Posted inଫୁରସତ

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ଦିଲ୍ଲୀପ ବଳବନ୍ତରାୟ

ଖୋର୍ଦ୍ଧାଠାରୁ ଅନତି ଦୂର ଛଣିଆ ଗ୍ରାମରେ ମାତା ଆଦରମଣି ଓ ପିତା ହରମୋହନ ବଳବନ୍ତରାୟଙ୍କ କୋଳରେ ମୋ ଜନ୍ମ। ତିନି ଭାଇ ଭିତରେ ମୁଁ ବଡ଼। ବାପା ଯେହେତୁ ପାରାଦୀପ ବନ୍ଦରରେ କାମ କରୁଥିଲେ, ତେଣୁ ଆମ ପାଠପଢା ବି ସେହିଠାରେ ହୋଇଥିଲା। ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରିବା ପରେ ପାରାଦୀପ କଲେଜରେ ଆଇ.ଏ. ଓ କେନ୍ଦ୍ରାପଡ଼ା କଲେଜରୁ ରାଜନୀତି ବିଜ୍ଞାନ ସମ୍ମାନ ରଖି ମୁଁ ବି.ଏ. ପାସ୍‌ କରିଥିଲି। ତା’ପରେ ମାଡ୍ରାସ୍‌ ଯାଇ ପର୍ସନାଲ୍‌ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିଲେସନ୍ସ ଉପରେ ପି.ଜି. ଡିପ୍ଲୋମା କୋର୍ସ କଲି। ସେଠାରୁ ପାସ୍‌ କରିବା ପରେ ୧୯୮୬ ମସିହାରୁ ପାରାଦୀପସ୍ଥିତ ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ମ୍ୟାନେଜର ଭାବେ କାମ କରିବାକୁ ଲାଗିଲି; ଯେଉଁଠାରେ ମୋତେ ପ୍ରାୟ ପାଞ୍ଚ ହଜାର ଟଙ୍କା ଦରମା ମିଳୁଥିଲା। ସେ ସମୟରେ ଏହି ଟଙ୍କାର ମୂଲ୍ୟ ଢେର୍‌ ଅଧିକା ଥିଲା। ବାପା ଭଲ ପଦବୀରେ ଚାକିରି କରିଥିବାରୁ ଘରର କୌଣସି ଦାୟିତ୍ୱ ମୋ ଉପରେ ନ ଥିଲା। ତଥାପି କର୍ତ୍ତବ୍ୟ ଦୃଷ୍ଟିରୁ ପ୍ରଥମ ମାସର ଦରମାକୁ ନେଇ ବୋଉ ହାତରେ ଦେଇଥିଲି। ସେ ଖୁସିରେ ଅଳ୍ପ କିଛି ଟଙ୍କା ରଖି ବାକିତକ ମୋତେ ଫେରାଇ ଦେଇଥିଲା। ଆଉ ସେହି ଟଙ୍କାରେ ମୁଁ ମୋର ହାତଖର୍ଚ୍ଚ ତୁଲାଉଥିଲି। ତେବେ ଏହି କମ୍ପାନୀରେ ୧୯୯୩ ମସିହା ପର୍ଯ୍ୟନ୍ତ କାମ କରି ଭଲ ନାଁ କମାଇବା ସହ ଅର୍ଥ ରୋଜଗାର କରିଥିଲି ସତ, ହେଲେ ମୋ ମନକୁ କାହିଁକି ଶାନ୍ତି ମିଳୁ ନ ଥିଲା। କାରଣ ମୋ ଭିତରେ କଳାକୁ ନେଇ ଥିଲା ଖୁବ୍‌ ଦୁର୍ବଳତା। ସ୍କୁଲ ଓ କଲେଜରେ ପଢିଲାବେଳେ ଅନେକ ନାଟକରେ ଅଭିନୟ କରିଥିଲି। କ୍ରମେ ନାଟକ ଲେଖିବା ସହ ଅନେକ ଗୀତି କବିତା ମଧ୍ୟ ଲେଖି ଚାଲିଲି। ଆଉ ଗୋଟିଏ ଅଭିଳାଷ ମୋର ବାକି ରହିଯାଇଥିଲା ତାହା ହେଲା ଟିଭି ପାଇଁ କେମିତି କାମ କରିବା, ହେଲେ ସୁଯୋଗ ମିଳୁ ନ ଥିଲା। ଆଉ ଯେବେ ଏହି ସୁଯୋଗ ମିଳିଲା ତାକୁ ହାତଛଡ଼ା କରିବାକୁ ଚାହିଁଲି ନାହିଁ। ଏପିରି କି ଚାକିରି ଛାଡ଼ିଦେଇ ପୂରା ସମୟ ଏଥିରେ ଦେଲି; ଯାହାର ଫଳସ୍ବରୂପ ୧୯୯୪ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରି ଅନେକ କିଛି ଶିଖିବାର ସୁଯୋଗ ମିଳିଥିଲା। ଆଉ ତା’ପରେ ଇଟିଭିରେ ସହ-ପ୍ରଯୋଜକ ଭାବେ ୨୦୦୧ରୁ ୨୦୧୫ ଯାଏ କାମ କରିଥିଲି। ସେଠାରୁ କାମ ଛାଡ଼ିବା ପରେ ଆଉ କେଉଁ ସଂସ୍ଥା ଅଧୀନରେ କାମ ନ କରି ସ୍ବତନ୍ତ୍ର ଭାବେ ନିଜସ୍ବ ଉଦ୍ୟମରେ ବଢ଼ିବାକୁ ଚେଷ୍ଟା କରିଥିଲି। ସେବେଠାରୁ ଏହି ଉଦ୍ୟମ ମୋର ସେମିତି ଜାରି ରହିଛି। ୟା’ଭିତରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ନାଟକ ଲେଖିସାରିଲିଣି। ତନ୍ମଧ୍ୟରୁ ଅନେକ ନାଟକ ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ଦ୍ୱାରା ଆଦୃତ ମଧ୍ୟ ହୋଇସାରିଲାଣି। ଏପରି କି ବାଲେଶ୍ୱର ନାଟ୍ୟ ଅନୁଷ୍ଠାନ ତରଫରୁ ହୋଇଥିବା ନାଟକ ପ୍ରତିଯୋଗିତାରେ ମୋର ଏକ ନାଟକ ‘ନିସଙ୍ଗ ନଚିକେତା’ ଶ୍ରେଷ୍ଠ ନାଟକ ଭାବେ ମନୋନୀତ ହେବା ସହ ମୋତେ ଶ୍ରେଷ୍ଠ ନାଟ୍ୟକାର ଭାବେ ପୁରସ୍କୃତ ବି କରାଯାଇ ସାରିଛି। ଏହାଛଡ଼ା ମୋ ଲିଖିତ କେତୋଟି ପ୍ରମୁଖ ନାଟକ ମଧ୍ୟରେ ରହିଛି: ସୁନା ଭଉଣୀ, ଏଇ ବୋଧେ ପ୍ରେମ, ନିଲଠା ନିର୍ଦ୍ଦେଶକ, ଖଳନାୟିକା, ଧନହାନି ପ୍ରାଣପୀଡ଼ା, ଆଉ ଜଣେ ବାପା, ଜଣେ ସାମ୍ବାଦିକ, ଆର ପାଖେ ଛାଇ ଇତ୍ୟାଦି ଅନ୍ୟତମ। କେବଳ ନାଟକ ନୁହେଁ, ୟା’ଭିତରେ ୪ଟି କାବ୍ୟ ପୁସ୍ତକ ଯଥା: ‘ବୋଉ’, ‘ବାପା’, ‘ମରୁନୁ ମାଙ୍କଡ଼’ଓ ‘ଅଣୁ କବିତା’ ମଧ୍ୟ ମୋର ପ୍ରକାଶିତ ହୋଇସାରିଲାଣି। ତଥାପି ମୋ ନାଟକ ଓ କବିତା ଲେଖା ସେମିତି ଜାରି ରହିଛି। ତା’ସହିତ ନିଜସ୍ବ ଉଦ୍ୟମରେ ଏଇ ଭିତରେ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର ଓ ଓ୍ବେବ ସିରିଜ୍‌ ପାଇଁ କାହାଣୀ ଲେଖିବା ସହ ତା’ର ନିର୍ଦ୍ଦେଶନା ମଧ୍ୟ ଦେଇସାରିଲାଣି। ଆଉ ତାହା ୟୁ’ଟ୍ୟୁବ୍‌ରେ ପ୍ରସାରିତ ହୋଇ ଦର୍ଶକଙ୍କ ଦ୍ୱାରା ଆଦୃତ ବି ହୋଇସାରିଲାଣି। ତେବେ ଏଠି ଗୋଟେ କଥା କହି ରଖିବି, ଏହି ସବୁ କାମରୁ ହୁଏତ କେତେବେଳେ କେମିତି ମୋତେ ଅର୍ଥାଭାବର ସମ୍ମୁଖୀନ ହେବାକୁ ପଡିଥାଇ ପାରେ, ହେଲେ ଆତ୍ମଶାନ୍ତି ମୋତେ ଖୁବ୍‌ ମିଳିଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?