ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ ପ୍ରାକୃତିକ ଔଷଧୀୟ ଫଗୁ ବଦଳରେ ବିଷାକ୍ତ, ଅସ୍ବାସ୍ଥ୍ୟକର ତଥା ମାରାତ୍ମକ ରାସାୟନିକ ରଙ୍ଗ ବ୍ୟବହାର କରୁଛୁ। ଅଧୁନା ଅଜୈବ ଖଣିଜ ପଦାର୍ଥରୁ ପ୍ରସ୍ତୁତ ରଙ୍ଗ ଶସ୍ତା ଓ ଉଜ୍ଜ୍ୱଳ ହୋଇଥିବାରୁ ହୋଲି ରଙ୍ଗରେ ବହୁଳ ବ୍ୟବହୃତ। କିନ୍ତୁ ଏହି ଶସ୍ତା ରଙ୍ଗ ପାଇଁ ମନୁଷ୍ୟ ସ୍ବାସ୍ଥ୍ୟ ଓ ପରିବେଶକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। ଏହିସବୁ ରଙ୍ଗ ମନୁଷ୍ୟ ଶରୀରରେ ବ୍ୟବହାର ପାଇଁ ବିଶେଷକରି ହୋଲି ରଙ୍ଗ ପାଇଁ ଉଦ୍ଭାବିତ ହୋଇ ନ ଥିଲା। ଏବେ ବ୍ୟବହୃତ ଏହି ସବୁ ଶସ୍ତା କୃତ୍ରିମ ରଙ୍ଗ ତିନି ପ୍ରକାରର। ଶୁଷ୍କ ରଙ୍ଗ, ଆର୍ଦ୍ର ରଙ୍ଗ ଓ ବହଳ ଅଠାଳିଆ ରଙ୍ଗ। ଶୁଷ୍କ ରଙ୍ଗଗୁଡ଼ିକ ସାଧାରଣତଃ ପ୍ରଚୁର ମାତ୍ରାରେ ଭାରି ଧାତୁ ଥିବା ଅଭ୍ର ବା ବାଲି ମିଶ୍ରିତ ଆଜବେଷ୍ଟସ ଅଟେ। ଭାରି ଧାତୁଗୁଡ଼ିକ ପ୍ରଣାଳୀବଦ୍ଧ ଜହର, ଯେଉଁମାନେ କି ଶରୀରର ବିପାକ କ୍ରିୟାକୁ ବାଧାପ୍ରାପ୍ତ କରାନ୍ତି ଓ ବୃକ୍କ, ଯକୃତ୍‌ ଓ ଅସ୍ଥି ପରି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଗଚ୍ଛିତ ହୁଅନ୍ତି। ଭାରି ଧାତୁ ମଧ୍ୟରେ ସିସା ମନୁଷ୍ୟ ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ ଓ ଶିଖିବାର ସାମର୍ଥ୍ୟକୁ ନଷ୍ଟ କରିଦିଏ। ଏହା ଶିଶୁମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ। ତମ୍ବା ଚକ୍ଷୁ, ବୃକ୍କ, ଯକୃତ୍‌, ଚର୍ମ ଓ ଶ୍ୱାସନଳୀକୁ ଆକ୍ରାନ୍ତ କରେ। ପାରଦ ସ୍ନାୟୁତନ୍ତ୍ର, କିଡ୍‌ନୀ, ଲିଭର ପ୍ରଭୃତିକୁ ନଷ୍ଟ କରିଦିଏ। ଅତ୍ୟଧିକ ଲୌହ ବ୍ୟବହାର ଚର୍ମକୁ ଆଲୋକ ସମ୍ବେଦନଶୀଳ କରିଦିଏ। କ୍ରୋମିଅମ ଶ୍ୱାସନଳୀରେ ଶ୍ୱାସ ରୋଗ ସୃଷ୍ଟି କରେ ଓ ନିକେଲ ନିମୋନିଆ ରୋଗ ପାଇଁ ଦାୟୀ ଇତ୍ୟାଦି ଇତ୍ୟାଦି। ଅଭ୍ର ଓ ଆଜବେଷ୍ଟସ ମଧ୍ୟ କିଛି କମ୍‌ ବିପଦପୂର୍ଣ୍ଣ ନୁହନ୍ତି। ଜଳ ରଙ୍ଗ ମଧ୍ୟରେ ମୁଖ୍ୟ ହେଲା ଜେନେଟିଆନ ଭାୟୋଲେଟ୍‌, ଯାହାକି ବିଷାକ୍ତ ଓ ବିପଦପୂର୍ଣ୍ଣ ରସାୟନ। ଏହା ବିଭିନ୍ନ ପ୍ରକାର ଚର୍ମ ରୋଗ ସୃଷ୍ଟି କରେ। ବହଳ ଅଠାଳିଆ ରଙ୍ଗଗୁଡ଼ିକ ମଧ୍ୟ ଅତ୍ୟଧିକ ବିଷାକ୍ତ। କଳା ରଙ୍ଗ ଆକାରରେ ବ୍ୟବହୃତ ଲିଡ ଅକ୍ସାଇଡ କିଡ୍‌ନୀକୁ ଅକାମୀ କରିଦିଏ। ସବୁଜ ଓ ନୀଳ ରଙ୍ଗ ପାଇଁ ବ୍ୟବହୃତ ଫେରୋସ ସଲଫେଟ, କପର ସଲଫେଟ ଓ ପ୍ରୁସିଆନ ବ୍ଲୁ ଚର୍ମ ଓ ଚକ୍ଷୁ ପାଇଁ ଅତ୍ୟନ୍ତ ବିପଜ୍ଜନକ। ନାଲି ରଙ୍ଗ ପାଇଁ ବ୍ୟବହୃତ ମରକ୍ୟୁରି ଅକ୍ସାଇଡ ଅତ୍ୟନ୍ତ ବିଷାକ୍ତ ଓ ଚର୍ମ କର୍କଟ ସୃଷ୍ଟିକାରୀ ଅଟେ। ରୌପ୍ୟ ଧବଳ ରଙ୍ଗ ପାଇଁ ବ୍ୟବହୃତ ସିଲଭର୍‌ ବ୍ରୋମାଇଡ କର୍କଟ ରୋଗର କାରକ। ଏହିସବୁ ବିଷାକ୍ତ ରସାୟନ ଅଭଙ୍ଗୁର ଅଟନ୍ତି।
କଳ୍ପନା କରନ୍ତୁ, ଏହିସବୁ ବିଷାକ୍ତ ରସାୟନ ହୋଲି ପରେ ଜଳରେ ମିଶି ପରିବେଶରେ ପ୍ରବେଶ କରି, ଜଳ ଓ ମୃତ୍ତିକାକୁ କେତେ ମାତ୍ରାରେ ପ୍ରଦୂଷିତ କରୁଥିବେ। ଏହି ବିଷାକ୍ତ ରସାୟନ ପୁଣି ଖାଦ୍ୟ ଶୃଙ୍ଖଳରେ ସଞ୍ଚୟ ହୋଇ ଦୀର୍ଘ ଦିନ ପରେ ମନୁଷ୍ୟ ଶରୀରକୁ ପ୍ରତ୍ୟାବର୍ତ୍ତନ କରେ ଓ ବେଶି ସାଙ୍ଘାତିକ ରୋଗର କାରଣ ହୋଇଯାଏ। ହୋଲିରେ ବ୍ୟବହୃତ ରାସାୟନିକ ରଙ୍ଗ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଉଭୟ ମନୁଷ୍ୟ ଓ ପରିବେଶ ପ୍ରତି କ୍ଷତିକାରକ। ତେଣୁ ହୋଲି ରଙ୍ଗ ଭାବେ ବ୍ୟବହୃତ ଏହି ରାସାୟନିକ ରଙ୍ଗକୁ ବର୍ଜନ କରି ପରିବେଶ ଓ ମନୁଷ୍ୟ ସ୍ବାସ୍ଥ୍ୟକୁ ବଞ୍ଚାଇବାର ସମୟ ଉପସ୍ଥିତ। ହୋଲି ପାଇଁ ବିଷାକ୍ତ ରାସାୟନିକ ରଙ୍ଗ ବଦଳରେ ଆମ ପୂର୍ବଜ ବ୍ୟବହାର କରୁଥିବା ଜୈବିକ ରଙ୍ଗ ବା ଫଗୁ ବ୍ୟବହାର କରିବା ଏବେ ସମୟର ଆହ୍ବାନ। ଏହି ରଙ୍ଗଗୁଡ଼ିକୁ ଆମେ ଘରେ ପ୍ରସ୍ତୁତ କରି ପାରିବା କିମ୍ବା ଜୈବିକ ରଙ୍ଗ ପ୍ରସ୍ତୁତକାରୀ ଶିଳ୍ପାନୁଷ୍ଠାନରୁ କ୍ରୟ କରିପାରିବା।
ସବୁଜ ବା ହରିତ୍‌ ରଙ୍ଗ ପ୍ରସ୍ତୁତ କରିବା ପାଇଁ ଆମେ ମେହେନ୍ଦିକୁ ଚୂର୍ଣ୍ଣ କରି ପ୍ରସ୍ତୁତ କରିପାରିବା କିମ୍ବା କୃଷ୍ଣଚୂଡ଼ା ପତ୍ର, ଶାଗ ପତ୍ର କିମ୍ବା ନିମପତ୍ରକୁ ଶୁଖାଇ ଓ ଗୁଣ୍ଡ କରି ସବୁଜ ଫଗୁ ଭାବରେ ବ୍ୟବହାର କରିପାରିବା। କଞ୍ଚା ନିମପତ୍ରକୁ ବାଟି ଏହାର ଦ୍ରବଣକୁ ଜଳ ରଙ୍ଗ ଭାବେ ବ୍ୟବହାର କରିପାରିବା। ଶୁଷ୍କ ହଳଦିଆ ରଙ୍ଗ ପ୍ରସ୍ତୁତି ପାଇଁ ହଳଦୀ ଗୁଣ୍ଡ ଓ କଞ୍ଚା ହଳଦୀ ବଟାକୁ ଚନ୍ଦନରେ ମିଶାଇ ବହଳ ଅଠାଳିଆ ରଙ୍ଗ ଓ ହଳଦୀ ବଟା ଦ୍ରବଣକୁ ଜଳ ରଙ୍ଗ ଆକାରରେ ବ୍ୟବହାର କରାଯାଇପାରିବ। ଏହାଛଡ଼ା ବେଲକୁ ଶୁଖାଇ ଗୁଣ୍ଡ କରି କିମ୍ବା ଗେଣ୍ଡୁ ଓ ସୂର୍ଯ୍ୟମୁଖୀ ଭଳି ହଳଦିଆ ରଙ୍ଗ ଫୁଲକୁ ଶୁଖାଇ ଗୁଣ୍ଡ କରି ହଳଦିଆ ଫଗୁ ପ୍ରସ୍ତୁତ କରିପାରିବା। ପଳାଶ ଫୁଲକୁ ଶୁଖାଇ ସେଥିରୁ ହଳଦିଆ କିମ୍ବା କମଳା ରଙ୍ଗ ପ୍ରସ୍ତୁତ କରାଯାଇପାରେ। ହଳଦୀଗୁଣ୍ଡରେ ଲେମ୍ବୁରସ ମିଶାଇଲେ କମଳା ରଙ୍ଗ ମିଳିବ। ମେହେନ୍ଦିକୁ ପାଣିରେ ବତୁରାଇ ଦେଲେ କମଳା ରଙ୍ଗର ଜଳ ରଙ୍ଗ ମିଳିବ। ନାଲି ରଙ୍ଗ ଶୁଖିଲା ଗୋଲାପ ଫୁଲର ପାଖୁଡ଼ାରୁ ମିଳିପାରିବ। ଏଥିରେ ଚନ୍ଦନ ମିଶାଇଲେ ସୁଗନ୍ଧିତ ଲୋହିତ ଫଗୁର ପେଷ୍ଟ ପ୍ରସ୍ତୁତ ହୋଇଯିବ। ବେଦେନାର ଚୋପା ଓ ମଞ୍ଜିକୁ ବାଟି ସେଥିରୁ ମଧ୍ୟ ନାଲି ପାଣି ରଙ୍ଗ କରାଯାଇ ପାରେ। ବିଟ୍‌ର ଚେର ନିଶ୍ଚିନ୍ତ ଭାବେ ବାଇଗଣୀ ରଙ୍ଗର ପ୍ରାକୃତିକ ଉତ୍ସ। ଏହାକୁ ଶୁଖାଇ ଶୁଷ୍କ ରଙ୍ଗ ଓ ଏହାର ବାଟଣର ଦ୍ରବଣକୁ ଜଳ ରଙ୍ଗ ଭାବେ ବ୍ୟବହାର କରାଯାଇପାରେ। ନୀଳ (ଇଣ୍ଡିଗୋ), ଜାମ୍ମୁକୋଳି, ନୀଳ ମନ୍ଦାର ଓ ବେଗୁନିଆ ଫୁଲରୁ ଶୁଷ୍କ, ବହଳ ଅଠାଳିଆ ଓ ଆର୍ଦ୍ର ନୀଳ ରଙ୍ଗ ତିଆରି କରାଯାଇପାରେ। ଖଇର, ଚା’ ପତି କିମ୍ବା କଫି ଦାନାରୁ ବାଦାମୀ ରଙ୍ଗ ଓ ଅଁଳା ମଞ୍ଜି, ଅମୃତଭଣ୍ଡା ମଞ୍ଜିରୁ କଳା ରଙ୍ଗ ପ୍ରସ୍ତୁତ କରାଯାଏ। ଅରୁଆ ଚାଉଳ ଗୁଣ୍ଡ ଧବଳ ରଙ୍ଗ ପାଇବାର ଶ୍ରେଷ୍ଠ ଉତ୍ସ। ପୁଣି ଥରେ ସମୟ ଆସିଛି ହୋଲି ରଙ୍ଗକୁ ପ୍ରାକୃତିକ କରିବାର। ବର୍ତ୍ତମାନ ସମୟର ଆହ୍ବାନ ଯେ ରାସାୟନିକ ରଙ୍ଗର ବର୍ଜନ କରି ପ୍ରାକୃତିକ ହୋଲି ଖେଳିବା। ଏହି ବାର୍ତ୍ତା ଘରେ ଘରେ ପହଞ୍ଚାଇ ମାନବ ଜାତିକୁ ଦୁରାରୋଗ୍ୟ ବ୍ୟାଧିରୁ ଏବଂ ଧରିତ୍ରୀ ମାତାକୁ ବିଷାକ୍ତ ପ୍ରଦୂଷଣ ସୃଷ୍ଟିକାରୀ ପଦାର୍ଥରୁ ରକ୍ଷା କରିବା।

ଡ. ଦେବାଶିଷ ମହାନ୍ତି
-ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ,
ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ
ମୋ: ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?