ଶୁଭ ସକାଳ

ସକାଳ ଭାରି ଶାନ୍ତ। ଘୋ ଘା ନ ଥିବ। ଅଳସ ଭାଙ୍ଗୁଥିବ ପୃଥିବୀ। ଜୀବନ ଧୀରେ ଧୀରେ ଫେରୁଥିବ ତା’ ନିକଟକୁ। କ୍ଷୀର ଖାଉଥିବା ବାଛୁରିକୁ ସ୍ନେହବୋଳା ହମ୍ବା ରଡ଼ିରେ ସକାଳ ଆହୁରି ସତେଜ ହେଉଥିବ। ପକ୍ଷୀର କିଚିରିମିଚିରି, ହଳ ଲଙ୍ଗଳ ଧରି ଯାଉଥିବା ଚଷା ପୁଅର ନିଜ ବଳଦ ସହ କଥାବାର୍ତ୍ତା, ସଜ ଫିଟା କୁକୁଡ଼ାର ମୁକ୍ତ ମୂର୍ଚ୍ଛନା, ଦାଣ୍ଡ ଧୋଉ ଧୋଉ ସକାଳର ସମ୍ଭାଷଣ କରୁଥିବା ସାହି ମାଇପିଙ୍କ ଆଲୋଚନା, ମୁହଁ ନ ଧୋଇ ଦାଣ୍ଡରେ ଖେଳୁଥିବା ଛୋଟ ପିଲାଙ୍କ ହସରୋଳ, ଫେରିବାଲାର ଡାକ, ପୋଖରୀରୁ ଦଳବଦ୍ଧ ହୋଇ ଫେରୁଥିବା କିଶୋରୀ ଓ ନୂଆ ବୋହୂଙ୍କ ଚିପା ଚିପା କଥା, ମନ୍ଦିର ସକାଳ ଆଳତିର ଘଣ୍ଟ ଇତ୍ୟାଦି ଗାଁ ସକାଳକୁ ଆହୁରି କମନୀୟ କରି ଗଢ଼ି ତୋଳୁଥିଲା। ନଡ଼ାଛପର ଚାଳର ରନ୍ଧ୍ର ଦେଇ ଘର ଭିତରକୁ ସୂର୍ଯ୍ୟ କିରଣ ସିଧା ମୁହଁରେ ପଡ଼ିଲେ କିମ୍ବା ଝରକା ପାଖରେ କୁଆ କି ବଣି ଆସି ନିଜର ସ୍ବରରେ ସକାଳୁଆ ଗୀତ ଗାଇଲେ ଅଥବା ମାଆ ଆସି ସ୍ନେହବୋଳା ବିରକ୍ତିକର ନିଜ ଭାଷାରେ ସକାଳୁଆ ଚଉପଦୀ ଗାଳି ଶୁଣିଲେ ଅବଶ୍ୟ କିଛି ଲୋକଙ୍କ ନିଦ ଭାଙ୍ଗେ। ଶେଯ ଛାଡ଼ି ନ ଥିବା ଲୋକଟି ତରତର ହୋଇ ଶେଯ ଛାଡ଼ିବାକୁ ବାଧ୍ୟ ହେଉଥିଲା। ଶେଯରୁ ଉଠିବାବେଳେ ନିଜର ଦୁଇ ପାପୁଲିକୁ ଦେଖି ବୋଲିବାକୁ ହେଉଥିଲା – କରାଗ୍ରେ ବସତି ଲକ୍ଷ୍ମୀ, କର ମଧ୍ୟେ ସରସ୍ବତୀ, କର ମୂଳେ ତୁ ଗୋବିନ୍ଦଃ ପ୍ରଭାତେ କର ଦର୍ଶନମ। ଏହା କାଳେ ଶୁଭମୟ। ମାନ୍ୟତା ମୁତାବକ କରର ଅଗ୍ରଭାଗରେ ମା’ ଲକ୍ଷ୍ମୀ, ମଧ୍ୟମରେ ସରସ୍ବତୀ, ମୂଳରେ ସ୍ବୟଂ ଗୋବିନ୍ଦଙ୍କ ବାସ ରହିଛି। ନିଜର ହାତ ପାପୁଲିକୁ ସକାଳୁ ସକାଳୁ ଦର୍ଶନ କଲେ ଲକ୍ଷ୍ମୀ, ସରସ୍ବତୀ ଓ ଗୋବିନ୍ଦଙ୍କ ଏକତ୍ର ଦର୍ଶନ ହୋଇଥାଏ। ଆଉ କାହା ମୁହଁ ଦର୍ଶନ ଅପେକ୍ଷା ଭଗବାନଙ୍କ ଦର୍ଶନରୁ ସକାଳ ଆରମ୍ଭ ହୁଏ ଏବଂ ଦିନଟି ଶୁଭପ୍ରଦ ହୋଇଥାଏ। ଆମ ପ୍ରକୃତିର ବିଭବ ସକାଳର ଶୁଦ୍ଧ ଧୀର ସମୀର, ଜୀବନ୍ତ ଓ ପ୍ରାଣବନ୍ତ ଗଛଲତା, ବନ ପାହାଡ଼, ଝୁଲାଝରଣା, ଗାଁ ମାଟିର ବାସ୍ନା, ସ୍ବାଗତ ଭଙ୍ଗୀରେ ଠିଆ ହୋଇଥିବା ଗାଁ ପାଖ ଧାଡ଼ି ଧାଡ଼ି ତାଳଗଛ, ପ୍ରଣାମ ମୁଦ୍ରାରେ ନଇଁଥିବା ଗାଁ ଛେଦର ଝଙ୍କାଳିଆ ବର କି ତୁରେଇ ଗଛ, ରହି ରହି ଟଙ୍ଗ ଟଙ୍ଗ ବାଜୁଥିବା ଘଣ୍ଟି, ଗାଁ ଚାରିପଟର ସବୁଜିମା ଆଦି ଆଖିରେ ପଡ଼ିଗଲେ ସକାଳ ମନଟା ଫୁର୍ତ୍ତି ଲାଗୁଥିଲା ଏବଂ ଭିତରେ ଏକ ଊର୍ଜା ଜାଗ୍ରତ ହେଉଥିଲା। ନିଜ ଭିତରେ ଗୋଟେ ଆତ୍ମ ବିଶ୍ୱାସ ଜାଗ୍ରତ ହେଉଥିଲା – ନା ମୁଁ ଏକା ନୁହେଁ, ମୋ ସହିତ ମୋ ଗାଁ ମାଟି, ଗାଁର ମଣିଷ ଓ ଗାଁର ପ୍ରକୃତି ରହିଛି। ଏଇ ବିଶ୍ୱାସର ବଳରେ ମଣିଷ ଖେଦି ବୁଲୁଥିଲା ଚାରିଆଡ଼େ ନିଜ କର୍ମପଥରେ।
ଗାଁର ସକାଳ କହିଲେ ଭୋରବେଳା। ସୂର୍ଯ୍ୟ ଉଇଁବା ପରେ ଉଠିଲେ ତା’ ପଛରେ ଅଳସୁଆର ଷ୍ଟାମ୍ପ ଲାଗି ଯାଉଥିଲା। ସମୟ ବଦଳିଛି। ସହର କଥା ଛାଡନ୍ତୁ, ସେଠି ସକାଳ ଓ ରାତିର ହିସାବ କିଏ କରେନି। ନିଅନ ଆଲୁଅ ଭିତରେ ମଣିଷ ରାତିରେ ବି ଦିନର ଭ୍ରମରେ ରହେ। ଅନିଦ୍ରା କାମ କରେ। ଅଲଗା ଅଲଗା ମଣିଷ ପାଇଁ ସକାଳର ପରିଭାଷା ସ୍ବତନ୍ତ୍ର। ରାତି ବାର ପରଠାରୁ ସକାଳ ଏଗାର ଯାଏ ଭିନ୍ନ ଭିନ୍ନ ମଣିଷ ନିଜ ବାଗରେ ଶେଯ ଛାଡନ୍ତି ଓ ସେମାନଙ୍କ ଶୁଭ ସକାଳ ଆରମ୍ଭ ହୁଏ ସେହିକ୍ରମରେ। ବ୍ୟତିକ୍ରମ ଜୀବନଶୈଳୀ ଓ ସମୟ ସହ ତାଳ ନ ଦେଇ ବଞ୍ଚିବା ଆଜିକାର ବଡ଼ ସମସ୍ୟା। ଏହା ହିଁ ବିବିଧ ରୋଗର ମୂଳ କାରଣ ବୋଲି ଚିକିତ୍ସକମାନେ ଧରି ବସିଲେଣି। ଗାଁ ଏବେ ବିଦୀର୍ଣ୍ଣ। ନିର୍ଯାତନା ଭୋଗୀ ନାରୀଟିଏ ପରି ଗୁମୁରି ଗୁମୁରି କାନ୍ଦୁଛି। ତା’ ଯନ୍ତ୍ରଣାକୁ କିଏ ଭୋଗୁଛି। ବରଂ ସମସ୍ତେ କୃତ୍ରିମ ଶୋକପ୍ରକାଶ କରି ପୁନଶ୍ଚ ଅନୁରୂପ ନିର୍ଯାତନା ଦେବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସହର ଓ ଗାଁରେ ସକାଳର ବିକଳ ଚିତ୍ର। ଏବେ ସକାଳ ଆସେ ମୋବାଇଲର ରିଂରେ ଅଥବା ମେସେଜର ବିପ୍‌ ସାଉଣ୍ଡରେ। ଆକର୍ଷଣୀୟ ଶୁଭ ସକାଳର ସଂଗୀତର ମୂର୍ଚ୍ଛନା, ମନଲୋଭା ଚିତ୍ର, ଚିତ୍ତକୁ ସମ୍ମୋହନ କରୁଥିବା ତଥ୍ୟ ସମ୍ବଳିତ ଚିତ୍ର ବା ଇମୋଜି, ଡିଜିଟାଲ ପୋଷ୍ଟର, ଏଆଇର ଶୁଭ ସକାଳର ବାର୍ତ୍ତା ଇତ୍ୟାଦି। ଅନ୍ତରଂଗ ଆଳାପ କରୁ କରୁ ରାତି ବାର ପରେ ପ୍ରିୟ ମଣିଷ ଏଣିକି ଗୁଡ୍‌ ନାଇଟ ବଦଳରେ ଶୁଭ ସକାଳ ବୋଲି ସମ୍ବୋଧନ କରନ୍ତି କିମ୍ବା ଚମକପ୍ରଦ ଶୁଭ ସକାଳର ବାର୍ତ୍ତା ଦେଇ ଶୋଇବାକୁ ଯାଆନ୍ତି। ସୋସିଆଲ ମିଡିଆରେ ଘୂରି ବୁଲୁଥିବା ରାତିଚରଙ୍କ ଶୁଭ ସକାଳର ବାର୍ତ୍ତା ଆପଣଙ୍କୁ ଯେ କୌଣସି ସମୟରେ ଆସି ପହଞ୍ଚତ୍ବ। ନିଜ ପାଖରେ ମୋବାଇଲ ରଖିବା ଅଭ୍ୟାସ ଥିଲେ ଏହି ଶୁଭ ବାର୍ତ୍ତା ଆପଣଙ୍କ ବିରକ୍ତିକୁ ବହୁ ଗୁଣିତ କରିବ। ବାରମ୍ବାର ନିଦ ଭାଙ୍ଗୁଥିବ। ଆପଣ ବି ପ୍ରେରଣକର୍ତ୍ତାଙ୍କ ଭଳି ସମଧର୍ମା ହୋଇଥିଲେ ଅଗତ୍ୟା ସାଉଣ୍ଡ କାନରେ ବାଜୁ ବାଜୁ ମୋବାଇଲ ଉଠେଇ ନିଦଭରା ଆଖିରେ ମୋବାଇଲକୁ ପହଁରେଇବେ। ମୋବାଇଲ ସ୍କ୍ରିନର ସମୟକୁ ପ୍ରଥମେ ଦେଖିବେ। ଆଖିକୁ ବିସ୍ଫାରିତ କରିବେ। କେବେକେବେ ମୁଚୁକୁନ୍ଦିଆ ହସଟେ ଖୋଲିଯିବ ଆପେ ଆପେ। ପରେ ପ୍ରେରଣକର୍ତ୍ତାଙ୍କ ବାର୍ତ୍ତାକୁ ପଢିବେ। ତତ୍‌ପଶ୍ଚାତ ଆପଣ ଆଉ କାହାଠାରୁ ପ୍ରାପ୍ତ ଶୁଭ ସକାଳର ବାର୍ତ୍ତାକୁ ପଠେଇବାକୁ ଆଦୌ ହେଳା କରିବେନି। ପୁଣି କିଛି ସମୟ ହୁଏତ ମୋବାଇଲ ପହଁରେଇବେ ନତୁବା ଥୋଇ ଦେଇ ଶୋଇବାକୁ ଚେଷ୍ଟା କରିବେ।
ଶୁଭ ସକାଳର ଅଜବ ବାର୍ତ୍ତା ମଧ୍ୟ ସବୁ ଆସେ। ପ୍ରାଣାୟମ, କସରତ, ସକାଳୁଆ ବୁଲା, ବିଭିନ୍ନ ରୋଗର ଉପଶମ ପାଇଁ ଗୁରୁବାଣୀ, ନେଚର ପାଥି, ହିତବାଣୀ, ଚାଣକ୍ୟ ନୀତି, ବାବା ଓ ମାତାଙ୍କ ଉପଦେଶ, ମଜାଳିଆ ଚୁଟୁକୁଳା, ଦିବସର ଅନୁଚିନ୍ତା, ଦିବସର ବିଶେଷ ଖାଦ୍ୟର ତାଲିକା, ଦିବସର ବିଶେଷତା, ଶବ୍ଦର ସନ୍ଧିବିଶେଷ ସହ ଅର୍ଥତତ୍ତ୍ୱ, ରାଜନୀତି, ଅର୍ଥନୀତି, ବ୍ୟଙ୍ଗ, ଶ୍ଲୋକ, ଏଆଇ ବାର୍ତ୍ତା ଠାରୁ ଆରମ୍ଭ କରି କିଛି ନ ଦେଖିପାରିବା ଓ ନ ପଢ଼ିପାରିବା ଭଳି ଆପତ୍ତିଜନକ ବାର୍ତ୍ତା ବି ସେଥିରେ ଥିବ। ଗ୍ରହଣକର୍ତ୍ତା ବି ପଢୁ ବା ନ ପଢୁ ହୃଦୟକୁ ଛୁଇଁଥିବା କିଛି ସନ୍ଦେଶକୁ ପ୍ରଥମେ ଆଉ କିଛି ଜଣକୁ ଶେଯରୁ ଅଧା ଉଠି ନ ପଠେଇଲେ ମନ ଶାନ୍ତି ଲାଗିବନି। ଥୋକାଏ ଗ୍ରୁପରେ ଛାଡ଼ିଦେଲେ ଯାଇ ଶେଯ ତ୍ୟାଗର ପର ଚିନ୍ତା। କଥା ହେଲା ପଠଉଥିବା କିମ୍ବା ଗ୍ରହଣ କରୁଥିବା ବ୍ୟକ୍ତିଟି ଏଇସବୁ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାରୁ ଯଦି କାଣିଚାଏ ନିଜ ଜୀବନରେ ଅନୁପାଳନ କରିବ ତେବେ ଦୁନିଆଟା କାଉଁରୀ କାଠିର ଛୁଆଁ ପରି ବଦଳିଯିବ। କିନ୍ତୁ ଏସବୁ ପାଳନ କରିବ କିଏ? ଏହା କେବଳ ବାର୍ତ୍ତା ଶୁଭ ସକାଳ ପାଇଁ। ତାକୁ ଧରି ରଖିଲେ କ’ଣ ହେବ? ସକାଳ ସହ ତ ତାକୁ ଛାଡି ଦେବାକୁ ହେବ। ନ ହେଲେ ଆପଣ ପଛରେ ପଡ଼ିଯିବେ ଏଇ ଭାବ ଆମର। ତଥାପି ଆପଣଙ୍କୁ ଶୁଭ ସକାଳ। ଚେତନା ଜାଗ୍ରତ ହେଉ ଏଥର।

ଡ. ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡା
ମୋ:୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri