ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ରୁ ବାଦ ପଡ଼ିବା ପରେ ଏବେ ଅଷ୍ଟ୍ରେଲିଆ-ଏ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଅନଅଫିସିଆଲ ୫୦ ଓଭର ସିରଜ୍ରୁ ମଧ୍ୟ ସେ ବାଦ ପଡ଼ିପାରନ୍ତି। ଚାରି ମାସରୁ ଅଧିକ ସମୟ ପରେ ଇଣ୍ଡିଆ-ଏ ମାଧ୍ୟମରେ କ୍ରିକେଟକୁ ଫେରିବାକୁ ଯୋଜନା କରିଥିଲେ ହାର୍ଦ୍ଦିକ। କିନ୍ତୁ ତାଙ୍କ ଡାହାଣ ଗୋଡ଼ର ପୁଣିଥରେ ଯନ୍ତ୍ରଣା ଦେଖାଦେବା ତାଙ୍କ କମବ୍ୟାକ ଯୋଜନାରେ ବାଧା ସୃଷ୍ଟି କରିଛି।
ଗତ କିଛି ଦିନ ହେବ ୩୨ ବର୍ଷୀୟ ହାର୍ଦ୍ଦିକଙ୍କ ଡାହାଣ ଗୋଡରେ ପୁଣି ଯନ୍ତ୍ରଣା ଅନୁଭବ ହୋଇଛି। ଏହାପରେ ତାଙ୍କର କିଛି ଆବଶ୍ୟକୀୟ ମେଡିକାଲ ସ୍କାନ କରାଯାଇଛି। ଡାକ୍ତର ଓ ମେଡିକାଲ ଟିମ ତାଙ୍କୁ ଏବେ କୌଣସି ମ୍ୟାଚ ଖେଳିବା ପରିବର୍ତ୍ତେ ଆରାମ କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ହାର୍ଦ୍ଦିକ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ ଅଛନ୍ତି। ସେଠାରେ ସେ ପୁରୁଣା ଆହତ ସମସ୍ୟାରୁ ସୁସ୍ଥ ହେବା ପାଇଁ ରିହାବିଲିଟେସନ ଜାରି ରଖିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ୨୦୨୬ ମସିହା ଫିଟନେସ ଦୃଷ୍ଟିରୁ ଚ୍ୟାଲେଞ୍ଜିଂ ରହିଛି। ଆଇପିଏଲ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବା ହାର୍ଦ୍ଦିକ ଆହତ କାରଣରୁ ଅତିକମରେ ଚାରିଟି ମ୍ୟାଚ ଖେଳିପାରି ନ ଥିଲେ। ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଇଥିଲେ।
ଫିଟନେସ ସମସ୍ୟା କାରଣରୁ ହାର୍ଦ୍ଦିକ ଆୟର୍ଲାଣ୍ଡ, ଇଂଲଣ୍ଡ ଓ ଜିମ୍ବାୱେ ଗସ୍ତରୁ ମଧ୍ୟ ବାଦ ପଡ଼ିଥିଲେ। ଏହାଛଡ଼ା ଆଫଗାନିସ୍ତାନ ବିପକ୍ଷ ଘରୋଇ ଟି-୨୦ ସିରିଜ, ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ ଏବଂ ଏସିଆନ ଗେମ୍ସ ୨୦୨୬ରେ ମଧ୍ୟ ସେ ଭାଗ ନେଇପାରି ନ ଥିଲେ।
ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପୂର୍ବରୁ ମ୍ୟାଚ ଫିଟନେସ ପ୍ରମାଣ କରିବା ପାଇଁ ହାର୍ଦ୍ଦିକଙ୍କୁ ଅଷ୍ଟ୍ରେଲିଆ-ଏ ବିପକ୍ଷ ୫୦ ଓଭର ସିରିଜ୍ର ଇଣ୍ଡିଆ-ଏ ଦଳରେ ସାମିଲ କରାଯାଇଥିଲା। ଏବେ ହାର୍ଦ୍ଦିକ ଅଷ୍ଟ୍ରେଲିଆ-ଏ ବିପକ୍ଷ ସିରିଜ ଖେଳିପାରିବେ କି ନାହିଁ, ତାହା ତାଙ୍କ ଫିଟନେସ ଓ ମେଡିକାଲ ଆକଳନ ଉପରେ ନିର୍ଭର କରିବ। ଦୀର୍ଘ ଦିନ ପରେ ଟିମ ଇଣ୍ଡିଆକୁ ଫେରିବାକୁ ଅପେକ୍ଷା କରିଥିବା ହାର୍ଦ୍ଦିକଙ୍କ ପାଇଁ ଏହି ନୂଆ ଆହତ ସମସ୍ୟା ନିଶ୍ଚିତ ଭାବେ ଆଉ ଏକ ବଡ଼ ବାଧା ପାଲଟିଛି।
Dharitri – Odisha’s No.1 Odia Daily

