Posted inଜାତୀୟ

ହିନ୍ଦୀ: ରାଷ୍ଟ୍ରଭାଷା ନୁହେଁ, ବୋଝ

ନୂଆଦିଲ୍ଲୀ/ବେଙ୍ଗାଲୁରୁ/ ମୁମ୍ବାଇ,୨୯ା୪:ଦେଶର ଅଣହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀକୁ ଲଦି ଦିଆଯାଉଥିବା ନେଇ ବିବାଦ ସୃଷ୍ଟି ହୋଇଛି। ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଓ କନ୍ନଡ଼ ଷ୍ଟାର କିଚ୍ଚା ସୁଦୀପଙ୍କ ମଧ୍ୟରେ ଏନେଇ ଟୁଇଟରରେ ବାକ୍‌ଯୁଦ୍ଧ ଚାଲିଥିବାବେଳେ ରାଜନେତାମାନେ ନିଅଁାରେ ଘିଅ ଢାଳିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଏଚ୍‌.ଡି. କୁମାରସ୍ବାମୀ ଏହି ବିତର୍କକୁ ଲମ୍ଫ ଦେବା ପରେ ହିନ୍ଦୀ ଭାଷା ପ୍ରସଙ୍ଗ ଏବେ ରାଜନୈତିକ ରୂପ ନେଇଛି। କର୍ନାଟକ ନେତାମାନଙ୍କ ମତରେ ହିନ୍ଦୀ ରାଷ୍ଟ୍ରୀୟ ଭାଷା ନୁହେଁ, ବରଂ ଭାରତର ଅନ୍ୟ ଭାଷାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଭାରତର କୌଣସି ରାଷ୍ଟ୍ରୀୟ ଭାଷା ନାହିଁ। ହିନ୍ଦୀ ଓ କନ୍ନଡ଼ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ ୨୨ ଭାଷା ମଧ୍ୟରେ ରହିଛି। ଟୁଇଟରରେ ଏବେ ‘ହ୍ୟାଶ୍‌ଟ୍ୟାଗ୍‌ ଷ୍ଟପ୍‌ ହିନ୍ଦୀ ଇମ୍ପୋଜିଶନ’ ଏବଂ ‘ହ୍ୟାଶ୍‌ଟ୍ୟାଗ୍‌ ହିନ୍ଦୀ ନଟ୍‌ ନ୍ୟାଶନାଲ ଲାଙ୍ଗୁଏଜ୍‌’ ଟ୍ରେଣ୍ଡ କରୁଛି। ଅନ୍ୟ ଭାଷାର ଫିଲ୍ମଗୁଡ଼ିକୁ ହିନ୍ଦୀରେ ଡବିଂ ବା ରିମେକ୍‌ କରାଯିବା ପରେ ସେଗୁଡ଼ିକ କିପରି ବ୍ୟବସାୟିକ ସଫଳତା ହାସଲ କରିଥାଏ ସେନେଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ନିଜ ମତ ବ୍ୟକ୍ତ କରିଛନ୍ତି।
ଭାଷାକୁ ନେଇ ବିବାଦର ସୂତ୍ରପାତ କରିଥିଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା। ଭାଜପା ନେତା ଶାହା ଏପ୍ରିଲ ୮ରେ କହିଥିଲେ, ହିନ୍ଦୀକୁ ଇଂଲିଶ୍‌ର ଏକ ବିକଳ୍ପ ଭାବେ ଗ୍ରହଣ କରାଯିବା ଉଚିତ। ତେବେ ହିନ୍ଦୀ ସ୍ଥାନୀୟ ଭାଷାଗୁଡ଼ିକର ସ୍ଥାନ ନେବା କଥା ନୁହେଁ। ହିନ୍ଦୀ ବ୍ୟବହାର କରୁଥିବା ରାଜ୍ୟଗୁଡ଼ିକ ସେତୁ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ କାର୍ଯ୍ୟ ପାଇଁ ଏହାକୁ ଅଫିସିଆଲ ଲାଙ୍ଗୁଏଜ୍‌ର ମାଧ୍ୟମ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ ହିନ୍ଦୀର ଗୁରୁତ୍ୱ ଆହୁରି ବଢ଼ିବ। ବର୍ତ୍ତମାନ କ୍ୟାବିନେଟ କାର୍ଯ୍ୟସୂଚୀର ୭୦% ହିନ୍ଦୀରେ ପ୍ରସ୍ତୁତ କରାଯାଉଛି ବୋଲି ଶାହା କହିଥିଲେ। ଶାହାଙ୍କ ଏହି ମନ୍ତବ୍ୟକୁ ନେଇ ହିନ୍ଦୀକୁ ମାତୃଭାଷା ଭାବେ ବ୍ୟବହାର କରୁ ନ ଥିବା ଦକ୍ଷିଣ ଓ ପୂର୍ବ ଭାରତରୁ ଅନେକ ପ୍ରତିକ୍ରିୟା ଆସିଥିଲା। ଏହି ବିଷୟରେ ମୁହଁ ଖୋଲିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଦକ୍ଷିଣ ଭାରତୀୟ ଅଭିନେତା କିଚ୍ଚା ସୁଦୀପ ଅନ୍ୟତମ। ୨୦୧୨ରେ ‘ମକ୍‌ଖି’ ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଥିବା ଏହି ଅଭିନେତା ଏପ୍ରିଲ ୨୩ରେ ନିଜ ନୂଆ ସିନେମା ‘ରନ୍‌ଓ୍ବେ ୩୪’ ର ମୁକ୍ତିଲାଭ ଅବସରରେ ଗଣମାଧ୍ୟମକୁ କହିଥିଲେ, ହିନ୍ଦୀ ଆଉ ରାଷ୍ଟ୍ରଭାଷା ହୋଇ ରହିନାହିଁ। ବଲିଉଡ୍‌ ଫିଲ୍ମଗୁଡ଼ିକୁ ତାମିଲ ଓ ତେଲୁଗୁରେ ଡବିଂ କରିବା ସମୟରେ ଅନେକ ଅସୁବିଧା ହେଉଛି। କିନ୍ତୁ ସାଉଥ୍‌ ଇଣ୍ଡଷ୍ଟ୍ରିରେ ପ୍ରଯୋଜନା କରାଯାଉଥିବା ସିନେମାଗୁଡ଼ିକୁ ସବୁଠି ଦେଖାଯାଉଛି। ସର୍ବଭାରତୀୟ ସ୍ତରରେ କନ୍ନଡ ଫିଲ୍ମ ‘କେଜିଏଫ୍‌: ଚାପ୍ଟର ୨’ର ସଫଳତାକୁ କିପରି ଦେଖନ୍ତି ବୋଲି ସୁଦୀପଙ୍କୁ ପ୍ରଶ୍ନ କରାଯିବାରୁ ସେ ଏହି ମନ୍ତବ୍ୟ ଦେଇଥିଲେ। ଏପ୍ରିଲ ୧୪ରେ ମୁକ୍ତିଲାଭ କରିବା ପରଠାରୁ ୟଶଙ୍କ ଅଭିନୀତ କେଜିଏଫ୍‌-୨ ବିଶ୍ୱବ୍ୟାପୀ ୮୫୦ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ ଏହାର ହିନ୍ଦୀ ସଂସ୍କରଣ ୩୩୬ କୋଟି ଆୟ କରିଛି। ସୁଦୀପଙ୍କ ଏହି ମନ୍ତବ୍ୟ ଉପରେ ଗତ ୨୭ରେ ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଟୁଇଟ୍‌ କରି ତାଙ୍କୁ ଟ୍ୟାଗ୍‌ କରିଥିଲେ। ଦେବଗନ୍‌ ଲେଖିଥିଲେ, ହିନ୍ଦୀ ରାଷ୍ଟ୍ରଭାଷା। ଏହା ରାଷ୍ଟ୍ରଭାଷା ଥିଲା ଏବଂ ସବୁଦିନ ରହିବ। ହିନ୍ଦୀକୁ ଆପଣ ଯଦି ଆମ ରାଷ୍ଟ୍ରଭାଷା ବିବେଚନା କରୁନାହାନ୍ତି, ତେବେ ହିନ୍ଦୀରେ ରିଲିଜ ହେଉଥିବା ଫିଲ୍ମଗୁଡ଼ିକୁ କାହିଁକି ନିଜ ମାତୃଭାଷାରେ ଡବିଂ କରୁଛନ୍ତି ବୋଲି ଦେବଗନ୍‌ ପ୍ରଶ୍ନ କରିଥିଲେ। ସେ ଟୁଇଟରରେ ଏହି ପ୍ରଶ୍ନ କରିବାବେଳେ ଦେବନାଗରୀ ଲିପି ବ୍ୟବହାର କରିଥିଲେ। ସୁଦୀପ କହିଥିଲେ, ଆପଣ ହିନ୍ଦୀରେ ଯାହା ଲେଖିଛନ୍ତି ତାକୁ ମୁଁ ବୁଝିପାରୁଛି। କାରଣ ଆମେ ସବୁ ଭାଷାକୁ ସମ୍ମାନ ଦେଉ ଓ ଭଲ ପାଉ। କିନ୍ତୁ ଆପଣ ମୋତେ କନ୍ନଡ଼ ଭାଷାରେ ଉତ୍ତର ଦେଇଥିଲେ ସ୍ଥିତି କ’ଣ ହୋଇଥାଆନ୍ତା। ଆମେ କ’ଣ ଭାରତର ନୋହୁଁ। ଦେବଗନ କହିଲେ, ସୁଦୀପ ଆପଣ ମୋର ବନ୍ଧୁ। ଭୁଲ୍‌ ବୁଝାମଣା ଦୂର କରିଥିବାରୁ ଧନ୍ୟବାଦ। ସବୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମୁଁ ଗୋଟିଏ ବୋଲି ବିବେଚନା କରେ। ଆମେ ସମସ୍ତ ଭାଷାକୁ ସମ୍ମାନ ଦେଉ ଏବଂ ଅନ୍ୟମାନେ ମଧ୍ୟ ଆମ ଭାଷାକୁ ସମ୍ମାନ ଦିଅନ୍ତୁ ବୋଲି ଆଶା କରେ। ବୋଧେ ଅନୁବାଦରେ କିଛି ମିସ୍‌ ହୋଇଯାଇଥିଲା।
ଦୁଇ ଅଭିନେତାଙ୍କ ମଧ୍ୟରେ ଟୁଇଟରରେ ଏଭଳି ଶୀତଳଯୁଦ୍ଧ ଚାଲିଥିବାବେଳେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ନେତା କୁମାରସ୍ବାମୀ ଲେଖିଛନ୍ତି, ସମ୍ଭବତଃ ଦେବଗନ୍‌ ଭାଜପାକୁ ଖୁସି କରାଇବା ପାଇଁ ଏପରି କହିଛନ୍ତି। ହିନ୍ଦୀ ବିବାଦ ଏକ ଭାଇରାଲ ରୋଗ, ଯାହାକି ଦେଶ ବିଭାଜନ ପାଇଁ ସଂକ୍ରାମକ ହୋଇଯାଇଛି। ଏହା ଭାରତର ଏକତା ପାଇଁ ବିପଦ। ସେହିପରି କଂଗ୍ରେସ ନେତା ସିଦ୍ଦାରାମାୟାଙ୍କ ମତରେ ହିନ୍ଦୀ କେବେହେଲେ ଦେଶର ଜାତୀୟ ଭାଷା ନ ଥିଲା କି କେବେ ହୋଇପାରିବ ନାହିଁ। କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ କିଚ୍ଚା ସୁଦୀପଙ୍କୁ ସମର୍ଥନ କରିଛନ୍ତି। ଭାଜପା ନେତା ବୋମାଇ କହିଛନ୍ତି, ହିନ୍ଦୀ ଭାଷାକୁ ନେଇ ସୁଦୀପଙ୍କ ମନ୍ତବ୍ୟ ଯଥାର୍ଥ। ଏକ ଆଞ୍ଚଳିକ ଭାଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଭାଷା ଆଧାରରେ ରାଜ୍ୟଗୁଡ଼ିକ ଗଠିତ ହୋଇଛି। ଆଞ୍ଚଳିକ ଭାଷାଗୁଡ଼ିକୁ ଗୁରୁତ୍ୱ ଦିଆଯାଇଥାଏ। ସୁଦୀପ ଠିକ୍‌ କଥା କହିଛନ୍ତି। ତାକୁ ସମସ୍ତେ ସମ୍ମାନ ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?