ନୂଆଦିଲ୍ଲୀ,୨୦।୧୦: ପୂର୍ବତନ ଭାରତୀୟ କ୍ରିକେଟର ତଥା ପଶ୍ଚିମବଙ୍ଗର ବହରମପୁର ଲୋକସଭା ଆସନର ଏମପି ୟୁସୁଫ ପଠାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗୁଜରାଟ ସରକାର ବଡ଼ୋଦରାରେ ଥିବା ୯୭୮ ବର୍ଗମିଟରର ଏକ ବିବାଦୀୟ ଜମିକୁ ୟୁସୁଫ ପଠାନଙ୍କୁ ଆବଣ୍ଟନ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହି ସେହି ଜମି, ଯାହାକୁ ନେଇ ପୂର୍ବରୁ ତାଙ୍କୁ କଥିତ ଜବରଦଖଲ ହଟାଇବା ପାଇଁ ନୋଟିସ୍ ଦିଆଯାଇଥିଲା।
ରିପୋର୍ଟ ଅନୁସାରେ, ଭଦୋଦରା ନଗର ନିଗମ (VMC)ର ଭୂସମ୍ପତ୍ତି ବିଭାଗ ରାଜ୍ୟ ସରକାରଙ୍କ ଅଗଷ୍ଟ ୧୩ ତାରିଖର ସରକାରୀ ନିଷ୍ପତ୍ତି ଆଧାରରେ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି । ଏହାକୁ ନଗର ନିଗମର ସ୍ଥାୟୀ କମିଟିର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି।
୫୦୦ ବର୍ଗମିଟର ଜମି ଉପହାର, ବାକି ରିହାତି ଦରରେ
ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ, ମୋଟ ୯୭୮ ବର୍ଗମିଟର ଜମିରୁ ୫୦୦ ବର୍ଗମିଟର ଜମି ୟୁସୁଫ ପଠାନଙ୍କୁ ଆବାସିକ ବ୍ୟବହାର ପାଇଁ ଉପହାର ସ୍ୱରୂପ ଦିଆଯିବ । ବାକି ୪୭୮ ବର୍ଗମିଟର ଜମି ୧୭ ମାର୍ଚ୍ଚ ୨୦୨୬ରେ ନିର୍ଦ୍ଧାରିତ ମୂଲ୍ୟର ୫୫ ପ୍ରତିଶତ ଦରରେ ହସ୍ତାନ୍ତର କରାଯିବ। ଏହି ଆବଣ୍ଟନ ଯୋଗୁଁ ଭଦୋଦରା ନଗର ନିଗମର ହେବାକୁ ଥିବା ଆର୍ଥିକ କ୍ଷତିର ଭରଣା ପାଇଁ ରାଜ୍ୟର ରାଜସ୍ୱ ବିଭାଗ ନିଗମକୁ ସମାନ ମୂଲ୍ୟର ଅନ୍ୟ ଜମି ଆବଣ୍ଟନ କରିବ ବୋଲି ପ୍ରସ୍ତାବରେ ଉଲ୍ଲେଖ ରହିଛି।
ଏହି ଜମି ବଡ଼ୋଦରାର ତାନ୍ଦଲଜା ଅଞ୍ଚଳରେ ଅବସ୍ଥିତ। ଏହା ୟୁସୁଫ ପଠାନଙ୍କ ପରିବାରର ପ୍ରସିଦ୍ଧ ଧଳା ବଙ୍ଗଳା ପାଖରେ ରହିଛି । ଏହି ବଙ୍ଗଳାରେ ୟୁସୁଫ ଓ ତାଙ୍କ ସାନ ଭାଇ ଇରଫାନ ପଠାନ ନିଜ ପରିବାର ସହ ରହୁଥିବା ରିପୋର୍ଟରେ କୁହାଯାଇଛି। ୨୦୨୬ ଜୁଲାଇରେ ଏହି ଜମିର ବଜାର ମୂଲ୍ୟ ପ୍ରାୟ ୨୦.୫ କୋଟି ଟଙ୍କା ଆକଳନ କରାଯାଇଥିଲା। ଏହି ବିବାଦ ୨୦୧୨ ମସିହାରୁ ଆରମ୍ଭ ହୋଇଥିଲା। ଜଣେ ଅନ୍ତର୍ଜାତୀୟ କ୍ରିକେଟର ଭାବେ ସୁରକ୍ଷା କାରଣ ଦର୍ଶାଇ ୟୁସୁଫ ପଠାନ ସାର୍ବଜନୀନ ନିଲାମ ବିନା ୯୯ ବର୍ଷର ଲିଜ୍ରେ ଏହି ଜମି ନେବାକୁ ଆବେଦନ କରିଥିଲେ। ସେତେବେଳେ ଭଦୋଦରା ନଗର ନିଗମ ଏହାକୁ ମଞ୍ଜୁରି ଦେଇଥିଲା। କିନ୍ତୁ ୨୦୧୪ରେ ଗୁଜରାଟ ସରକାରଙ୍କ ସହରାଞ୍ଚଳ ବିକାଶ ବିଭାଗ ନିଲାମ ପ୍ରକ୍ରିୟାକୁ ଏଡ଼ାଇ ଦିଆଯାଇଥିବା ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲା।
୨୦୨୪ ଜୁନ୍ରେ ୟୁସୁଫ ପଠାନ କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ପରାସ୍ତ କରି ବହରମପୁରରୁ ଲୋକସଭା ନିର୍ବାଚନ ଜିତିଥିଲେ । ଏହାର କିଛି ଦିନ ପରେ ଭଦୋଦରା ନଗର ନିଗମ ତାଙ୍କୁ କଥିତ ଜବରଦଖଲ ହଟାଇବା ପାଇଁ ଆଇନଗତ ନୋଟିସ୍ ଜାରି କରିଥିଲା।

