ଭାସୁକୁଟି

ସକାଳ ହେଲେ ଯେପରି କୁଆକୋଇଲି ରାବଦେଇ ଡାକନ୍ତି, ସେପରି ଭାସୁକୁଟି ମଧ୍ୟ ଆରମ୍ଭ ହୁଏ ଗାଁରେ। ନଦୀ, ପୋଖରୀ ନିକଟରେ ଅବା ପାଇପ ମୂଳରେ ପାଣି ଭରୁଥିବା ମହିଳା, ଚା’ଦୋକାନରେ ବସିଥିବା ଲୋକେ, ହାଟବାଟରେ ଭେଟାଭେଟି ହେଉଥିବା ମଣିଷ ସମସ୍ତଙ୍କ ମନରେ ଗୋଟିଏ ଅଦୃଶ୍ୟ ଖବରକାଗଜ ଖୋଲାଥାଏ। ସେଇ ଅଦୃଶ୍ୟ ଖବରକାଗଜକୁ ପଢ଼ାଯାଏ ନିଜ ବାଗରେ। କିଏ କାହା ସହ କଥାହେଲା, କାହା ଘରେ ଝଗଡ଼ା ହେଲା, କିଏ ସହରକୁ ଗଲା, କାହାର ପୁଅ ଚାକିରି ପାଇଲା, ପୁଣି କିଏ ଚାକିରିର ଗର୍ବ ଦେଖାଉଛି ଇତ୍ୟାଦି ଇତ୍ୟାଦି ସବୁ ଖବର ଭାସୁକୁଟିରୁ ଆରମ୍ଭ ହୋଇ ଶେଷରେ ଗାଁ ଚାରିପଟେ ଘୂରିଯାଏ। ଗାଁ ଗହଳିରେ ଭାସୁକୁଟି ନ ହେଲେ ଜମାଣିଆ ଲାଗେନାହିଁ। କିଛି ନ ହେଲେ ଗାଁ ଶେଷ ମଣ୍ଡପରେ ଖରାବେଳେ ଏମିତି କିଛି ଚାଲେ। ସହରରେ ସକାଳୁଆ ବୁଲାରେ ଭାସୁକୁଟି ଚାଲେ। ଘରଠାରୁ ଆରମ୍ଭକରି ପର ଯାଏଁ ଚାଲେ ଚର୍ଚ୍ଚା। ଭାସୁକୁଟିର କୌଣସି ଲେଖକ ନ ଥାନ୍ତି। ହାତପାଆନ୍ତାରେ କୌଣସି ଲେଖା ନ ଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେଠି ପାଠକ ସମସ୍ତେ। ଭାସୁକୁଟିର କୌଣସି ମୁହଁ ନ ଥାଏ। କିନ୍ତୁ ସ୍ବର ଅନେକ। ଏହା କେବେ ହସର ଖୋରାକ ହୁଏ, କେବେ ଅଶ୍ରୁର କାରଣ ହୋଇପଡ଼େ। ସ୍ଥଳବିଶେଷରେ ଏହାର ନାମ ଭିନ୍ନ ଭିନ୍ନ ହୋଇଥାଏ।
ଭାସୁକୁଟିର ମୂଳରେ ରହିଛି ମଣିଷର ମନ। ମଣିଷ ସ୍ବଭାବତଃ ଗପପ୍ରିୟ। ଅନ୍ୟମାନଙ୍କ ସହ ଗପି ପେଟର କଥାକୁ ବାନ୍ତି କରିବାରେ ବଡ଼ ରୁଚିଥାଏ। ପୁଣି ଅସଲି କଥାକୁ ଘାଣ୍ଟିଚକଟି ସେଥିରେ ନିଜର ସ୍ବାଦଭରି ରସାଳ କରିବାକୁ କେବେ ବି ଭୁଲେନାହିଁ ମଣିଷ। ଅଧିକାଂଶ କଥାରେ ନିଜସ୍ବ ମତ ଅଧିକ ଥାଏ। ବେଶି ନିଷ୍ପତ୍ତିକାରକ କଥା ବୋଲାଯାଏ। ସେମାନେ ଯେମିତି ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ଏଇଟା ଭୁଲ୍‌ ସେଇଟା ଠିକ୍‌, ଇଏ ଖରାପ ଓ ସେ ଭଲ ବୋଲି କହନ୍ତି। ଅନ୍ୟର ଜୀବନକୁ ନେଇ ଜାଣିବାକୁ ଭାରି ଇଚ୍ଛା ଥାଏ। ନିଜ ଜୀବନର ଅପୂର୍ଣ୍ଣତାକୁ ସେ ଅନ୍ୟର କଥାରେ ଭୁଲିବାକୁ ଚେଷ୍ଟା କରନ୍ତିି। ଗରିବ ଲୋକ ଧନୀର ଦୁଃଖ ଶୁଣି ନିଜ ଦୁଃଖକୁ ହାଲୁକା କରେ। ଧନୀ ଲୋକ ଗରିବର ଦୁଃଖ ଶୁଣି ଆନନ୍ଦ ନିଏ। ନିଜ ଭିତରେ ଗର୍ବକରେ। ଏହିପରି ଭାବେ ଭାସୁକୁଟି ହେଉଛି ମଣିଷର ଆଭ୍ୟନ୍ତିରୀଣ ଅଭାବବୋଧ ଓ ଅହଂକାରର ଏକ ଛାୟାନାଟକ ବୋଲି କୁହାଯାଇପାରେ।
ଗାଁର ପୁରୁଣା ବରଗଛ ତଳେ ବସିଥିବା ବୟସ୍କ ଲୋକମାନେ କହନ୍ତି ‘ଆଗର ଭାସୁକୁଟିରେ ମଜା ଥିଲା। ଏବେ ବିଷ ଅଧିକ,ଅମୃତ କମ୍‌। ସତକଥା। ପୁରୁଣା ଦିନରେ ଭାସୁକୁଟି ସମ୍ପର୍କ ଗରମ ଚା’ ଭଳି ଥିଲା। ଏବେ ଲୋକେ ଚା’ଠାରୁ ଅଧିକ କଥା ପିଅନ୍ତି। କଥାକୁ ନେଇ ବେଶି ଘାଣ୍ଟନ୍ତିି। ସେତେବେଳେ ଭାସୁକୁଟିରେ ଆକ୍ରୋଶ କମ୍‌ ଥିଲା। ସ୍ବାଦ, ଟାହିଟାପରା ଓ ରସାଳ ବ୍ୟଙ୍ଗବେଶି ଥିଲା। ଗଠନମୂଳକ ସମାଲୋଚନା ରହୁଥିଲା। ଆଜି ଭାସୁକୁଟି ପାଇଁ ଆଗ ଭଳି ଲୋକ ଆବଶ୍ୟକ ପଡୁନାହିଁ। ସୋସିଆଲ ମିଡିଆରେ ପ୍ରତିଦିନ ଭାସୁକୁଟି ବେଶି ଚାଲେ। ତୁଚ୍ଛା ନକାରାତ୍ମକ ବକ୍ତବ୍ୟ ବେଶି। ଅଧିକ ଉଦ୍ଦେଶ୍ୟ ପ୍ରଣୋଦିତ। ଥୋକାଏ ତ ନିଜକୁ ମହାଜ୍ଞାନୀ, ରାଜନୈତିକ ବିଶାରଦ, ସର୍ବଗୁଣୀସମ୍ପନ୍ନ ଭାବି ଏମିତି ଗୁଡ଼ାଏ କଥା କୁହନ୍ତିି ଯାହା ଅପ୍ରୀତିକର ବାତାବରଣ ସୃଷ୍ଟିିକରେ। ଏମାନେ ନିଜକୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର କିମ୍ବା କଣ୍ଟେଟ କ୍ରିଏଟର ବୋଲି ପରିଚୟ ଦିଅନ୍ତି। ଅସଲରେ କେତେଜଣ କର୍ପୋରେଟର ଅବା ରାଜନୈତିକ ଦଳରୁ ମାସିକ ପାଉଣା ନେଇ ସାମାଜିକ ଅସ୍ଥିରତା ସୃଷ୍ଟି କରିବାରେ ଲାଗିପଡ଼ନ୍ତି। ସେମାନଙ୍କ ସୋସିଆଲ ମିଡିଆର ଫୁଙ୍କାର ଅଗ୍ନିରେ ସମାଜ ପୋଡ଼େ ସତ, କେବେକେବେ ନିଜେ ବି ପୋଡ଼ିଯାନ୍ତି ଅଲକ୍ଷ୍ୟରେ। ଲୋକ କେବଳ ସେମାନଙ୍କ ମୋହରା ବନିଯାନ୍ତି ଅନାୟାସରେ। ମଣିଷ ଅନ୍ୟକୁ ନେଇ ଯେତେ କଥା କହେ, ନିଜକୁ ନେଇ ସେତେ ଚିନ୍ତା କରେନାହିଁ। ମଣିଷର ଆତ୍ମଶୂନ୍ୟତାର ଅନ୍ୟ ନାମ ଭାସୁକୁଟି। ଯାହାର ମନ ନିଜ ସହ ଏକାକୀ ରହିପାରେନି, ସେ ଅନ୍ୟର କଥାରେ ଆଶ୍ରୟ ଖୋଜେ।
କୁହାଯାଏ ଖଣ୍ଡାର ଆଘାତଜନିତ ଘାଆ ଶୁଖିଯାଏ, କିନ୍ତୁ କଥାର ଘାଆ ଶୁଖେନି ସହଜରେ। ତେଣୁ ପୁରୁଣା ଲୋକେ କହୁଥିଲେ, ‘କଥା କହିବା ପୂର୍ବରୁ ତିନିଥର ଭାବ; କାରଣ ମୁଖରୁ ବାହାରିଥିବା କଥା, ଧନୁରୁ ଛୁଟିଥିବା ବାଣ ଆଉ ଫେରିପାରେନା’। ଧାନକ୍ଷେତରେ ଯେପରି ଅନାବଶ୍ୟକ ଘାସ ଉଠେ, ମଣିଷ ମନରେ ସେପରି ଭାସୁକୁଟି ଉଠିବା ସ୍ବାଭାବିକ। କିନ୍ତୁ ମନ ଯଦି କର୍ମମୁଖର, ସୃଜନ ଓ ସହାନୁଭୂତିରେ ବ୍ୟସ୍ତ ରହେ, ତେବେ ପରଚର୍ଚ୍ଚା ପାଇଁ ସମୟ କମିଯାଏ। ଖାଲି ମନ ଭାସୁକୁଟିର ଚାଷଭୂମି। ବାରକଥା ଭାବିବାକୁ ବଳ ଯୋଗାଏ। ସହଜରେ ରୋଜଗାର କରିବା ଲାଗି ଖରାପ ମାର୍ଗକୁ ଉନ୍ମୁକ୍ତକରେ। ରାଜନୀତିରେ ଭାସୁକୁଟି ବେଶି ଲୋଡ଼ା। ସେଥିପାଇଁ ଭାସୁକୁଟି କରିବା ଲାଗି କେତେଜଣ ଲୋକ କାମ କରନ୍ତି। ସକାଳ ହେଲେ ଲୋକଙ୍କ ମନକୁ ଗୋଳମାଳିଆ କରିବାକୁ ମୋବାଇଲ ସାମ୍ନାରେ ବସି ଭାସୁକୁଟି ହୁଅନ୍ତି ଓ ତାକୁ ସୋସିଆଲ ମିଡିଆରେ ଛାଡ଼ି ଦିଅନ୍ତି। ଥୋକାଏ କୁରୁଳି ଉଠନ୍ତି। ଆଉ କେତେଜଣ ଗାଳି ଦିଅନ୍ତି।
ଭାସୁକୁଟିକୁ ସମ୍ପୂର୍ଣ୍ଣ ଖରାପ କହିଦେବା ଠିକ୍‌ ନୁହେଁ। କେବେ କେବେ ଏମିତିି ପରଚର୍ଚ୍ଚା ସାମାଜିକ ନିୟନ୍ତ୍ରଣର କାମକରେ। କେହି ଅନ୍ୟାୟ କଲେ ତାହା ପ୍ରଥମେ ଭାସୁକୁଟିରେ ଚର୍ଚ୍ଚାହୁଏ। ଲୋକେ କ’ଣ କହିବେ ବୋଲି ଭୟ ଅନେକଙ୍କୁ ଭୁଲ୍‌ ପଥକୁ ଯିବାକୁ ରୋକେ। ସମାଜର ଏହି ଅଦୃଶ୍ୟ ଆଖି କେବେ କେବେ ନୀତିର ରକ୍ଷକ ହୋଇଯାଏ। ତଥାପି ଯେଉଁଠାରେ ସୀମା ନାହିଁ, ସେଠାରେ ବିପଦ ଅଛି। ଭାସୁକୁଟି ଯେତେବେଳେ ସତ୍ୟକୁ ଛାଡ଼ି ଅନୁମାନର ଘୋଡ଼ା ଚଢ଼େ, ସେତେବେଳେ ଏହା ଜୀବନ ଓ ସମାଜକୁ ଭାଙ୍ଗିଦିଏ। ଅନେକ ନିର୍ଦ୍ଦୋଷ ଲୋକ କୁକଥାର ଶିକାର ହୋଇଯାନ୍ତି। କାହାର ଝିଅର ସମ୍ମାନ, କାହାର ପରିବାରର ଶାନ୍ତି, କାହାର ପ୍ରେମ ଆଉ କାହାର ଜୀବନ ଭାସୁକୁଟିର ବଳିବେଦିରେ ଭସ୍ମ ହୋଇଯାଏ। ପେଡ୍‌ ଇନ୍‌ଫ୍ଲୁଏନସରମାନେ ସବୁବେଳେ ଅନ୍ତତଃ ଏତିକି ମନେରଖିବା ଉଚିତ ରାଜନୈତିକ ଅଭିଳାଷ ହେଉ ଅବା ମାସିକ ପାଉଣା ଲାଗି ନିଜର ବିବେକକୁ ବିକି ସମାଜର କ୍ଷତି କରିବାକୁ ଆଦୌ ଚେଷ୍ଟା କରିବା ଉଚିତ ନୁହେଁ। ଏଥିରେ ନିଜେ ଓ ନିଜ ପରିବାରର ବି କ୍ଷତି ସହିବାକୁ ପଡ଼େ। ଆଜିର ସମୟରେ ଆମେ ସଭ୍ୟତାର ଅଗ୍ରଗତି କଥା କହୁଛୁ, କିନ୍ତୁ ଲାଗୁଛି ମଣିଷ ମନ ଆଜି ମଧ୍ୟ ସେଇ ଗାଁ ମଣ୍ଡପରେ ରହିିଛି। ମାଧ୍ୟମ ବଦଳିଛି, କିନ୍ତୁ ଭାସୁକୁଟିର ସ୍ବଭାବ ବଦଳିନାହିଁ। ଫରକ ଏତିକି, ସେତେବେଳେ ମୁହଁାମୁହିଁ ଭାସୁକୁଟି କରୁଥିଲେ ଏବେ ଲୋକ ଆଙ୍ଗୁଠିରେ ମୋବାଇଲ ସ୍କ୍ରିନ୍‌ ଛୁଇଁ ଅନ୍ୟର ଜୀବନକୁ ଚର୍ଚ୍ଚା କରୁଛନ୍ତି। ଆଗରୁ ଦୁଇଘର ମଧ୍ୟରେ ରହୁଥିବା କଥା ଏବେ ମୋବାଇଲ ପର୍ଦ୍ଦା ଦେଇ ସହରରୁ ସହରକୁ ଘୂରିଯାଉଛି। ଭାସୁକୁଟି ଏବେ ଡିଜିଟାଲ ରୂପ ନେଇ ସାରିଛି।

ଡ.ଦ୍ବିତୀ ଚନ୍ଦ୍ର ସାହୁ

ଇନ୍ଦିରା ନଗର, ରାୟଗଡ଼ା
ମୋ: ୯୪୩୭୯୦୯୬୭୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ…

କାହିଁକି ଏ ନୈରାଶ୍ୟବୋଧ

କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ…

ଇରାନ୍‌ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା

ଇରାନ୍‌ ଉପରେ ଆମେରିକା-ଇସ୍ରାଏଲ୍‌ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି…

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

ଚାଲ ଫେରିବା ଗାଁକୁ

ଗ୍ରାମାଞ୍ଚଳ ଓ ଗ୍ରାମ୍ୟ ଜୀବନ କାହାକୁ ଆକୃଷ୍ଟ ନ କରେ! ମୋ ଜନ୍ମସ୍ଥାନଟି ହେଉଛି ରାଜ୍ୟର ଉପକୂଳବର୍ତ୍ତୀ ବ୍ରାହ୍ମଣୀ ନଦୀକୂଳ ଆଳି ମାଣିକପାଟଣା। ଗଁାଦିନର ସ୍ମୃତି ଅନେକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri