Posted inଫୁରସତ

ଶୁଭ ଶଙ୍ଖ

ଭାରତୀୟ ସଂସ୍କୃତିରେ ଶଙ୍ଖର ମାହାତ୍ମ୍ୟ ସ୍ବତନ୍ତ୍ର। ତେବେ ଶଙ୍ଖ ଏକ ସଂସ୍କୃତ ଶବ୍ଦ। ଏହାର ବ୍ୟୁତ୍ପତ୍ତି- ”ଶାମ୍ୟତି ଅଶୁଭମସ୍ମାଦିତି“। ‘ଶଂ’ ଅର୍ଥ ମଙ୍ଗଳ, କଲ୍ୟାଣ, ଶୁଭ ଇତ୍ୟାଦି ଏବଂ ‘ଖ’ ଅର୍ଥ ଆକାଶ। ‘ଆକାଶ’ ଶୂନ୍ୟ ତତ୍ତ୍ୱ ଅଟେ। ଶଙ୍ଖ ମଧ୍ୟରେ ଶୂନ୍ୟତା ରହିଛି। ଆକାଶର ଗୁଣ ‘ଧ୍ୱନି’ ବା ‘ଶବ୍ଦ’। ଶଙ୍ଖ ଯିଏ ଆପଣାର ସୁମଧୁର ଧ୍ୱନି ଦ୍ୱାରା ଜଗତକୁ ଶାନ୍ତ କରେ। ଏହା ଏକ ଶୁଭ ଓ ପବିତ୍ର ବସ୍ତୁ, ଯାହା ଶତ୍ରୁ ପରାସ୍ତକାରୀ, ପାପନାଶନକାରୀ, ରୋଗ ଓ ଦାରିଦ୍ର୍ୟ ଦୂରକାରୀ ବୋଲି କେତେକ ଗ୍ରନ୍ଥ ଓ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ବିଶେଷକରି ହିନ୍ଦୁମାନେ ଏହାକୁ ଘରେ, ଦେବାଳୟରେ ପୂଜା ଆଦି ସମସ୍ତ ମାଙ୍ଗଳିକ କର୍ମରେ ବ୍ୟବହାର କରିଥାନ୍ତି। ଅନ୍ୟପକ୍ଷେ ପ୍ରାଚୀନ କାଳରେ ଯେତେବେଳେ ମୁଦ୍ରାର ପ୍ରଚଳନ ହୋଇ ନ ଥିଲା ସେତେବେଳେ କଉଡ଼ି ଓ ଶଙ୍ଖକୁ ମୁଦ୍ରା ରୂପେ ବ୍ୟବହାର କରାଯାଉଥିଲା। ସମୁଦ୍ର ମନ୍ଥନରୁ ମିଳିଥିବା ଅନେକ ରନତ୍ ମଧ୍ୟରୁ ଶଙ୍ଖ ଗୋଟିଏ। ଅଥର୍ବ ବେଦର ଚତୁର୍ଥ କାଣ୍ଡ (ଶଙ୍ଖମଣି ସୂକ୍ତ)ରେ ଶଙ୍ଖର ମହିମା ବର୍ଣ୍ଣନା କରାଯାଇଛି।

ପୂର୍ବେ ଯୁଦ୍ଧର ଆରମ୍ଭରେ ଓ ଅନ୍ତରେ ତଥା ବିଜୟସୂଚନା ନିମନ୍ତେ ଶଙ୍ଖ ବାଦନ କରାଯାଉଥିଲା। ମହାଭାରତ ଯୁଦ୍ଧରେ ବିଭିନ୍ନ ବ୍ୟକ୍ତି ବିଭିନ୍ନ ଶଙ୍ଖ ବଜାଇଥିବା ଦେଖିବାକୁ ମିଳେ। ମହାଭାରତ ଯୁଦ୍ଧ ଆରମ୍ଭରେ କୌରବ ପକ୍ଷରୁ ପିତାମହ ଭୀଷ୍ମ ପ୍ରଥମେ ଶଙ୍ଖ ବାଦନ କରିଥିଲେ। ତା’ପରେ ଅନ୍ୟମାନେ ଶଙ୍ଖ ବଜାଇଲେ। ପାଣ୍ଡବମାନଙ୍କ ପକ୍ଷରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ପାଞ୍ଚଜନ୍ୟ ଶଙ୍ଖ ବଜାଇଥିଲେ। ‘ଗୀତା’ରେ ବର୍ଣ୍ଣିତ ଅଛି –
”ପାଞ୍ଚଜନ୍ୟଂ ହୃଷିକେଶୋ ଦେବଦତ୍ତଂ ଧନଞ୍ଜୟଃ।
ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖଂ ଭୀମକର୍ମା ବୃକୋଦରଃ ॥
ଅନନ୍ତବିଜୟଂ ରାଜା କୁନ୍ତିପୁତ୍ରୋ ଯୁଧିଷ୍ଠିରଃ।
ନକୁଳଃ ସହଦେବଶ୍ଚ ସୁଘୋଷମଣିପୁଷ୍ପକୌ ାା“

ଅର୍ଥାତ୍‌ ଭଗବାନ ‘ପାଞ୍ଚଜନ୍ୟ’ ନାମକ ଶଙ୍ଖ ବଜାଇଥିବା ବେଳେ ଅର୍ଜୁନ ‘ଦେବଦତ୍ତ’ ନାମକ ଶଙ୍ଖ ଓ ଭୀମସେନ ‘ପୌଣ୍ଡ୍ର’ ନାମକ ଶଙ୍ଖ ବଜାଇଥିଲେ। ଯୁଧିଷ୍ଠିର, ନକୁଳ ଓ ସହଦେବଙ୍କ ଶଙ୍ଖର ନାମ ଯଥାକ୍ରମେ ଅନନ୍ତବିଜୟ, ସୁଘୋଷ ଓ ମଣିପୁଷ୍ପକ ଥିଲା। ମହାଭାରତରେ ସଞ୍ଜୟ ଶଙ୍ଖ ବାଦନ ବର୍ଣ୍ଣନାରେ କୌରବ ସେନା ପକ୍ଷରୁ କେବଳ ଭୀଷ୍ମଙ୍କ ନାମ ଉଚ୍ଚାରଣ କରିଥିବାବେଳେ ପାଣ୍ଡବ ସେନାର ଶୂରବୀରଙ୍କ ମଧ୍ୟରୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସମେତ ୧୮ଜଣଙ୍କ ନାମ କହିଥିଲେ।
ଶଙ୍ଖର ପ୍ରକାର ଭେଦ- ଶଙ୍ଖ ସାଧାରଣତଃ ଦୁଇ ପ୍ରକାର। ୧. ଦକ୍ଷିଣାବର୍ତ୍ତ, ୨. ବାମାବର୍ତ୍ତ। ତେବେ ଅନ୍ୟ ଏକ ମଧ୍ୟାବର୍ତ୍ତ ଶଙ୍ଖ ମଧ୍ୟ ଦେଖାଯାଏ। ଏହି ପ୍ରକାର ଶଙ୍ଖର ମୁଖ ଖୋଲା। ଯେଉଁ ଶଙ୍ଖର ଆବର୍ତ୍ତ (ଭଉଁରି) ଦକ୍ଷିଣ ଆଡ଼କୁ ବୁଲିଥାଏ ତାହାକୁ ଦକ୍ଷିଣାବର୍ତ୍ତ ଶଙ୍ଖ କହନ୍ତି। ସେହିପରି ବାମ ଆଡ଼କୁ ଆବର୍ତ୍ତ ବୁଲିଥିଲେ ତାକୁ ବାମାବର୍ତ୍ତ ଶଙ୍ଖ କହନ୍ତି। ଦକ୍ଷିଣାବର୍ତ୍ତ ଶଙ୍ଖ ଦୁର୍ଲଭ ହୋଇଥିବାରୁ ଏହାର ଦାମ୍‌ ମଧ୍ୟ ଅଧିକ ଥାଏ। ସମୁଦ୍ରରେ ନାନା ପ୍ରକାର ଓ ବର୍ଣ୍ଣର ଶଙ୍ଖ ଦେଖାଯାଏ।

ଶଙ୍ଖ ସ୍ଥାପନର ମହତ୍ତ୍ୱ- ହିନ୍ଦୁଧର୍ମରେ ବିଶ୍ୱାସ ରହିଛି, ଯେଉଁ ଘରେ ଶଙ୍ଖ ସ୍ଥାପନ ଓ ପୂଜାର୍ଚ୍ଚନା କରାଯାଏ ସେଠାରେ ଲକ୍ଷ୍ମୀ ନିବାସ କରନ୍ତି। କିନ୍ତୁ ଶଙ୍ଖର ପୂଜାର୍ଚ୍ଚନା ନୀତିନିୟମ, ବିଧିପୂର୍ବକ ହେବା ଆବଶ୍ୟକ। ସାଧାରଣତଃ ଶଙ୍ଖକୁ ଭଣ୍ଡାର ଘରେ ସ୍ଥାନ ଦେଲେ ଲକ୍ଷ୍ମୀ, ଧନ ଓ ବୈଭବ ଆଦି ପ୍ରାପ୍ତ ହୋଇଥାଏ ବୋଲି ଧର୍ମବିଶ୍ୱାସ ରହିଛି। ବିଭିନ୍ନ ଯଜ୍ଞାନୁଷ୍ଠାନ, ମାଙ୍ଗଳିକ କାର୍ଯ୍ୟ, ରାଜାଭିଷେକ, ନୂତନ ଗୃହ ପ୍ରବେଶ, ବାସ୍ତୁଶାନ୍ତି, ପିତୃ ତର୍ପଣ ଆଦି କାଯର୍‌ୟରେ ଶଙ୍ଖ ବାଦନ କରାଯାଇଥାଏ। ଅନ୍ୟପକ୍ଷରେ ପାଞ୍ଚଜନ୍ୟ ଓ ମଣିପୁଷ୍ପକ ଶଙ୍ଖର ସ୍ଥାପନା ଏବଂ ଶଙ୍ଖରେ ଗାଈକ୍ଷୀର ରଖି ଘରେ ସିଞ୍ଚନ କଲେ ବାସ୍ତୁ ଦୋଷ ଦୂର ହୋଇଥାଏ ବୋଳି ବିଶ୍ୱାସ କରାଯାଏ। ଶଙ୍ଖଧ୍ୱନିରେ ଘର ଓ ବାହାରେ ଥିବା ଅଶୁଭ ଶକ୍ତି ଅପସରି ଯାଆନ୍ତି ବୋଲି କୁହାଯାଏ। ଶଙ୍ଖକୁ ମଧ୍ୟ ଦେବତାଙ୍କ ପ୍ରତୀକ ରୂପେ ଗ୍ରହଣ କରାଯାଏ। ଗଣେଶ, ବିଷ୍ଣୁ, ରୁଦ୍ର, ଭଗବତୀ ଆଦି ଦେବଦେବୀଙ୍କ ଅଭିଷେକ ସମୟରେ ଲାଲ କପଡ଼ା ପକାଇ ଶଙ୍ଖକୁ ପଞ୍ଚାମୃତରେ ଅଭିଷେକ କରାଯାଇଥାଏ। ଲକ୍ଷ୍ମୀ ଯେମିତି ସୁଖ, ସମୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ; ଶଙ୍ଖ ମଧ୍ୟ ଏହିସବୁ ଗୁଣରେ ପରିପୂର୍ଣ୍ଣ। ଯେଉଁ ଗୃହରେ ନିତ୍ୟଶ୍ରୀ ବିଷ୍ଣୁ ଭଗବାନ ଧାରଣ କରୁଥିବା ଦକ୍ଷିଣାବର୍ତ୍ତ ଶଙ୍ଖକୁ ଭକ୍ତି ସହକାରେ ପୂଜା କରାଯାଏ, ସେ ଗୃହରେ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ସର୍ବଦା ଥାଏ। ମନ୍ଦିରରେ ପୂଜାର୍ଚ୍ଚନା ଓ ଆଳତି ସମୟରେ ମଧ୍ୟ ଶଙ୍ଖ ବାଦନ କରାଯାଇଥାଏ।

ଶଙ୍ଖଧ୍ୱନି- ଶଙ୍ଖ ନାଦର ପ୍ରତୀକ। ସୃଷ୍ଟିର ପ୍ରାରମ୍ଭ ନାଦରୁ ହିଁ ହୋଇଥିଲା। ବିଲୟ ମଧ୍ୟ ନାଦରେ ଘଟିଥାଏ। ଶଙ୍ଖ ଓଁକାରର ପ୍ରତୀକ। ଶଙ୍ଖନାଦରୁ ଓଁନାଦ ପ୍ରକମ୍ପିତ ହୋଇଥିଲା। ଅ, ଉ, ମରୁ ଓଁର ଉଚ୍ଚାରଣ। ଓଁ ହେଉଛି ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ପ୍ରତୀକ। ସେଥିପାଇଁ ଦେବାଳୟରେ ପୂଜାର୍ଚ୍ଚନା ଓ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ଶଙ୍ଖ ବାଦନ ଶୁଭକାରକ। ବିଶ୍ୱାସ ରହିଛି ଶଙ୍ଖଧ୍ୱନିରେ ଖରାପ ସମୟ ଚାଲିଯାଏ ଏବଂ ଭଲ ସମୟ ଆସିଥାଏ। ତେବେ କିଭଳି ଭାବରେ ଶଙ୍ଖ ବାଦନ କରିବା ଉଚିତ ବା ଅନୁଚିତ ସେ ସମ୍ପର୍କରେ ପୁରାଣରେ କେତେ କଥା ବର୍ଣ୍ଣିତ ହୋଇଛି। ସକାଳେ ଶଙ୍ଖକୁ ତିନିଥର ବଜାଇବ। ସନ୍ଧ୍ୟାରେ ତିନିଥର ଏବଂ ରାତିରେ ଏକଥର ବଜାଇଲେ ସମସ୍ତ ବିପଦ ଟଳିଥାଏ ବୋଲି ବିଶ୍ୱାସ ରହିଛି। ତମ୍ବାପାତ୍ରରେ ଶଙ୍ଖ ରଖିଲେ ସେଥିରେ ଓଷଧୀୟ ଗୁଣ ସୃଷ୍ଟି ହୋଇଥାଏ ।

ପରମ୍ପରାରେ ଶଙ୍ଖ
ହିନ୍ଦୁଧର୍ମରେ ବିଭିନ୍ନ ପରମ୍ପରାରେ ଶଙ୍ଖ ଓତପ୍ରୋତ ଭାବେ ଜଡ଼ିତ। ଭାରତର କେତେକ ଅଞ୍ଚଳର ହିନ୍ଦୁ ସଧବା ରମଣୀମାନେ ହାତରେ ଶଙ୍ଖନିର୍ମିତ ଶଙ୍ଖା ପିନ୍ଧନ୍ତି। ବିବାହ ସମୟରେ ବର କନ୍ୟା ହାତରେ ଶଙ୍ଖା ପିନ୍ଧାଇଥା’ନ୍ତି। ଲୋକେ ସଧବା ସ୍ତ୍ରୀକୁ ଆଶୀର୍ବାଦପୂର୍ବକ ”ତୋ ହାତର ଶଙ୍ଖା ବଜ୍ରପରି ଦୃଢ଼ ହେଉ“ ବୋଲି କହିଥାନ୍ତି। ଏହାଛଡ଼ା ଓଡ଼ିଶାର ଗାଁମାନଙ୍କରେ ବିଭିନ୍ନ ସାମାଜିକ ତଥା ମାଙ୍ଗଳିକ କାର୍ଯ୍ୟରେ ଶଙ୍ଖ ବଜାଉଥିବା ଲୋକଙ୍କୁ ଶଙ୍ଖୁଆ ବୋଲି କୁହାଯାଉଥିଲା, ଯାହା ଏବେ ମଧ୍ୟ ପ୍ରଚଳିତ।

ଶଙ୍ଖକ୍ଷେତ୍ର
ଅନେକ ପୁରାଣ ଶାସ୍ତ୍ରରେ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରକୁ ଶଙ୍ଖକ୍ଷେତ୍ର ଭାବରେ ବର୍ଣ୍ଣନା କରାଯାଇଛି। ଶଙ୍ଖକ୍ଷେତ୍ର ପାଞ୍ଚକୋଶ (ତେଣୁ ଏହାକୁ ପଞ୍ଚକ୍ରୋଶୀ କହନ୍ତି)। ଏହି ପଞ୍ଚକୋଶରୁ ଦୁଇକୋଶ ବଙ୍ଗୋପସାଗରରେ ଲୀନ ହୋଇଛି। ଅବଶିଷ୍ଟ ତିନିକୋଶ ରହିଛି। ଏହି ଶଙ୍ଖକ୍ଷେତ୍ରର ମସ୍ତକ ପଶ୍ଚିମରେ ‘ଶ୍ରୀ ଲୋକନାଥ’, ଅଗ୍ରଭାଗ ପୂର୍ବ ସୀମାରେ ‘ଶ୍ରୀବିଲ୍ବେଶ୍ୱର’ ବା ‘ବେଲେଶ୍ୱର’ ମହାଦେବ, ମଧ୍ୟରେ ‘ମାଉସୀମା’। କେନ୍ଦ୍ରରେ ରୋହିଣୀକୁଣ୍ଡ ଓ କଳ୍ପବୃକ୍ଷ। ଶଙ୍ଖର ନାଭିଦେଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରନତ୍ସିଂହାସନ। ଶ୍ରୀମନ୍ଦିର ନାଭି ପ୍ରଦେଶରେ ଅବସ୍ଥାନ କରୁଥିବାରୁ ଏହାକୁ ନାଭିମଣ୍ଡଳ ଭାବେ ମଧ୍ୟ ଲୋକେ କହନ୍ତି। ଏଇ କଥା ଭକ୍ତ ସାଲବେଗଙ୍କ ଭଜନରେ ମଧ୍ୟ ଦେଖିବାକୁ ମିଳେ।

ବୈଜ୍ଞାନିକ ଦୃଷ୍ଟିକୋଣ: ବିଜ୍ଞାନ ଦୃଷ୍ଟି କୋଣରୁ ଦେଖିଲେ, ଶଙ୍ଖ ବଜାଇବା ଦ୍ୱାରା ବାତାବରଣ ଶୁଦ୍ଧ ହୁଏ। ଏହି ଧ୍ୱନି ଲୋକଙ୍କ ମନରେ ସକାରାତ୍ମକ ଭାବନା ସୃଷ୍ଟି କରେ। ଶଙ୍ଖନାଦର ତରଙ୍ଗ ସମଗ୍ର ଶରୀରରେ ସଞ୍ଚାରିତ ହୋଇ ପ୍ରତିଟି ତନ୍ତ୍ରକୁ, ଗ୍ରନ୍ଥିକୁ ସତେଜ କରିଥାଏ। ଏହା ଦ୍ୱାରା ଜ୍ଞାନେନ୍ଦ୍ରୀୟ ମଜଭୁତ ହୁଏ। ମସ୍ତିଷ୍କ ବିକୃତି, ସ୍ନାୟବିକ ଦୁର୍ବଳତା ଦୂର ହୁଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଏ। ଶଙ୍ଖଧ୍ୱନିରେ ବାୟୁମଣ୍ଡଳରେ ଥିବା ସୂକ୍ଷ୍ମ ଜୀବାଣୁ ନଷ୍ଟ ହୋଇଯାଆନ୍ତି।

ସ୍ବାସ୍ଥ୍ୟ ପାଇଁ ଶଙ୍ଖ
ଶଙ୍ଖର ଔଷଧୀୟ ଗୁଣ ସମ୍ପର୍କରେ ଡାକ୍ତର ବାସୁଦେବ ପ୍ରଧାନ କୁହନ୍ତି- ଶଙ୍ଖ, ସୁକ୍ତି ଓ ବରାଟିକା ଏହି ତିନୋଟିକୁ ଆୟୁର୍ବେଦିକରେ ସୁଧାବର୍ଗ କୁହାଯାଏ। ତେବେ ଏଥିମଧ୍ୟରୁ ଶଙ୍ଖ ଅନ୍ୟତମ। ଶଙ୍ଖକୁ ଆୟେୁର୍ବେଦିକରେ ଔଷଧୀୟରୂପେ ବ୍ୟବହାର କରାଯାଏ। ଏହାର ବହୁ ଉପକାରୀ ଔଷଧୀୟ ଗୁଣ ରହିଛି। ଶଙ୍ଖକୁ ଭସ୍ମକରି ଔଷଧ ପ୍ରସ୍ତୁତ କରାଯାଏ। ଏଥିରେ ଅସ୍ଥିକୁ ପୋଷଣଦେବାର ସମସ୍ତ ପ୍ରାକୃତିକ ଉତ୍ସ ରହିଛି। ଏଥିରେ କ୍ୟାଲସିୟମ, ଫସ୍‌ଫେଟ, ଫସ୍‌ଫରସ୍‌ ରହିଛି। ଅସ୍ଥିକ୍ଷୟରେ ଏହାକୁ ପ୍ରୟୋଗ କରାଯାଇଥାଏ। ସେହିପରି ଶଙ୍ଖଭସ୍ମ ଶ୍ରେଷ୍ଠ ଆଲ୍‌କାଲାଇଜର, ଏହା ଶରୀରରୁ ଅମ୍ଳୀୟ ଅଂଶ ଦୂରକରିଥାଏ। ଅମ୍ଳପିତ୍ତ ରୋଗ (ଏସିଡିଟି) ପାଇଁ ଏହା ବିଶେଷ ଲାଭଦାୟକ। ଏଥିରୁ ମହାଶଙ୍ଖବଟି ତିଆରି ହୁଏ। ଏହା ପେଟ ବ୍ୟଥାରୁ ଉପଶମ କରିଥାଏ। ମାତ୍ର ଏହା ପେନ୍‌କିଲର ନୁହେଁ କିନ୍ତୁ ପେଟଯନ୍ତ୍ରଣା ଦୂରକରିଥାଏ। ଏଥିପାଇଁ ଏହାକୁ ଏସିଡିଟି, ପେପ୍‌ଟିକ ଅଲ୍‌ସର, ଡ୍ୟୁରିଅଲ୍‌ସରରେ ପ୍ରୟୋଗ କରାଯାଇଥାଏ; ଯାହା ତୁରନ୍ତ ପେଟଯନ୍ତ୍ରଣା, ପେଟଫମ୍ପା ଆଦି ଦୂର କରିଥାଏ। ଅନ୍ୟପକ୍ଷେ ଶଙ୍ଖଫୁଙ୍କିବା ଦ୍ୱାରା ଛାତିର ସମସ୍ୟା ଦୂର ହୋଇଥାଏ। ନିୟମିତି ଶଙ୍ଖଫୁଙ୍କିବା ଦ୍ୱାରା ଛାତିର ଉତ୍ତମ ବ୍ୟାୟାମ ମଧ୍ୟ ହୋଇଥାଏ। ଶଙ୍ଖ ଧ୍ୱନି ଅନେକ ରୋଗରୁ ମୁକ୍ତି ଦିଏ। ଶଙ୍ଖ ନିୟମିତ ବଜାଇଲେ ଶ୍ୱାସରୋଗ ଭଲ ହୁଏ। ଶ୍ୱାସନଳି ଓ ଫୁସ୍‌ଫୁସ୍‌ ଶକ୍ତିଶାଳୀ ହୁଏ। ପିତ୍ତ, କଫ, ରୁଧିର ବିକାର, ବିଷଦୋଷ, ବାୟୁ, ଶୂଳ, ଅଜୀର୍ଣ୍ଣ ଆଦି ଅନେକ ରୋଗରେ ଉପକାରୀ। ଶଙ୍ଖଭସ୍ମ ଜ୍ୱର, କାଶ, ଶ୍ୱାସ, ଅତିସାର ଆଦି ରୋଗର ଉପଶମ କରିଥାଏ। ଯୋଗକ୍ର୍ରିୟାରେ ଏକ କ୍ରିୟାର ନାମ ‘ଶଙ୍ଖ ପ୍ରକ୍ଷାଳନ’। ଏହା ଦ୍ୱାରା ଶରୀରର ଅନ୍ତଃଶୋଧନ ହୁଏ। ଫଳତଃ ଅଗ୍ନିମାନ୍ଦ୍ୟ, ବଦହଜମି, ଖଟା ହାକୁଟି, ଗଳା, ଜିହ୍ବା, ଆଖି ଆଦିର ରୋଗ, ମେଦବୃଦ୍ଧି ଭଳି ଅନେକ ରୋଗ ଭଲ ହୋଇଥାଏ।

ଶଙ୍ଖ ଦ୍ୱାରା ଶାରୀରିକ, ମାନସିକ ଓ ଆଧ୍ୟାମତ୍ିକ ବିକାଶ ଘଟେ। କାରଣ ସମସ୍ତ ଶୁଭର ପ୍ରତୀକ ଶଙ୍ଖ ।

ଉପସ୍ଥାପନା-ବନବିହାରୀ

ତଥ୍ୟ ସହାୟତା -ସ୍ବାମୀ ନିର୍ମଳାନନ୍ଦ ଗିରି
ଗୋ-ବିଜ୍ଞାନ ଓ ଗୋ-ଆଧାରିତ
ଜୈବିକ କୃଷି ପ୍ରଶିକ୍ଷକ
ମୋ: ୯୦୪୦୧୨୬୩୧୯


Enter your email to get our daily news in your inbox.

All Right Reserved By Dharitri.Com

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri