂଳିସାତ ହୋଇଯାଏ। ଅହଂ ଚୂରମାର ହୋଇଯାଏ। ନିଜ ଭିତରେ ବିଭେଦ ସୃଷ୍ଟିହୁଏ। ପରିବାରରେ ପାଚେରି ଉଠିଯାଏ। ଅଥଚ ମାମୁଲି ଲୋକଟି ବି ନିଜର ଭଲପଣ ପାଇଁ ବିଜୟ ମୁକୁଟ ପିନ୍ଧିପାରେ। ଗାଁ ରାଜନୀତି ଯେ ଏବେ ପ୍ରଖର ଓ ସମ୍ବେଦନଶୀଳ ବୁଝିବାକୁ ବାକି ରହିଲା ନାହିଁ। ପ୍ରାର୍ଥୀମାନେ ନିଜର ପ୍ରଚାର ସହ ବାକି ଲୋକର କୁତ୍ସାରଟନା କରୁଥିଲେ। ଏମିତିରେ ବିଦାୟୀ ସରପଞ୍ଚ ପହଞ୍ଚତ୍ଲେ ସେଠିକୁ। ଜଣେ କେହି ପଚାରିଲା – ‘ସିଟ୍‌ ବଦଳିବାରୁ ତୁମେ ସିନା ପ୍ରାର୍ଥୀ ହୋଇପାରିବନି, ହେଲେ ତୁମ ଘର ଲୋକ ଭିତରୁ କାହାକୁ ଛିଡ଼ା କଲନି?’ ସାମାନ୍ୟ ହସି ଦେଇ ନିଜ ଅଭିଜ୍ଞତାରୁ ସେ କହିଲେ – ”ନାଇଁ ବାବୁ ! ବଡ଼ ଜାତି ଏ ରାଜନୀତି। ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି। ଭଲ ଲୋକଙ୍କୁ ଇଠି ଜାଗା ନାହିଁ। ଗୋଳିଆ ପାଣିରେ ଜାଣି ଜାଣି କି ପାଇଁ ଗୋଡ଼ ଧୋଇବାର ! ଏସବୁ ପାଇଁ ଅଲଗା ଲୋକ ଅଛନ୍ତି !“ କଥା ଶେଷ ହେଲାବେଳକୁ ସମିତିସଭ୍ୟ ପ୍ରାର୍ଥୀ ହୋଇଥିବା ଜଣେ ବାଳୁଙ୍ଗା ଟୋକା ଆସି ତୁରନ୍ତ ବିଦାୟୀ ସରପଞ୍ଚକୁ କହିଲା – ‘ମଉସା ! ଏଥର ମୁଇଁ ଛିଡ଼ା ହେଇଛି ଟିକେ ଦେଖିବ! ମୋ କଥା ଲାଗିଲା!’ ଏତିକି କଥାରେ ଫେଁ କରି ହସିବାକୁ ବାକି ଲୋକଙ୍କୁ ପରିସ୍ଥିତି ବାଧ୍ୟ କରିଥିଲା।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ-୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri