ଚନ୍ଦ୍ରକୁ ଛୁଇଁବାର ଆଶା

ଆଗାମୀ ଜୁଲାଇ ମାସରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଚନ୍ଦ୍ରକୁ ନିଜର ଏକ ନୂତନ ଅଭିଯାନ ‘ଚନ୍ଦ୍ରଯାନ-୩’ ପ୍ରେରଣ କରିବାକୁ ଯାଉଛି। ଏହି ଅଭିଯାନ ଜରିଆରେ ଭାରତ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ଆଶା ରଖିଛି। ଏହି ଅଭିଯାନ ସଫଳ ହେଲେ ଭାରତ ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧିରେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଓ ଚାଇନା ପରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ପରିଗଣିତ ହେବ। ଏହା ପୂର୍ବରୁ ଭାରତ ଚନ୍ଦ୍ର ଅଭିମୁଖେ ଏକ ଅଭିଯାନ ‘ଚନ୍ଦ୍ରଯାନ-୨’ ଗତ ୨୦୧୯ ମସିହା ଜୁଲାଇ ୨୨ ତାରିଖ ଦିନ ପ୍ରେରଣ କରିଥିଲା। ଏହା ପ୍ରାୟ ଦୁଇ ମାସ ପରେ, ୨୦୧୯ ସେପ୍ଟେମ୍ବର ୭ ତାରିଖରେ। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଞ୍ଚତ୍ ଚନ୍ଦ୍ର ପୃଷ୍ଠରେ ଏକ ଅବତରକ ଯାନ ‘ବିକ୍ରମ’କୁ ଅବତରଣ କରାଇବାକୁ ଚେଷ୍ଟା କରିଥିଲା। ମାତ୍ର ଦୁର୍ଭାଗ୍ୟକ୍ରମେ ଅବତରଣ ସମୟରେ ଯାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଭୂପଷ୍ଠରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହି ବିଫଳତାରେ ଇସ୍ରୋ ନିରୁତ୍ସାହିତ ନ ହୋଇ ଦୀର୍ଘ ୪ ବର୍ଷର ନୀରବତା ପରେ ଚନ୍ଦ୍ର ଅଭିମୁଖେ ଏବେ ଅନ୍ୟ ଏକ ଅଭିଯାନ ପ୍ରେରଣ କରିବାକୁ ଯାଉଛି। ଇସ୍ରୋର ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି ଯେ, ପୂର୍ବ ବିଫଳତାରୁ ଆମେ ଶିକ୍ଷାଲାଭ କରିଥିବା କିଛି ପ୍ରଯୁକ୍ତିକୁ ଏଥର ‘ଚନ୍ଦ୍ରଯାନ-୩’ ଅଭିଯାନରେ ପ୍ରୟୋଗ କରାଯାଇ ଅବତରକ ଯାନକୁ ଚନ୍ଦ୍ରପଷ୍ଠରେ ସଫଳତାର ସହ ଅବତରଣ କରାଇବାକୁ ସମସ୍ତ ପ୍ରୟାସ କରାଯିବ।
ଭାରତ ବିଗତ ୨୦୦୮ ମସିହା ଅକ୍ଟୋବର ୨୨ ତାରିଖ ଦିନ ଚନ୍ଦ୍ର ଅଭିମୁଖେ ନିଜର ପ୍ରଥମ ଅଭିଯାନ ‘ଚନ୍ଦ୍ରଯାନ-୧’ ପ୍ରେରଣ କରିଥିଲା। ଏହି ଯାନ ୨୦୦୮ ମସିହା ନଭେମ୍ବର ୮ ତାରିଖରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବା ସହିତ ନିଜର ଦୂରସମ୍ବେଦୀ ଯନ୍ତ୍ରାବଳି ଜରିଆରେ ଚନ୍ଦ୍ରପୃଷ୍ଠର ଖଣିଜ ସମ୍ପଦ, ପାଣିପାଗ, ଜଳର ଉପସ୍ଥିତି ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ୨୦୦୮ ମସିହା ନଭେମ୍ବର ୧୪ ତାରିଖ ଦିନ, ଏହି ଯାନରୁ ଏକ ଉପକରଣ ଅଲଗା ହୋଇ ଚନ୍ଦ୍ରପୃଷ୍ଠକୁ ଆଘାତ କରି ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ଚନ୍ଦ୍ର ମାଟିରେ ଭାରତର ଜାତୀୟ ପତାକା ସ୍ଥାପନ କରିଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରକୁ ୩୪୦୦ ପରିକ୍ରମା କରିବା ପରେ ଦୁର୍ଭାଗ୍ୟକ୍ରମେ ୨୦୦୯ ମସିହା ଅଗଷ୍ଟ ୨୯ ତାରିଖ ଦିନ ବୈଜ୍ଞାନିକମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ମାତ୍ର ‘ଚନ୍ଦ୍ରଯାନ-୧’ ର ଏକ ବଡ଼ ଉପଲବ୍ଧି ଥିଲା ଚନ୍ଦ୍ରପୃଷ୍ଠରେ ଜଳ ଅଣୁର ସନ୍ଧାନ। ଏହାର ସଂଗୃହୀତ କିଛି ତଥ୍ୟକୁ ଭିତ୍ତିକରି ନାସା ଓ ଇସ୍ରୋର ବୈଜ୍ଞାନିକମାନେ ପରବର୍ତ୍ତୀ ସମୟରେ ଚନ୍ଦ୍ରପୃଷ୍ଠରେ ଜଳର ଅଣୁ ଉପସ୍ଥିତ ଥିବାର ସିଦ୍ଧାନ୍ତରେ ଉପନୀତ ହୋଇଥିଲେ। ‘ଚନ୍ଦ୍ରଯାନ-୧’ ପ୍ରକଳ୍ପରେ ସମୁଦାୟ ୩୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ଦୀର୍ଘ ୧୧ ବର୍ଷର ନୀରବତା ପରେ, ଗତ ୨୦୧୯ ମସିହା ଜୁଲାଇ ୨୨ ତାରିଖରେ, ଭାରତ ଚନ୍ଦ୍ରପୃଷ୍ଠକୁ ନିଜର ଦ୍ୱିତୀୟ ଅଭିଯାନ ‘ଚନ୍ଦ୍ରଯାନ-୨’ ପ୍ରେରଣ କରିଥିଲା। ଏହା ୨୦୧୯ ମସିହା ଅଗଷ୍ଟ ୨୨ ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବାକୁ ଆରମ୍ଭ କରିଥିଲା। ପ୍ରଥମ ଅଭିଯାନରେ ଯେଉଁ ଆଶା ଅସମ୍ପୂର୍ଣ୍ଣ ରହି ଯାଇଥିଲା ଚନ୍ଦ୍ରଯାନ ଦ୍ୱିତୀୟ ଅଭିଯାନରେ ସେସବୁ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା କରାଯାଇଥିଲା। ପ୍ରଥମ ଅଭିଯାନଟି କେବଳ ଚନ୍ଦ୍ରପୃଷ୍ଠ ଉପରେ ଆକାଶରେ ରହି ଚନ୍ଦ୍ରକୁ ପ୍ରଦକ୍ଷିଣ କରିବା ତଥା ଯାନଟିରୁ ନିର୍ଗତ ଏକ ଉପକରଣ ଜରିଆରେ ଚନ୍ଦ୍ରପୃଷ୍ଠରେ ପିଟିହୋଇ ଚନ୍ଦ୍ରମାଟିକୁ ଛୁଇଁବାରେ ସୀମିତ ଥିଲା। ମାତ୍ର ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରି ଚନ୍ଦ୍ରପୃଷ୍ଠର ବିସ୍ତୃତ ବୈଜ୍ଞାନିକ ଅନୁସନ୍ଧାନ କରିବା ନିମନ୍ତେ ଅଭିପ୍ରେତ ନଥିଲା। ପରବର୍ତ୍ତୀ ‘ଚନ୍ଦ୍ରଯାନ-୨’ ଅଭିଯାନରେ ଏକ ଅତ୍ୟାଧୁନିକ ଉପକରଣ ବିଶିଷ୍ଟ ଯାନକୁ ଚନ୍ଦ୍ରପୃଷ୍ଠରେ ଏକ ନିରାପଦ ଧୀର ଅବତରଣ ଜରିଆରେ ଖସାଇ ଚନ୍ଦ୍ରମାଟିକୁ ଛୁଇଁବାର ଆଶା ରଖାଯାଇଥିଲା। ମାତ୍ର ଏହି ଅଭିଯାନ କ୍ଷେତ୍ରରେ ଭାରତକୁ ସମ୍ପୂର୍ଣ୍ଣ ସଫଳତା ମିଳି ନଥିଲା। ଏଥିରେ ଥିବା ‘ଅର୍ବିଟର୍‌’ ଯାନଟି ଯୋଜନାମତେ ଚନ୍ଦ୍ରକୁ ସଫଳତାର ସହିତ ପରିକ୍ରମା କରି ଚନ୍ଦ୍ରପୃଷ୍ଠର ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲାବେଳେ ଏଥିରୁ ବିଛିନ୍ନ ହୋଇ ଏକ ଅବତରକ ଯାନ ‘ବିକ୍ରମ’ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପାଇଁ ଉଦ୍ୟମ କରିଥିଲା। ବିକ୍ରମ ଅବତରକ ଯାନଟିରେ ଏକ ଚକଲଗା ଗାଡି ବା ରୋଭର୍‌ (ନାମ: ପ୍ରଜ୍ଞା) ମଧ୍ୟ ସ୍ଥାନିତ ଥିଲା ଯାହା ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବା ମାତ୍ରେ ଅବତରକ ଯାନରୁ ବାହାରି ଚନ୍ଦ୍ରପୃଷ୍ଠ ଉପରେ ଗଡି ଗଡି ତଥ୍ୟ ସଂଗ୍ରହ କରିବା କଥା। ମାତ୍ର ଦୁର୍ଭାଗ୍ୟକ୍ରମେ, ବିକ୍ରମ ଅବତରକ ଯାନଟି ସୁଚାରୂ ରୂପେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରି ନ ପାରି ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ଚନ୍ଦ୍ର ମାଟିରେ ପିଟି ହୋଇ ନଷ୍ଟ ହୋଇଯିବା ସହିତ ଭୂପୃଷ୍ଠ ସହିତ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଥିଲା। ଏହା ସହିତ ଭାରତର ଚନ୍ଦ୍ରମାଟିକୁ ଛୁଇଁବାର ସ୍ବପ୍ନ ଅଧୁରା ରହି ଯାଇଥିଲା। ଏହି ପ୍ରକଳ୍ପରେ ସମୁଦାୟ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ପୂର୍ବର ସଫଳତା ଓ ବିଫଳତାର ମିଶ୍ର ଅନୁଭୂତି ପରେ ଭାରତ ଏବେ ‘ଚନ୍ଦ୍ରଯାନ-୩’ ଅଭିଯାନ ଜରିଆରେ ପୂର୍ବର ତ୍ରୁଟିକୁ ସୁଧାରି ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ଇତିହାସ ରଚନା କରିବାକୁ ଯାଉଛି। ଏହି ଅଭିଯାନକୁ ଏହି ବର୍ଷ ଜୁଲାଇ ମାସର କୌଣସି ଏକ ଦିନ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ଅନ୍ତରୀକ୍ଷ କେନ୍ଦ୍ରରୁ ଉତକ୍ଷେପଣ କରାଯିବ। ‘ଚନ୍ଦ୍ରଯାନ-୩’ର ସମୁଦାୟ ତିନୋଟି ଏକକ ବା ମଡ୍ୟୁଲ ରହିଛି, ଯଥା: ପ୍ରପଲସନ୍‌ ମଡ୍ୟୁଲ, ଯାହା ଯାନକୁ ଗତିଶୀଳତା ପ୍ରଦାନ କରିବ। ଦ୍ୱିତୀୟଟି ହେଲା ଅବତରକ ମଡ୍ୟୁଲ, ଯାହା ଚନ୍ଦ୍ରପୃଷ୍ଠରେ ଧୀରେ ଅବତରଣ କରି ଚନ୍ଦ୍ରମାଟିକୁ ଛୁଇଁବ। ତୃତୀୟଟି ହେଲା ରୋଭର୍‌ ମଡ୍ୟୁଲ, ଯାହା ଏକ ଚକଲଗା ଗାଡ଼ି ସଦୃଶ ଚନ୍ଦ୍ରପୃଷ୍ଠରେ ଗଡ଼ିଗଡ଼ି ବିଭିନ୍ନ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବ। ‘ଚନ୍ଦ୍ରଯାନ-୨’ ଅଭିଯାନରେ ଥିବା ଅର୍ବିଟର ମଡ୍ୟୁଲକୁ ଚଳିତ ‘ଚନ୍ଦ୍ରଯାନ-୩’ ଅଭିଯାନରେ ସ୍ଥାନିତ କରାଯାଇ ନାହିଁ। ଯେହେତୁ ‘ଚନ୍ଦ୍ରଯାନ-୨’ ଅଭିଯାନର ଅର୍ବିଟର୍‌ ମଡ୍ୟୁଲଟି ଏବେବି ଚନ୍ଦ୍ରକକ୍ଷରେ ସକ୍ରିୟ ଅଛି, ‘ଚନ୍ଦ୍ରଯାନ-୩’ ପୂର୍ବର ଏହି ବ୍ୟବସ୍ଥାକୁ ବ୍ୟବହାର କରି ଭୂପୃଷ୍ଠ ସହିତ ଯୋଗାଯୋଗ ଭଳି ନିଜର ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିପାରିବ। ସୁତରାଂ ‘ଚନ୍ଦ୍ରଯାନ-୩’ ଅଭିଯାନରେ ଜାଣିଶୁଣି ଅର୍ବିଟର୍‌ ମଡ୍ୟୁଲ୍‌କୁ ସ୍ଥାନିତ କରାଯାଇ ନାହିଁ।
‘ଚନ୍ଦ୍ରଯାନ-୩’ ଅଭିଯାନର ପ୍ରମୁଖ ଲକ୍ଷ୍ୟ ହେବ ଚନ୍ଦ୍ରପୃଷ୍ଠରେ ନିରାପଦ ଭାବେ ‘ଧୀର ଅବତରଣ’ କରିବା। ଏହା ବାସ୍ତବରେ ଅତ୍ୟନ୍ତ କଠିନ ବ୍ୟାପାର ଏବଂ ଏଥିନିମନ୍ତେ ଅତି ଜଟିଳ ପ୍ରଯୁକ୍ତି ବିଦ୍ୟା ଓ ଉଚ୍ଚକୋଟୀର ଜ୍ଞାନକୌଶଳ ପ୍ରୟୋଗ ଆବଶ୍ୟକ। ଅବତରକ ଯାନଟି ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ଦ୍ରୁତଗତିରେ ଚନ୍ଦ୍ରପୃଷ୍ଠ ଆଡ଼କୁ ଛୁଟି ଯାଉଥିଲାବେଳେ ତୁରନ୍ତ ଏହାର ପ୍ରଚଣ୍ଡ ବେଗକୁ ଯଥେଷ୍ଟ ମାତ୍ରାରେ ହ୍ରାସକରି ଚନ୍ଦ୍ରମାଟିରେ ସୁରକ୍ଷିତ ଧୀର ଅବତରଣ କରାଇବାକୁ ପଡ଼େ। ନହେଲେ ଯାନଟି ଦ୍ରୁତଗତିରେ ଯାଇ ଚନ୍ଦ୍ରପୃଷ୍ଠରେ ପିଟି ହୋଇ ନଷ୍ଟ ହୋଇଯାଏ। ମାତ୍ର ଏ କ୍ଷେତ୍ରରେ ଏକ ପ୍ରମୁଖ ସମସ୍ୟା ହେଉଛି, ଚନ୍ଦ୍ରରେ ପୃଥିବୀ ଭଳି ବାୟୁମଣ୍ଡଳ ନ ଥିବାରୁ ଏଠାରେ ଯାନର ତୁରନ୍ତ ଅଗ୍ରଗାମୀ ଗତିକୁ ପ୍ରତିହତ କରିବା ପାଇଁ ପାରମ୍ପରିକ ଆକାଶଛତା ବା ପାରାସ୍ୟୁଟ୍‌ ବ୍ୟବସ୍ଥା କାର୍ଯ୍ୟ କରେନାହିଁ। ତେଣୁ ଯାନର ବେଗକୁ ଯଥେଷ୍ଟ ହ୍ରାସ କରିବା ପାଇଁ ଯାନ ସହିତ କିଛି ‘ରେଟ୍ରୋ ରକେଟ୍‌’ ଖଞ୍ଜା ଯାଇଥାଏ, ଯାହାର ଇଞ୍ଜିନକୁ ଯାନର ଅଗ୍ରଗାମୀ ଗତିର ବିପରୀତ ଦିଗରେ କ୍ରମାନ୍ବୟରେ ଚାଳନା କରି ଯାନର ବେଗକୂ ଏକ ସୁରକ୍ଷିତ ଅବତରଣ ନିମନ୍ତେ ମନ୍ଦିତ କରାଯାଏ। ଏହା ବାସ୍ତବରେ ଅତ୍ୟନ୍ତ କଠିନ ଓ ଜଟିଳ କାର୍ଯ୍ୟପଦ୍ଧତି। ଠିକ୍‌ ସମୟରେ ଠିକ୍‌ ଇଞ୍ଜିନ୍‌କୁ କାର୍ଯ୍ୟକ୍ଷମ କରି ଯାନର ବେଗକୁ ନିୟନ୍ତ୍ରିତ କରିପାରିଲେ ଯାଇ ଏହି ଦୁର୍ବାର ଲକ୍ଷ୍ୟ ହାସଲ କରାଯାଇ ଯାନକୁ ଚନ୍ଦ୍ରମାଟିରେ ଧୀର ଅବତରଣ କରାଯାଇପାରିବ; ନଚେତ ଯାନଟି ଚନ୍ଦ୍ର ପୃଷ୍ଠରେ ପିଟି ହୋଇ ନଷ୍ଟ ହୋଇଯିବ। ଧୀର ଅବତରଣର ଏହି ପ୍ରଯୁକ୍ତିଗତ ଜଟିଳତା ପାଇଁ ହିଁ ବିଶ୍ୱର ମାତ୍ର ତିନୋଟି ରାଷ୍ଟ୍ର ଏପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ନିଜ ଯାନକୁ ସଫଳତାର ସହ ନିରାପଦ ରୂପେ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି। ଏହି ପ୍ରଯୁକ୍ତିଗତ ବିଫଳତା ପାଇଁ ହିଁ ପୂର୍ବର ‘ଚନ୍ଦ୍ରଯାନ-୨’ ଅଭିଯାନ ବିଫଳ ହୋଇଗଲା।
‘ଚନ୍ଦ୍ରଯାନ-୩’ ଅଭିଯାନର ପ୍ରକଳ୍ପ ଖର୍ଚ୍ଚ ହେବ ସମୁଦାୟ ୬୧୫ କୋଟି ଟଙ୍କା। ‘ଚନ୍ଦ୍ରଯାନ-୩’ ଅଭିଯାନ ଜରିଆରେ ଆମ ଦେଶ ଚନ୍ଦ୍ରମାଟିକୁ ଛୁଇଁବାର ସଫଳତା ହାସଲ କରିପାରିଲେ ଯେ ଏହା ସମଗ୍ର ଦେଶ ତଥା ଆମ ବୈଜ୍ଞାନିକମାନଙ୍କ ପାଇଁ ଏକ ବିରାଟ ଉପଲବ୍ଧି ହେବ ଏଥିରେ ସନ୍ଦେହ ନାହିଁ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri