ଇରାନ୍‌ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା

ଇରାନ୍‌ ଉପରେ ଆମେରିକା-ଇସ୍ରାଏଲ୍‌ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି ଭିନ୍ନ ଭିନ୍ନ ଭାବେ ପ୍ରଭାବିତ କରେ, ତାହାକୁ ମଧ୍ୟ ସାମ୍ନାକୁ ଆଣିଛି। ତୈଳ ବଜାରକୁ ଦେଖାଯାଉ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଶୋଧିତ ତୈଳ ମୂଲ୍ୟରେ ଅତ୍ୟଧିକ ବୃଦ୍ଧି ଓ ହ୍ରାସ ଦେଖାଯାଇଛି। ଏହା ନିଶ୍ଚିତ ଯେ, ଇରାନ୍‌ ଦ୍ୱାରା ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ବନ୍ଦ ହେବା ଯୋଗୁ ବିଶ୍ୱର ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ପରିବହନର ଦୂରତା ଏବଂ ସମୟ ବ୍ୟବଧାନ ଯୋଗୁ ଗ୍ରାହକ ଓ ଉତ୍ପାଦକମାନେ ଏହାର ପ୍ରଭାବ ସଙ୍ଗେ ସଙ୍ଗେ ଅନୁଭବ କରିପାରି ନ ଥିଲେ। ତଥାପି, ପରସ୍ପର ବିରୋଧୀ ସରକାରୀ ଘୋଷଣା ଯୋଗୁ ବଜାରର ଆକଳନ ବଦଳିବା ଫଳରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ମୂଲ୍ୟରେ ଭାରି ଅସ୍ଥିରତା ଦେଖାଦେଇଥିଲା। ଜୁଲାଇ ପ୍ରାରମ୍ଭ ସୁଦ୍ଧା ଆମେରିକା ଏବଂ ଇରାନ୍‌ ମଧ୍ୟରେ ପ୍ରାଥମିକ ଯୁଦ୍ଧବିରତି ଚୁକ୍ତି ପରେ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୭୦ ଡଲାରରୁ କମ୍‌ ହୋଇଥିଲା, ଯାହା ପ୍ରାୟତଃ ଯୁଦ୍ଧ ଆରମ୍ଭ ପୂର୍ବରୁ ଫେବୃଆରୀର ମୂଲ୍ୟ ସହ ସମାନ ଥିଲା। ପରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହେଲେ ବି ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି।
ବିଶ୍ୱ ଶକ୍ତି ବଜାରରେ ଏହି ଅସ୍ଥିରତା ସତ୍ତ୍ୱେ ଆମେରିକାର ଶେୟାର ବଜାର ୨୦୨୬ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୨୦୨୦ ପରଠାରୁ ସର୍ବୋତ୍ତମ ତ୍ରୈମାସିକ ପ୍ରଦର୍ଶନ କରିଥିଲା ଏବଂ ଜୁଲାଇ ପ୍ରାରମ୍ଭରେ ମଧ୍ୟ ଏହା ବଢ଼ିଥିଲା। ଏହି ବୃଦ୍ଧି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସହ ଜଡ଼ିତ କମ୍ପାନୀଗୁଡ଼ିକର ଶେୟାର ଯୋଗୁ ଘଟିଥିଲା, କାରଣ ନିବେଶକଙ୍କ ବିଶ୍ୱାସ ଯେ, ଏଆଇ ଅଭୂତପୂର୍ବ ଉତ୍ପାଦନ କ୍ଷମତା ଓ ଆର୍ଥିକ ବୃଦ୍ଧି ଘଟାଇବ। କେତେକାଂଶରେ, ଏହା ଧନୀ ଦେଶଗୁଡ଼ିକର ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଯୁଦ୍ଧର ସୀମିତ ପ୍ରଭାବକୁ ଦର୍ଶାଏ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନ ଅନୁଯାୟୀ, ୨୦୨୬ରେ ବିକଶିତ ଅର୍ଥନୀତିଗୁଡ଼ିକର ଜିଡିପି ଅଭିବୃଦ୍ଧିରେ ସାମାନ୍ୟ ମାନ୍ଦାବସ୍ଥା ଦେଖାଯିବ, ଯାହା ୨୦୨୫ର ୧.୯%ରୁ ହ୍ରାସ ପାଇ ୧.୭% ହେବ। ଆମେରିକାର ଅଭିବୃଦ୍ଧି ୨.୩% ହେବ ବୋଲି ଆକଳନ କରାଯାଉଛି, ଯାହା ୨.୧% (୨୦୨୫)ରୁ ଅଧିକ। ଅର୍ଗାନାଇଜେଶନ ଫର୍‌ ଇକୋନୋମିକ କୋଅପରେଶନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ(ଓଇସିଡି) ଦେଶଗୁଡ଼ିକରେ ଏପ୍ରିଲରେ ବେକାରି ହାର ୫% ଥିଲା, ଯାହା ଫେବୃଆରୀ ୨୦୨୨ ଠାରୁ ପ୍ରାୟ ଅପରିବର୍ତ୍ତିତ ରହିଛି।
ବିକଶିତ ଅର୍ଥନୀତିଗୁଡ଼ିକର ଆର୍ଥିକ ସ୍ଥିରତା ମୁଖ୍ୟତଃ ଏଆଇ ଏବଂ କ୍ରିପ୍ଟୋକରେନ୍ସି ନିବେଶର ଅଭିବୃଦ୍ଧି ଯୋଗୁ ହୋଇଛି। କେତେକ ଏସୀୟ ଦେଶ, ବିଶେଷ କରି ଚାଇନା, ତାଇୱାନ, ଦକ୍ଷିଣ କୋରିଆ ଏବଂ ମାଲେସିଆ ମଧ୍ୟ ଏହି ଧାରାରୁ ଲାଭ ପାଇଛନ୍ତି। ତେବେ ଆର୍ଥିକ ବଜାରରେ ଧାରଣା ସୃଷ୍ଟି ହୋଇଛି ଯେ, ଇରାନ୍‌ ସହିତ ଯୁଦ୍ଧ ବାସ୍ତବରେ ଶେଷ ହୋଇଯାଇଛି କିମ୍ବା ଏହା କେବଳ ଏକ କମ୍‌ ତୀବ୍ରତା ବିଶିଷ୍ଟ ସଂଘର୍ଷ ଭାବରେ ଜାରି ରହିବ, ଯାହା ହର୍ମୁୁଜ ପ୍ରଣାଳୀ ଦେଇ ଅନ୍ତତଃ ଆଂଶିକ ପରିବହନର ଅନୁମତି ଦେବ। ଏହାକୁ ନେଇ ଏବେ ଆର୍ଥିକ ବଜାରରେ ବି ଏକ ପ୍ରକାର ଆଶା ସୃଷ୍ଟି ହୋଇଛି। ଏହି ଆଶାବାଦ ଯୁଦ୍ଧର ଦୀର୍ଘକାଳୀନ ଅର୍ଥନୈତିକ ପରିଣାମକୁ ଅଣଦେଖା କରୁଛି। ଗଲ୍ଫ ଦେଶଗୁଡ଼ିକରୁ ତୈଳ ରପ୍ତାନି ଏବେ ଯୁଦ୍ଧ ପୂର୍ବ ସ୍ତରଠାରୁ ବହୁତ କମ୍‌ ରହିଛି। ଯଦି ରପ୍ତାନି ସମ୍ପୂର୍ଣ୍ଣ ରୂପେ ସ୍ବାଭାବିକ ହୋଇଯାଏ, ତଥାପି ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ଆଗକୁ ଅନେକ ବର୍ଷ ଧରି ଏବର ଶକ୍ତି ସଙ୍କଟର ଝଟକା ସହିବେ। ବିକଶିତ ଦେଶଗୁଡ଼ିକ ଶକ୍ତି ସଙ୍କଟର ପ୍ରଭାବ ହ୍ରାସ କରିବା ପାଇଁ ଯେଭଳି ପଦକ୍ଷେପ ନେଇଛନ୍ତି ତାହା କରିବା ଲାଗି ଗରିବ ଦେଶଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ। ଏପ୍ରିଲ ଏବଂ ଜୁନ୍‌ ମଧ୍ୟରେ ଆମେରିକା ସମେତ ବିକଶିତ ଦେଶଗୁଡ଼ିକ ସେମାନଙ୍କ ବାଣିଜି୍ୟକ ଏବଂ ରଣନୈତିକ ଗଚ୍ଛିତରୁ ପ୍ରାୟ ୪୪୦ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଏବଂ ବିଶୋଧିତ ଉତ୍ପାଦ ବଜାରକୁ ଛାଡ଼ିଥିଲେ। କିନ୍ତୁ ବର୍ତ୍ତମାନ ଆମେରିକାର ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ(ଏସ୍‌ପିଆର୍‌) ଏହାର କ୍ଷମତାର ଅଧାରୁ କମ୍‌ ରହିଛି ଏବଂ ଓଇସିଡିର ସମୁଦାୟ ଭଣ୍ଡାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ତେଣୁ ପୁନର୍ବାର ପଦକ୍ଷେପ ନେବାର ଆଉ ସୁଯୋଗ ନାହିଁ।
ବିଶ୍ୱର ଦୃଷ୍ଟି ମୁଖ୍ୟତଃ ଅଶୋଧିତ ତୈଳ ଉପରେ ରହିଛି। କିନ୍ତୁ ପେଟ୍ରୋଲିୟମରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଉପରେ ଆଧୁନିକ ଶିଳ୍ପ ଅଧିକ ନିର୍ଭରଶୀଳ। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଏ) ଅନୁଯାୟୀ, ଜୁନ୍‌ ମାସରେ ଗଲ୍ଫ ଦେଶଗୁଡ଼ିକରୁ ଅଶୋଧିତ ପେଟ୍ରୋଲିୟମ ଉତ୍ପାଦ ଏବଂ ତରଳ ପେଟ୍ରୋଲିୟମ ଗ୍ୟାସ୍‌ (ଏଲ୍‌ପିଜି) ରପ୍ତାନି ଯୁଦ୍ଧ ପୂର୍ବ ସ୍ତରର ଅଧାରୁ କମ୍‌ ଥିଲା। କାରଣ ଯୁଦ୍ଧ ଯୋଗୁ ସେହି ଅଞ୍ଚଳର କେତେକ ବିଶୋଧନାଗାର ନଷ୍ଟ ହୋଇଯାଇଛି। ତେବେ ପେଟ୍ରୋଲିୟମ ଉପଉତ୍ପାଦ ସାର କୃଷି ଉତ୍ପାଦନର ମୂଳ ଆଧାର। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ) ଆକଳନ କରିଛି ଯେ, ୨୦୨୬ର ପ୍ରଥମାର୍ଦ୍ଧରେ ବିଶ୍ୱରେ ସାର ମୂଲ୍ୟ ୧୫-୨୦% ବୃଦ୍ଧି ହେବ। ଫଳରେ ନିମ୍ନ ଆୟ ବର୍ଗର ଦେଶରେ କୃଷକମାନେ ଅଧିକ ମୂଲ୍ୟର ସାର କିଣିବା ସହ ଜଳସେଚନ ଓ ପରିବହନ ପାଇଁ ଅଧିକ ଇନ୍ଧନ ଖର୍ଚ୍ଚ ବହନ କରିବେ। ସାର ବ୍ୟବହାରରେ ସାମାନ୍ୟ ହ୍ରାସ ମଧ୍ୟ ଫସଲ ଅମଳରେ ବଡ଼ ହ୍ରାସ ଘଟାଇପାରେ। କିନ୍ତୁ ଖାଦ୍ୟ ବଜାର ଫସଲ ଅମଳ ପର୍ଯ୍ୟନ୍ତ ଅପେକ୍ଷା କରିବ ନାହିଁ। ବଡ଼ କମ୍ପାନୀଗୁଡ଼ିକ ସାଧାରଣତଃ ଭବିଷ୍ୟତରେ ଅଭାବ ହେବ ବୋଲି ଆଶଙ୍କା କରି ପୂର୍ବରୁ ହିଁ ଦାମ୍‌ ବଢ଼ାଇ ଦେବେ।
ଏହାର ପରିଣାମ କେବଳ କୃଷି ମଧ୍ୟରେ ସୀମିତ ନାହିଁ। ୬,୦୦୦ରୁ ଅଧିକ ଉତ୍ପାଦ ଜୀବାଶ୍ମ ଇନ୍ଧନର ଉପଉତ୍ପାଦ ଯଥା ହିଲିୟମ୍‌, ସଲଫର୍‌, ମିଥାନଲ୍‌, ପଲିଥିଲିନ ଏବଂ ପଲିପ୍ରୋପିଲିନ ଉପରେ ନିର୍ଭର କରେ। ଏଗୁଡ଼ିକ ମଧ୍ୟରୁ ଅନେକ ଗଲ୍ଫ ଦେଶ ଯୋଗାଇଥାନ୍ତି। ଏସବୁ ମଧ୍ୟ ପ୍ଲାଷ୍ଟିକ୍‌, ଲୁବ୍ରିକାଣ୍ଟ, ମହମ, ପିଚୁ, ସିନ୍ଥେଟିକ୍‌ କପଡ଼ା ଏବଂ ଏମ୍‌ଆର୍‌ଆଇ ମେଶିନ ଏବଂ ପେସ୍‌ମେକର ଭଳି ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏପରି କି ସବୁଜ ଶକ୍ତିର ରୂପାନ୍ତରଣ ପାଇଁ ଆବଶ୍ୟକ ପବନ ଚାଳିତ କଳ ଏବଂ ଅନ୍ୟାନ୍ୟ ଅକ୍ଷୟ ଶକ୍ତି ଭିତ୍ତିଭୂମି ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପେଟ୍ରୋଲିୟମ ଉତ୍ପାଦ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ ବାଧା ଉପୁଜିଲେ ସବୁଠୁ ଅଧିକ ପ୍ରଭାବିତ ହେବେ ଆମଦାନୀ ଓ ରତ୍ପାନି ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ ଏସିଆ ଏବଂ ଆଫ୍ରିକାର ନିମ୍ନ ଆୟ ବର୍ଗର ଦେଶମାନେ, ଯେଉଁମାନେ ଏପର୍ଯ୍ୟନ୍ତ କୋଭିଡ୍‌-୧୯ ମହାମାରୀ, ରୁଷ-ୟୁକ୍ରେନ୍‌ ଯୁଦ୍ଧ ପରବର୍ତ୍ତୀ ଖାଦ୍ୟ ଓ ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ବିଶ୍ୱବ୍ୟାପୀ ସୁଧ ହାର ବୃଦ୍ଧିର ପ୍ରଭାବରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରିନାହାନ୍ତି।
ଏହି ପୃଷ୍ଠଭୂମିରେ ବିଶ୍ୱବ୍ୟାଙ୍କ ଆକଳନ କରିଛି ଯେ, ଚାଇନା ଓ ଭାରତକୁ ବାଦ୍‌ ଦେଲେ ବିକଶିତ ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ମୁଣ୍ଡପିଛା ଆୟର ବ୍ୟବଧାନ ୨୦୨୮ ପରେ ବି ମହାମାରୀ ପୂର୍ବ ସ୍ତରକୁ ଫେରିବାର ସମ୍ଭାବନା ନାହିଁ। ପୂର୍ବରୁ ଋଣ ସଙ୍କଟରେ ଥିବା ଏସିଆ, ଆଫ୍ରିକା ଓ ଲାଟିନ ଆମେରିକାର ଯେଉଁ ବିକଶିତ ଦେଶଗୁଡ଼ିକ(ଗ୍ଲୋବାଲ୍‌ ସାଉଥ୍‌) ପାଇଁ ଆର୍ଥିକ କ୍ଷତି ସାଂଘାତିକ ହୋଇପାରେ। ତେବେ କ୍ରମାଗତ ଖଣ୍ଡବିଖଣ୍ଡିତ ତଥା ଦୁର୍ବଳ ହେଉଥିବା ବିଶ୍ୱ ଅର୍ଥବ୍ୟବସ୍ଥା ଭୂ-ରାଜନୀତିକୁ କିପରି ଏକ ନୂତନ ରୂପ ଦେବ? ବିଶ୍ୱର ସରକାରମାନେ ବୁଝିଛନ୍ତି ଯେ ନିଜ ସମାଜ ମଧ୍ୟରେ ବଢୁଥିବା ଅସମାନତାକୁ ଅଣଦେଖା କରିବା ଦ୍ୱାରା ରାଜନୈତିକ ଅସ୍ଥିରତା ସୃଷ୍ଟି ହୁଏ। ଠିକ୍‌ ସେହିପରି, ଦେଶଗୁଡ଼ିକ ମଧ୍ୟରେ ବଢ଼ୁଥିବା ଆର୍ଥିକ ଅସମାନତାକୁ ମଧ୍ୟ ଅଣଦେଖା କରିହେବ ନାହିଁ।

ଜୟତୀ ଘୋଷ
– ଅର୍ଥନୀତି ପ୍ରାଧ୍ୟାପକ,
ୟୁନିଭର୍ସିଟି ଅଫ୍‌ ମାସାଚୁସେଟ୍‌ସ ଆମହର୍ଷ୍ଟ, ଆମେରିକା

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ…

କାହିଁକି ଏ ନୈରାଶ୍ୟବୋଧ

କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ…

ଭାସୁକୁଟି

ସକାଳ ହେଲେ ଯେପରି କୁଆକୋଇଲି ରାବଦେଇ ଡାକନ୍ତି, ସେପରି ଭାସୁକୁଟି ମଧ୍ୟ ଆରମ୍ଭ ହୁଏ ଗାଁରେ। ନଦୀ, ପୋଖରୀ ନିକଟରେ ଅବା ପାଇପ ମୂଳରେ ପାଣି ଭରୁଥିବା…

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

ଚାଲ ଫେରିବା ଗାଁକୁ

ଗ୍ରାମାଞ୍ଚଳ ଓ ଗ୍ରାମ୍ୟ ଜୀବନ କାହାକୁ ଆକୃଷ୍ଟ ନ କରେ! ମୋ ଜନ୍ମସ୍ଥାନଟି ହେଉଛି ରାଜ୍ୟର ଉପକୂଳବର୍ତ୍ତୀ ବ୍ରାହ୍ମଣୀ ନଦୀକୂଳ ଆଳି ମାଣିକପାଟଣା। ଗଁାଦିନର ସ୍ମୃତି ଅନେକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri