Posted inଖେଳ

‘ଟ୍ରଫି ବଜାୟ ରଖିବାକୁ ଭୋକିଲା ଅଛୁ’

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି): ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱକପ୍‌ର ଗତ ସଂସ୍କରଣରେ ଚାମ୍ପିୟନ ହୋଇଥିବା ବେଲଜିୟମ ଦଳ ଶୁକ୍ରବାର ଏଠାରେ ପହଞ୍ଚତ୍ଛି। ବିଶ୍ୱ ହକିର ତାରକା ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବହୁ ସଂଖ୍ୟାରେ ହକିପ୍ରେମୀ ଉପସ୍ଥିତ ଥିଲେ। ବେଲଜିୟମ ପୁଲ୍‌ ‘ବି’ରେ ଜର୍ମାନୀ, ଜାପାନ ଓ କୋରିଆ ସହିତ ସ୍ଥାନ ପାଇଛି। କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୧୪ ତାରିଖରେ କୋରିଆ ବିପକ୍ଷରେ ମ୍ୟାଚ ଖେଳି ବେଲଜିୟମ ଅଭିଯାନ ଆରମ୍ଭ କରିବ।
ଭାରତ ଅନ୍ୟତମ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ
ଫେଲିକ୍ସ ଡେନାୟେରଙ୍କ ନେତୃତ୍ୱାଧୀନ ରେଡ୍‌ ଲାୟନ୍ସ (ବେଲଜିୟମ) ଦଳ ପୂର୍ବ ସଂସ୍କରଣର ପ୍ରଦର୍ଶନକୁ ଦୋହରାଇ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ରହିଛି। ଯଦି ଏହା ସମ୍ଭବ ହୁଏ ତେବେ ଟୁର୍ନାମେଣ୍ଟ ଇତିହାସରେ ୪ର୍ଥ ଦଳ ଭାବେ କ୍ରମାଗତ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିବ। ପୂର୍ବରୁ ପୁରୁଷ ହକି ବିଶ୍ୱକପ୍‌ରେ ପାକିସ୍ତାନ ୧୯୭୮ ଓ ୧୯୮୨, ଜର୍ମାନୀ ୨୦୦୨ ଓ ୨୦୦୬ ଏବଂ ଅଷ୍ଟ୍ରେଲିଆ ୨୦୧୦ ଓ ୨୦୧୪ରେ ଚାମ୍ପିୟନ ହୋଇ ଏହି କ୍ଲବର ସଦସ୍ୟ ଅଛନ୍ତି। ”ଆମେ ଭଲଭାବେ ପ୍ରସ୍ତୁତ ହୋଇ ଏଠାକୁ ଆସିଛୁ। ଆମର ଟ୍ରେନିଂ କ୍ୟାମ୍ପ ସ୍ପେନ୍‌ରେ ହୋଇଥିଲା। ସେଠାରେ ଆମେ ଆମର ସମସ୍ତ ଗେମ୍‌ ଜିତିଥିଲୁ। ତେଣୁ ଆଗାମୀ ଟୁର୍ନାମେଣ୍ଟରେ ଭଲ କରିବା ପାଇଁ ଖେଳାଳିମାନେ ଆତ୍ମବିଶ୍ୱାସରେ ଅଛନ୍ତି। ବିଶ୍ୱକପ୍‌ରେ ପ୍ରତିଦ୍ୱନ୍ଦ୍ୱିତା ସର୍ବଦା କଷ୍ଟସାଧ୍ୟ ହୋଇଥାଏ। ତେଣୁ ଆମେ ଆରମ୍ଭକୁ ଆଗ୍ରହ ସହକାରେ ଅପେକ୍ଷାକରି ରହିଛୁ“ ବୋଲି ଡେନାୟେର ପ୍ରକାଶ କରିଛନ୍ତି। ଆଗାମୀ ଟୁର୍ନାମେଣ୍ଟ ପାଇଁ ଆମ ସହିତ ଅନେକ ଫେଭରାଇଟ ରହିଛନ୍ତି। ମୋ ମତରେ ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍ସ, ଜର୍ମାନୀ ଓ ଘରୋଇ କରିବେଶରେ ଭାରତ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବ। ନିକଟ ଅତୀତରେ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଦଳ ମଧ୍ୟ ଭଲ ଖେଳି ଆସିଛନ୍ତି। ତେଣୁ ଆଗାମୀ ପ୍ରତିଯୋଗିତା କୌଣସି ଦଳ ପାଇଁ ସହଜ ହେବନାହିଁ ବୋଲି ସେ କହିଛନ୍ତି।
୨୦୧୮ ବିଶ୍ୱକପ୍‌ରେ ବେଲଜିୟମର ଅନେକ ସ୍ମରଣୀୟ ଅନୁଭୂତି ରହିଛି। ନେଦରଲାଣ୍ଡ୍ସ ବିପକ୍ଷ ଫାଇନାଲ ଏବେ ମଧ୍ୟ ଖେଳାଳିଙ୍କ ମନରେ ତାଜା ହୋଇ ରହିଛି। ଶୁଟ୍‌ ଆଉଟ ମାଧ୍ୟମରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହୋଇଥିଲା ଏବଂ ଏହା ଅତ୍ୟନ୍ତ ନାଟକୀୟ ଥିଲା। ଶୁଟ୍‌ ଆଉଟ ପର୍ଯ୍ୟାୟରେ ଆର୍ଥର ଡି ସ୍ଲୋଭେରଙ୍କ ଓ୍ବିନିଂ ଶଟ୍‌ ରିଭ୍ୟୁରେ ନାକଚ ହୋଇଯିବାରୁ ବେଲଜିୟମ ଖେଳାଳିଙ୍କୁ ବିଜୟ ଉତ୍ସବକୁ ଅଧାରୁ ରୋକିବାକୁ ପଡ଼ିଥିଲା। ମାତ୍ର ବେଲଜିଆନ ଗୋଲକିପର ଭିନସେଣ୍ଟ ଭାନସାକ୍‌ ନେଦରଲାଣ୍ଡ୍ସର ଜୋନାସ ଡି ଜିଉସଙ୍କ ଶଟ୍‌କୁ ସେଭ୍‌ କରିବାରେ ସକ୍ଷମ ହେବାରୁ ବେଲଜିୟମ କ୍ୟାମ୍ପରେ ଆଉଥରେ ବିଜୟ ଉତ୍ସବ ଆରମ୍ଭ ହୋଇଥିଲା। କାରଣ ଏହାଥିଲା ବେଲଜିୟମ ଦଳର ପ୍ରଥମ ବିଶ୍ୱକପ ବିଜୟ। ଏଭଳି ନାଟକୀୟ ଘଟଣାକ୍ରମ ଯେ ଆଗାମୀ ବିଶ୍ୱକପ୍‌ରେ ନ ଆସିବ ତାହା କହିହେବନି ବୋଲି ଡେନାୟେର ପ୍ରକାଶ କରିଛନ୍ତି। ”ବିଶ୍ୱକପ ଟୁର୍ନାମେଣ୍ଟ ଏକ ବଡ଼ ଚ୍ୟାଲେଞ୍ଜ। ମାତ୍ର ଆମ ଦଳରେ ଅଭିଜ୍ଞ ଖେଳାଳି ଭରପୂର ଥିବାରୁ ଟ୍ରଫି ବଜାୟ ରଖିବାପାଇଁ ଭୋକିଲା ଅଛୁ। ଆମେ ଏକ ଉଚ୍ଚାଭିଳାଷୀ ଗ୍ରୁପ୍‌। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏଭଳି ଚ୍ୟାଲେଞ୍ଜର ଆବଶ୍ୟକତା ରହିଛି“ ବୋଲି ସେ କହିଛନ୍ତି।
ଭାରତୀୟ ଦର୍ଶକ ବିଶ୍ୱରେ ଶ୍ରେଷ୍ଠ
ଆଗାମୀ ଟୁର୍ନାମେଣ୍ଟରେ ଓଡ଼ିଶା ହକି ପ୍ରଶଂସକଙ୍କ ମନରେ କିଭଳି ଉତ୍କଷ୍ଠା ରହିଛି ତାହା ଦେଖିବାକୁ ବେଲଜିୟମ ମୁଖ୍ୟ କୋଚ୍‌ ମାଇକେଲ ଭାନ୍‌ ଡେନ୍‌ ହୁଭେଲ ବ୍ୟଗ୍ରତା ପ୍ରକାଶ କରିଛନ୍ତି। ଭାରତୀୟ ଦର୍ଶକଙ୍କ ସମ୍ମୁଖରେ କାହିଁକି ସବୁଦଳ ଖେଳିବାକୁ ଭଲ ପାଉଛନ୍ତି ତାହା ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ”ଆମେ ପୁଣିଥରେ ଭୁବନେଶ୍ୱର ଆସି ବହୁତ ଖୁସି। ଆମେ ଭାରତୀୟ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ଭଲ ପାଉ, କାରଣ ସେମାନେ ବିଶ୍ୱରେ ଶ୍ରେଷ୍ଠ। ଆମେ ଏଠାକୁ ବିଶ୍ୱ ଟାଇଟଲ ଡିଫେଣ୍ଡ କରିବାକୁ ଆସିଛୁ। ସେଥିପାଇଁ ଭଲଭାବେ ପ୍ରସ୍ତୁତି କରିଛୁ। ଟୁର୍ନାମେଣ୍ଟ ଆରମ୍ଭ ଉପରେ ଆମର ନଜର ରହିଛି“ ବୋଲି ହୁଭେଲ କହିଛନ୍ତି। ଏଠାକାର ଦର୍ଶକ ସମାଗମ ଚମତ୍କାର। ଏଭଳି ଦର୍ଶକଙ୍କ ସମ୍ମୁଖରେ ଖେଳିବା ପାଇଁ ସମସ୍ତେ ନିଶ୍ଚିତ ଭଲ ପାଇବେ। କୋଳାହଳରେ ଷ୍ଟାଡିୟମ ପ୍ରକମ୍ପିତ ହେଲେ ମଧ୍ୟ ଆମକୁ ଖେଳିବାରେ କିଛି ଅସୁବିଧା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
ସବୁଠାରୁ କୌତୂହଳପ୍ରଦ କଥା ହେଲା ବେଲଜିୟମକୁ ବିଶ୍ୱକପ୍‌ ଏବଂ ୨୦୨୦ ଅଲିମ୍ପିକ୍ସ ଚାମ୍ପିୟନ କରାଇଥିବା ଅଭିଜ୍ଞ କୋଚ୍‌ ଶେନ ମ୍ୟାକଲିଡ କିଛି ଦିନର ବିଶ୍ରାମ ପରେ ଦଳର ସହକାରୀ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବ୍ୟତୀତ ଦଳରେ ଅନେକ ଅଭିଜ୍ଞ ଖେଳାଳି ରହିଛନ୍ତି। ସେମାନଙ୍କ ମଧ୍ୟରେ ୪୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଭେଟେରାନ ଜନ୍‌-ଜନ୍‌ ଡୋମେନ ସାମିଲ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?