ଭଲ ମଣିଷ ହେବା ଦରକାର

ଡ. ମନୋରଞ୍ଜନ ପ୍ରଧାନ

 

କଲେଜରୁ ଘରେ ପହଞ୍ଚି ଦେଖିଲି ପୁଅ ମନ ଦୁଃଖ କରିଛି। କାରଣ ଜାଣିବାକୁ ପାଇଲି, ପରୀକ୍ଷାରେ ତା’ର ସ୍ଥାନରେ ଅବନତି ଘଟିଛି, ତେଣୁ ମାଆ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ପରୀକ୍ଷାରେ ସେ ଶ୍ରେଣୀରେ ପ୍ରଥମ ହେଇଥିଲା, ଏଥର କିନ୍ତୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ମୁଁ ମନ ଦୁଃଖର କାରଣ ପଚାରିଲି। ପୁଅ କହିଲା- କୁହ ବାବା, ଚୋରି କରିଥା’ନ୍ତି କି? ପଚାରିଲି- ମାନେ? ପୁଅ କହିଲା- ମୁଁ ପାଞ୍ଚ ଛଅ ନମ୍ବର ପାଇଁ ଦ୍ବିତୀୟ ସ୍ଥାନରେ ରହିଲି। କିନ୍ତୁ ଯେଉଁ ଦୁଇଜଣ ସହପାଠୀ ଯୁଗ୍ମ ପ୍ରଥମ ହୋଇଛନ୍ତି, ସେମାନଙ୍କୁ ମିସ୍‌ ପରୀକ୍ଷାରେ କହିଦେଲେ; କାରଣ ସେମାନେ ତାଙ୍କ ଟ୍ୟୁଶନ ପିଲା। ସାଙ୍ଗମାନେ ମୋତେ ଦେଖି ଲେଖିବାକୁ କହିଲେ, ହେଲେ ମୁଁ ଲେଖିଲି ନାହିଁ। ଖୁସି ବ୍ୟକ୍ତକଲି କି ପୁଅ ମୋର ନମ୍ବରରେ ଯେତେ ତଳକୁ ରହୁ ପଛେ ସେ ମଣିଷ ଭଳି ମଣିଷଟିଏ ହେଉ। ତେବେ ଏଠାରେ ଶିକ୍ଷା, ଶିକ୍ଷକ, ଶିକ୍ଷାଦାନ ଓ ଶିକ୍ଷାୟତନକୁ ନେଇ କେତୋଟି ବିନ୍ଦୁ ଆଲୋଚନା କରିବା, ଯାହା ଆଜିର ସାମାଜିକ ସ୍ଥିତି ଓ ପରିସ୍ଥିତି ପାଇଁ ପ୍ରାସଙ୍ଗିକ ମନେହୁଏ।
ପ୍ରଥମତଃ, ଶିଶୁ ନିର୍ବୋଧ ନୁହେଁ; ସେ ଜଣେ ଶ୍ରେଷ୍ଠ ବିଚାରକ। ସେ ପରିବାର, ବିଦ୍ୟାଳୟ ଓ ସମାଜର ପ୍ରତିଟି ସଦସ୍ୟଙ୍କ ଆଚରଣ, କାର୍ଯ୍ୟକଳାପକୁ ପର୍ଯ୍ୟବେକ୍ଷଣ ଓ ମୂଲ୍ୟାୟନ କରିପାରେ। ହଁ ସାମାଜିକ କଟକଣା, ବଡ଼ମାନଙ୍କ ନାଲିଆଖି କିମ୍ବା ସ୍ବତନ୍ତ୍ରତାର ଅଭାବରୁ ସେ ଘଟୁଥିବା ଭୁଲଗୁଡିକ ବିରୋଧରେ ସ୍ବର ଉତ୍ତୋଳନ କରିପାରେ ନାହିଁ। ତେଣୁ ସେ ନୀରବ ରହେ। କିନ୍ତୁ ମନ ଓ ହୃଦୟରେ ଅସାମାଜିକ ତଥା ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଘୃଣା କରେ। ତେଣୁ ମାତାପିତା, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିଶୁର ତତ୍ତ୍ୱାବଧାନରେ ଥିବା ବ୍ୟକ୍ତିବିଶେଷଙ୍କ ଆଚରଣ ଉଚ୍ଚାରଣ ମାର୍ଜିତ ଓ ଶିକ୍ଷଣୀୟ ହେବା ଉଚିତ। ନଚେତ୍‌ ପିଲାଟି ଆଖିରେ ଛୋଟ ହେବାକୁ ପଡ଼ିବ, ଅଥବା କୋମଳ ହୃଦୟ ଶିଶୁଟିକୁ ସେମାନଙ୍କ ଭଳି ମନ୍ଦ ବୁଦ୍ଧିଆ ହୋଇ ନିଜର ଓ ସମାଜର କ୍ଷତି କରିବା ପାଇଁ ପଥ ପରିଷ୍କାର ହୋଇଯିବ।
ଦ୍ୱିତୀୟରେ, କୋମଳମତି ବାଳିକା ବାଳକଙ୍କ ମନରେ ମୂଲ୍ୟବୋଧ ରୂପକ ଚାରାଟିଏ ବାଲ୍ୟକାଳରୁ ରୋପଣ କରିଦେଲେ, ତାହା ପରବର୍ତ୍ତୀ ଜୀବନରେ ମାର୍ଜିତ ସଂସ୍କାର ଓ ଆଚରଣରେ ପରିଣତ ହୋଇପାରେ। ଆମେ ଶିଶୁମାନଙ୍କୁ ଅମୃତ ସନ୍ତାନ ବୋଲି କହିଥାଉ। ସେମାନେ କିପରି ଗଢିହେବେ ତାହା ଏ ସମାଜ ଉପରେ ନିର୍ଭରଶୀଳ। ଆମ ସଂସ୍କାର, ବିଚାର ଓ ମାର୍ଗଦର୍ଶନ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ନିର୍ମାଣ କରିବ। ବିଶିଷ୍ଟ ଶିକ୍ଷାବିତ୍‌ ରୁଷୋ କହନ୍ତି- ଜନ୍ମ ସମୟରେ ଶିଶୁଟି ପବିତ୍ର ହୋଇଥାଏ। କିନ୍ତୁ ଏ କଳୁଷିତ ସମାଜ ସମ୍ପର୍କରେ ଯେତେବେଳେ ସେ ଆସେ କଳୁଷିତ ହୋଇଯାଏ। ତେଣୁ ଶିଶୁମାନଙ୍କ ପାଇଁ ସେ ବିଯୁକ୍ତାତ୍ମକ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଯୁକ୍ତି ବାଢ଼ିଥିଲେ। ଅର୍ଥାତ୍‌ ଶିଶୁଟିକୁ ମହାମାନବ ବା ଦାନବରେ ପରିଣତ କରିବାରେ ପରିବାର ଓ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପିଲାଟି ବେଳରୁ ସେମାନଙ୍କ ମନରେ ସକାରାତ୍ମକ ଚିନ୍ତାଧାରା, ଆଧ୍ୟାତ୍ମିକ ଚିନ୍ତନ, ରାଷ୍ଟ୍ର ଭକ୍ତି ରୂପକ ଚାରାମାନ ରୋପଣ କରିପାରିଲେ; ସେମାନେ ଭବିଷ୍ୟତରେ ଶ୍ରେଷ୍ଠ ନାଗରିକ ଭାବରେ ଏ ଦେଶର ମଙ୍ଗ ଧରିପାରିବେ। ନଚେତ୍‌ ନମ୍ବର ଖେଳରେ ପ୍ରତିଯୋଗିତା କରି କରି ସଫଳ ଜୀବନ ଯୁଦ୍ଧରେ ବିଫଳ ହୋଇଯିବେ। ତେଣୁ ବିଶେଷକରି ମାତାପିତା ଓ ଶିକ୍ଷାଦାତାଙ୍କ ଆଚରଣ ଓ ଉଚ୍ଚାରଣ ପ୍ରେରଣାଦାୟୀ ତଥା ଶିକ୍ଷଣୀୟ ହେବା ଜରୁରୀ।
ତୃତୀୟରେ, ଶିଶୁ ଅନୁକରଣପ୍ରିୟ। ସେ ଅନ୍ୟକୁ ଶୁଣେ, ପଢ଼େ ଏବଂ ଅର୍ଜିତ ଜ୍ଞାନ ଓ ତଥ୍ୟ ଉପଯୁକ୍ତ ସମୟରେ ଉପଯୋଗ କରିପାରେ। ପିଲାଟି ବେଳରୁ ମାଆବାପା ବା ଜେଜେଜେଜୀଙ୍କ କୋଳରେ ବସି ଶୁଣିଥିବା ଛୋଟ ଛୋଟ କାହାଣୀ, ପୌରାଣିକ କଥା ଶିଶୁଟିକୁ ମହାମାନବ କରିଦିଏ। ହରିଶ୍ଚନ୍ଦ୍ର ନାଟକ ବାଳକ ମୋହନ ଦାସଙ୍କୁ ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀ କରିଦେଲା। ଜିଜାବାଈଙ୍କ ପ୍ରେରଣାଦାୟୀ କଥୋପଦେଶ ଏ ଦେଶକୁ ଶ୍ରେଷ୍ଠ ସମ୍ରାଟ୍‌ ଛତ୍ରପତି ଶିବାଜୀ ରୂପେ ସମର୍ପିତ କରିପାରିଲା। ତେଣୁ ପିଲାଙ୍କୁ ଜାଣିବା, ବୁଝିବା ଓ ସୁଯୋଗ ସୁବିଧା ଅନୁସାରେ ସେମାନଙ୍କ ମନରେ ଭଲ ମଣିଷଟିଏ ହେବା ପାଇଁ ପ୍ରେରଣା ଯୋଗାଇଦେବା ଆମର କାମ।
ଚତୁର୍ଥରେ, ଶିକ୍ଷକ ନିଜ ଆଚରଣରେ ସାମାନ୍ୟ ବ୍ୟତିକ୍ରମ ବା ତ୍ରୁଟି ପ୍ରଦର୍ଶନ କଲେ ଶିଷ୍ୟ ଆଖିରେ ଛୋଟ ହୋଇଯାଏ। ସେ ମୁହଁ ଖୋଲି ବ୍ୟକ୍ତ ନ କରିପାରିଲେ ମଧ୍ୟ ହୃଦୟ କନ୍ଦରରେ ସେଭଳି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନାପସନ୍ଦ କରେ। ତେଣୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ଶିଶୁମାନଙ୍କ ଆଖିରେ ଦେବଦେବୀଙ୍କ ଭଳି କାର୍ଯ୍ୟ କରିବା ଉଚିତ। ପଞ୍ଚମରେ, କପି ବା ନକଲ କରିବା ଭଳି ଘୃଣ୍ୟ କାର୍ଯ୍ୟ ସବୁ ସ୍ତରରେ ନିରୁତ୍ସାହିତ ହେବା ଉଚିତ। ଟ୍ୟୁଶନ ଶିକ୍ଷକ ଭାବରେ ନିଜ ପିଲାମାନଙ୍କର ନମ୍ବର ବଢ଼େଇବାର ନିଶା ହୁଏତ ସାମୟିକ ଭାବରେ ଲାଭଦାୟକ, କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ପିଲାଙ୍କ ସହ ସାହାଯ୍ୟ ପାଇଥିବା ପିଲାଟି ଆଖିରେ ଶିକ୍ଷକ ଘୃଣାର ପାତ୍ର ହୋଇଯିବ; କାରଣ ସମୟ ଆସିବ ପିଲାଟି ବୁଝିପାରିବ କପି ପାଇ ବଡ଼ ବୁଦ୍ଧିଆ ହେବାର ପରିଣାମ। ଅନ୍ତତଃ ସେ ଯେତେବେଳେ ମା’ବାପା ଭୂମିକାରେ ନିଜ ପିଲାର ପାଠପଢ଼ା କଥା ଚିନ୍ତା କରିବ ସେ ସେଦିନ ନିଶ୍ଚୟ ବୁଝିପାରିବ ତାଙ୍କ ଶିକ୍ଷକଙ୍କ ତ୍ରୁଟିପୂର୍ଣ୍ଣ ଅନୁକମ୍ପାର କୁପ୍ରଭାବ।
ଶେଷରେ, ଶିଶୁକୁ ଧୈର୍ଯ୍ୟର ସହିତ ଶୁଣିବା ଓ ଜାଣିବା ଉଚିତ୍‌। ତା’ପରେ ତା’ ସମ୍ପର୍କରେ ମନ୍ତବ୍ୟ ଦେବା ଉଚିତ। ବିଶେଷକରି ମାତାପିତାମାନେ ପିଲାଙ୍କୁ ମାର୍କ ଯନ୍ତ୍ର ବା ଟଙ୍କା ରୋଜଗାର ଶ୍ରମଜୀବୀଟିଏ କରିବାକୁ ନ ପ୍ରବର୍ତ୍ତାଇ, ମଣିଷ ଭଳି ମଣିଷଟିଏ ହେବାକୁ ପ୍ରେରଣା ଦିଅନ୍ତୁ।
ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri