ସାହିତ୍ୟର ଜୟ ହେଉ

ସମାଜ ଓ ସାହିତ୍ୟ ସବୁବେଳେ ଓତପ୍ରୋତ ଭାବରେ ଜଡ଼ିତ। ଏକ ସୁସ୍ଥ ସମାଜ ଗଠନ ଦିଗରେ ସାହିତ୍ୟର ଭୂମିକା ସବୁବେଳେ ଆଗରେ। ଆମ ଓଡ଼ିଆ ସାହିତ୍ୟରେ ବହୁ କାଳଜୟୀ ସ୍ରଷ୍ଟାଙ୍କ ସାକ୍ଷର ଲିପିବଦ୍ଧ। ଆବଶ୍ୟକତା ଅଛି ତାକୁ ପଠନ କରି ତନ୍ମଧ୍ୟରେ ଥିବା ଚିନ୍ତନ ଓ ସାରମର୍ମରୁ କିଛି ଆହରଣ କରିବା। ମାତ୍ର ବିଡ଼ମ୍ବନା ଏହା ଯେ ଓଡ଼ିଆ ସାହିତ୍ୟର ବିଶାଳ ଗନ୍ତାଘର ସବୁ ପାଠକଙ୍କ ପାଖକୁ ପହଞ୍ଚି ପାରୁନାହିଁ। କିମ୍ବା ଏଭଳି ବି କୁହାଯାଇପାରେ ଯେ ସେହି ପୁସ୍ତକ ସମାହାରକୁ ପଢ଼ିବା ପାଇଁ ଅନେକଙ୍କ ପାଖରେ ସମୟର ଘୋର ଅଭାବ। ଏହି ଅଭାବକୁ ଦୂର କରିବାକୁ ଯାଇ ଏବେ ସାହିତ୍ୟକୁ ଡିଜିଟାଲ ବା ଯାନ୍ତ୍ରିକ ମାଧ୍ୟମରେ ପ୍ରଚାର ଏବଂ ପ୍ରସାର କରିବା ଆରମ୍ଭ ହୋଇଛି। ଏହା ପଛରେ ଉଦ୍ଦେଶ୍ୟ ଏହା ଯେ ମାଧ୍ୟମ ଯାହା ହେଉନା କାହିଁକି ଅଧିକରୁ ଅଧିକ ଲୋକ ପଠନ, ଲିଖନ, ଚିନ୍ତନ ଏବଂ ଉପସ୍ଥାପନା ମାଧ୍ୟମରେ ସାହିତ୍ୟକୁ ସମୃଦ୍ଧ କରନ୍ତୁ।
ଯୁଗ ଥିଲା ପୁସ୍ତକ ପଠନରେ ଲୋକ ପରମ ଆନନ୍ଦ ପାଉଥିଲେ। ଖାଲି ସମୟରେ ଅବସର ବିନୋଦନ ଏବଂ ମନୋରଞ୍ଜନର ଏକ ମାଧ୍ୟମ ଥିଲା ବିଭିନ୍ନ ପ୍ରକାରର ପୁସ୍ତକ ପଠନ। କ୍ରମେ ଏହାର ସ୍ଥାନ ଟେଲିଭିଜନ, ରେଡିଓ, କମ୍ପ୍ୟୁଟର ଓ ମୋବାଇଲ ନେଲେ। ଧୀରେ ଧୀରେ ଲୋକଙ୍କର ବହି ପଢ଼ିବାର ଅଭ୍ୟାସ କମି କମି ଗଲା। ପୁସ୍ତକର ଆକର୍ଷଣ ପାଠକ ଆଉ ଅନୁଭବ କଲେ ନାହିଁ; ଯାହା ସାହିତ୍ୟର ଉନ୍ନତି ଏବଂ ସମୃଦ୍ଧି ପଥକୁ ଅବରୋଧ କଲା। ତଥାପି କିଛି ପ୍ରକାଶକ, ସ୍ରଷ୍ଟା ଏବଂ ପାଠକଙ୍କ ପ୍ରୟାସ ଯୋଗୁ ଆଜି ମଧ୍ୟ ବହି ଛପା, କିଣା ଓ ବିକା ଚାଲିଛି। ଏଇ ଆଶାରେ ଯେ ଆମ ଆଗାମୀ ପିଢ଼ି ପ୍ରକାଶିତ ପୁସ୍ତକ ସବୁକୁ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ, ଏହା ପ୍ରତି ଆକର୍ଷିତ ହେବେ। ହେଲେ ଏହା ବି ସତ ଯେ, ପ୍ରକାଶିତ ପୁସ୍ତକ ଗୁଡ଼ିକୁ ପଢ଼ିବା ପାଇଁ ପାଠକଙ୍କ ମନରେ ଆଗ୍ରହ ପ୍ରକାଶକ ବା ସ୍ରଷ୍ଟା ସୃଷ୍ଟି କରିପାରିବେ ନାହିଁ l ଏହା ପାଇଁ ସ୍ବତଃପ୍ରବୃତ୍ତ ଭାବରେ ପାଠକମାନଙ୍କୁ ହିଁ ଆଗେଇ ଆସିବାକୁ ହେବ। ବର୍ତ୍ତମାନ ଦେଖାଯାଉଛି ଡିଜିଟାଲ ମିଡିଆ, ଯେପରି କି ଫେସବୁକ, ୱେବ ପୋର୍ଟାଲରେ ଅନେକ ସାହିତି୍ୟକ ନିଜ ଲେଖା ଦେବାକୁ ଇଚ୍ଛୁକ ହେଲେଣି। ହାଟ୍ସଆପ ଏବଂ ଇନଷ୍ଟାଗ୍ରାମ ଭଳି ମାଧ୍ୟମରେ ଏହାର ବହୁଳ ପ୍ରଚାର ଖୁବ୍‌ କମ୍‌ ସମୟ ଭିତରେ ଜଣେ ଲେଖକ/ ଲେଖିକାଙ୍କୁ ନିଜର ପରିଚୟ ସୃଷ୍ଟି କରିବାରେ ସହାୟକ ହେଉଛି। ପୁନଃ ସେହି ଲେଖାଗୁଡିକୁ ୟୁଟ୍ୟୁବ୍‌ ଅଡିଓ ବା ଭିଡିଓ ଯୋଗେ ଆହୁରି ଆକର୍ଷଣୀୟ ଏବଂ ମନଲୋଭା କରି ସମସ୍ତଙ୍କ ଆଗରେ ପରଷି ଦିଆଯାଉଛି।
ଯଦିଓ ପୁସ୍ତକ ପଢ଼ିବାର ବିକଳ୍ପ ନାହିଁ, ତଥାପି ପୁସ୍ତକ ଗୁଡ଼ିକୁ ଏକାଠି ରଖିବା ପାଇଁ ଅଧିକ ସ୍ଥାନ ଦରକାର ଏବଂ ଏହାର ସଂରକ୍ଷଣ ମଧ୍ୟ ଜରୁରୀ। କିଛିଦିନ ତଳେ ପାଠାଗାରଗୁଡ଼ିକରେ କୁଢ଼ କୁଢ଼ ଉଇ ଖାଇଯାଇଥିବା ବହି ଗଦା ଏହାର ସଦ୍ୟତମ ଉଦାହରଣ। ଏଭଳି ସ୍ଥଳରେ ଲେଖାଗୁଡ଼ିକୁ ଡିଜିଟାଲାଇଜେସନ କରି ରଖିବା ଏବଂ ଯେତେବେଳେ ଇଚ୍ଛା କଲେ ସହଜରେ ପଢିବା ଅଧିକ ସୁବିଧାଜନକ। ଏହା ଦ୍ୱାରା ଯାତ୍ରା କରିବା, କୌଣସି କାମ କରିବା କିମ୍ବା ଅବସର ସମୟରେ ଏହାକୁ ଶୁଣି କିମ୍ବା ଦେଖିବା ସମ୍ଭବ ହୁଏ।
ଏହି ମାଧ୍ୟମଟି ଖାଲି ଯେ ସାହିତି୍ୟକଙ୍କୁ ସୁହାଉଛି ତା’ ନୁହେଁ ବରଂ ସାଧାରଣ ବର୍ଗର ଲୋକଙ୍କୁ ମଧ୍ୟ ସାହିତ୍ୟ ପ୍ରତି ଆଗ୍ରହୀ କରୁଛି। ଡିଜିଟାଲାଇଜେସନ ଦ୍ୱାରା କେବଳ ଯେ ସୁବିଧା ହୁଏ ତା’ ନୁହେଁ, ଏହା ଅନେକ ଅସୁବିଧାକୁ ମଧ୍ୟ ନିମନ୍ତ୍ରଣ ଦିଏ। ଯେପରି କି ସମ୍ପାଦନା ଏବଂ ପ୍ରକାଶକଙ୍କ ଅନୁପସ୍ଥିତି ଯୋଗୁ ଅନେକ ନିମ୍ନମାନର କିମ୍ବା ଦ୍ବିଅର୍ଥବୋଧକ ସାହିତ୍ୟ ସୃଷ୍ଟି ହୋଇଥାଏ l କିନ୍ତୁ ଏତିକି ମନେରଖିବାକୁ ହେବ ଯେ ଯାହା ଉତ୍ତମ ନୁହେଁ ତାହା କ୍ଷଣସ୍ଥାୟୀ। ସମୟ ସହିତ ତାଳ ଦେଇ କେବଳ ଉନ୍ନତ, ସମୃଦ୍ଧ ଏବଂ ମହତ ବାର୍ତ୍ତା ଦେଉଥିବା ସୃଜନ ହିଁ ତିଷ୍ଠିପାରିବ। ଏଣୁ ଏହାର ନକାରାତ୍ମକ ଦିଗକୁ ଅଧିକ ଧ୍ୟାନ ନ ଦେଇ ଏହାର ସକାରାତ୍ମକ ଦିଗ ଉପରେ ଉଭୟ ପାଠକ ଏବଂ ଲେଖକ ଗୁରୁତ୍ୱଦେବା ଆବଶ୍ୟକ। ସୋସିଆଲ ମିଡିଆରେ ଲେଖା ଆରମ୍ଭ କରୁଥିବା ଅନେକ ନୂଆ ପ୍ରତିଭା ଏବେ ଡିଜିଟାଲାଇଜେସନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ବହି ଟିଏ କିଣି ପଢ଼ିବା ସମସ୍ତଙ୍କ ପାଇଁ ସମ୍ଭବ ହେଉ ନ ଥିବା ବେଳେ, ମୋବାଇଲ ପରଦାରେ ଲେଖା ପଢ଼ିବା, ଦେଖିବା ଓ ଶୁଣିବା ନିତି କିଛି ନୂଆ ପାଠକ ଏବଂ ଆଗକୁ ଯାଇ ନୂଆ ଲେଖକ କିମ୍ବା ସାହିତି୍ୟକ ସୃଷ୍ଟି କରିବାରେ ସହାୟକ ହୋଇଛି l ଏହା ବ୍ୟତୀତ ବହୁ ପ୍ରାଚୀନ, ଉତ୍କୃଷ୍ଟ ଏବଂ କାଳଜୟୀ ସ୍ରଷ୍ଟାଙ୍କ ସୃଜନ ସମୂହକୁ ଡିଜିଟାଲାଇଜେସନ କରିଦେଲେ ତାହା ସମସ୍ତଙ୍କୁ ହାତପାଆନ୍ତାରେ ମିଳିପାରୁଛି, ଯାହା ସାହିତ୍ୟର ସମୃଦ୍ଧି ପଥରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି l
ଶେଷରେ ଏତିକି ସାରକଥା ଯେ, ମାଧ୍ୟମ ଯାହା ହେଉ ନା କାହିଁକି ଆମ ସାହିତ୍ୟ ଅଧିକରୁ ଅଧିକ ଲୋକଙ୍କୁ ଅନୁପ୍ରାଣିତ କରୁ। ଆମ କଳା, ସଂସ୍କୃତି, ପରମ୍ପରା, ଚଳଣିକୁ ବିଶ୍ୱ ଦରବାରରେ ପରିଚିତ କରେଇବା ଦିଗରେ ସାହିତ୍ୟର ଏହି ଯାନ୍ତ୍ରିକ ମାଧ୍ୟମ ବେଶ୍‌ ସଫଳ ହୋଇଛି, ତାହା ସମସ୍ତେ ମାନିବେ। ଆବଶ୍ୟକତା ଅଛି ଉଭୟ ପାଠକ ଏବଂ ଲେଖକ ନିଜେ ଟିକେ ଯତ୍ନଶୀଳ ହେବେ। ଅଶ୍ଳୀଳ, ଦ୍ବିଅର୍ଥବୋଧକ ଏବଂ ନକାରାତ୍ମକ ସୃଜନଗୁଡ଼ିକୁ ଅଣଦେଖା କରି ସମାଜର ହିତ ସାଧନ କରୁଥିବା ସୃଜନକୁ ଆପଣେଇ ନେବେ। ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଡିଜିଟାଲ ମିଡିଆ ଯେ ଏକ ନୂତନ ବିପ୍ଳବ ଆଣିଛି, କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆଶା ଏହି ବିପ୍ଳବ ସବୁବର୍ଗର ଲୋକଙ୍କୁ ସାହିତ୍ୟ ପ୍ରତି ଆସକ୍ତ କରୁ। ମୋର ବିଶ୍ୱାସ ଭବିଷ୍ୟତରେ ଏହା ସାହିତ୍ୟକୁ ଆହୁରି ରୁଦ୍ଧିମନ୍ତ କରିବାରେ ସକ୍ଷମ ହେବ।

ଶ୍ରୁତକୀର୍ତ୍ତି ତ୍ରିପାଠୀ
ମୋ :୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?