ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍ରେ କମବ୍ୟାକ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର ରାଣୀ ସ୍ୱର୍ଣ୍ଣକାରଙ୍କ ସହ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପଣ୍ଡାଲରେ ଦର୍ଶନ କରିବା ଘଟଣା ଚର୍ଚ୍ଚାକୁ ଆସିଛି । କୋ-ଷ୍ଟାରଙ୍କ ସହ ଗୋବିନ୍ଦାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହା ଉପରେ ଏକ ସାକ୍ଷାତକାରରେ ଗୋବିନ୍ଦା ସ୍ପଷ୍ଟୀକରଣ ଦେଇଛନ୍ତି।
ଗୋବିନ୍ଦା କହିଛନ୍ତି ଯେ, ନିଜ ଆଗାମୀ ଫିଲ୍ମ ‘ରୂପା’ର ସଫଳତା ପାଇଁ ସେ ଲାଲବାଗଚା ରାଜାଙ୍କ ଦର୍ଶନ କରିବାକୁ ଯାଇଥିଲେ। ପୂର୍ବରୁ ସେ କରିଶ୍ମା କପୁର ଓ ରବୀନା ଟଣ୍ଡନଙ୍କ ସହ ମଧ୍ୟ ମନ୍ଦିର ଯାଇଥିବା କହିଛନ୍ତି । ଗୋବିନ୍ଦାଙ୍କ କହିବା ଅନୁସାରେ, ସେହି ସମୟରେ ତାଙ୍କ ଫିଲ୍ମଗୁଡ଼ିକ ବଡ଼ ସଫଳତା ପାଇଥିଲା। ଦୀର୍ଘ ସମୟ ପରେ ପୁଣିଥରେ ଅଭିନୟ ଜଗତକୁ ଫେରୁଥିବାରୁ ‘ରୂପା’ ପାଇଁ ସେ ପ୍ରାର୍ଥନା କରିଥିବା କହିଛନ୍ତି।
ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ଚର୍ଚ୍ଚା ଓ ଗୁଜବ ସମ୍ପର୍କରେ ମଧ୍ୟ ଗୋବିନ୍ଦା ମତ ରଖିଛନ୍ତି । ଏହା ତାଙ୍କୁ ପରିବାରଠାରୁ ଦୂରେଇବା ଏବଂ ସମାଜରେ ତାଙ୍କ ଛବି ଖରାପ କରିବା ପାଇଁ ଏକ ଯୋଜନାର ଅଂଶ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଧ୍ୟାନ ସବୁବେଳେ କାମ ଉପରେ ରହିଛି। କୋ-ଷ୍ଟାରଙ୍କ ସହ ତାଙ୍କର ସମ୍ପର୍କକୁ ସେ ପେସାଦାର ବୋଲି କହିଛନ୍ତି।
ଗୋବିନ୍ଦା ଓ ରାଣୀ ସ୍ୱର୍ଣ୍ଣକାରଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନରେ ଏକାଠି ଦେଖିବା ପରେ ରାଖୀ ସାୱନ୍ତ ମଧ୍ୟ ଏକ ଭିଡିଓ ଜରିଆରେ ପ୍ରତିକ୍ରିୟା ଦେଇଥିଲେ । ସେ ଗୋବିନ୍ଦାଙ୍କୁ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ସହ ଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। ତେବେ ଗୋବିନ୍ଦା ନିଜେ ସ୍ପଷ୍ଟ କରିଛନ୍ତି ଯେ, ରାଣୀଙ୍କ ସହ ମନ୍ଦିର ଯିବାର ଉଦ୍ଦେଶ୍ୟ ତାଙ୍କ ଫିଲ୍ମ ପାଇଁ ପ୍ରାର୍ଥନା କରିବା ଥିଲା। ସୂଚନା ଅନୁସାରେ, ଗୋବିନ୍ଦା ଖୁବଶୀଘ୍ର ରାଣୀ ସ୍ୱର୍ଣ୍ଣକାରଙ୍କ ସହ ‘ରୂପା’ ଫିଲ୍ମରେ ନଜର ଆସିବେ। ଅନ୍ୟପଟେ ତାଙ୍କ ପୁଅ ଯଶବର୍ଦ୍ଧନ ଆହୁଜା ‘ହିରୋ କି ହରୋଇନ୍’ ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିବେ।

