ଛନ୍ଦା ମିଶ୍ର

ଖୁବ୍‌ ସାନ ହୋଇଥିଲି, କିନ୍ତୁ ଆଜି ବି ଘଟଣାଟି ଲେଖିଲା ବେଳକୁ ମୋ ଆଖି ଆଗରେ ଜଳଛବି ପ୍ରାୟ ଭାସି ଯାଉଛି। ଦିନ ବାରଟା ସାଢ଼େବାରଟା ସମୟ ହେବ, ଭିକାରି ଜଣେ ଗେଟ୍‌ ଖଡ଼ଖଡ଼ କରି ଚିତ୍କାର କରୁଥାନ୍ତି ମା’ ଭିକ ମୁଠେ ମିଳୁ…। ପରୀକ୍ଷା ପାଇଁ ଏକାକୀ ବାରଣ୍ଡାରେ ବସି ପଢ଼ୁଥିଲା ବେଳେ ନିକଟରେ ଥିବା ତସଲାରୁ ଚାଉଳ ଗିନାଏ ନେଇ ଦେବାପାଇଁ ଯେତେବେଳେ ଗଲି, ଭିକାରି ଜଣକ ନିଜ ଭିକ ଥାଳ ଘୁଞ୍ଚାଇ ନେଇ କହିଲେ, ”ଝିଅ ମା’ ନାହାନ୍ତି କି? ତାଙ୍କୁ ଟିକେ ଡାକିଦଉନ।“ ଫେରିଆସି ମାଆକୁ କହିଲି ”ମା, ତୁ ଯାଆ, ସେ ଭିକାରି ଜଣକ ମୋ ହାତରୁ ନେବା ପାଇଁ କ’ଣ ମନାକରିଦେଲେ।“ ମା’ ଯାଇ ଭିକାରି ଜଣକୁ ଦେଖି ଗେଟ୍‌ ଖୋଲିଦେଲା। କୌତୂହଳ ବଶତଃ ମୁଁ ବି ମାଆ ସହ ଯାଇଥିଲି। ମାଆ କହିଲା – ମଉସା ତୁମେ ଆସିଛ କି? ହଉ ହଉ ଭିତରକୁ ଆସ, ମୁଁ ରାନ୍ଧି ସାରିଲେ ତୁମେ ଖାଇକରି ଯିବ। ଭିକାରି ଜଣକ ଭିତରକୁ ଆସି ମନ୍ଦାର ଗଛ ତଳେ ବସିପଡ଼ିଲେ। ମାଆ ରାନ୍ଧିସାରି ଆମ ଭାଇଭଉଣୀଙ୍କ ପାଇଁ ବାଢ଼ି ସେ ଭିକାରି ଜଣକୁ ମଧ୍ୟ କଦଳୀପତ୍ରରେ ରନ୍ଧାହୋଇଥିବା ସମସ୍ତ ଖାଦ୍ୟ ନେଇ ଦେଇଆସିଲା। ମାଆ ପଛେ ପଛେ ମଗରେ ପାଣିନେଇ ମୁଁ ତାଙ୍କ ନିକଟରେ ଥୋଇଲି। ମାଆ ତାଙ୍କୁ କହିଲା-ମଉସା, ଆଉ କ’ଣ ଖାଇଲେ ମାଗିବ। ଭିକାରି ଜଣକ କହିଲେ – ମାଆ, ତୁମେ ତ ଅନ୍ନପୂର୍ଣ୍ଣା, ତୁମେ ଦେବ, ଆଉ ମୋ ପେଟ ପୂରିବନି ଯେ, ମୁଁ ପୁଣି ମାଗିବି? ଈଶ୍ୱର ତୁମର ମଙ୍ଗଳ କରନ୍ତୁ ମା’। ଏକଥା କହିଲା ବେଳକୁ ତାଙ୍କ ଆଖି ଲୁହ ଛଳଛଳ ହୋଇ ଉଠୁଥିଲା। ସେଦିନ ଅନୁଭବ କରିଥିଲି, ଭିକାରି ଜଣକଙ୍କ ପେଟରେ ଯେତିକି ଭୋକ ଥିଲା, ତା’ଠାରୁ ଅଧିକ ଭୋକ ଥିଲା ମନରେ। ଯେଉଁ ଭୋକ, ଅନ୍ୟଠାରୁ ସାମାନ୍ୟ ଶ୍ରଦ୍ଧା ଓ ସହାନୁଭୂତି ଆଶା କରୁଥିଲା। ପରେ ମାଆଠାରୁ ବୁଝିଥିଲି, ଯେ ତାଙ୍କ ସ୍ତ୍ରୀଙ୍କୁ କୁଷ୍ଠରୋଗ ହେବାରୁ ଗାଁ ଲୋକେ ତାଙ୍କୁ ଗାଆଁରୁ ବିତାଡ଼ିତ କରିଥିଲେ। ସ୍ତ୍ରୀ ଏକାକରି ଚାଲିଗଲେଣି କେବେଠାରୁ। ଏବେ ବ୍ୟକ୍ତି ଜଣକ ଏକାକୀ, ନିଃସଙ୍ଗ ଜୀବନ କାଟୁଛନ୍ତି। ସେତିକିବେଳେ ହୃଦୟଙ୍ଗମ କରିଥିଲି ଯେ, ଭୋକ ଶବ୍ଦଟି କେବଳ ପେଟ ସହ ଜଡ଼ିତ ନୁହେଁ।
କୁହାଯାଏ, ଦରିଦ୍ରଠାରୁ ବଡ଼ ଅଭିଶପ୍ତ କେହି ନାହିଁ ଏବଂ ତା’ଠାରୁ ବଡ଼ ଅଭିଶପ୍ତ ହେଉଛି ରୋଗଗ୍ରସ୍ତ ବ୍ୟକ୍ତି। ତେବେ ଦାରିଦ୍ର୍ୟ ଓ ରୋଗ ଯେତେବେଳେ ବ୍ୟକ୍ତିକୁ ଏକତ୍ର ଆକ୍ରମଣ କରନ୍ତି, ସେତେବେଳେ ତା’ଠାରୁ ହତଭାଗା ଆଉ କେହି ଥାଇ ପାରେ କି? ଦୁର୍ଯ୍ୟୋଗ, ଦୁର୍ଭାଗ୍ୟ ଓ ଦୁରବସ୍ଥା ତା’ ଉପରେ ଏପରି ଦାଉ ସାଧନ୍ତି ଯେ, ସେ ଯମ ନିକଟରେ ନିଜ ପ୍ରିୟତମ ‘ପ୍ରାଣ’ଟିକୁ ଉତ୍ସର୍ଗ କରିଦେବା ପାଇଁ ପଛାଏ ନାହିଁ। ପ୍ରୟାଗରାଜର କରେଲିଠାରେ ରହୁଥିବା ବ୍ରହ୍ମାଦୀନ ମିଶ୍ରଙ୍କ ତିନିବର୍ଷର କୋମଳ ମତି କନ୍ୟା ଖୁସିଙ୍କ ପେଟରେ ଯନ୍ତ୍ରଣା ହେଲା। ତା’ର ମାତାପିତା ଚିକିତ୍ସା ପାଇଁ ଝିଅକୁ ରାୱତପୁରଠାରେ ଥିବା ଗୋଟିଏ ବେସରକାରୀ ହାସ୍‌ପାତାଳରେ ଭର୍ତ୍ତି କଲେ। ଝିଅଟିର ପେଟରେ ଅପରେଶନ କରାଗଲା। ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଦାବି ପାଞ୍ଚଲକ୍ଷ ଥିଲାବେଳେ, କୁନିଝିଅଟିର ବାପା ମାତ୍ର ଦେଢ଼ଲକ୍ଷ ଟଙ୍କା ଦେଇ, ଝିଅର ଜୀବନରକ୍ଷା କରିବା ପାଇଁ ଗୁହାରି କଲେ। ମାତ୍ର ଆଶ୍ଚର୍ଯ୍ୟ ଏ ଚିକିତ୍ସକମାନେ ଏପରି ଅମାନବୀୟ କାର୍ଯ୍ୟଟିଏ କଲେ ଯେ, ଭାବିଲେ ଦେହ ଶୀତେଇ ଉଠୁଛି। ସେମାନେ ଝିଅଟିର ଅପରେଶନ କଲାପରେ ପେଟକୁ ସିଲେଇ ନ କରି, ତାକୁ ବାହାରକୁ ବାହାର କରିଦେଲେ। ଫଳରେ କୁନିଝିଅଟି ଯନ୍ତ୍ରଣାରେ ଚିତ୍କାର କରିକରି ପ୍ରାଣତ୍ୟାଗ କଲା। ଏବେ ଘଟଣାଟି ଲୋକ ଲୋଚନକୁ ଆସିଲା ପରେ ତଦନ୍ତ ହେବାର ପ୍ରତିଶ୍ରୁତି ଦେଇଛି ପ୍ରଶାସନ। କିନ୍ତୁ ଆମ ଦେଶରେ ତଦନ୍ତ କିପରି ହୁଏ, ତାହା କେତେ ସ୍ବଚ୍ଛ ଓ ତା’ର ବେଗ କେତେ ତଥା ତଦନ୍ତ ପରେ ଦୋଷୀ କିପରି ନିର୍ଦ୍ଦୋଷରେ ପରିଣତ ହୁଏ ତାହା ବଖାଣିବାର ଆବଶ୍ୟକତା ନାହିଁ। ‘ଅର୍ଥ’ର ଭୋକ, ଡାକ୍ତରଙ୍କୁ ପିଶାଚରେ ପରିଣତ କରିଥିଲା ବେଳେ, ସେହି ଅର୍ଥର ପରାକାଷ୍ଠାରେ ସେମାନେ ପ୍ରମାଣ କରିଦେବେ ଯେ, ବ୍ୟକ୍ତି ଜଣକଙ୍କ ସମସ୍ତ ଅଭିଯୋଗ ମିଥ୍ୟା ବୋଲି। ତେବେ ଏହି ଭୋକ ମଣିଷକୁ ଭୟଙ୍କର କରିଦିଏ।
ତେବେ, ଏହିସବୁ ଭୋକର ଚିତ୍ରଗୁଡ଼ିକୁ ଆମେ ସ୍ଥୂଳଚକ୍ଷୁରେ ଦେଖିପାରୁ। କିନ୍ତୁ ଏପରି ଅନେକ ‘ଭୋକ’ ଅଛି ଯେଉଁଗୁଡ଼ିକୁ ଦେଖି ହୁଏନା, ଯେପରି ପ୍ରଶଂସା ପାଇବାର ଭୋକ, ପୁରସ୍କାର ଗୋଟେଇବାର ତୀବ୍ର ଇଚ୍ଛା, କ୍ଷମତା, ପ୍ରତିପତ୍ତି ସାଉଁଟିବାର ଲାଳସା ଇତ୍ୟାଦି। ଯେତେବେଳେ ଏସବୁ ଭୋକ, ଆମ ଅଜାଣତରେ ଆମ ମସ୍ତିଷ୍କକୁ କବଳିତ କରେ ସେତେବେଳେ ଆମେ ନିଜ ସ୍ବଭାବର ବିପରୀତ କାର୍ଯ୍ୟ କରିବାକୁ ବାଧ୍ୟ ହୋଇପଡ଼ୁ। ‘କେବେ ଦୁର୍ନୀତିକୁ ପ୍ରଶ୍ରୟ ଦେଉ ତ ଆଉକେବେ କୌଣସି ସଫଳ ବ୍ୟକ୍ତିଙ୍କୁ ଦେଖି ତାଙ୍କୁ ଅନୁକରଣ କରିବାକୁ ଯାଇ ହନୁକରଣ କରି ଲୋକହସାର ପାତ୍ର ହୋଇପଡ଼ୁ।
ମନେରଖିବାକୁ ହେବ ଯେ, ‘ଭୋକ’ ଆଧ୍ୟାତ୍ମିକ ଅଭୀପ୍‌ସା ଗୁଡ଼ିକ ପାଇଁ ଯେତିକି ପ୍ରବଳ ହେବ, ଆମ ଜୀବନ ହେବ ସେତିକି ମହତ, ସେତିକି ଉଦାର ଓ ମହନୀୟ। ପ୍ରକୃତିର ନିୟମାନୁସାରେ, ସୃଷ୍ଟିରେ ପ୍ରତିଟି ଜନ୍ମ ଉତ୍ତରୋତ୍ତର ଉନ୍ନତି ନିମେନ୍ତ ଉଦ୍ଦିଷ୍ଟ। ମାତ୍ର ଆମ ‘ଭୋକ’ ହିଁ ତାହାର ପଥରୋଧ କରେ। ‘ଭୋକ’ ଯେତିକି ସକାରାତ୍ମକ, ଚେତନା ସେତିକି ଉଜ୍ଜ୍ୱଳ। ହେଲେ ଏଥିପାଇଁ ସମର୍ପଣର ଭାବନା ନେଇ ଈଶ୍ୱରଙ୍କୁ ପ୍ରାର୍ଥନା କଲେ, ପଥ ସୁଗମ ହେବାର ସମ୍ଭାବନା ଅଧିକ।
ମନେପଡ଼ିଯାଏ କାହାଣୀଟିଏ। ସନ୍ଥକବି ତୁଳସୀ ଦାସ ନଗରୀଠାରୁ ଦୂରବର୍ତ୍ତୀ ଗୋଟିଏ ଗ୍ରାମରେ ପ୍ରବଚନ ଦେଉଥାନ୍ତି । ପ୍ରବଚନ ଶେଷ ହେଲାପରେ ଅଧିକାଂଶ ନରନାରୀ ତାଙ୍କୁ ପ୍ରଣାମ ଜଣାଇ ବାହୁଡ଼ିଗଲେ। ମଣ୍ଡପର ଗୋଟିଏ କୋଣରେ ଛିଡ଼ାହୋଇଥାଏ ଅର୍ଦ୍ଧଅବଗୁଣ୍ଠନବତୀ ଯୁବତୀଟିଏ। ସମସ୍ତେ ଅପସରି ଗଲାପରେ ସେ ଆସି ଗୋସ୍ବାମୀଙ୍କୁ ପ୍ରଣାମ କରି ତାଙ୍କ ମୁହଁ ଆଡ଼େ ଅନାଇ ରହିଲା। ଗୋସ୍ବାମୀ ତା’ ମଥାରେ ହାତରଖି ଆଶୀର୍ବାଦ ଦେଇ କହିଲେ କିଛି କହିବୁ ମାଆ? ମୃଦୁ କଣ୍ଠରେ ଝିଅଟି ଉତ୍ତର ଦେଲା ‘ମୋ ନାମ ଲଳିତା।’ ସନ୍ଥ କହିଲେ ‘ବାଃ ଖୁବ୍‌ ସୁନ୍ଦର, ପବିତ୍ର ନାମ।’ ଝିଅଟି ଲାଜେଇଗଲା, କିନ୍ତୁ ସେମିତି ଅନେଇ ରହିଥାଏ। ଏହା ଦେଖି ସନ୍ଥ ପୁଣି ପୁଛା କଲେ ‘ଆଉ କିଛି କହିବୁ ମାଆ? ଝିଅଟି ପଚାରିଲା ‘ମୋ ମୁହଁ କେମିତି ଦିଶୁଛି?’ ଗୋଟିଏ ଉତ୍ତମ ଝିଅର ମୁହଁ ‘ଯେମିତି ହେବା କଥା ଠିକ୍‌ ସେମିତିକା ମାଆ।’ ‘ନା…ନା…ମାନେ ମୋ ନଥଟିକୁ ଦେଖୁଛନ୍ତି…ଖୁବ୍‌ ସୁନ୍ଦର ନୁହେଁ।’ ଗୋସ୍ବାମୀ କହିଲେ,ଓଁ ଭାରି ସୁନ୍ଦର…ସୁନା ବୋଧହୁଏ? ହଁ ଖାଣ୍ଟି ସୁନା। ‘ସିଏ ଗଢ଼େଇ ଦେଇଛନ୍ତି, ସୁନ୍ଦର ହୋଇନି?’ ଗୋସ୍ବାମୀଙ୍କ ମୁହଁରୁ ପ୍ରଶଂସା ଶୁଣିବା ପାଇଁ ଆଶାୟୀ ଆଖିରେ ଚାହିଁ ରହିଲା ଝିଅଟି। ଗୋସ୍ବାମୀ ଉତ୍ତର ଦେଲେ ‘ଝିଅ ନଥଟିତ ଭାରି ସୁନ୍ଦର ହୋଇଛି ଓ ସେଥିପାଇଁ ତୁ ତୋ ସ୍ବାମୀ ପ୍ରତି କୃତଜ୍ଞ। ନାକଟି ଥିଲା ବୋଲି ସିନା ନଥ ଲଗାଇ ପାରିଲୁ, ଏଣିକି ନଥ ଗଢ଼େଇଥିବା ତୋ ସ୍ବାମୀ ପ୍ରତି କୃତଜ୍ଞ ହୋଇପାରିବୁ, ଦେଖିବୁ ତତେ କେତେ ଆନନ୍ଦ ମିଳୁଛି।’ ପ୍ରକୃତରେ ଆମ ଭୋକ ହିଁ ଆମ ଜୀବନକୁ କରୁଛି ନିୟନ୍ତ୍ରଣ। ତେବେ, ଭୋକ ଆମକୁ ‘ପୋକ’ରେ ପରିଣତ ନ କରି ‘ମୋକ୍ଷ’ର ପଥ ଉନ୍ମୁକ୍ତ କରୁ ।
୩ଆର/୬, ବି.ଜେ.ବି. ନଗର, ଭୁବନେଶ୍ୱର
ମୋ-୯୪୩୭୪୫୩୬୧୦


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri