ଅସତ୍ୟରେ ସୁଖ

କୋଭିଡ୍‌-୧୯ ଯୋଗୁ ବିଶ୍ୱ ଅର୍ଥନୀତି ତଳିତଳାନ୍ତ ହୋଇଯାଇଛି। କିନ୍ତୁ ଭାରତ ବାହୁସ୍ଫୋଟ ମାରୁଛି ଯେ, ଏଥିରେ ସୁଧାର ଆସିବା ଦେଖାଦେଲାଣି। କରୋନା ମୁକାବିଲା ସକାଶେ କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥିକ ପ୍ୟାକେଜର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳୁଥିବା ନେଇ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ୧ ନଭେମ୍ବରରେ କହିଛନ୍ତି। ସେହିପରି ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ (ଫିକି) ସଭାପତି ସଙ୍ଗୀତା ରେଡ୍ଡୀ କହିଛନ୍ତି, ଭାରତୀୟ ଅର୍ଥନୀତି ପୂର୍ବସ୍ଥିତିକୁ ଫେରୁଛି ଓ ଖବ୍‌ଶୀଘ୍ର ସୁଦୃଢ଼ ହେବାକୁ ଯାଉଛି। ଏଭଳି ସକାରାତ୍ମକ କଥା ଶୁଣି ଭାରତବାସୀ ଆଶ୍ୱସ୍ତି ଲାଭ କରୁଥିବେ ବୋଲି କହିହେବ ନାହିଁ। କାରଣ କିଛି ସମୟ ବ୍ୟବଧାନରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ନାନାବାୟା ଗୀତ ଶୁଣାଇ ଦିଆଯାଇଆସୁଛି।
ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ସରକାର ୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସଂଗ୍ରହ କରିଛନ୍ତି ବୋଲି ଦର୍ଶାଯାଉଛି। ଗତ ୮ ମାସ ମଧ୍ୟରେ ପ୍ରଥମ ଥର ପାଇଁ ପରୋକ୍ଷ ଟିକସ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବାରୁ ସରକାରୀ ବ୍ୟବସ୍ଥା ସହ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷ ଉତ୍ସାହିତ ହୋଇ ବିଭିନ୍ନ ମନ୍ତବ୍ୟ ଦେବାରେ ଲାଗିଲେଣି। ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ୨୦୨୪-୨୫ ବେଳକୁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୫ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ। ଅର୍ଥନୈତିକ ସର୍ଭେ ଓ ବଜେଟଠାରୁ ଆରମ୍ଭ କରି ପ୍ରତି ସରକାରୀ ଦଲିଲରେ ଏହିଭଳି ଅନେକ ଆଶା ସଞ୍ଚାର କରାଯାଉଛି। ଟାର୍ଗେଟ ବିଷୟରେ କହିବା ପାଇଁ ସରକାରୀ ଅଧିକାରୀମାନେ ଅଗକୁ ଆସି ଗଣମାଧ୍ୟମକୁ ଜଣାଇବା ନିମନ୍ତେ ତରବର ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଅର୍ଥନୀତି ଉପରେ ଏବେ ଯେଉଁସବୁ ତଥ୍ୟ ଦିଆଯାଉଛି ସେଥିରେ ଅନେକ ଖାଦ ରହୁଛି ବୋଲି ଜଣାଗଲାଣି। କାରଣ ଦର୍ଶାଯାଉଥିବା ସଂଖ୍ୟା ସହ ବାସ୍ତବ ସଂଖ୍ୟାର ମେଳ ଖାଉନାହିଁ। ୧୬ ଅକ୍ଟୋବରରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଭାରତୀୟ ଅର୍ଥନୀତି ୨୦୨୦-୨୧ ଆର୍ଥିକ ବର୍ଷରେ ୧୦.୩ ପ୍ରତିଶତ ହ୍ରାସ ପାଇବ ବୋଲି ରିପୋର୍ଟ ପ୍ରକାଶ କରିଥିଲା। ସାଧାରଣତଃ ଏହିଭଳି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାଗୁଡ଼ିକ ଗୋଟିଏ ଦେଶର ବ୍ୟବସ୍ଥାକୁ ତନ୍ନତନ୍ନ କରି ସମୀକ୍ଷା କରିବା ପରେ ତଥ୍ୟ ପ୍ରଦାନ କରିଥାଆନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଏହି ରିପୋର୍ଟ ପ୍ରକାଶ ପାଇବାର ମାତ୍ର ୧୫ ଦିନ ପରେ ଭାରତୀୟ ଅର୍ଥନୀତି ସୁଧୁରିଲାଣି ବୋଲି କହିବା ଅବାସ୍ତବ ମନେହେଉଛି। ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ବିଶେଷକରି ପୁଞ୍ଜିନିବେଶକାରୀମାନେ ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ଦିଆଯାଉଥିବା ତଥ୍ୟକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତିି। ସମଗ୍ର ବିଶ୍ୱ ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାରୁ ପୁଞ୍ଜି ନିବେଶକମାନେ ଜାକିଜୁକି ହୋଇ ବସିଛନ୍ତି। ଯେଉଁମାନଙ୍କୁ ବିଦେଶୀ ପୁଞ୍ଜିଲଗାଣକାରୀ ଭାବେ ଆମେ ଆଖ୍ୟା ଦେଉଛେ, ସେମାନେ ନିଜ ଦେଶରେ ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ତେଣୁ କେଉଁଆଡ଼ୁ ଅର୍ଥ ଆଣି ସେମାନେ ଭାରତ ବଜାରରେ ଲଗେଇବେ ବୋଲି ଭାବିବା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। କାହିଁକି ଅବାସ୍ତବ ତଥ୍ୟ ଦିଆଯାଇ ଲୋକଙ୍କୁ ଭଣ୍ଡାଇ ଦିଆଯାଉଛି, ସେଥିନେଇ କେହି ପ୍ରଶ୍ନ କରିବାକୁ ନାହାନ୍ତି।
ଗତ ୮ ମାସର ଜିଏସ୍‌ଟି ସଂଗ୍ରହକୁ ଦେଖାଯାଉ। ମାର୍ଚ୍ଚରେ ୯୭, ୫୯୭ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଏପ୍ରିଲରେ ୩୨,୧୭୨, ମେ’ରେ ୬୨,୧୫୧, ଜୁନ୍‌ରେ ୯୦,୯୧୭, ଜୁଲାଇରେ ୮୭,୪୨୨, ଅଗଷ୍ଟରେ ୮୬,୪୪୯, ସେପ୍ଟେମ୍ବରରେ ୯୫,୪୮୦ ଏବଂ ଅକ୍ଟୋବରରେ ୧,୦୫,୧୫୫ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଫେବୃୟାରୀ ପରେ ଜିଏସ୍‌ଟି ସଂଗ୍ରହ କମିଚାଲୁଥିବା ବେଳେ ଅକ୍ଟୋବରରେ କେଉଁଭଳି ଭାବେ ୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱକୁ ଡେଇଁଲା, ତାହା କେବଳ ସଂଖ୍ୟା କାରସାଦି ବୋଲି ବିଦେଶୀ ପୁଞ୍ଜିଲଗାଣକାରୀ ଭାବିବା ସ୍ବାଭାବିକ ହୋଇପାରେ। ଦେଖିବାକୁ ଗଲେ ଆଜିର ପୃଥିବୀରେ ସବୁ ଦେଶ ପରସ୍ପର ମଧ୍ୟରେ ବନ୍ଧା ହୋଇ ରହିଛନ୍ତି। ଉଦାହରଣ ସ୍ବରୂପ ଭାରତର ସବୁଠାରୁ ଧନୀ ବିବେଚିତ ହେଉଥିବା ମୁକେଶ ଅମ୍ବାନୀଙ୍କ ସ୍ଥିତି ଦେଖାଯାଉ। ବିଭିନ୍ନ କାରଣରୁ ଅନ୍ତର୍ଜାତୀୟ ତୈଳ ଦର ହ୍ରାସ ପାଇଥିବାରୁ ମୁକେଶଙ୍କ ରିଲାଏନ୍ସ ଶିଳ୍ପସଂସ୍ଥା ପ୍ରାୟ ୭ ବିଲିୟନ ଡଲାର କ୍ଷତି ସହିଛି। ସେହି ପରିମାଣକୁ ଦେଖିଲେ ବୁଝାପଡ଼ୁଛି ଯେ, ସବୁ ଶିଳ୍ପରେ କ୍ଷତି ଘଟିଛି। କାହାର ପ୍ରତିଶତ ବେଶି କିମ୍ବା କମ୍‌ ତାହା ପରିସ୍ଥିତି ଓ ବଜାରକୁ ନେଇ ଆକଳନ କରାଯାଇପାରେ। ଏଥିରୁ ଖିଅ ନେଇ ଏକ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜିଏସ୍‌ଟି ସଂଗ୍ରହ ଅବିଶ୍ୱସନୀୟ ହେବାର କାରଣ ଯଥେଷ୍ଟ ରହିଛି। ଏହା ବ୍ୟତୀତ ଯଦି ବାସ୍ତବରେ ଏହି ପରିମାଣର ଜିଏସ୍‌ଟି ଆଦାୟ କରାଯାଇପାରିଛି, ତେବେ ରାଜ୍ୟ ସରକାରଗୁଡ଼ିକୁ ଋଣ ନେବା ସକାଶେ କେନ୍ଦ୍ର ଅର୍ଥମନ୍ତ୍ରୀ କହିବାର କୌଣସି ଆବଶ୍ୟକତା ନ ଥିଲା। କାରଣ ଏହିଭଳି ବଡ଼ ଅଙ୍କର ଆଦାୟ ଗୋଟିଏ କିମ୍ବା ଦୁଇଟି ଦିନରେ ହୁଏ ନାହିଁ। ଟିକସ ଆଦାୟର ଧାରା ଦର୍ଶାଇଦେବ ନିକଟ ଭବିଷ୍ୟତରେ କେତେ ଯାଏ ସଂଗ୍ରହ ହୋଇପାରେ। ତେବେ ୨ ନଭେମ୍ବରରେ ଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ୬,୦୦୦ କୋଟି ଟଙ୍କା ଜିଏସ୍‌ଟି କ୍ଷତିପୂରଣ ସେସ୍‌ ଦେବାକୁ ଘୋଷଣା କରିଛି। କିନ୍ତୁ ସବୁ ସ୍ତରରେ କେବଳ ତାଳି ପକାଯିବା ଭଳି କାର୍ଯ୍ୟ ହେଉଥିବାରୁ ସରକାରୀ ତଥ୍ୟ ଉପରେ ଲୋକଙ୍କ ଅବିଶ୍ୱାସ ସୃଷ୍ଟି ହେଲାଣି। ଏଥିରୁ ବୁଝିହେଉଛି ଯେ, କେନ୍ଦ୍ର ସରକାର ସତ୍ୟକୁ ଛାଡ଼ି ଅସତ୍ୟରେ ସୁଖ ଖୋଜୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri