ଦର୍ଶନ ବ୍ୟବସ୍ଥା କେତେ ବ୍ୟବସ୍ଥିତ

ଗାୟତ୍ରୀ ସିଂହ

 

ଜଗତର ନାଥ ଜଗନ୍ନାଥ କାଳିଆ ସାଆନ୍ତ। ସେ ଜଗତର ଠାକୁର, ଭକତର ଠାକୁର, ସମଗ୍ର ବିଶ୍ୱର ଠାକୁର। ତାଙ୍କ ଲୀଳା ଅପାର। ତାଙ୍କର କାଣିଚାଏ ନର୍ମାଲ୍ୟ ପାଇବା ପାଇଁ ସାରା ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନଙ୍କର ସୁଅ ଛୁଟିଥାଏ ଶ୍ରୀକ୍ଷେତ୍ର ପୁରୀ ଧାମକୁୁ। କୁହାଯାଏ ମହାପ୍ରଭୁଙ୍କ ଡୋରି ନ ଲାଗିଲେ ତାଙ୍କୁ ଦର୍ଶନ କରିହୁଏ ନାହିଁ। ପୁରୀ ନାଁ ଶୁଣିଲେ ପ୍ରତ୍ୟେକ ଭକ୍ତ ହୁଅନ୍ତୁ କି ପର୍ଯ୍ୟଟକ ଭାବ ବିହ୍ବଳରେ ଆବେଗ ଖୁସି ଦ୍ବିଗୁଣିତ ହୋଇଯାଏ। ଅନେକ ଆଶା ବିଶ୍ୱାସ ଭରସା ଓ ଭକ୍ତିଭାବର ମନଟିଏ ନେଇ ଭକ୍ତର ଆଗମନ ହୋଇଥାଏ। ହେଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହୋଇଥିବା ବ୍ୟବସ୍ଥାରେ ମନ ଊଣା ହୋଇଯାଏ। ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଆହୁରି ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ବୋଲି ମନେହୁଏ। ଏଇ ଜୁନ୍‌ ୪/୫ ତାରିଖର କଥା। ମୁଁ ପୁରୀ ଯାଇଥିଲି ମହାପ୍ରଭୁଙ୍କ ଦର୍ଶନ ପାଇଁ। ମାତ୍ର ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଦେଖିବା ପରେ ସ୍ବତଃ ମନରେ ଜାଗି ଉଠିଲା ଏ ବିଷୟରେ କିଛି ଲେଖିବା ପାଇଁ। ପ୍ରଶାସନ ଓ ପୋଲିସଙ୍କୁ ଜାଗ୍ରତ କରିବାର ଛୋଟିଆ ପ୍ରୟାସଟିଏ କରିଛି। ପ୍ରଥମତଃ ଦର୍ଶନ ପାଇଁ ଅପେକ୍ଷାରୁ ଆରମ୍ଭ କରୁଛି। ଦର୍ଶନ ଅପେକ୍ଷାରତ ପ୍ରତ୍ୟେକ ଭକ୍ତଙ୍କ ମୁଖର ଭାବକୁ ଦେଖିଛି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଆବେଗ। ପର ମୁହୂର୍ତ୍ତରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରୁଥିବା ବେଳର ଦୃଶ୍ୟ ବର୍ଣ୍ଣନା ନ କରିବା ଉଚିତ ମନେ କରୁଛି। ତିରୁପତିରେ ଶ୍ରୀବାଲାଜୀଙ୍କ ଦର୍ଶନ ବ୍ୟବସ୍ଥାକୁ ଅନୁକରଣ କରାଯାଉଥିବାର ମନେହୁଏ କିନ୍ତୁ ସେ ବ୍ୟବସ୍ଥା ଯେପରି ଏଠି ବିଫଳ ହୋଇଛି। ତିରୁପତି ପରି ଭକ୍ତମାନଙ୍କୁ ଧାଡ଼ିରେ ଦର୍ଶନ ବ୍ୟବସ୍ଥା କରାଗଲେ ସମସ୍ତେ ଶୃଙ୍ଖଳିତ ଭାବରେ ଦର୍ଶନ କରିପାରନ୍ତେ। ହେଲେ ପୁରୀରେ ଏକାଥରକେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ି ଦିଆଯାଉଛି। ଫଳତଃ ଠେଲାପେଲା, ଧସ୍ତାଧସ୍ତିରେ କେହି ଆଉ ପାଦରେ ଚାଲୁ ନ ଥିବାର ଅନୁଭବ ହୁଏ। ବିଶାଳ ଜନସମୁଦ୍ରରେ ଠେଲି ହୋଇ ହୋଇ ଆଗକୁ ମାଡ଼ିଯାଉଛନ୍ତି। ସୌଭାଗ୍ୟବଶତଃ ଦର୍ଶନ ମିଳିଥାଏ, କିନ୍ତୁ ଜଗନ୍ନାଥଙ୍କର ଅଧା ଆଖି, ଅଧା ମୁହଁ, ଅଧା ଓଠ ଦେଖି ଫେରିଥିବାର ଶୁଣାଯାଏ। ଭକ୍ତଟିଏ ଯେଉଁ ଭକ୍ତି ଭାବର ମନଟିଏ ନେଇ ଯାଇଥିବ ଏଭଳି ଦର୍ଶନରେ ଭିଡ଼ ଭିତରୁ ନିଜକୁ ମୁକୁଳାଇବାର ଚେଷ୍ଟା କରୁ କରୁ ଭକ୍ତିରେ ଦୁଇ ହାତ ଉପରକୁ ଟେକି ଦେଇ ଜୟ ଜଗନ୍ନାଥ କହି ନିଜକୁ ସମର୍ପି ଦେଇ ଫେରି ଆସିଥାଏ। ବୃଦ୍ଧ, ବୃଦ୍ଧା, ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରଭୁଙ୍କ ଦର୍ଶନ ଯେପରି ଅସମ୍ଭବ ମନେହୁଏ। ଘର ଲୋକମାନେ ଏଭଳି ଭିଡ଼ ଭିତରେ ବୟୋଜ୍ୟେଷ୍ଠମାନଙ୍କୁ ଦର୍ଶନ କରାଇବା ପାଇଁ ଭୟ ମଧ୍ୟ କରୁଛନ୍ତି। ଭିଡ଼ ଭିତରେ ଠେଲାଠେଲିରେ ଅକସ୍ମାତ ଯଦି ଜଣେ ଖସିପଡ଼େ ତା’ ହେଲେ ତା’ର ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମେୟ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଭିତରେ ସଂଘର୍ଷ ପରେ ଯଦି ସେ କାଳିଆଙ୍କୁ ମନ ସନ୍ତୋଷରେ ଟିକେ ଦର୍ଶନ ନ ପାଏ ମନ ଊଣା ହୋଇଯାଏ, ଯେମିତି ମୁଁ ଅନୁଭବ କରିଛି। ଏଣୁ ଏକାଥରକେ ଶହ ଶହ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ା ନ ଯାଇ ପୋଲିସ ଉପସ୍ଥିତିରେ ନିୟନ୍ତ୍ରିତ ଭାବରେ ଗୋଟିଏ ଧାଡ଼ିରେ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉ, ଯେପରି ବ୍ୟବସ୍ଥା ତିରୁପତିରେ ହୋଇଛି।
ମନ୍ଦିରରେ ପୂଜକ ସେବାୟତ ରହିବେ, ସେମାନେ ହେଉଛନ୍ତି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମାଧ୍ୟମ ବୋଲି କୁହାଯାଏ। ଭକ୍ତଙ୍କ ପୂଜା ନୈବେଦ୍ୟ ଜଣାଣ ଠାକୁରଙ୍କ ପାଖରେ ସମର୍ପଣ କରିବାର ଭୂମିକା ନେଇଥାନ୍ତି ପୂଜକ। ଏଥିପାଇଁ ଭକ୍ତ ପୂଜକଙ୍କୁ ଦକ୍ଷିଣା ଆକାରରେ କିଛି ଅର୍ଥ ରାଶି ଦେଇ ଆଶୀର୍ବାଦ ଭିକ୍ଷା କରିଥାନ୍ତି। କିନ୍ତୁ ଏଠି ଦର୍ଶନ କରାଇଦେବା ନାମରେ ଭକ୍ତମାନଙ୍କଠାରୁ ଅର୍ଥ ଆଦାୟ ଦୃଶ୍ୟ ପ୍ରାୟ ସମସ୍ତେ ଜାଣିଥିବେ, ଦେଖିଥିବେ। ସମାନ୍ୟ ବ୍ୟତିକ୍ରମ ହେଲେ ତାଙ୍କର ଉଚ୍ଚାରଣ ଓ ଆଚରଣ ସଙ୍ଗେ ସଙ୍ଗେ ପରିବର୍ତ୍ତନ ହୋଇଯାଏ। ବିଭିନ୍ନ ପ୍ରକାର ଭାଷା ସେମାନଙ୍କ ମୁହଁରୁ ଶୁଣିବାକୁ ମିଳେ। ଭକ୍ତ କ’ଣ ଯାଇଥାଏ ଗାଳି ଶୁଣିବା ପାଇଁ। ଭକ୍ତଟିଏ ଦୂରଦୂରାନ୍ତରୁ ବ୍ୟୟବହୁଳ ଯାତ୍ରା କରିଆସିଥାଏ। ଯଦି ଅର୍ଥ ଦାବି ପୂରଣ କରି ନ ପାରିଲା ତା’ହେଲେ ଆଶୀର୍ବାଦର ଶ୍ଳୋକ ପରିବର୍ତ୍ତେ ଅଭିଶାପର ଗାଳି ଶୁଣିବାକୁ ମିଳିଥାଏ। ସେହିପରି ଅନ୍ୟ ଏକ ପ୍ରସଙ୍ଗ ହେଲା ମନ୍ଦିର ପରିସରରେ ପାନଛେପ ପଡ଼ିଥିବାର। ମନ୍ଦିର କାନ୍ଥରେ ସ୍ପଷ୍ଟ ଭାବରେ ଲେଖାଯାଇଥାଏ ମନ୍ଦିର ପରିସରରେ ପାନଛେପ ପକାନ୍ତୁ ନାହିଁ। ଏହା କାହା ପାଇଁ ଲେଖାଯାଇଛି। ଭକ୍ତମାନେ ଭକ୍ତିର ସହିତ ଶୁଦ୍ଧପୂତ ଭାବରେ ସ୍ନାନ ସାରି ପୁନଃ ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ହାତ ଗୋଡ଼ ମୁହଁ ଧୋଇ ଯାଇଥାନ୍ତି। ମନ୍ଦିର ପରିସରରେ ପାନଛେପ କିଏ ପକାଉଛି ସହଜରେ ବାରି ହୋଇପଡୁଛି।
ଶେଷ ପ୍ରସଙ୍ଗଟି ହେଲା ଭିକାରି। ମନ୍ଦିର ପରିସରରେ ଭିକ୍ଷା ବୃତ୍ତି କରିବା ନିଷେଧ ବୋଲି ଲେଖାଯାଇଛି। ହେଲେ ଭିକାରି କେତେଜଣଙ୍କୁ ଭିକ୍ଷା ମାଗୁଥିବାର ଦେଖିଲି। ସେମାନେ ମୋ ଆଡକୁ ହାତ ବଢ଼ାଇବାରୁ ମନ୍ଦିର ଭିତରେ ଭିକ୍ଷା କରିବା ମନା ବୋଲି କହିବାରୁ ତାଙ୍କଠାରୁ ଅଜସ୍ର ଗାଳି ଶୁଣିବାକୁ ମିଳିଥିଲା। ମନ୍ଦିର ପ୍ରଶାସନ ଓ ପୋଲିସ ସବୁ ଜାଣି ସୁଦ୍ଧା ନୀରବଦ୍ରଷ୍ଟା କାହିଁକି । ସେହିପରି ମନ୍ଦିର ପରିସରରେ ବିକ୍ରି ହେଉଥିବା ଦୀପ ମଧ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ଦରରେ ଭକ୍ତମାନେ କିଣୁଛନ୍ତି। ମୁଁ ଗୋଟିଏ ବାକ୍ୟରେ କହିବି ଭକ୍ତି ନାଁରେ ଭକ୍ତର ଭାବପ୍ରବଣତାକୁ ସମ୍ମାନ ଦିଆଯାଉନାହିଁ। ପ୍ରଶାସନ ହେଉ କି ପୋଲିସ ଦ୍ୱାରା ସମସ୍ୟାକୁ ସମୀକ୍ଷା କରାଯାଇ ପ୍ରତିକାର କରାଯାଉ। ଆଗକୁ ମହାପ୍ରଭୁଙ୍କର ଘୋଷଯାତ୍ରା ଆସୁଛି। ଭକ୍ତମାନଙ୍କୁ ଯେପରି ନିରାଶ ହେବାକୁ ନ ପଡ଼େ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯେପରି ପ୍ରତିବନ୍ଧକ ସୃଷ୍ଟି ନ ହୁଏ। ବିଶୃଙ୍ଖଳା ଓ ଅବ୍ୟବସ୍ଥା ମଧ୍ୟରେ ଭକ୍ତ ଯେପରି ଶୋଷଣର ଶିକାର ନ ହୁଅନ୍ତି। ଏତେସବୁ ଘଟଣାର ଅବତାରଣା କେବଳ ସଚେତନତା ଉଦ୍ଦେଶ୍ୟରେ ।
ଭକ୍ତମାନଙ୍କ ସୁବିଧା ପାଇଁ ପ୍ରଚଳିତ ଦର୍ଶନ ବ୍ୟବସ୍ଥାରେ ଥିବା ନୀତି ନିୟମରେ କିଛି ପରିବର୍ତ୍ତନ ହୋଇପାରିଲେ ଜଗନ୍ନାଥ ସଂସ୍କୃତିର ମହାନ ପରମ୍ପରା ଉଜ୍ଜୀବିତ ହୋଇ ରହିବ ଏବଂ ଦେଶ ବିଦେଶରୁ ଆସୁଥିବା ଭକ୍ତ ତଥା ପର୍ଯ୍ୟଟକମାନେ ଏକ ସୁନ୍ଦର ଅନୁଭୂତି ନେଇ ଫେରିପାରିବେ।
ଆଠମଲ୍ଲିକ, ଅନୁଗୋଳ
ମୋ: ୭୬୦୬୯୫୭୪୪୫


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri